୧୦୦ ବର୍ଷ ପରେ ସବୁ ଶେଷ!

News Story - Posted on 2017-05-23

ଗତ ୧୦୦ ବର୍ଷ ବା ତା’ଠୁଁ କିଛି ଅଧିକ ସମୟ ଭିତରେ ମଣିଷ ସମାଜ ଅନେକ କିଛି ଆବିଷ୍କାର ଓ ଉଦ୍ଭାବନ କରିଛି। ଆମେ ବିମାନ ସାହାଯ୍ୟରେ ଉଡ଼ିବା ଶିଖିଛୁ। ବିରାଟ ବିରାଟ ଯନ୍ତ୍ର ତିଆରି କରିଛୁ। ଅନେକ ଦୁରାରୋଗ୍ୟ ବ୍ୟାଧି ଭଲ କରିପାରିଛୁ। କଂପ୍ୟୁଟର, ଇଣ୍ଟର୍ନେଟ, ସ୍ମାର୍ଟ ଫୋନ‌୍‍- ଏମିତି ଅନେକ କିଛି ହାସଲ କରିପାରିଛି ମଣିଷ ସମାଜ, ଅନେକ କିଛି ଯାହା ଆଗରୁ ଆଶ୍ଚର୍ଯ୍ୟଜନକ ଓ କଳ୍ପନାତୀତ ମନେ ହେଉଥିଲା।

 

ତେବେ ଠିକ ଏହି ସମୟରେ ମଧ୍ୟ ଆମେ ଅନେକ କିଛି ଧ୍ୱଂସ କରିଛୁ। ଏଇ ସମୟ ଭିତରେ ଆମେ ଅନେକ ଯୁଦ୍ଧ କରିଛୁ- ସେଥିରୁ ଦୁଇଟି ବିଶ୍ୱ ଯୁଦ୍ଧ। ଆଉ ଡାକି ଆଣିଛୁ ଅନ୍ୟ ଏକ ଭୟଙ୍କର ବିପର୍ଯ୍ୟୟ ଯାହାର ନାଁ ହେଉଛି ପାଗ ପରିବର୍ତ୍ତନ। ମଣିଷ ତିଆରି ଏଇ ଭୟଙ୍କର ପରିବର୍ତ୍ତନଟି ଶେଷରେ ମଣିଷର କାଳ ହେବାକୁ ଯାଉଛି। ବିଶ୍ୱ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ଷ୍ଟିଫେନ ହକିଙ୍ଗଙ୍କ ଗଣନା ଅନୁସାରେ ପୃଥିବୀରେ ମଣିଷ ପାଇଁ ଆଉ ବୋଧହୁଏ ମାତ୍ର ୧୦୦ ବର୍ଷ ବାକି ଅଛି। ତା’ର ଯଥେଷ୍ଟ ଆଗରୁ ମଣିଷ ଯଦି ପୃଥିବୀ ଛାଡ଼ି ନପଳାଏ ତେବେ ପୃଥିବୀ ସହିତ ମଣିଷ ଜାତି ଧ୍ୱଂସ ପାଇବାର ସମ୍ଭାବନା ବହୁତ ବେଶି।

 

ପ୍ରଥମ ଥର ପାଇଁ ହକିଙ୍ଗ ଏପରି ବିପର୍ଯ୍ୟୟର ଆଶଙ୍କା କରି ନାହାନ୍ତି। ଏଇ କିଛି ବର୍ଷ ମଧ୍ୟରେ ସେ ଅନେକ ଥର ଏପରି ଆଶଙ୍କା ପ୍ରକାଶ କଲେଣି। କିଛି ବର୍ଷ ତଳେ ସେ କହିଥିଲେ ଯେ ସୁପର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ପରା-କୃତ୍ରିମ-ବୁଦ୍ଧି ମଣିଷର ଧ୍ୱଂସସାଧନ କରିବ। ଆଉ ଥରେ କହିଥିଲେ, ଗ୍ରହାନ୍ତରର ଜୀବନ ସଂପର୍କରେ ଆସିବା ମଣିଷ ପାଇଁ ଧ୍ୱଂସର କାରଣ ହୋଇପାରେ। ୨୦୧୬ ନଭେମ୍ୱର ମାସରେ ସେ ଅନ୍ୟ ଏକ ଦିଗରୁ କଳଣା କରି କହିଥିଲେ ଯେ ପୃଥିବୀରେ ମଣିଷ ପାଇଁ ଆଉ ବୋଧହୁଏ ମାତ୍ର ୧୦୦୦ ବର୍ଷ ବାକି ଅଛି। ଏବେ ସେ ଏହାକୁ ୧୦୦ ବର୍ଷକୁ କମାଇ ଦେଇଛନ୍ତି। ଗତ ୬ ମାସ ଭିତରେ ପୃଥିବୀରେ ଏତେ ଖରାପ କାମସବୁ ହୋଇଛି ଯେ ତାହାର ସାମୁଦାୟିକ ପରିଣାମ ପୃଥିବୀରେ ମଣିଷ ସଭ୍ୟତାର ଆୟୁଷକୁ ୯୦ ପ୍ରତିଶତ କମାଇ ଦେଇଛି!

 

ଆସନ୍ତା ଜୁନ ୧୫ ତାରିଖରେ ବିବିସିରେ ପ୍ରସାରିତ ହେବ ଏକ ପ୍ରାମାଣିକ ଚିତ୍ର। ଏହି ଚିତ୍ରରେ ହକିଙ୍ଗ ମଣିଷ ସମାଜକୁ ଏଇ ଭୟାନକ ଚେତାବନୀ ଶୁଣାଇଛନ୍ତି। ଯଦି ମଣିଷ ଜାତି ବଂଚି ରହିବାକୁ ଚାହେଁ ତେବେ ନିଜକୁ ବହୁ-ଗ୍ରହର ପ୍ରାଣୀରେ ପରିଣତ କରିବାକୁ ହେବ। ନହେଲେ ଗତ୍ୟନ୍ତର ନାହିଁ!

 

ହକିଙ୍ଗ ଅତି ସରଳ ଭାବରେ ବୁଝାଇ ଦେଇଛନ୍ତି ଯେ ପାଗ ପରିବର୍ତ୍ତନ, ଗ୍ରହାଣୁ ମାଡ଼, ସଂକ୍ରାମକ ବ୍ୟାଧି ଏବଂ ଜନବିସ୍ଫୋରଣ ଯୋଗୁଁ ପୃଥିବୀରେ ମଣିଷର ଆୟୁଷ ଅନେକ ପରିମାଣରେ ହ୍ରାସ ପାଇସାରିଛି। ଆଗକୁ ଆହୁରି ଦ୍ରୁତଗତିରେ କମିବା ନିଶ୍ଚିତ। ତେବେ ଉପାୟ କ’ଣ? ହକିଙ୍ଗଙ୍କ ଉତ୍ତର ହେଲା ଗ୍ରହ ବଦଳାଇ ଦେବା, ଏବଂ ତାହା ପୁଣି ଯେତେ ଶୀଘ୍ର! ଶହେ ବର୍ଷ ଭିତରେ ଅନେକ କିଛି ହୋଇପାରେ। ଆମେ ଗତ ୧୦୦ ବର୍ଷରେ ଅନେକ କିଛି ଉଦ୍ଭାବନ ଓ ବିକାଶ କରି ଆମର ଦକ୍ଷତା ପ୍ରମାଣିତ କରିସାରିଛୁ। କିନ୍ତୁ ଆମେ କ’ଣ ସତରେ ଏତେ କମ‌୍‍ ସମୟ ମଧ୍ୟରେ ବହୁ-ଗ୍ରହର ବାସିନ୍ଦା ହୋଇପାରିବା?

 

ଏହା ସମ୍ଭବ ବୋଲି ମନେ କରନ୍ତି ଟେସଲା ଓ ସ୍ପେଶଏକ୍ସର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲୋନ ମସ୍କ। ଏହା ସମ୍ଭବ କରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିସାରିଲେଣି। ତେବେ ତାଙ୍କ ପାଇଁ ମଣିଷର ଗନ୍ତବ୍ୟସ୍ଥଳ କୁଆଡେ଼? ମଙ୍ଗଳ। ଏଇ ଲୋହିତ ଗ୍ରହଟି ଆମ ପୃଥିବୀର ଅତି ନିକଟରେ ନଥିଲେ ମଧ୍ୟ ଅତି ଦୂରରେ ମଧ୍ୟ ନାହିଁ। ମସ୍କଙ୍କ ଯୋଜନା ଅନୁସାରେ ୨୦୨୫ ସୁଦ୍ଧା ମଣିଷ ମଙ୍ଗଳରେ ପହଂଚିବ ଓ ୨୦୩୩ ସୁଦ୍ଧା ସେଠାରେ ଉପନିବେଶ ସ୍ଥାପନ କରିବ। ହକିଙ୍ଗ ଗଣନା କରିଥିବା ସମୟର ଯଥେଷ୍ଟ ପୂର୍ବରୁ ଏହା ସମ୍ଭବ ହୋଇଥିବ।

ତେବେ ଅନେକ ବୈଜ୍ଞାନିକଙ୍କ ମତରେ ମଙ୍ଗଳରେ ପାଦ ଥାପିବା ଓ ସେଠାରେ ଏକ ସ୍ଥାୟୀ ବସତି ସ୍ଥାପନ କରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ। ଆମେରିକାର ନାସା ମଣିଷକୁ ମଙ୍ଗଳ ପଠାଇବା ପାଇଁ ଉଦ୍ୟମ ଚଳାଇଛି। ଚୀନ ମଧ୍ୟ ମଙ୍ଗଳରେ ପହଂଚିବାର ଯୋଜନା କରିଛି। ତେବେ, ଦେଖାଯାଉ, ମଣିଷ ସଫଳ ହେଉଛି ନା କାଳ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top