ପ୍ରତିବାଦର ବିଭିନ୍ନ ରୂପ

News Story - Posted on 2017-05-08

ରୁଦ୍ର ପ୍ରସନ୍ନ ରଥ

 

କିଛିଦିନ ତଳେ ଓଡିଶାର ବିଭିନ୍ନ ସ୍ଥାନରେ ରାସ୍ତାରେ ପନିପରିବା ଫୋପାଡି ଦେଇ ଚାଷରେ ଅଭାବୀ ବିକ୍ରିର ପ୍ରତିବାଦ କରିବା ପାଇଁ ଚେଷ୍ଟା କରିଥିଲେ। ଗତ ବର୍ଷ ମଧ୍ୟ ବରଗଡରେ କିଛି ଲୋକ କ୍ଷୀରକୁ ରାସ୍ତାରେ ଢାଳିଦେଇ ପ୍ରତିବାଦ କରିଥିଲେ। ଏସବୁ ନିଆରା ଢଙ୍ଗରେ ପ୍ରତିବାଦ କରି ଲୋକମାନେ ନିଜର ଦାବୀ ପୂରଣ କରିପାରିଲେକି ନାହିଁ ତାହା ପୁରୁଣା କଥା। ମାତ୍ର ଏହା ଦ୍ୱାରା ଯେ ସେମାନେ ଏବଂ ସେମାନଙ୍କର ସମସ୍ୟା ଲୋକଲୋଚନକୁ ଆସିପାରିଛି ତାହା ନିସଂଦେହରେ କୁହାଯାଇପାରିବ।

 

ରାସ୍ତାରେ ପନିପରିବା କିମ୍ୱା କ୍ଷୀର ଢାଳି ପ୍ରତିବାଦ କରିବାର ତରିକା ହୁଏତ ଅଗ୍ରହଣୀୟ କିମ୍ୱା ଅଯୌକ୍ତିକ ହୋଇପାରେ। ମାତ୍ର ଏହା ନୂଆ କିମ୍ୱା ତାତ‌୍‍କ୍ଷାଣିକ ଆଦୌ ନୁହଁ। ଅର୍ଥାତ ପ୍ରତିବାଦର ପ୍ରତିରୂପ ମଧ୍ୟରେ ସମାଜରେ ଲୋକମାନେ ନିଜ ନିଜର ଦାବୀ ପ୍ରତି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଖାସ କରି ପ୍ରଶାସକମାନଙ୍କ ଦୃଷ୍ଟି ଆକର୍ଷଣ କରିବାର ଲକ୍ଷ ମଧ୍ୟ ରହିଛି। ସମାଜ ଏବଂ ସଭ୍ୟତା ପରି ମଣିଷର ଏହି ପ୍ରତିବାଦ କରିବାର ପରମ୍ପରା ଯେତେ ପୁରୁଣା ଏ ପ୍ରତିବାଦ କରିବାର ଢଙ୍ଗ ମଧ୍ୟ ସେତେ ନିଆରା। କେତେବେଳେ ପାଣିରେ ବେକଯାଏ ବୁଡି ରହି( ମଧ୍ୟ ପ୍ରଦେଶର ଜଳ ସତ୍ୟାଗ୍ରହ) ତ କେତେବେଳେ ଗଛକୁ କୁଣ୍ଢାଇଧରି (ଚିପକୋ ଆନ୍ଦୋଳନ)। ଭାରତବର୍ଷରେ ଏମିତି ବିରଳତମ ପ୍ରତିବାଦର ସଂଖ୍ୟା ଏବଂ ପ୍ରକାର କିଛି କମ ନୁହେଁ। ଏମାନଙ୍କ ମଧ୍ୟରୁ କିଛି ଗ୍ରହଣୀୟ ଏବଂ ଅନେକ ଅଗ୍ରହଣୀୟ ମଧ୍ୟ। ଦିନକୁ ଦିନ ଏହି ପ୍ରତିବାଦର ସ୍ୱରୂପରେ ପରିବର୍ତ୍ତନ ଆସୁଛି। ଏହିପରି କିଛି ଉଦାହରଣକୁ ନଜରରେ ରଖି ଏହାକୁ ବିଶ୍ଳେଷଣ କଲେ ଏହା ଜଣାପଡିବ ଯେ ଯେତେବେଳେ ବି ପ୍ରତିବାଦର ରୂପ ଓ ଭେକ ପରିବର୍ତ୍ତନ ହୋଇଛି ସେତେବେଳେ ଏହା ଲୋକଲୋଚନକୁ ସହଜରେ ଆସିପାରିଛି। ଅବଶ୍ୟ ଏଥିରୁ ପ୍ରତିବାଦ କରୁଥିବା ଲୋକଙ୍କ ଅପେକ୍ଷା ସେମାନଙ୍କୁ ନେଇ ପ୍ରତିବାଦ କରୁଥିବା ଗୋଷ୍ଠୀ କିମ୍ୱା ଲୋକ ଅଧିକ ଚର୍ଚ୍ଚାରେ ରହୁଛନ୍ତି।

 

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବଭିନ୍ନ ବର୍ଗର ଲୋକ ନିଜ ସୁଖ ସୁବିଧା ପାଇଁ ଆନ୍ଦୋଳନ କରିବାରେ କୌଣସି ଅସୁବିଧାନାହିଁ। ଅନେକ ସମୟରେ ବିଭିନ୍ନ ଗୋଷ୍ଠୀ ସମାନତା ପାଇଁ ଆନ୍ଦୋଳନ କରି ସଫଳତା ପାଇଥାନ୍ତି। ମାତ୍ର ଏକଥା ମଧ୍ୟ ମନେରଖିବା ଆବଶ୍ୟକ ଯେ ଏକ ସମାଜମଙ୍ଗଳ ରାଷ୍ଟ୍ରରେ ସବୁ ବର୍ଗର ଲୋକଙ୍କ ସବୁ ଆଶା ଆକଂକ୍ଷା ପୂରଣ କରିବାକୁ ସରକାର ଚେଷ୍ଟା କରିଲେ ବି ଏହା ପ୍ରକୃତପକ୍ଷେ ସମୟସାପେକ୍ଷ। ବେଳେ ବେଳେ ବିଭିନ୍ନ କାରଣ ପାଇଁ ଅନେକ ସମୟରେ ସମସ୍ତ ବର୍ଗର ଲୋକଙ୍କର ଆଶା ଅଭିଳାଷା ପୂରଣକରିବା କଷ୍ଟକର ହୋଇପଡେ। ଏଥିପାଇଁ ଆବଶ୍ୟକ ସମ୍ୱଳ ବ୍ୟବସ୍ଥା କରିବା ଏବଂ ଏହା ନେଇ ନୀତିଗତ ନିଷ୍ପତ୍ତି ନନେଇ ସରକାର ଟାଳଟୁଳ ନୀତି ଗ୍ରହଣ କରୁଥବାରୁ ଏ ନେଇ ସାଧାରଣ ଲୋକ ଅଧୈର୍ଯ୍ୟ ହୋଇ ପଡିଥାନ୍ତି। ମାତ୍ର ଏପାଇଁ ରାସ୍ତାଉପରକୁ ଓହ୍ଲାଇ ଆସି ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ସାଜିବା ଆଦୌ ସମୀଚୀନ ନୁହେଁ। ପ୍ରତିବାଦର ତରିକା ଗ୍ରହଣୀୟ ନହେଲେ ତାହା ଜନସାଧାରଣଙ୍କ ପାଇଁ ଅସୁବିଧାର କାରଣ ହୁଏ।

 

ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରର ସ୍ୱାଧୀନତା କେବଳ ପ୍ରତିବାଦ ପରି ଅସ୍ତ୍ରକୁ ନେଇ ହାସଲ କରାଯାଇଛି, ଏକଥା ସହ ଯେ କୌଣସି ଲୋକ ଏକମତ ହେବ। ମାତ୍ର ଏ ଗାନ୍ଧୀଜୀଙ୍କ ଦ୍ୱାରା ପରିଚାଳିତ ଏହି ଅହିଂସା ପ୍ରତିବାଦ ସମସ୍ତଙ୍କଦ୍ୱାରା ଗ୍ରହଣୀୟ ଥିଲା। ଯେହେତୁ ଲୋକ ପ୍ରତିବାଦର ତରିକା ଜାଣିଥିଲେ ତେଣୁ ସମସ୍ତେ ଏହାକୁ ସମ୍ମାନ କରୁଥିଲେ ଏବଂ ଏଥିରେ ସହଯୋଗ କରିଥିଲେ। ଏହା ଲେଖିବାର ଅର୍ଥ ହେଲା ଯେ ଯଦି ଆନ୍ଦୋଳନ ଗ୍ରହଣୀୟ ନୁହେଁ ତେବେ ଏହାଦ୍ୱାରା ପରିଣାମ ମିଳିବାର ସଂଭାବନା ମଧ୍ୟ ନାହିଁ। ହୁଏତ ଏ ସତ୍ୟ ଆଜି ବି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ମାତ୍ର ବୈଷୟିକ ଜ୍ଞାନ କୌଶଳ, ବଢୁଥିବା ଗଣମାଧ୍ୟମର ପ୍ରଧାନ୍ୟ ଏବଂ ଲୋକଙ୍କୁ ନୂଆକରି କିଛି କରି କରିବାର ନିଶା ଯୋଗଁୁ ପ୍ରତିବାଦର ଭିନ୍ନ ଭିନ୍ନ ପ୍ରତିରୂପ ସବୁ ସାମନାକୁ ଆସୁଛି ସତ,ହେଲେ ଏଥିରେ ଦାବୀ ପୂରଣ କରିବା ଅପେକ୍ଷା ଦୁନିଆର ନଜରରେ ରହିବାର ଜିଜ୍ଞାସା ବେଶୀ ପ୍ରତିଫଳିତ ହେଉଛି। କ୍ଷଣସ୍ଥାୟୀ ଉତ୍ତେଜନା ସୃଷ୍ଟିକରି ଲୋକ ଚର୍ଚ୍ଚାରେ ରହିବା ଏହି ପ୍ରତିବାଦକୁ ନେତୃତ୍ୱ ନେଉଥିବା ନେତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରତୀୟମାନ ହେଉଛି।

 

ଗଣମାଧ୍ୟମର ଅତିଶୟ ଖବର ସଂଗ୍ରହ କରିବାର ନିଶା ଯୋଗଁୁ ଅନେକ ସମୟରେ ଅଖବର ବି ଖବର ପାଲଟୁଛି।  ବୋଧହୁଏ ଆଜି ଖବର ପାଇଁ ଘଟଣା କମ ଏବଂ ମସଲା ଅଧିକ ଦରକାର ପଡୁଛି। ହୁଏତ ଏ ଚାଲାଖିକୁ କିଛି ଲୋକ ବୁଝିଗଲେଣି କିମ୍ୱା ରାସ୍ତାରେ ପନିପରିବା ଏବଂ କ୍ଷୀର ଢାଳିବା ପରି ଅକଳ୍ପନୀୟ ଘଟଣା  ଘଟଣାକୁ ନେଇ ଯେ ହଟଚମଟ କରି ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିହେବ ତାହା ଏମାନେ ଜାଣିଗଲେଣି। ଏ ଧରଣର ଲୋକଙ୍କ ପାଇଁ ରାସ୍ତାରେ ଏକ ଦୁଇ କରିବା କିମ୍ୱା ମନ୍ଦିର ତୋଳାଇବା ମଧ୍ୟରେ କୌଣସି ପ୍ରଭେଦନାହିଁ । ବୋଧହୁଏ ଏମାନେ କେବଳ ନାଁ କମେଇବାରେ ବିଶ୍ୱାସ କରନ୍ତି।

 

ମୋଟ ଉପରେ କହିବାକୁ ଗଲେ ବିଭିନ୍ନଜାଗାରେ ସେଦିନ ଏ ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନେ ପୁଣି ଥରେ ଭିଡ ଯେ କିପରି କୁତ୍ସିତ କାଯ୍ର୍ୟକରିପାରେ ତା’ର ସୂଚନା ଦେଇଦେଲେ। ଏକୁଟିଆ ଥିଲାବେଳେ ଯାହା ଆମକୁ ଆଦର୍ଶ କିମ୍ୱା କରଣୀୟ ମନେହୁଏ ଭିଡରେ ଆମେ ପ୍ରଥମେ ସେହି ଆଦର୍ଶକୁ ହିଁ ଜଳାଂଜଳି ଦେଇଥାଉ। ମୋଟ ଉପରେ ବ୍ୟକ୍ତିଗତ ଭାବେ ଆମେ ଯେତିକି ସୁସଂଗଠିତ ଆଉ ଆଦର୍ଶବାନ ବୋଲି ନିଜକୁ ପ୍ରତିପାଦିତ କରୁ ଭିଡ ମଧ୍ୟରେ ଆମେ ସେତିକି ବିପର୍ଯ୍ୟସ୍ତ ଏବଂ ବେପାରୁଆ ପରି ବ୍ୟବହାର କରୁ। ଆଉ ଖାସ ଏହି କାରଣ ପାଇଁ ଅନେକ ସମୟରେ ଆମେ ଚାହୁଁନଥିଲେ ବି ପ୍ରତିବାଦର ସ୍ୱରୁପ ଆମଦ୍ୱାରା ନୁହେଁ ବରଂ ଭିଡ ଏବଂ ସମୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

 

ସମାଜ ପରିବର୍ତ୍ତନ ହେବାସହ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହେବାର ଲାଗିଛି। ଏହି ପରିସ୍ଥିତିରେ ମଣିଷ ଯେ ପ୍ରତିବାଦ କରିବା ବନ୍ଦ କରିଦେବ ତା ନୁହେଁ ବରଂ ସମସ୍ତଙ୍କୁ ଗ୍ରହଣୀୟ ହେଲାପରି ପ୍ରତିବାଦର ତରିକା ବାଛିନେବା ଉଚିତ। ଅନ୍ୟକୁ ହଇରାଣ କରି ଏବଂ ଜାତୀୟ ସମ୍ପତ୍ତିି ନଷ୍ଟକରି ପ୍ରତିବାଦ କରିବାର ଅଧିକାର ସମ୍ୱିଧାନ କାହାକୁ ଦେଇନି। ଏସବୁ ଅଗ୍ରହଣୀୟ ପ୍ରତିବାଦ ବିରୋଧରେ ସ୍ୱର ଉତ୍ତୋଳନ କରାଯିବା ଉଚିତ।

 

ଧବଳଗିରି, ଯାଜପୁର ରୋଡ

ସଂପର୍କ- ୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top