କମ୍ପାନୀ ଖୋଲି ଠକିଲେ ୨୬୫୦ କୋଟି

News Story - Posted on 2017-05-05

ଜାଲ‌୍‍ କମ୍ପାନୀ ଖୋଲି ବିଭିନ୍ନ ବ୍ୟାଙ୍କରୁ ୨୬୫୦ କୋଟି ଟଙ୍କା ଠକି ନେଇଥିବା ମୁମ୍ୱାଇର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ନାଁ ବିଜୟ ଚୌଧୁରୀ। ବିଦେଶରେ ତାଙ୍କ ନାମରେ ୪୫୦ ଉପରେ କମ୍ପାନୀ ଓ ଟ୍ରଷ୍ଟ ରହିଛି। ଏହିସବୁ କମ୍ପାନୀ ଓ ଟ୍ରଷ୍ଟ ଜରିଆରେ ସେ ଭାରତର ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାଇ ବିଦେଶକୁ ବେଆଇନ ଭାବେ ଚାଲାଣ କରିଛନ୍ତି। ଏଇ ଟଙ୍କାରେ ସେ ଆମେରିକାର କାଲିଫର୍ଣ୍ଣିଆରେ ୧୨୮୦ ଏକର ଜମି ସହିତ ବିଭିନ୍ନ ବିଦେଶୀ ସଂପତ୍ତି ଖରିଦ କରିଛନ୍ତି।

 

ମୁମ୍ୱାଇର ଜୁମ‌୍‍ ଡେଭଲପର୍ସ ପ୍ରା. ଲି.ର ମୁଖ୍ୟ ବିଜୟ ଚୌଧୁରୀ ଲିଜେନଷ୍ଟେନ‌୍‍ ନାମକ ଏକ ଟିକସ-ସ୍ୱର୍ଗ ଦେଶରେ ଦୁଇଟି ଟ୍ରଷ୍ଟ ପଂଜୀକୃତ କରିଥିଲେ। ଏହି ଦୁଇ ଟ୍ରଷ୍ଟ ଜରିଆରେ ସେ ଇଂଲଣ୍ଡ ଓ ସୁଇଜରଲାଣ୍ଡରେ ଆଉ ୫ଟି କମ୍ପାନୀ ପଂଜୀକୃତ କରିଥିଲେ। ତାଙ୍କର ଆମେରିକାର ୧୫ଟି କମ୍ପାନୀ, ଦୁବାଇରେ ୯ଟି କମ୍ପାନୀ, ସିଙ୍ଗାପୁରରେ ୭ଟି କମ୍ପାନୀ, ଜର୍ମାନୀରେ ୪ଟି କମ୍ପାନୀ, ଇଂଲଣ୍ଡ ଓ ସୁଇଜରଲାଣ୍ଡରେ ୩ଟି ଲେଖାଏଁ କମ୍ପାନୀ, ଚୀନ ଓ ଜିମ୍ୱାେୱରେ ୨ଟି ଲେଖାଏଁ କମ୍ପାନୀ ରହିଛି। ଏହା ବ୍ୟତିତ ଅନେକ ଟ୍ୟାକ୍ସ-ହାଭେନ ଦେଶରେ ମଧ୍ୟ ତାଙ୍କର ଆଉ ପ୍ରାୟ ୪୦୦ କମ୍ପାନୀ ପଂଜୀକୃତ ହୋଇଛି।

 

ଏହିସବୁ କମ୍ପାନୀ ମଧ୍ୟରେ ଜାଲ‌୍‍ କାରବାରର କାଗଜପତ୍ର ପ୍ରସ୍ତୁତ କରି ଚୌଧୁରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଓ କାନାରା ବ୍ୟାଙ୍କ ପ୍ରଭୃତି ପ୍ରାୟ ୨୫ଟି ବ୍ୟାଙ୍କରୁ ୨୬୫୦ କୋଟି ଟଙ୍କା ଉଠାଇ ବିଦେଶ ପଠାଇ ଦେଇଛନ୍ତି। ଏସିବୁ ବ୍ୟାଙ୍କ ଋଣ ଅପରିଶୋଧ ରହିବା ପରେ ଚୌଧୁରୀଙ୍କ ଜାଲିଆତି ପଦାକୁ ଆସିଥିଲା। ବ୍ୟାଙ୍କଗୁଡ଼ିକର ଅନୁରୋଧ ପରେ ଏହି ମାମଲାର ତଦନ୍ତ କରୁଛନ୍ତି ସିବିଆଇ ଓ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ। ସିବିଆଇ ଇତିମଧ୍ୟରେ ତାଙ୍କ ବିରୋଧରେ ଚାର୍ଜସିଟ‌୍‍ ଦାଖଲ କରିଛି। ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ଚୌଧୁରୀଙ୍କର ଆମେରିକାର କାଲିଫଣ୍ଣିଆରେ ଥିିବା ୧୨୮୦ ଏକର ଜମି ଓ ବିଦେଶରେ ତାଙ୍କ ପରିବାର ନାମରେ ଥିବା ଅନ୍ୟ ୧୩୦ କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି।

 

କେବଳ ବିଜୟ ଚୌଧୁରୀ ନୁହନ୍ତି, ଏହିପରି ଅନେକ ଚାଲାଖ ଲୋକ ଶିଳ୍ପ ଓ ବ୍ୟବସାୟ ନାଁରେ ବିଭିନ୍ନ ବ୍ୟାଙ୍କ ଓ ସରକାରଙ୍କଠାରୁ ଲକ୍ଷଲକ୍ଷ କୋଟି ଟଙ୍କା ଠକିନେଇ କୋଟିପତି ହୋଇଥିବାବେଳେ ସାଧାରଣ ଲୋକଙ୍କର ଆର୍ଥିକ ବିକାଶ ରହିଯାଇଛି ସମୃଦ୍ଧିର ଫାଇଲ ତଳେ। ଆଦାନି, ଆମ୍ବାନି, ଟାଟା, ବିର୍ଲା, ଜିନ୍ଦଲ ଆଦି କୌଣସି କମ୍ପାନୀ ଏଭଳି ଜାଲିଆତିରୁ ମୁକ୍ତ ନୁହନ୍ତି। ଏଭଳି କମ୍ପାନୀସବୁ ବଧ୍ୟ ଶିଳ୍ପ ଓ ବ୍ୟବସାୟ ନାମରେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ କରି ଫେରାଉ ନାହାନ୍ତି। ସରକାରଙ୍କଠାରୁ ହଜାର ହଜାର ଏକର ଜମି ଓ ଖଣି ନେଇ ନିଜର ବ୍ୟକ୍ତିଗତ ସମୃଦ୍ଧିରେ ଲଗାଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top