ତାରାଫୁଲ

News Story - Posted on 2017-05-01

ଦେବେନ୍ଦ୍ର ପୃଷ୍ଟି

 

ମୁଁ ନୁହେଁ କାଗଜ ଫୁଲ ରଙ୍ଗ ଉଡ଼ିଯିବ,

ନୁହେଁ ବି ମୁଁ ଉଦ୍ୟାନ କୁସୁମ

ଝଡ଼ିଯିବ, ବାସିହୋଇ ମଉଳିବ।

ତୋଳି ଜମା ପାରିବନି ମୁଁ ତୁମ ମନର ଫୁଲ-

ସଦା ପ୍ରସ୍ଫୁଟିତ, ଝାଉଁଳିଯିବନି କେବେ ଭାଙ୍ଗିଲେ ବି ଡାଳ!

 

ମୁଁ ଲାଗେନି ପୂଜାରେ କାହାର,

ସାଜେ ନାହିଁ ଡ୍ରଇଂ ରୁମ୍‌ରେ।

ଗଭାରେ ଖୋସିବ କିଏ?

ମୁଁ ତ ଥାଏ ମନର ବାସ୍ନାରେ।

 

ମୁଁ ତୁମ ଆତ୍ମାର ରୂପ, ଦର୍ପଣର ଛବି,

ଆକାଶର ଇଲାକାରେ ପ୍ରୀତିର ପୂରବୀ।

ମୁଁ ଏକ ରହସ୍ୟମୟ ପ୍ରଜ୍ଞାର ପିତୁଳା,

ଭଲ ପାଇବାର ଋତୁ, ମିଳନର ବେଳା।

 

ମତେ କିଏ ଭଲ ପାଉ କିଏ ବା ନପାଉ-

ମୁଁ ତ ଏକ ଅଧାଜଳା ତାରା,

ବାକି ଅଧକ ବି ଜଳି ବୁଣିବ ଆଲୁଅ,

ଅନ୍ଧାରେ ରହିବା ମୋର ଜୀବନର ଧାରା।

 

ଅମରତ୍ବ ଲୋଡ଼ା ନାହିଁ-

ନିଃସର୍ତ୍ତ ମୁଁ ବଂଚିଛି, ବଂଚିବି।

ମଲା ପରେ ମାଟି ହେବି, ପାଣି ହେବି,

ପବନ, ଆକାଶ ଆଉ ନିଆଁ ହୋଇ ସଂଚରିବି।

ଘାସ ହେବି, ଗଛ ହେବି, ଫୁଲ ହୋଇ ପୁନର୍ବାର ମହକ ବାଣ୍ଟିବି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top