ଗାନ୍ଧୀବାଦର ଉନ୍ମେଷସ୍ଥଳ- ଚମ୍ପାରଣ

News Story - Posted on 2017-04-27

ପ୍ରିୟଦର୍ଶୀ ଦତ୍ତ

 

ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଚଳିତ ଏପ୍ରିଲ ମାସରେ ସାରା ଦେଶରେ ପାଳନ କରାଯାଉଛି। ସତ୍ୟାଗ୍ରହର ଶୁଭାରମ୍ଭ ଉତ୍ତର ବିହାରର ପୂର୍ବରେ ଥିବା ଅବିଭକ୍ତ  ଚମ୍ପାରଣ ଜିଲ୍ଲାରେ ଆରମ୍ଭ ହୋଇଥିଲା। ବ୍ରିଟିଶ ଶାସକ ଏବଂ ଜମିମାଲିକମାନଙ୍କ ଦ୍ୱାରା ଚମ୍ପାରଣ ଜିଲ୍ଲାର କୃଷକମାନଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାର ସଂପର୍କରେ ଗାନ୍ଧିଜୀ ଜାଣିବା ପରେ ୧୯୧୭ ମସିହା ଏପ୍ରିଲ ମାସରେ ସେଠାକୁ ଯାତ୍ରା କରିଥିଲେ। କୃଷକମାନେ ଗାନ୍ଧିଜୀଙ୍କୁ କହିଥିଲେ ଯେ, ସେମାନେ ନିଜ ଜମିର ୨୦ ଭାଗରୁ ୩ ଭାଗ ଜମିମାଲିକଙ୍କ ପାଇଁ ଚାଷ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସ୍ଥାକୁ ‘ତିନ‌୍‍ କଥିଆ’ କୁହାଯାଉଥିଲା।

 

ସେ ସମୟରେ କୃଷି ସଂପର୍କୀତ ପ୍ରସଂଗକୁ ଅତ୍ୟନ୍ତ କଷ୍ଟକର ରାଜନୈତିକ କାର୍ଯ୍ୟକ୍ରମର ଅଂଶ ରୂପେ ଗ୍ରହଣ କରାଯାଉଥିଲା। ଏପରିକି ପ୍ରାରମ୍ଭିକ ପର୍ଯ୍ୟାୟରେ ଗାନ୍ଧିଜୀ ମଧ୍ୟ ଏହି ପ୍ରସଂଗରେ ନିଜକୁ ସାମିଲ କରିବାରେ କୁଣ୍ଠିତ ଥିଲେ। ମାତ୍ର ଚମ୍ପାରଣର ଜଣେ ଇଣ୍ଡିଗୋ ଚାଷୀ ରାଜକୁମାର ଶୁକ୍ଲାଙ୍କ ଠାରୁ ସୂଚନା ପାଇବା ପରେ ଗାନ୍ଧିଜୀ ଏହି ମାମଲାର ତଦନ୍ତ କରିବା ପାଇଁ ମନ ବଳାଇଥିଲେ। ସମଗ୍ର ଚମ୍ପାରଣ ଜିଲ୍ଲାରେ ଏହି ଘଟଣାର ତଦନ୍ତ କରି ଏକ ନିଷ୍କର୍ଷ ଆଧାରରରେ କାର୍ଯ୍ୟ କରିବା ନିମନ୍ତେ ଗାନ୍ଧିଜୀ ଦାବି କରିଥିଲେ। ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଦୁଇ ଦଶନ୍ଧି ଧରି ଅବସ୍ଥାନ କରିବା ପରେ ସେତେବେଳେ ମାତ୍ର ଦୁଇ ବର୍ଷ ହେବ ଗାନ୍ଧିଜୀ ସ୍ୱଦେଶ ଫେରିଥିଲେ। ଏ ସଂପର୍କରେ ଜାଣିବା ପାଇଁ ସେ ବ୍ୟକ୍ତିଗତ ଭାବେ ଚମ୍ପାରଣ ଯାଇଥିଲେ। ତାଙ୍କର ଏହି ଚମ୍ପାରଣ ଯାତ୍ରା ରାଜନୈତିକ ଅଭିଯାନ ପରିବର୍ତ୍ତେ ବ୍ୟକ୍ତିଗତ ଆଧାର ଉପରେ ପର୍ଯ୍ୟବସିତ ଥିଲା। ନେପାଳ ସୀମାରେ ଅବସ୍ଥିତ ବିହାରର ଉତ୍ତର ଭାଗରେ ଅବସ୍ଥିତ ଏହି ଚମ୍ପାରଣ ଜିଲ୍ଳାରେ ତାଙ୍କୁ ବିଶେଷ ଭାବେ କେହି ଚିହ୍ନି ନଥିଲେ। ଏହି  ଅଂଚଳ ସେତେବେଳର ରାଜନୈତକ ସ୍ଥିତି ସହ ଆଦୌ ସଂଶ୍ଳିଷ୍ଟ ନ ଥିଲା।

 

ଗାନ୍ଧିଜୀଙ୍କ ଏହି ଚମ୍ପାରଣ ଗସ୍ତକୁ ସ୍ଥାନୀୟ ବଗିଚା ମାଲିକ ସଂଘର ଅଧ୍ୟକ୍ଷ ତିରହୁତ ଡିଭିଜନ କମିଶନର କିମ୍ୱା ପୋଲିସ  ଅଧୀକ୍ଷକ କେହି ପସନ୍ଦ କରୁନଥିଲେ। ସେମାନେ ମଧ୍ୟ ତଦନ୍ତ କାର୍ଯ୍ୟରେ ଗାନ୍ଧିଜୀଙ୍କୁ ସହଯୋଗ କରିନଥିଲେ। କିନ୍ତୁ ଗାନ୍ଧିଜୀ ତଦନ୍ତ ପାଇଁ ପ୍ରତିଶ୍ରୁତି ବଦ୍ଧ ଥିଲେ ଏବଂ ଜିଲ୍ଲାର ମୁଖ୍ୟାଳୟ ମୋତିହାରୀ ଠାରେ ବାବୁ ଗୋରଖ ପ୍ରସାଦଙ୍କ ଘରେ ତଦନ୍ତ କାର୍ଯ୍ୟ ଆରମ୍ଭ କଲେ। ସେତେବେଳେ ସେହି ଅଂଚଳରେ ଯାତାୟତ ପାଇଁ ହାତୀ ହିଁ ଏକ ମାଧ୍ୟମ ଥିଲା। ଗାନ୍ଧିଜୀ ଯେତେବେଳେ ହାତୀ ଉପରେ ଚଢି ଗୋଟିଏ ଗାଁକୁ ଯାତ୍ରା କଲେ ସେତେବେଳେ ତାଙ୍କୁ ଅଦାଲତ ପକ୍ଷରୁ ସମନ‌୍‍ କରାଗଲା। ତାଙ୍କ ବିରୋଧରେ  ଅପରାଧିକ ଦଣ୍ଡ ସଂହିତାର ଧାରା-୧୪୪ ଉଲ୍ଲଘଂନ ଅଭିଯୋଗ ଆସିଥିଲା। ଗାନ୍ଧିଜୀ ବିନା ଭୟରେ ସେହି ସମନ ଗ୍ରହଣ କରିଥିଲେ। ମାତ୍ର ଚମ୍ପାରଣ ଛାଡିବାକୁ ରୋକ‌୍‍ଠୋକ‌୍‍ ମନା କରି ଦେଇଥିଲେ। ତାଙ୍କର ଏହି ତଦନ୍ତ ପ୍ରକ୍ରିୟା କୃଷକମାନଙ୍କ ମନକୁ ଜିଣି ନେଇଥିଲା ଏବଂ ଗାନ୍ଧିଜୀଙ୍କ  ଲୋକପ୍ରିୟତା ସାରା ଅଂଚଳରେ ବ୍ୟାପି ଯାଇଥିଲା।

 

ଶେଷରେ ୧୯୧୭ ଏପ୍ରିଲ ୧୮ ତାରିଖରେ ଗାନ୍ଧିଜୀ ଯେତେବେଳେ ମୋତିହାରୀ ଅଦାଲତରେ ହାଜର ହେଲେ, ସେତେବେଳେ ସେ ଦେଖିବାକୁ ପାଇଲେ ଯେ ପ୍ରାୟ ୨ ହଜାର ସ୍ଥାନୀୟ ଲୋକ ସେଠାରେ ଉପସ୍ଥିତ ଅଛନ୍ତି। ମାଜିଷ୍ଟ୍ରେଟ ଶୁଣାଣି ବେଳେ ମାମଲାକୁ ଟାଳି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାନ୍ଧିଜୀ ଚାହୁଁଥିଲେ ଯେ, ଏହି ମାମଲାରେ ତାଙ୍କୁ ଦୋଷୀ କରାଯାଉ। ଏହି ପରିପ୍ରେଷୀରେ ଗାନ୍ଧିଜୀ ସେଠାରେ ଏକ ବିବୃତି ପାଠ କରିଥିଲେ। ଯାହାର କିଛି ଅଂଶ ହେଲା, ‘ଆଇନକୁ ପାଳନ କରୁଥିବା ନାଗରିକ ରୂପେ ଏଠାରେ ରହିବା ମୋର ପ୍ରଥମ ପ୍ରାଥମିକତା ହେବ। ମାତ୍ର ମଁୁ କର୍ତ୍ତବ୍ୟ ଓ ଦାୟିତ୍ୱକୁ ପାଳନ କରେ। ମୁଁ ଏଠାରୁ ଚାଲିଯାଇ ପାରିବି ନାହିଁ। ମୁଁ ଏଠାକାର ଲୋକଙ୍କ ମଧ୍ୟରେ ରହି ସେବା କରିପାରିବି ବୋଲି ଭାବୁଛି। ଏହି ସେବା ଓ କର୍ତ୍ତବ୍ୟରୁ ଓହରି ଯାଇ ପାରିବି ନାହିଁ। ତେଣୁ  ଆଦେଶ ଅମାନ୍ୟ ମଁୁ ନିୟମ ଉଲ୍ଲଂଘନ ପାଇଁ କରିନାହିଁ ବରଂ ଅସ୍ତିତ୍ୱ ଓ ମାନବବାଦର ବୃହତ୍ତର ସ୍ୱାର୍ଥରକ୍ଷା ନିମନ୍ତେ ନିଜ ବିବେକର କଥା ଶୁଣିଛି।’

 

ଏହା ପରେ ମୋତିହାରୀ ମାମଲା ଶେଷ ହୋଇଯାଇଥିଲା। ବିହାରର ଲେଫ୍ଟନାଂଟ ଗଭର୍ଣ୍ଣର ଗାନ୍ଧିଜୀଙ୍କ ବିରୋଧରେ ଥିବା ମାମଲାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଲେ। ଗାନ୍ଧିଜୀ ମୁକ୍ତ ଭାବେ ଘଟଣାର ତଦନ୍ତ କରିପାରିବେ ବୋଲି କଲେକ୍ଟର ନିର୍ଦ୍ଦେଶ ଦେଲେ। ଏହି ଛୋଟିଆ ଘଟଣାଟି ଦେଶର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଏକ ବଡ଼ ଘଟଣା ରୂପେ ବିବେଚିତ ହେଲା। ଏହି ଘଟଣା ସାରା ଦେଶରେ ଗାନ୍ଧିଜୀଙ୍କ ଆନ୍ଦୋଳନର ମୂଳଦୁଆ ପକାଇଥିଲା। ଖବର କାଗଜରେ ସାରା ଘଟଣାଟି ଖୁବ ବଡ ଆକାରରେ ପ୍ରଚାରିତ ହେଲା। ଏହିଠାରୁ ଗାନ୍ଧିବାଦୀ ଯୁଗର ଶୁଭାରମ୍ଭ ହେଲା ବୋଲି ବିଚାର କରାଯାଇଥାଏ।

 

ଚମ୍ପାରଣରେ ଗାନ୍ଧିଜୀଙ୍କ ତଦନ୍ତ ସ୍ୱୟଂସେବକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଉପରେ ଆଧାରିତ ଥିଲା। ସ୍ୱଇଚ୍ଛାରେ ଉତ୍ତର ଦେଇଥିବା ଲୋକମାନଙ୍କର ନିଜ ବୟାନ ଉପରେ ସ୍ୱାକ୍ଷର କିମ୍ୱା ଟିପଚିହ୍ନ ରହିଥିଲା। ଯେଉଁମାନେ ସ୍ୱଇଚ୍ଛାରେ ବୟାନ ଦେଉନଥିଲେ ତାହାର କାରଣ ସଂପର୍କରେ ମଧ୍ୟ ଏହି ସର୍ଭେ ରିପୋର୍ଟରେ ସ୍ୱୟଂ ସେବକମାନେ ଉଲ୍ଲେଖ କରିଥିଲେ। ସର୍ଭେ କାର୍ଯ୍ୟରେ ସାମିଲ ହୋଇଥିବା ଅଧିକାଂଶ ସ୍ୱୟଂସେବକଙ୍କ ମଧ୍ୟରେ ବାବୁ ରାଜେନ୍ଦ୍ର ପ୍ରସାଦ, ଧରଣୀଧର ପ୍ରସାଦ, ଗୋରଖ ପ୍ରସାଦ, ରାମନବମୀ ପ୍ରସାଦ, ଶମ୍ୱୁସରଣ ଏବଂ  ଅନୁଗ୍ରହ ନାରାୟଣ ସିହ୍ନାଙ୍କ ପରି ଅଧିବକ୍ତାମାନେ ଥିଲେ। ସର୍ଭେ ପାଇଁ ମୋତିହାରୀ ଏବଂ ବେତିଆ ଠାରେ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ସର୍ଭେରେ ନିଜ ନିଜର ବକ୍ତବ୍ୟ ରଖିବା ପାଇଁ ଏପରି ଭିଡ଼ ହେଉଥିଲା ଯେ, ସ୍ୱୟଂ ସେବକମାନେ ପ୍ରତ୍ୟେକ ଦିନର କାର୍ଯ୍ୟ ପୂରା କରିପାରୁ ନଥିଲେ। ବୟାନ ରେକର୍ଡ କରାଯିବା ସମୟରେ ସିଆଇଡିର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଥିଲେ। ଏହାଛଡା ବିଭିନ୍ନ ଗ୍ରାମ ଗସ୍ତକରି ରୟତମାନଙ୍କ ଘରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିଲା। ଚାହୁଁ ଚାହୁଁ ମାସକ ଭିତରେ ଏକ ହଜାର ବୟାନ ସଂଗ୍ରହ ହୋଇଗଲା। ଯେଉଁଠି ରୟତମାନେ ଉପସ୍ଥିତ ରହୁଥିଲେ। ସେଠାକୁ ଜମି ମାଲିକ ଆସିବା ପାଇଁ ମନା କରି ଦେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ କେତେକ ଏକ ପ୍ରତିନିଧି ମଣ୍ଡଳୀ ରୂପେ ଗାନ୍ଧିଜୀଙ୍କୁ ଭେଟି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଏହା ରୟତଙ୍କ ପାଇଁ ଲାଭପ୍ରଦ ହେବ ଏବଂ ଋଣ କ୍ଷେତ୍ରରେ ସୁରକ୍ଷା ମିଳିବ। ମାତ୍ର ଏ କ୍ଷେତ୍ରରେ ରୟତମାନଙ୍କ ରାୟ କିନ୍ତୁ ଭିନ୍ନ ଥିଲା।

 

ଚମ୍ପାରଣରେ ଗାନ୍ଧିଜୀ ଦୀର୍ଘ ଦିନ ରହିବା ଫଳରେ ପ୍ରଶାସନର ଚିନ୍ତା ବଢିଯାଇଥିଲା। ୧୯୧୭ ମସିହା ଜୁନ ୪ ବିହାରର ଲେଫ୍ଟନାଂଟ ଗଭର୍ଣ୍ଣର ସାର ଏଡ଼ୱାର୍ଡ ଗେଟ‌୍‍ ରାଂଚିରେ ଗାନ୍ଧିଜୀଙ୍କୁ ଭେଟି ଏହି ମାମଲାର ଏକ ଔପଚାରିକ ତଦନ୍ତ କମିଟି ଗଠନ ପାଇଁ ଘୋଷଣା କଲେ। ତେବେ ଗାନ୍ଧିଜୀ ଓ ସ୍ୱୟଂସେବକମାନେ ଚମ୍ପାରଣରେ ରହିବେ ବୋଲି ଗାଇଡକୁ ଏଥିପାଇଁ ରାଜି ହେବାକୁ ପଡିଥିଲା। ଏଥିସହ ଗାନ୍ଧିଜୀଙ୍କୁ ରୟତମାନଙ୍କ ଓକିଲ ହେବା ପାଇଁ ରୋକାଯାଇ ପାରିବ ନାହିଁ ବୋଲି ପ୍ରତିଶ୍ରୃତି ଦିଆଗଲା।

 

୧୯୧୭ ଜୁଲାଇ ୧୧ରେ ଚମ୍ପାରଣ ତଦନ୍ତ କମିଟି ନିଜର ପ୍ରାରମ୍ଭିକ ବୈଠକ  ଆରମ୍ଭ କରିଥିଲା। ଏକାଧିକ ସ୍ଥାନରେ ବୈଠକ କରାଯିବା ପରେ ଅକ୍ଟୋବର ୪ ରେ ତଦନ୍ତ କମିଟି ତା’ର ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା। ରୟତମାନଙ୍କ ଫାଇଦା ପାଇଁ ରିପୋର୍ଟରେ କରାଯାଇଥିବା ସବୁପ୍ରକାର ସୁପାରିସକୁ ସରକାର ଗ୍ରହଣ କରିଥିଲେ। ଏହି ସୁପାରିସ ମଧ୍ୟରେ ପ୍ରମୁଖ ବିଷୟ ଥିଲା ତିନ‌୍‍ କଥିଆ ବ୍ୟବସ୍ଥାର ଉଚ୍ଛେଦ। ବ୍ରିଟିଶ ଜମି ମାଲିକମାନଙ୍କ ପାଇଁ ଏହା ଏକ ଶକ୍ତ ଧକ୍କା ଥିଲା। ଯାହା ସେମାନଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହା ସତ୍ତ୍ବେ ୧୯୧୮ ମାର୍ଚ୍ଚ ୪ ରେ ବିହାର  ଏବଂ ଓଡିଶା ବିଧାନ ପରିଷଦରେ ଚମ୍ପାରଣ କୃଷି ଅଧିନିୟମକୁ ଗୃହୀତ କରାଇବାରେ କିଛି ଅସୁବିଧା ରହିଲା ନାହିଁ।

 

ଗାନ୍ଧିଜୀଙ୍କ ଏହି  ଅଭିଯାନ ପ୍ରାୟ ଏକ ବର୍ଷ ଧରି ଚମ୍ପାରଣରେ ଚାଲିଥିଲା। ଏହା ଶେଷ ହେବା ପରେ ଗୁଜରାଟର ଖେଡ଼ାଠାରେ ଆଉ ଏକ କୃଷି ସତ୍ୟାଗ୍ରହରେ ଗାନ୍ଧିଜୀ ସାମିଲ ହୋଇଥିଲେ। ସେ ସ୍ୱୟଂସେବକମାନଙ୍କୁ ଡକାଇ ମହାରାଷ୍ଟ୍ର ଓ ଗୁଜରାଟରେ ଗରିବ ଲୋକଙ୍କୁ ସାକ୍ଷର କରିବା ଉଦ୍ଦେଶ୍ୟରେ ପ୍ରାଥମିକ ଶିକ୍ଷାକୁ ବ୍ୟାପକ କଲେ। ଚମ୍ପାରଣରେ ଗାନ୍ଧିଜୀଙ୍କ ବିଜୟ ତାଙ୍କୁ ଭାରତୀୟ ରାଜନୀତିରେ ପ୍ରତିଷ୍ଠିତ କରାଇ ପାରିଥିଲା। (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top