ମାମୁଲି ମଣିଷ!

News Story - Posted on 2017-05-26

ରବି କାନୁନ୍‌ଗୋ

 

“The worst affected from corruption is the common man.” – Kailash Kher

ଖାଦ୍ୟ ଓ ଭାରତ। ଅଧିକ ଲୋକ ଏଠି ଦି କାରଣରୁ ମରନ୍ତି।  ବେଶି ଖାଇ କିମ୍ୱା ଖାଇବାକୁ ନ ପାଇ। ପୃଥିବୀର ସବୁଠୁଁ ଅସ୍ୱାଭାବିକ ଗୋଷ୍ଠୀ ହେଲା ଭାରତର ଏଇ ମାମୁଲି ମଣିଷମାନେ। କେବଳ ସଂଖ୍ୟାରେ ନୁହଁନ୍ତି, ଚରିତ୍ରରେ ମଧ୍ୟ। ଅଷ୍ଟମୀ ଜହ୍ନ ପରି ଏମାନଙ୍କ ତେଜ ଅଧା ଅନ୍ଧାର ବା ଅଧା ଆଲୁଅ। ଆର.କେ. ଲକ୍ଷ୍ମଣଙ୍କ କାଟୁର୍ନର ଅସହାୟ ‘କମନ‌୍‍-ମ୍ୟାନ‌୍‍’ ପରି। ସବୁ ଦେଖୁଥାଏ, କିନ୍ତୁ କିଛି କରି ପାରେନି।

 

ନରେନ୍ଦ୍ର ମୋଦୀଙ୍କ ‘ସୱା କରୋଡ଼ ଦେଶବାସୀଓଁ’ ବା କଂଗ୍ରେସର ‘ଆମ‌୍‍-ଆଦ‌୍‍ମି’ ଆଉ ପ୍ରକାରେ। ସେମାନେ ବୋକା ହେବାକୁ ଦରଖାସ୍ତ ଦିଅନ୍ତି। ଗ୍ରାମୀଣ କର୍ମ-ନିଯୁକ୍ତି ଯୋଜନାରେ ଗ୍ୟାରେଣ୍ଟେଡ‌୍‍ ରୋଜଗାର କରନ୍ତି। ଟଙ୍କାକିଆ ଚାଉଳ ଖାଆନ୍ତି। କାର‌୍‍ ଚଢ଼ନ୍ତି। ମୋବାଇଲ ଧରନ୍ତି। ଟିଭି ରିଆଲିଟି ସୋ’ରେ ଏସଏମଏସ କରନ୍ତି। ୭ମ ବେତନ କମିସନ ରିପୋର୍ଟରେ ଅସନ୍ତୋଷ ବ୍ୟକ୍ତ କରନ୍ତି। ଡାଲି କିଲୋ ଶହେ ଟଙ୍କାରେ କିଣି ଷ୍ଟକ‌୍‍-ମାର୍କେଟ ନାଁରେ ଜୁଆ ଖେଳନ୍ତି। କନ‌୍‍ଭେଣ୍ଟ‌୍‍ ପାଠୁଆ ଝିଅକୁ ବୋହୂ କରିବାକୁ ପସନ୍ଦ କରନ୍ତି କିନ୍ତୁ ତା ତୁଣ୍ଡରୁ ଇଂଲିଶ ଶୁଣିଲେ ତାକୁ ଉଦ୍ଧତ ବୋଲି ଭାବନ୍ତି। ଧୂମଧଡ଼କ ଦୁର୍ନୀତି କରନ୍ତି ଏବଂ ତତୋଧିକ ଉତ୍ସାହରେ ସଦାଚାରର ପ୍ରଚାର ବି କରନ୍ତି। ଗୋବିନ୍ଦଚନ୍ଦ୍ର ବା ମାଧବପ୍ରସାଦ ପୂର୍ବରୁ ଏମାନଙ୍କୁ ଗୋବିନ୍ଦା ବା ମାଧିଆ ଡକା ଯାଉଥାଏ। ପରଟା ସାଇଜ‌୍‍ ଭାରତରେ ଏମାନଙ୍କ ଅବସ୍ଥିତି ରିଫାଇନ ତେଲ ପରି। ମାଫିଆରୁ ମହାତ୍ମା ହେବା ଏମାନଙ୍କ ପାଇଁ ହିଁ ସହଜ। ବହୁ ଉଦାହରଣରୁ ଦୁଇଟି- ଗାନ୍ଧି ଏବଂ ଅବଦୁଲ କାଲାମ।

 

ପାର୍ଲାମେଣ୍ଟ‌୍‍ରେ ତିନି ଶହ କୋଟିପତି ସାଂସଦ ବସି ଏ ମାମୁଲି ମଣିଷଙ୍କ କଥା ଭାବନ୍ତି, ଆଲୋଚନା ଏବଂ ସମାଧାନ କରନ୍ତି। ରାଜାଙ୍କ କାନରେ ପୁଅ ଓ ରାଣୀଙ୍କ କାନରେ ଝିଅ ଜନ୍ମ ଖବର ପହଞ୍ଚାଇ ନିଜ ସ୍ଥିତି ସୁଦୃଢ଼ କରନ୍ତି ଏବଂ ‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେଯୁଗେ’ ବିଶ୍ୱାସରେ ମରିବାକୁ ଅପେକ୍ଷା କରି ଅନିର୍ଦ୍ଦିଷ୍ଟ ବିଶ୍ୱାସରେ ବଞ୍ଚି ରହି ପାରନ୍ତି। ଏସବୁ ସତ୍ତ୍ୱେ, ଏଥିରୁ ସଂଖ୍ୟାଧିକ ନିଜକୁ ଅନ‌୍‍-କମନ‌୍‍ ଭାବନ୍ତି। ତେବେ ବି ସେମାନେ ନିଜକୁ ‘ଆମ‌୍‍-ଆଦ‌୍‍ମି’ ପରିଚୟରେ ଆଭୂଷିତ କରିବାକୁ ପସନ୍ଦ କରନ୍ତି। ସବୁଠୁଁ ମସ୍ତବଡ଼ ବିଲକ୍ଷଣ ହେଲା ଯେ ଭାରତରେ ‘କମନ‌୍‍-ମ୍ୟାନ‌୍‍’ ବା ‘ଆମ‌୍‍-ଆଦ‌୍‍ମି’ ଚିହ୍ନିବା ସାଧ୍ୟ କାହାରି ନାହିଁ। ମହାସମୁଦ୍ର ନୀଳ, କିନ୍ତୁ କୋଉଠୁ ଉଠେଇଲେ ବି ଆଞ୍ଜୁଳାଏ ଜଳ ଯେ ନୀଳ ନୁହେଁ, ସେହିପରି ଏମାନଙ୍କ ଅବସ୍ଥା। ଏମାନଙ୍କୁ ରାଜନୀତି ନାନାରୂପେ ଭଣ୍ଡି ପାରେ ବା ଜିତି ପାରେ କିନ୍ତୁ କେବେ ବି ସଂପୂର୍ଣ୍ଣ ବିଶ୍ୱାସ କରି ପାରେ ନାହିଁ।

 

ଇଂଲଣ୍ଡର ବିଚାରପତି ତାଲିକାରେ ଲର୍ଡ ପ୍ୟାଟ୍ରିକ ଆର୍ଥର ଡେଲ‌୍‍ଭିନ (୨୫.୯.୧୯୦୫ - ୯.୮.୧୯୯୨) ଏକ ବିଖ୍ୟାତ ନାଁ। ଗୋଟିଏ ଶ୍ରମ ବିବାଦ ରାୟରେ ତାଙ୍କ ଉକ୍ତି ଥିଲା, ସାଧାରଣ ନାଗରିକ ବା ଜଣେ ‘କମନ‌୍‍-ମ୍ୟାନ‌୍‍’ର ରାଷ୍ଟ୍ରର ପ୍ରତିପତ୍ତି ବିରୁଦ୍ଧରେ ଲଢ଼ିବା ପାଇଁ ସୁଯୋଗ ବା ଶକ୍ତି ନଥାଏ। ତାହା ପ୍ରତିହତ କରିବାକୁ ‘ଆଇନର ଶାସନ’ ପ୍ରତିଷ୍ଠା ହୋଇଛି। ଏହାର ଅର୍ଥ ହେଲା ଯେ ରାଷ୍ଟ୍ରର ସେବକାରୀ ଆପେଆପେ ନାଗରିକର ସେବକ। ସେ କ୍ଷମତା ପାଏ। ମାତ୍ର ତଦ୍ଦ୍ୱାରା ସେ କାହାରି ଅମଙ୍ଗଳ କରି ପାରିବନି। ଯିଏ ଦୁରୁପଯୋଗ କରେ ସେ ଅବଶ୍ୟ ଦଣ୍ଡ ପାଇବ। କୌଣସି ଆଳରେ ନିଜ ତୃଟୀ ପାଇଁ ସେ ଆଇନର ସୁରକ୍ଷା ହାସଲ କରିପାରିବ ନାହିଁ। (ରୁକ‌୍‍ସ - ବନାମ - ବାର୍ଣ୍ଣାଡ, ୧୯୬୪) ରାୟର ଏହି ଉକ୍ତିକୁ ସୁପ୍ରିମକୋର୍ଟ ସମେତ ସବୁ ଭାରତୀୟ କୋର୍ଟ ପ୍ରାୟ ଉଦ୍ଧାର କରନ୍ତି, କିନ୍ତୁ କଦାପି କେହି ପାଳନ କରନ୍ତି ନାହିଁ।

 

 ‘କମନ‌୍‍-ମ୍ୟାନ‌୍‍’ ଚିହ୍ନେଇବାକୁ ଦାର୍ଶନିକ ଜର୍ଜ ସାନ୍ତାୟନ (୧୯୬୩-୧୯୫୨)ଙ୍କ ର ଗୋଟିଏ ଉକ୍ତି ହେଲା- The philosophy of the common man is an old wife that gives him no pleasure, yet he can not live without her.


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top