ଦେହଜୀବୀଙ୍କ ଭୂସ୍ୱର୍ଗ କୋଣାର୍କ

News Story - Posted on 2017-04-27

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଥିବା ବିଭିନ୍ନ ଲଜ ଏବେ ଦେହଜୀବୀଙ୍କ ଭୂସ୍ୱର୍ଗ ପାଲଟିଛି। ଦଲାଲମାନଙ୍କ ସହାୟତାରେ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଦେହ ବ୍ୟବସାୟୀମାନେ ଆସି ବିଭିନ୍ନ ଲଜମାନଙ୍କରେ ମାସ ମାସ ଧରି ରହି ବ୍ୟବସାୟ କରୁଛନ୍ତି। ଏହି ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ୱାର ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା।

 

ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କଟକ ଭିଜିଲାନ୍ସ ଟିମ‌୍‍ର ଆଇଆଇସି ହେମନ୍ତ କୁମାର ବୈଦ୍ୟ କୋଣାର୍କ ବସ ଷ୍ଟାଣ୍ଡ ନିକଟସ୍ଥ ରୁଦ୍ରାଣୀ ଲଜ‌୍‍କୁ ଯାଇଥିଲେ। ଏହି ସମୟରେ ଲଜ‌୍‍ ମାଲିକ ହେମନ୍ତ ସାହୁ ଭିଜିଲାନ୍ସ ଆଇଆଇସି ଶ୍ରୀ ବୈଦ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାରପିଟ କରିଥିଲେ। ଏ ନେଇ ଭିଜିଲାନ୍ସ ଆଇଆଇସି ଶ୍ରୀ ବୈଦ୍ୟ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ଅରୁଣଚନ୍ଦ୍ର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଲଜ‌୍‍ ମାଲିକ ଶ୍ରୀ ସାହୁଙ୍କୁ ଗରିଫ କରିବା ସହିତ ଲଜର ରେଜିଷ୍ଟର, ଡାଇରୀ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲେ। ଭିଜିଲାନ୍ସ ଆଇଆଇସି ଶ୍ରୀ ବୈଦ୍ୟଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନା ପକ୍ଷରୁ ୩୧୪, ୩୫୩, ୩୯୪, ୩୪ ଆଇପିସି ଧାରାରେ ୫୨/୧୭ରେ ଏକ ମାମଲା ରୁଜୁ କରାଯାଇ ଳଜ‌୍‍ ମାଲିକଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

ଲଜ‌୍‍ ମାଲିକ ଶ୍ରୀ ସାହୁ ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୁଲିସ ହାତରେ ଧରା ପଡ଼ୁ ନଥିଲେ। କୋଣାର୍କରେ ଦେହ ବ୍ୟବସାୟର କିଙ୍ଗ‌୍‍ିପିନ ସାଜିଥିବା ଶ୍ରୀ ସାହୁଙ୍କୁ କୋଣାର୍କ ଥାନାଧିକାରୀ ଶ୍ରୀ ତ୍ରିପାଠୀ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ସାଧାରଣରେ ତାଙ୍କର ଉଚ୍ଚ ପ୍ରଶଂସା କରାଯାଇଛି। ବିଭିନ୍ନ ଲଜ‌୍‍ମାନଙ୍କୁ ଯୁବତୀ ଯୋଗାଉଥିବା ଦଲାଲମାନଙ୍କ ସଂପର୍କରେ ଆମପାଖରେ ସୂଚନା ଅଛି, ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି।

 

ଏଠାରେ ସୂଚନା ଯୋଗ୍ୟ କି ଭୁବନେଶ୍ୱର ଓ କଟକରେ କମିଶନରରେଟ ପୁଲିସର ବାରମ୍ବାର ଚଢାଉ ଫଳରେ ଦେହଜୀବୀ ଓ ଦଲାଲମାନେ କୋଣାର୍କକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ଏମାନଙ୍କ ପାଇଁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବେ ଦେହ ବ୍ୟବସାୟ ପେଣ୍ଠ ସ୍ଥଳିରେ ପରିଣତ ହୋଇଛି। ଏଠାରେ ନିଶା କାରବାର ସାଙ୍ଗକୁ ଦେହ ବ୍ୟବସାୟ ଓ ଅପରାଧ ମୂଳକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ପାଲଟିଛି। କୋଣାର୍କରେ ଥିବା ବିଭିନ୍ନ ଲଜର ମାଳିକ ଓ ଦେହ ଦଲାଲମାନେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ପ୍ରତ୍ୟହ ପ୍ରେମୀଯୁଗଳଙ୍କୁ କୋଣାର୍କର ବିଭିନ୍ନ ଲଜରେ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଅଞ୍ଚଳର କଲେଜ ପଢୁଆ ଛାତ୍ରଛାତ୍ରୀମାନେ ଏଠାକୁ ଆସି ରାତ୍ରିଯାପନ କରିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

 

ସ୍ବୀକୃତି ଓ ପରିବେଶ ମଂଜୁରୀ ନଥାଇ କୋଣାର୍କରେ ଛତୁଫୁଟିଲା ପରି ଲଜମାନ ଗଢି ଉଠୁଥିବା ବେଳେ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେହି ନଜର ଦେଉନାହାନ୍ତି। ଲଜ ବ୍ୟବସାୟ କରୁଥିବା ମାଲିକମାନେ ଲଜିଙ୍ଗ ହାଉସଫଣ୍ଡର ଅଧିକାରୀମାନଙ୍କୁ ହାତ ଗୁଞ୍ଜା ଦେଇ ଲାଇସେନ୍ସ ହାସଲ କରି ଲଜ ଚଳାଉଥିବା ବେଳେ ଆଉ କେତେକ ବିନା ସ୍ବୀକୃତିରେ ଲଜଚଲାଉଥିବା ଦେଖିବାକୁ ମିଳୁଛି। ପରିବାର ସହ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଲଜଗୁଡିକରେ ଏପରି କାର୍ଯ୍ୟକଳାପ ହେଉଥିବା ଦେଖି ଏଠାରେ ରାତ୍ରିଯାପନ କରିବାକୁ ନାପସନ୍ଦ କରୁଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top