ସଂକଟରେ ବାଲୁଖଣ୍ଡ ଅଭୟାରଣ୍ୟ

News Story - Posted on 2017-04-28

ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ଝାଉଁ ଓ କାଜୁ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ। ଗତ ୧୯୯୯ ମସିହା ମହାବାତ୍ୟା ଓ ୨୦୧୩ରେ ହୋଇଥିବା ଫାଇଲିନରେ ଏହି ବାଲୁଖଣ୍ଡ ଅଭୟାରଣ୍ୟରେ ବ୍ୟାପକ ଝାଉଁ ଓ କାଜୁ ଜଙ୍ଗଲ ଧ୍ୱଂସ ହୋଇଥିଲା। ଦୁଇ ମହାବିପତ୍ତିର ସମ୍ମୁଖୀନ ହୋଇ ବର୍ତ୍ତି ଯାଇଥିବା ଗଛଗୁଡିକ ଏବେ ମନୁଷ୍ୟକୃତ ଧ୍ୱଂସାଭିମୁଖୀ ହେବାରେ ଲାଗିଥିବାବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର ହେଉଥିବା ପରିବେଶବିତମାନେ ଅଭିଯୋଗ କରିଛନ୍ତି।

 

ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ମଧ୍ୟରେ ରହିଛି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ। ଏହି ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କପିଳେଶ୍ୱର ବିଟ‌୍‍, ରାମଚଣ୍ଡୀ ବିଟ‌୍‍, କୁରୁଜଙ୍ଗ ବିଟ‌୍‍ ଓ ଚିତ୍ରେଶ୍ୱରୀ ବିଟ‌୍‍ରେ ଥିବା ସଂରଖିତ ଜଙ୍ଗଲରୁ ଦଲାଲଙ୍କ ସହାୟତାରେ ପ୍ରତ୍ୟହ ମୂଲ୍ୟବାନ ଚୋରାକାଠ,  କାଜୁମଞ୍ଜି  ବିକ୍ରୀ ହେଉଥିବା ବେଳେ ଅବାଧରେ ବନ୍ୟ ପ୍ରାଣି ଶିକାର ହେଉଛନ୍ତି। ବନବିଭାଗର ନିଷ୍କ୍ରିୟତା ଏମାନଙ୍କୁ ଉତ୍ସାହିତ କରୁଥିବା ବେଳେ ଏହି ବିଟ‌୍‍ ଗୁଡିକ ଏବେ ବ୍ୟବସାୟୀମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲ ସଂପଦ ଚୋରାଚାଲଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟରେ ଲିପ୍ତ ଦଲାଲ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ପରୋକ୍ଷରେ ଏମାନଙ୍କୁ ଉତ୍ସାହିତ କରୁଛି।

 

କାଠ ମାଫିଆ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ପାଇଁ  ଜଙ୍ଗଲ ବିଭାଗର ସଂପଦ ହରିଲୁଟ ହେବାରେ ଲାଗିଛି। ବିଗତ ଦିନରେ ଜଙ୍ଗଲ ସୁରକ୍ଷା ଓ କାଜୁ ମଞ୍ଜି ସଂଗ୍ରହକୁ କନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟରେ ବିବାଦ ଉଗ୍ରରୂପନେଇ ମରଣାନ୍ତକ ଆକ୍ରମଣ ହୋଇଯାଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ଆକ୍ରମଣରେ କୋଣାର୍କ ରେଞ୍ଜ ଅଫିସ ଛାରଖାର ହୋଇଯାଇଥିଲା। ବନବିଭାଗ ପକ୍ଷରୁ  ଜଙ୍ଗଲକୁ ସଠିକ ରୂପେ ସୁରକ୍ଷା ଓ ସିମା ନିର୍ଦ୍ଧାରଣ କରାଯାଇପାରୁ ନ ଥିବାରୁ ଅଧିକାଂଶ ଜଙ୍ଗଲର ଜମିକୁ ଏବେ ଜବରଦଖଲ କାରିମାନେ ଚାଷ ଜମି ଓ ଘରବାରିରେ ପରିଣତ କରିସାରିଲେଣି।

 

ଏ ବିଷୟରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଅବଗତ ଥିଲେ ମଧ୍ୟ ଜବରଦଖଲ କାରିମାନଙ୍କୁ ଉଚ୍ଛେଦ କରିପାରୁ ନାହାନ୍ତି। ଜଙ୍ଗଲ ଜମିକୁ ନେଇ କିଛି ଜବରଦଖଲ କାରି ସିଭିଲ ଅଦାଲତର ଆଶ୍ରୟ ନେଇ ଉକ୍ତ ସମ୍ପତିକୁ କିଭଳି ଜଙ୍ଗଲ ବିଭାଗ ନେଇ ନ ପାରିବ ସେଥି ନିମନ୍ତେ ନିଷେଧାଜ୍ଞା ମକଦ୍ଦମା ରୁଜୁ କରିଥିବା ନଜିର ରହିଛି। ବନ ବିଭାଗ ପକ୍ଷରୁ ସଠିକ ଭାବରେ ମକଦମା ପରିଚାଳନା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଜଙ୍ଗଲ ଜମିରୁ ଜବରଦଖଲ କରିଙ୍କୁ ଉଚ୍ଛେଦ କରାଯାଇ ପାରୁ ନଥିବାରୁ ଦିନକୁ ଦିନ ଜଙ୍ଗଲ ଜମି ହ୍ରାସ ପାଇବାରେ ଲାଗିଛି।

 

ଜଙ୍ଗଲରେ ଖାଦ୍ୟାଅଭାବ ଯୋଗୁଁ ବନ୍ୟ ଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ମୃତ୍ୟୁବରଣ କରୁଛନ୍ତି। ଦଲାଲ, କାଠ ମାଫିଆ ଓ ଅସାଧୁ ବନବିଭାଗ କର୍ମଚାରୀଙ୍କ ଯେଗୁଁ ଏହି ସଂରଖିତ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ବିଲୁପ୍ତ ହେଉଥିବା ବେଳେ ବିରଳ ପ୍ରଜାତିର ବାଲି ହରିଣ, ବଜ୍ରକାପ୍ତା, ଠେକୁଆ, ସାପ, ଗୋଧୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଲୋକେ ଦଳ ଦଳ ହୋଇ କାଜୁ ମଞ୍ଜି ସଂଗ୍ରହ କରୁଛନ୍ତି। ଫଳରେ ବନ୍ୟ ପ୍ରାଣୀଙ୍କ ଅବାଧ ବିଚରଣରେ ଅନ୍ତରାୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନରେ ଥିବା ବିଟ‌୍‍ଗୁଡିକ ଗ୍ରାମାଞ୍ଚଳ ସଂଳଗ୍ନ ହୋଇଥିବାରୁ ପ୍ରତିଦିନ ଜାଳେଣି ପାଇଁ ଶହ ଶହ କୁଇଣ୍ଟାଲ କାଠ ଦିନ ଦ୍ୱିପ୍ରହରେ ଚାଲାଣ ହେଉଛି।

 

ବନ ବିଭାଗ କର୍ମଚାରୀମାନେ ଜାଣିସୁଦ୍ଧା ନଜାଣିଲା ପରି ରହୁଛନ୍ତି। ଜିଏ ହାତଗୁଞ୍ଜ ଦେଲା ସିଏ ଖସିଲା ଆଉ ଜିଏ ନ ଦେଲା ସିଏ ଫସିଲା। ତାକୁ ଧରିଆଣି ଧର୍ମକୁ ଆଖିଠାର ସଦୃଶ୍ୟ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଛି ବୋଲି ଦର୍ଶା ଯାଇଥାଏ। ବନ ବିଭାଗ ଏବେରୁ ସଜାଗ ନ ହେଲେ ଜଙ୍ଗଲ ସଂପଦ ଓ ଜଙ୍ଗଲ ଜମି ଓ ବନ୍ୟପ୍ରାଣିଙ୍କ ପାଇଁ ଅବାଧ ବିଚରଣରେ ବ୍ୟାପକ ସମସ୍ୟା ଦେଖା ଦେବ ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top