ଦୁର୍ନୀତିଗ୍ରସ୍ତ ରକ୍ତମୁଖା, ବଢ଼ୁଛି ଆକ୍ରମଣ

News Story - Posted on 2017-05-23

ସୁଧୀର ମହାନ୍ତି

 

୨୦୧୭ ଏପ୍ରିଲ ୨୪ ତାରିଖରେ ମାନବାଧିକାର କର୍ମୀ ସୁବାସ ମହାପାତ୍ରଙ୍କୁ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଛକଠାରେ କିଛି ଦୁର୍ବୃତ୍ତ କିଟ୍‌ ସଂସ୍ଥା ବିରୁଦ୍ଧରେ ଜାତୀୟ ଗ୍ରୀନ‌୍‍ ଟ୍ରିବୁନାଲରେ ହୋଇଥିବା କେସ‌୍‍ର ପ୍ରତ୍ୟାହାର ନ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଶ୍ରୀ ମହାପାତ୍ର ଖଣ୍ଡଗିରି ଥାନାରେ କେସ‌୍‍ ରୁଜୁ କରିଥିଲେ।

 

ସେହିପରି ମେ, ୩ ତାରିଖରେ ରାଜ୍ୟର ବିଶିଷ୍ଟ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ପରିବାର ଉପରେ ପେଟ୍ରୋଲ ଆକ୍ରମଣ ହୋଇଥିଲା। ପରିବାରର ଜଣେ ସଦସ୍ୟା ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଗତ ମେ, ୧୨ ତାରିଖରେ ନୟାଗଡ଼ ଜିଲ୍ଲାର ସୂଚନାଧିକାର କର୍ମୀ କେଶବ ମହାକୁଡ଼ଙ୍କୁ ବାଣିବିହାର ଛକରେ କିଛି ଯୁବକ ବାଟରେ ଅଟକାଇ ନିସ୍ତୁକ ମାଡ଼ ମାରି ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ନ କରିବାକୁ ସତର୍କ କରାଇ ଚାଲି ଯାଇଥିଲେ।

 

ମେ, ୯ ତାରିଖରେ ବଲାଙ୍ଗୀର ଜିଲ୍ଳାର ସୂଚନାଧିକାର କର୍ମୀ ଶଙ୍କର ପାଣିଗ୍ରାହୀଙ୍କୁ ଏକ ଅଜଣା ଫୋନ‌୍‍ରୁ ବଲାଙ୍ଗୀର ଉପଖଣ୍ଡ ଥାନା ଅଧିକାରୀଙ୍କ ବିରୁଦ୍ଧରେ କିଛି ନ କହିବା ପାଇଁ ତାଗିଦ କରିବା ସହ ଏନ‌୍‍କାଉଣ୍ଟର କରି ହତ୍ୟା କରିବାକୁ ଧମକ ଦେଇଥିଲେ।

 

ଏହି ସମସ୍ତ ଘଟଣା ସମ୍ପର୍କରେ ହୋଇଥିବା ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ଥାନା ଅଧିକାରୀମାନେ ପଞ୍ଜିକୃତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ ବା ଗିରଫ କରିବାରେ ସକ୍ଷମ ହୋଇନାହାଁନ୍ତି।

 

୨୦୦୫ ମସିହାରୁ ଜନସାଧାରଣଙ୍କୁ ସୂଚନା ପାଇବାର ଅଧିକାର ଦେବା ଏବଂ ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ସୂଚନା ଅଧିକାର ଆଇନ‌୍‍ କାର୍ଯ୍ୟକାରୀ ହୋଇଆସୁଅଛି। ଏହି ଆଇନ‌୍‍କୁ ବ୍ୟବହାର କରି ସୂଚନାଧିକାର କର୍ମୀମାନେ ରାଜ୍ୟ ପ୍ରଶାସନ ଏବ ସରକାରୀ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା, ଜାଲିଆତି ଏବଂ ଲୁଟ‌୍‍ତରାଜର ପର୍ଦ୍ଦାଫାଶ କରି ଆସୁଛନ୍ତି। ଦୁର୍ନୀତିକୁ ପ୍ରତିହତ କରିବା ସୂଚନା ଆଇନ‌୍‍ର ପ୍ରମୁଖ ଲକ୍ଷ୍ୟ ହୋଇଥିବାରୁ ସାଧାରଣ ଲୋକଙ୍କ ହାତରେ ଏହି ଆଇନ‌୍‍ ଏକ ପ୍ରମୁଖ ଅସ୍ତ୍ର ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରରେ ବ୍ୟାପକ ଅର୍ଥ ତୋଷାରପାତ, ଠକାମୀ ଏବଂ କୋଟି କୋଟି ଟଙ୍କା ଲୁଟ‌୍‍ ହେଉଥିବାରୁ ସୂଚନାଧିକାର କର୍ମୀମାନେ ସଂଘବଦ୍ଧ ହୋଇ ଆଇନ‌୍‍କୁ ବ୍ୟବହାର କରି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ରାଜ୍ୟରେ ସୀମାହୀନ ଜମି ଦୁର୍ନୀତି, ଭୁବନେଶ୍ୱର-କଟକରେ ଜମି ଆବଣ୍ଟନରେ ବ୍ୟାପକ ଜାଲିଆତି, ବିଜେଡ଼ି ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସରମାନେ ଅନିୟମିତତା କରି ମିଥ୍ୟା ସତ୍ୟପାଠ ଦାଖଲ କରି ଏକାଧିକ ପ୍ଲଟ ମାଡ଼ିବସିବା, ରାଜଧାନୀ ଉପକଣ୍ଠରେ ପଟିଆ ଏବଂ ପଥରଗାଡ଼ିଆ ଅଞ୍ଚଳରେ ବେଆଇନ‌୍‍ ଭାବେ କିଟ‌୍‍ ଏବଂ କିସ‌୍‍ ସଂସ୍ଥା ୧୦୦ଏକରରୁ ଉର୍ଦ୍ଧ୍ୱ ଜମି ମାଡ଼ି ବସିବା, ରାଜ୍ୟ ଶିକ୍ଷା ଓ ପ୍ରଦ୍ୟୋତିକ ଅନୁଷ୍ଠାନକୁ ଚକ୍ରାନ୍ତ କରି ବନ୍ଦ କରିବା, ଓ.କେ.ସି.ଏଲ‌୍‍ ନାମରେ ଏକ ଠକ କମ୍ପାନୀ କରି କମ୍ପୁଟର ଶିକ୍ଷା ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରିବା, ଶହ ଶହ କମ୍ପାନୀ ଏବଂ ବ୍ୟବସାୟିକ ଅନୁଷ୍ଠାନମାନଙ୍କ ଉପରେ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଜଳକର, ବିଦ୍ୟୁତ‌୍‍ କର ଆଦାୟ ନହେବା, ମେଧାବୃତ୍ତି ଅର୍ଥକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓ.କେ.ସି.ଏଲ‌୍‍. କମ୍ପାନୀର ଅଧିକାରୀମାନେ ହଡ଼ପ କରିବା, ଏଏନ୍‌ଆରଇଜିଏ କାମରେ ବ୍ୟାପକ ଜାଲିଆତି, ଠକାମୀ, ଶ୍ରମିକମାନଙ୍କର ମଜୁରୀ ହଡ଼ପ, ଆଇସିଡ଼ିଏସ‌୍‍ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟାପକ ଅର୍ଥ ହେର‌୍‍ଫେର‌୍‍ ଇତ୍ୟାଦି ସମ୍ପର୍କୀତ ତଥ୍ୟ ସୂଚନା ଆଇନ‌୍‍ ବଳରେ ଖୋଲାସା ହୋଇଛି ଏବଂ ରାଜ୍ୟ ସରକାରଙ୍କର ଅସଲ ଚରିତ୍ର ଲୋକ ଲୋଚନକୁ ଆସିପାରିଛି।

 

ସୂଚନାଧିକାର କର୍ମୀମାନେ କେବଳ ଏହି ତଥ୍ୟ ଖୋଲାସା କରିବାରେ ସେମାନଙ୍କର କାର୍ଯ୍ୟକୁ ସୀମିତ ରଖିନାହାଁନ୍ତି। ପରନ୍ତୁ ଏହି ତଥ୍ୟକୁ ଆଧାର କରି ରାଜ୍ୟ କ୍ରାଇମ‌୍‍ ବ୍ରାଞ୍ଚ, ରାଜ୍ୟ ଭିଜିଲାନ୍ସ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ, ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା କରିଛନ୍ତି। ମାନବାଧିକାର କର୍ମୀ ସୁବାସ ମହାପାତ୍ର ଜାତୀୟ ଗ୍ରୀନ‌୍‍ ଟ୍ରିବୁନାଲରେ କିସ‌୍‍/କିମ‌୍‍ସ ସଂସ୍ଥା ଦ୍ୱାରା ହୋଇଥିବା ବେଆଇନ‌୍‍ ଜବର ଦଖଲ ଜଙ୍ଗଲ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଗ୍ରୀନ‌୍‍ ଟ୍ରିବୁନାଲରେ କେସ‌୍‍ କରିଛନ୍ତି। ସେହିପରି ବେଆଇନ‌୍‍ ଭାବେ ଏସ‌୍‍ଆଇଇଟି ବନ୍ଦ, ଇଡ‌୍‍କୋ ଜମି ଜାଲିଆତି, ସାଧାରଣ ପ୍ରଶାସନ ବିଭାଗର ଜମି ଜାଲିଆତି ଇତ୍ୟାଦିର ସିବିଆଇ ତଦନ୍ତ ପ୍ରାର୍ଥନା କରି ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଉଚ୍ଚ ନ୍ୟାୟାଳୟରେ କେସ‌୍‍ ଦାୟର କରିଛନ୍ତି। ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି, ବିଭିନ୍ନ ପଞ୍ଚାୟତରେ ଉନ୍ନୟନମୂଳକ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସରେ କେସ‌୍‍ ହୋଇଛି।

 

ସୂଚନା ଆଇନ‌୍‍କୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରିବା ପାଇଁ ଜନସ୍ୱାର୍ଥ ବିରୋଧୀ ଓଡ଼ିଶା ସୂଚନା ଅଧିକାର ନିୟମାବଳୀ ସଂଶୋଧନ, ସର୍ବୋଚ୍ଚସ୍ତରରେ ହେଉଥିବା ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟରେ ଲୋକାୟୁକ୍ତ ଗଠନ, ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ ଇତ୍ୟାଦି ପ୍ରସଙ୍ଗ ସୂଚନାଧିକାର କର୍ମୀମାନେ ବାରମ୍ୱାର ଉଠାଇ ଆସୁଛନ୍ତି। ସୂଚନାଧିକାର କର୍ମୀମାନଙ୍କର ପର୍ଦ୍ଦାଫାଶ ଯୋଗୁ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ, ଠିକାଦାର, ଜମି ଦଲାଲମାନେ ବିବ୍ରତ ହୋଇପଡ଼ିଛନ୍ତି। ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଶାସନର ସ୍ଲୋଗାନ ଫିକା ପଡ଼ିଯାଇଛି। ତେଣୁ ସୂଚନାଧିକାର କର୍ମୀମାନଙ୍କୁ କାର୍ଯ୍ୟକୁ ରୋକ‌୍‍ ଦେବା ବା ପ୍ରତିହତ କରିବା ପାଇଁ ପ୍ରଶାସନିକ ଅଧିକାର, ପୋଲିସ‌୍‍ ପ୍ରଶାସନ, ଠିକାଦାରମାନଙ୍କର ମିଳିତ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି।

 

୨୦୧୪, ଡ଼ିସେମ୍ୱର ମାସରେ ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣା ବ୍ଲକର ସୂଚନାଧିକାର କର୍ମୀଙ୍କୁ ହତ୍ୟା, ଜାନୁୟାରୀ, ୨୦୧୫ରେ କଟକ ଜିଲ୍ଲାର ନିଆଳୀ ବ୍ଲକର ସୂଚନାଧିକାର କର୍ମୀ କୃପାସିନ୍ଧୁ ସାହୁଙ୍କୁ ସୁପାରି ଲଗାଇ ହତ୍ୟା କରାଯାଇଥିଲା। ରାଜ୍ୟରେ ହାରାହାରି ୫୦ରୁ ଉର୍ଦ୍ଧ୍ୱ ସୂଚନାଧିକାର କର୍ମୀମାନଙ୍କୁ ଏଯାବତ‌୍‍ ମରଣାନ୍ତକ ଆକ୍ରମଣ, ହତ୍ୟା ଧମକ ଏବଂ ମିଥ୍ୟା କେସ‌୍‍ ଦେଇ ହଇରାଣ କରାଯାଇଛି। କିନ୍ତୁ ଏହିସବୁ ଘଟଣାର ଅଭିଯୋଗ ଉପରେ ପୋଲିସ‌୍‍ ତଦନ୍ତର ନିଷ୍କ୍ରିୟତା, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମାସ ମାସ ଧରି ନ ହେବା ଯୋଗୁଁ କୁଚକ୍ରୀ ଗୋଷ୍ଠୀ ଆହୁରି ଉତ୍ସାହିତ ହୋଇ ଆକ୍ରମଣ କରିଚାଲିଛନ୍ତି।

 

ସୂଚନାଧିକାର କର୍ମୀମାନଙ୍କର ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟରେ ବିତର୍କ ଆରମ୍ଭ ହୋଇଛି। ସୂଚନାଧିକାର କର୍ମୀ ତଥା ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି। ସୂଚନାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ନହେବା ସମ୍ପର୍କରେ ଅନେକ ଅଭିଯୋଗ ଜାତୀୟ ତଥା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ବିଚାରାଧୀନ ପଡ଼ିରହିଛି। ମାନବାଧିକାର କମିଶନ ମଧ୍ୟ ମାନବାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଉଦ‌୍‍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ସୂଚନାଧିକାର କର୍ମୀମାନେ ସଂଘବଦ୍ଧ ହୋଇ ସେମାନଙ୍କର ସୁରକ୍ଷା ପାଇଁ ଦାବୀ କରିବା ସହ ରାଜ୍ୟରେ ତୁରନ୍ତ ହୁଇସିଲ‌୍‍ ବ୍ଲୋୟର ପ୍ରୋଟେକ୍ସନ ଆକ୍ଟ ପ୍ରଣୟନ ପାଇଁ ଦାବୀ କରିଛନ୍ତି। ଏହା ସହିତ ସୂଚନାଧିକାର କର୍ମୀମାନଙ୍କ ଅଭିଯୋଗ ଗୁଡ଼ିକୁ ତୁରନ୍ତ ପଞ୍ଜିକୃତ କରିବା ସହ ତଦନ୍ତ କରି କାର୍ଯ୍ୟାନୁ।ନ ଗ୍ରହଣ ପାଇଁ ରାଜ୍ୟର ସମସ୍ତ ପୋଲିସ‌୍‍ ଥାନାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ପୋଲିସ‌୍‍ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବୀ ହୋଇଛି। ସେମାନେ ଦୁର୍ନୀତିର ତଦନ୍ତ ପାଇଁ ଯଥାଶୀଘ୍ର ଲୋକାୟୁକ୍ତ ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

 

ରାଜ୍ୟରେ ସୂଚନା ଅଧିକାର ଆନ୍ଦୋଳନକୁ ଆହୁରି ତେଜିୟାନ କରିବା, ଦୁର୍ନୀତି ବିରୋଧୀ ଲଢେଇକୁ ଆହୁରି ଶାଣିତ କରିବା, ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସାମାଜିକ କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବା, ସୂଚନା ଆଇନ‌୍‍ର ବ୍ୟାପକ ବ୍ୟବହାର କରିବା ପାଇଁ ସୂଚନାଧିକାର କର୍ମୀମାନଙ୍କ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଲଢେଇ ମାଧ୍ୟମରେ ଓଡ଼ିଶା ଏକ ଦୁର୍ନୀତିମୁକ୍ତ ରାଜ୍ୟ ହୋଇପାରିବ ବୋଲି ସେମାନଙ୍କର ଆଶା ଏବଂ ବିଶ୍ୱାସ ରହିଛି।

 

ଆଇନ‌୍‍ଜୀବୀ ତଥା ସମ୍ପାଦକ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ,

ଭୁବନେଶ୍ୱର, ମୋ-୯୮୬୧୦୬୩୨୯୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top