ସୁନା ଉପରେ ୩%, ବିସ୍କୁଟ ଉପରେ ୧୮%

News Story - Posted on 2017-06-04

ସୁନା ଉପରେ ଲାଗୁ ହେବ ମାତ୍ର ୩ ପ୍ରତିଶତ ଜିଏସଟି ବା ସାମଗ୍ରୀ ଓ ସେବା କର। ଆଜି ବସିଥିବା ଜିଏସଟି ପରିଷଦରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଏହି ନିଷ୍ପତ୍ତି ଯୋଗୁଁ ଜିଏସଟି ହାର ଆଉ ୪ ଥାକିଆ ନହୋଇ ୫ ଥାକିଆ ହୋଇଯାଇଛି। ଏଣିକି ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ବସୁଥିବା ଜିଏସଟି ହାର ହେଉଛି ୩, ୫, ୧୨, ୧୮ ଓ ୨୮ ପ୍ରତିଶତ। ଆଜିର ବୈଠକରେ ବିଡ଼ି ଉପରେ ଜିଏସଟି ଧାର୍ଯ୍ୟ ହୋଇଥିଲେ ମଧ୍ୟ ସିଗାରେଟ ଉପରେ ଧାର୍ଯ୍ୟ ହୋଇପାରି ନାହିଁ। ଏଥିପାଇଁ ଜୁନ ୧୧ ତାରିଖରେ ଆଉ ଥରେ ପରିଷଦ ବୈଠକ ବସିବ।

 

ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦ ବୈଠକରେ ସୁନା, ବିଡ଼ି, ଜୋତା ଓ ଅନ୍ୟ କେତେକ ସାମଗ୍ରୀ ଉପରେ ସାମଗ୍ରୀ ଓ ସେବା କର ବା ଜିଏସଟି ହାର ଚୂଡ଼ାନ୍ତ ହୋଇଛି। ସୁନା ଉପରେ ୨ ପ୍ରତିଶତ ଜିଏସଟି ପାଇଁ ସୁନା ଶିଳ୍ପର ବଣିକମାନେ ଦାବି କରୁଥିଲେ। ସରକାର ୫ ପ୍ରତିଶତ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ରଖିଥିଲେ। କିନ୍ତୁ ପରିଷଦ ଏହାକୁ ୩ ପ୍ରତିଶତ ଧାର୍ଯ୍ୟ କରିଛି। ଏଥିପାଇଁ ଜିଏସଟି ହାରରେ ଆଉ ଏକ ସ୍ଲାବ ବଢ଼ିଛି। ପୂର୍ବରୁ ୪ ଥାକିଆ ଜିଏସଟି ହାର ଧାର୍ଯ୍ୟ ହୋଇଥିଲା। ନୂଆ ନିଷ୍ପତ୍ତି ଅନୁସାରେ ଉଭୟ ସୁନା ବିସ୍କୁଟ ଓ ସୁନା ଅଳଙ୍କାର ଉପରେ ୩ ପ୍ରତିଶତ ଜିଏସଟି ହିସାବ ହେବ।

 

ସେହିପରି ହୀରା ଉପରେ ମଧ୍ୟ ୩ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଛି। ଅକଟା ହୀରା ଉପରେ ୦.୨୫ ପ୍ରତିଶତ ଅଧିକ ଟିକସ ଲେଭି ଆକାରରେ ହିସାବ ହେବ। ରତ୍ନ ପଥର ଉପରେ ମଧ୍ୟ ୩ ପ୍ରତିଶତ ଜିଏସଟି ଲାଗିବ।

 

ବିଡ଼ି ଉପରେ ପରିଷଦ ୨୮ ପ୍ରତିଶତ ଜିଏସଟି ଧାର୍ଯ୍ୟ କରିଛନ୍ତି। ତେବେ ଏହା ଉପରେ ସେସ‌୍‍ ବା ଉପକର ହିସାବ ହେବ ନାହିଁ। ଅର୍ଥମନ୍ତ୍ରୀ ଜେଟଲି କହିଛନ୍ତି ଯେ ସିଗାରେଟ ଉପରେ ସେସ‌୍‍ ପଡ଼ିବ। ତେବେ ସିଗାରେଟ ଉପରେ ଜିଏସଟି ଧାର୍ଯ୍ୟ ହୋଇନାହିଁ। ଜୁନ ୧୧ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

 

ସେହିପରି ୫୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଜୋତା ଉପରେ ୫ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଥିବାବେଳେ ତଦୁର୍ଦ୍ଧ୍ୱ ମୂଲ୍ୟର ଜୋତା ଉପରେ ୧୮ ପ୍ରତିଶତ ଜିଏସଟି ହିସାବ ହେବ। ବିସ୍କୁଟ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ। ରେଡିମେଡ ପୋଷାକ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ। ତେବେ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ୫ ପ୍ରତିଶତ ଅତିରିକ୍ତ କର ହିସାବ କରାଯିବ। କପା ସୂତା ଓ ତନ୍ତୁ ଉପରେ ୫ ପ୍ରତିଶତ ଓ ସିନ୍ଥେଟିକ ତନ୍ତୁ ଉପରେ ୧୮ ପ୍ରତିଶତ ଜିଏସଟି ହିସାବ ହେବ। ତେବେ ଝୋଟକୁ ଜିଏସଟି ପରିସରରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି। କୃଷି ଯନ୍ତ୍ରପାତି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ।

 

ଆସନ୍ତା ଜୁଲାଇ ପହିଲାରୁ ସମଗ୍ର ଦେଶରେ ଜିଏସଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେବେଠାରୁ ଏଯାଏଁ ପ୍ରଚଳିତ ଅନେକ ଟିକସ ଲୋପ ପାଇବ।

 

ଜିଏସଟି ପରିଷଦର ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ, ଶିକ୍ଷା, ନନ‌୍‍-ଏସି ରେଳଯାତ୍ରାକୁ ଜିଏସଟି ପରିସରରୁ ମୁକ୍ତ ରଖାଯାଇଛି। ସେହିପରି ଖାଦ୍ୟଶସ୍ୟ, ଡାଲି, ଗୁଡ଼ ଓ ଦୁଗ୍ଧ ଉପରେ ମଧ୍ୟ ଜିଏସଟି ଲାଗୁ ହେବ ନାହିଁ। ଗୋଲାପଜାମୁ ଓ ରସଗୋଲା ପରି ଭାରତୀୟ ମିଠା, ଖାଦ୍ୟତୈଳ, ଚିନି, ଚା, କଫି ଓ କୋଇଲା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି।

 

କେଶତୈଳ, ଦାନ୍ତଘଷା ପେଷ୍ଟ, ସାବୁନ, ପୁଂଜିସାମଗ୍ରୀ ଓ ଶିଳ୍ପ ଯନ୍ତ୍ରପାତି ଉପରେ ୧୮ ପ୍ରତିଶତ, ଛୋଟ କାର‌୍‍ ଓ ବିଳାସପୂର୍ଣ୍ଣ କାର‌୍‍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗିବ। ତେବେ ବିଳାସପୂର୍ଣ୍ଣ କାର‌୍‍ ଉପରେ ଅତିରିକ୍ତ ଭାବେ ୧୫ ପ୍ରତିଶତ ଉପକର ବା ସେସ‌୍‍ ହିସାବ ହେବ। ଏସି, ଫ୍ରିଜ‌୍‍ ଆଦି ବିଳାସପୂର୍ଣ୍ଣ ଘରୋଇ ଉପକରଣ ଉପରେ ମଧ୍ୟ ୨୮ ପ୍ରତିଶତ ଜିଏସଟି ହିସାବ ହେବ।

 

ଟେଲିକମ ଓ ଅର୍ଥ ସେବା ଉପରେ ୧୮ ପ୍ରତିଶତ ଓ ପରିବହନ ସେବା ଉପରେ ୫ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଛି। ସିନେମା, ଜୁଆ, ବେଟିଂ ଓ ଘୋଡ଼ାଦୌଡ଼ ଆଦି ମନୋରଂଜନ ସେବା ଉପରେ ୨୮ ପ୍ରତିଶତ ଜିଏସଟି ହିସାବ ହେବ। ଦିନକୁ ୧୦୦୦ ଟଙ୍କାରୁ କମ ଦାବି କରୁଥିବା ହୋଟେଲ ଓ ଲଜ ସେବା ଉପରେ ଜିଏସଟି ଲାଗିବ ନାହିଁ। କିନ୍ତୁ ୧୦୦୦-୨୦୦୦ ଟଙ୍କା ଦାବି କରୁଥିବା ହୋଟେଲ ଓ ଲଜ‌୍‍ ସେବା ଉପରେ ୧୨ ପ୍ରତିଶତ, ୨୦୦୦-୫୦୦୦ ଟଙ୍କା ଦାବି କରୁଥିବା ହୋଟେଲ ଓ ଲଜ‌୍‍ ସେବା ଉପରେ ୧୮ ପ୍ରତିଶତ ଓ ତଦୁର୍ଦ୍ଧ୍ୱ ଟଙ୍କା ଦାବି କରୁଥିବା ହୋଟେଲ ଓ ଲଜ‌୍‍ ସେବା ଉପରେ ୨୮ ପ୍ରତିଶତ ଜିଏସଟି ହିସାବ ହେବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top