୫ ଓଡ଼ିଆ ପାଇଲେ ଫିଲ୍ମ ସମ୍ମାନ
News Story - Posted on 2017-05-04
ଓଡ଼ିଆ ନିର୍ମାତା ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଓ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ କଡ଼ବି ହାୱାକୁ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦନା ଉତ୍ସବରେ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ମିଳିଛି। ଉଭୟ ପରିଜା ଓ ପଣ୍ଡା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ତିନି ଜଣ ଓଡ଼ିଆ ମଧ୍ୟ ଆଜି ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ସେମାନେ ହେଲେ ଲପିକା ସିଂହ ଦରାଇ, ଶିବୁ ପୃଷ୍ଟି ଏବଂ ଶଙ୍ଖଜିତ ଦେ। ଲିପିକା ସିଂହ ଦରାଇ ଅଣଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଭିତ୍ତିକ ଫିଲ୍ମ ଦ ୱାଟର ଫଲ୍ ପାଇଁ ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ କଳା ଓ ସଂସ୍କୃତି ଭିତ୍ତିକ ପ୍ରାମାଣିକ ଫିଲ୍ମ ଦ ଲର୍ଡ଼ ଅଫ୍ ଦ ୟୁନିଭର୍ସ ପାଇଁ ଶିବୁ ପୃଷ୍ଟି ଓ ଶଙ୍ଖଜିତ ଦେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
ବିଶ୍ୱ ତାପନ ଓ ପାଣିପାଗ ପରିବର୍ତ୍ତନ ବିଷୟ ଆଧାରରେ ନିର୍ମିତ ହୋଇଛି କଡ଼ବି ହାୱା। ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି ଯେ ଏହି ଫିଲ୍ମରେ ଏହି ବିଶ୍ୱ ସମସ୍ୟା ସହିତ ଓଡ଼ିଶାର କାହାଣୀ ସ୍ଥାନ ପାଇଛି। ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶର ବାସ୍ତବତା ଏହି ଫିଲ୍ମରେ ଦେଖା ଯାଇଛି। ଫିଲ୍ମ ଟିମର କଠିନ ପରିଶ୍ରମ ଯୋଗୁଁ ଏହି ପୁରସ୍କାର ମିଳିଲା ବୋଲି ପରିଜା କହିଛନ୍ତି।
ସେହିପରି ନିଦ୍ଦେର୍ଶକ ପଣ୍ଡା କହିଛନ୍ତି ଯେ ଏହି ସମ୍ମାନ ଆମ ପାଇଁ ଗର୍ବର କଥା। ଏହ ସ୍ୱୀକୃତି କେବଳ ଜାତୀୟ ସ୍ତରରେ ସୀମୀତ ରହିବ ନାହିଁ। ଫିଲ୍ମଟି ଅନ୍ତର୍ଜାତୀୟ ସ୍ତରରେ ବି ଖ୍ୟାତି ଅର୍ଜନ କରିବ ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ସ୍ୱତନ୍ତ୍ର ଉତ୍ସବରେ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ରୁସ୍ତମ ପାଇଁ ଅକ୍ଷୟ କୁମାରଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବାବେଳେ ମିନାମିନ୍ନୁଙ୍ଗୁ ପାଇଁ ସୁରଭିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସୋନମ କପୁର ଅଭିନୀତ ନୀରଜାକୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମର ପୁରସ୍କାର ମିଳିଛି। ମରାଠୀ ଫିଚର ଫିଲ୍ମ କସାବକୁ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ମିଳିଛି।