୮୨ ବର୍ଷ ବୟସରେ ଦ୍ୱାଦଶ ପାଶ‌୍‍!

News Story - Posted on 2017-05-18

ଏବେ ତାଙ୍କୁ ୮୨ ବର୍ଷ ବୟସ। ଅଛନ୍ତି ଜେଲ‌୍‍ରେ। କେଇ ଦିନ ତଳେ ସେ ପାଶ‌୍‍ କଲେ ଦ୍ୱାଦଶ ଶ୍ରେଣୀ। ପାଇଲେ ଫାଷ୍ଟ ଡିଭିଜନ! ସେ ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା।

 

ଏକଥା ପ୍ରକାଶ କରିଛନ୍ତି ତାଙ୍କ ପୁଅ ଅଭୟ ସିଂହ ଚୌତାଲା।

 

ଏ ବୟସରେ ଦ୍ୱାଦଶ ପରୀକ୍ଷା ଦେବାକୁ ଚୌତାଲା କେଉଁଠୁ ପ୍ରେରଣା ପାଇଲେ? ତାଙ୍କର ପ୍ରେରଣା ହେଲେ ମନୁ ଶର୍ମା। ମଡେଲ ଜେସିକା ଲାଲ ହତ୍ୟାକାଣ୍ଡରେ ୧୨ ବର୍ଷ ଜେଲ‌୍‍ ଦଣ୍ଡ ଭୋଗ କରୁଛନ୍ତି ମନୁ। ଜେଲ‌୍‍ରେ ସେ ହେଉଛନ୍ତି ଚୌତାଲାଙ୍କ ପଡ଼ୋଶୀ। ମନୁ ଜେଲ‌୍‍ରେ ଥାଇ ଏଥର ଆଇନ ପରୀକ୍ଷା ଦେଇଥିଲେ।

 

ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ତିହାର ଜେଲ‌୍‍ରେ ୧୦ ବର୍ଷ କାରାବାସ ଭୋଗ କରୁଛନ୍ତି। ସେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜେଲ‌୍‍ରେ ଥାଇ ସେ ଓପନ‌୍‍ ଲର୍ଣ୍ଣିଂ ବା ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥାରେ ପରୀକ୍ଷା ଦେଇଥିଲେ। ଆଗକୁ ସେ କଲେଜ‌୍‍ ପରୀକ୍ଷା ଦେବେ ବୋଲି ଅଭୟ କହିଛନ୍ତି।

 

ଓମ‌୍‍ ପ୍ରକାଶ ହେଉଛନ୍ତି ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡିର ସଭାପତି। ପିଲାବେଳେ ସେ ପରିବାର କଥା ବୁଝିବା ପାଇଁ ସ୍କୁଲ ଛାଡ଼ିଥିଲେ। ଚୌତାଲାଙ୍କ ବାପା ହେଉଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀଲାଲ। ସେ ରାଜନୀତିରେ ଯୋଗଦେବା ପରେ ଘରର ବଡ଼ପୁଅ ହିସାବରେ ଓମ ପ୍ରକାଶ ଚୌତାଲାଙ୍କୁ ପରିବାର କଥା ବୁଝିବାକୁ ହେଲା। ସେ ତାଙ୍କ ସାନ ଭାଇମାନଙ୍କୁ ପଢ଼ାଇବା ଦାୟିତ୍ୱ ନେଇ ନିଜେ ପାଠପଢ଼ା ଛାଡ଼ିଦେଲେ। ପରେ ଓମ ପ୍ରକାଶ ମଧ୍ୟ ରାଜନୀତିରେ ଯୋଗଦେଲେ ଓ ପଢ଼ିବା ପାଇଁ ଆଉ ସମୟ ପାଇ ନଥିଲେ।

 

ଗତ ପରୀକ୍ଷା ସମୟରେ ଚୌତାଲା ପାରୋଲ‌୍‍ରେ ଥିଲେ। ତାଙ୍କ ନାତି ଦୁଷ୍ୟନ୍ତ ସିଂହଙ୍କ ବାହାଘର ପାଇଁ ସେ ପାରୋଲ‌୍‍ ପାଇଥିଲେ। ଦୁଷ୍ୟନ୍ତ ସିଂହ ଏବେ ସଂସଦ ସଦସ୍ୟ ଅଛନ୍ତି। ପରୀକ୍ଷା ପାଇଁ ଚୌତାଲାଙ୍କୁ ପ୍ୟାରୋଲ‌୍‍ ମଝିରେ ଜେଲ‌୍‍ ଫେରିବାକୁ ପଡ଼ିଥିଲା। ଏବେ ସୁଦ୍ଧା ସେ ସାଢ଼େ ବର୍ଷ ସଜ୍ଜା କାଟି ସାରିଲେଣି।

 

ଓମ ପ୍ରକାଶ ଯେତେବେଳେ ଜାଣିଲେ ରେ ୧୯୯୯ ମସିହାର ମଡେଲ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ମନୁ ଶର୍ମା ଆଇନ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ସେ ପୁଣି ଥରେ ନିଜର ସ୍କୁଲ ଜୀବନ ଆରମ୍ଭ କରିବାକୁ ଚାହିଁଲେ ଓ ଜେଲ‌୍‍ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top