ନାହିଦ୍‌ର ଫତୱା- ନିଷ୍କର୍ମା ରାଷ୍ଟ୍ର

News Story - Posted on 2017-04-27

ରୁଦ୍ର ପ୍ରସନ୍ନ ରଥ

 

ଆସାମର ନାବାଳିକା ଗାୟିକା ନାହିଦ‌୍‍ ଆଫ୍ରିନ‌୍‍ଙ୍କ ବିରୋଧରେ କିଛି ମୁସଲମାନ ମୌଳବାଦୀ ସଂଗଠନ ଫତୱା ଜାରି କରିଥିଲେ। ନାହିଦ‌୍‍ଙ୍କ ଦୋଷ ହେଉଛି ଯେ ସେ ମସଜିଦ‌୍‍ ପାଖରେ ସର୍ବସାଧାରଣ ସ୍ଥାନରେ ସଂଗୀତ ପରିବେଷଣ କରିବାକୁ ଚାହଁୁଥିଲେ। ଏଥିପାଇଁ ସେ ମୌଳବାଦୀ ମୁସଲମାନ ସଂଗଠନମାନଙ୍କର ରୋଷର ସମ୍ମୁଖୀନ ହୋଇଥିଲେ। ଯଦିଓ ନାହିଦ‌୍‍ ହତାଶ ହୋଇପଡିଥିଲେ ତେବେ ସେ ଏହି ଫତୱାକୁ ନମାନିବାକୁ କହି ସେ ବେଶ‌୍‍ ସାହାସିକତାର ପରିଚୟ ଦେଇଥିଲେ। ଆଉ ଭାରତୀୟ କଳାକାର ଏବଂ ବୁଦ୍ଧିଜୀବିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନାହିଦ‌୍‍ଙ୍କ ସହିତ ଠିଆ ହେବାକୁ ଉଚିତ‌୍‍ ମନେକରିଥିଲେ।

 

ନାହିଦ‌୍‍ଙ୍କ ଘଟଣାରେ ଆଗକୁ କ’ଣ ହେବ ତାହା ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଅଛି ଫତୱା ଆଣି ବ୍ୟକ୍ତିର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିଥିବା ଲୋକମାନଙ୍କ ସହ ରାଷ୍ଟ୍ରର ବ୍ୟବହାର କ’ଣ ହେବ ତାହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ସେତିକି ପ୍ରଶ୍ନ ଅଛି। ବିଭିନ୍ନ ସମୟରେ ଧର୍ମକୁ ଆଳକରି ରାଷ୍ଟ୍ରର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିବା ମୌଳବାଦୀ ଧାର୍ମିକ ଅନୁଷ୍ଠାନ ଏବଂ ମଣିଷର ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ଉପରେ ସେମାନଙ୍କର ଅନଧିକାର ପ୍ରବେଶ ଜାରୀ ରହିଲେ ଗଣତନ୍ତ୍ରର ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ଆଲୋଚନାର ବିଷୟ।

 

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ହେଁ ଏଠାରେ ବାସ କରୁଥିବା ଅଧିବାସୀମାନଙ୍କର ଦୈନନ୍ଦିନ ଜୀବନଯାପନ ସହ ଧର୍ମ ଓତଃପ୍ରୋତଃ ଭାବେ ଜଡିତ। ଆମର ରୀତିନୀତି, ବାଣିଜ୍ୟ, ବ୍ୟବସାୟ, କ୍ରୀଡା ଆଦି ସବୁ କ୍ଷେତ୍ରରେ ଧର୍ମର ପ୍ରଭାବ ବେଶ‌୍‍ ସ୍ୱଷ୍ଟଭାବେ ପରିଲକ୍ଷିତ ହୁଏ। ଯେହେତୁ ଭାରତ ବହୁ ଧର୍ମର ଲୋକଙ୍କର ଦେଶ ଏଣୁ ଭାରତ ଧର୍ମନିରପେକ୍ଷତାବାଦକୁ ପ୍ରଶୟ ଦେଇ ସବୁ ଧର୍ମ ପ୍ରତି ଧର୍ମ ନିରପେକ୍ଷଭାବ ଗ୍ରହଣ କରିଛି। ଦେଶର ଗଣତନ୍ତ୍ର ଏବଂ ସମ୍ୱିଧାନ ଏହାକୁ ପ୍ରୋତ୍ସାହନ ଦେଉଛି। ଆଉ ଏହା ଭିତରେ ପ୍ରତ୍ୟେକ ଭାରତୀୟ ବ୍ୟକ୍ତି ସ୍ୱାଧୀନତାର ଲାଭ ମଧ୍ୟ ଉଠାଉଛନ୍ତି।

 

ଯେତେବେଳେ ବି ବ୍ୟକ୍ତି ସ୍ୱାଧୀନତାର ପ୍ରଶ୍ନ ଉଠେ ସେତେବେଳେ ତା’ ସହ ତାଳଦେଇ ରାଷ୍ଟ୍ର ସ୍ୱାଧୀନତା କଥା ମଧ୍ୟ ଆଲୋଚନା ହୁଏ। ଯେହେତୁ ରାଷ୍ଟ୍ର ବ୍ୟକ୍ତିମାନଙ୍କର ସମଷ୍ଟି ତେଣୁ ବ୍ୟକ୍ତିର ସ୍ୱାଧୀନତା ରାଷ୍ଟ୍ରର ସମ୍ପତ୍ତିି ହେବା କଥା। ମାତ୍ର ପ୍ରକୃତରେ ରାଷ୍ଟ୍ର ଅନେକ ମାଧ୍ୟମରେ ବ୍ୟକ୍ତି ସ୍ୱାଧୀନତାକୁ ନିୟନ୍ତ୍ରିତ କରିଥାଏ। ଆଉ ଏହି ସବୁ ମାଧ୍ୟମ ସମ୍ୱିଧାନ ଏବଂ ଆଇନ ମାଧ୍ୟମରେ ହୋଇଥାଏ। ଆଉ ବ୍ୟକ୍ତି ଜଣଙ୍କ ଏସବୁ ମାନିବାକୁ ଅନେକାଂଶରେ ବାଧ୍ୟ ହୋଇଥାଏ। ପୁଣି ଅନେକ ସମୟରେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ରାଷ୍ଟ୍ରକୁ ନିଜପାଇଁ ଆଇନ କରିବାକୁ ଅନୁରୋଧ କରିଥାଏ। ମୋଟ ଉପରେ ରାଷ୍ଟ୍ର ବ୍ୟକ୍ତିର ସ୍ୱାଧୀନତାକୁ ସୀମାବଦ୍ଧ କରିବା ସହ ଏହାକୁ ନିୟନ୍ତ୍ରିତ କରିଥାଏ। ଅନେକ କ୍ଷେତ୍ରରେ ରାଷ୍ଟ୍ରର ନିଷ୍ପତ୍ତିି ସର୍ବମାନ୍ୟ ଏବଂ ଏହା ସର୍ବୋପରି। ଏଣୁ ବ୍ୟକ୍ତି ଏବଂ ରାଷ୍ଟ୍ର ମଧ୍ୟରେ ସଂପର୍କ ପରସ୍ପରର ପରିପୂରକ ଏବଂ ଏଥିରେ ତୃତୀୟ ପକ୍ଷର କୌଣସି ସ୍ଥାନ ନାହିଁ କହିଲେ ଚଳେ।

 

ମାତ୍ର ନାହିଦ‌୍‍ଙ୍କ ସହ ଯାହା ଘଟିଛି ତାହା ଦେଖି ରାଷ୍ଟ୍ର ଏବଂ ବ୍ୟକ୍ତି ମଧ୍ୟରେ ଏକ ତୃତୀୟ ପକ୍ଷର ଶକ୍ତିଶାଳୀ ଭୂମିକା ନଜରକୁ ଆସୁଛି। ନାହିଦ‌୍‍ ଗାଇବେ କି ନାହିଁ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେ ମସଜିଦ‌୍‍ ପାଖରେ ଗାଇପାରିବେ କି ନାହିଁ ସେ ନିଷ୍ପତ୍ତି ସରକାର ବା ରାଷ୍ଟ୍ର ନେବ। ଅଥଚ ଏଠାରେ ସରକାର ନୁହେଁ ବରଂ କିଛି ମୌଳବାଦୀ ସଂଗଠନ ନାହିଦ‌୍‍ଙ୍କ ଉପରେ ଚାପ ପ୍ରୟୋଗ କରି ତାଙ୍କୁ ଗୀତ ଗାଇବାକୁ ବାରଣ କରିଛନ୍ତି। ନାହିଦ‌୍‍ଙ୍କ ନାମରେ ଫତୱା ଜାରୀ କରିବା ସେହି ଚାପ ପ୍ରୟୋଗ କରିବାର ଏକ କୌଶଳ। ଅବଶ୍ୟ ଏହିପରି ଚାପ ପ୍ରୟୋଗ କରିବାର କୌଶଳ କିଛି ନୂଆ ନୁହେଁ। ପୂର୍ବରୁ ବିଭିନ୍ନ ଧର୍ମର ମୌଳବାଦୀମାନେ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବାକୁ ଯାଇ ପୂର୍ବରୁ ଫତ୍ୱୱା ଜାରୀ କରିବା କିମ୍ୱା ନାଲି ଆଖି ଦେଖାଇବା କାମ ଆଗରୁ ମଧ୍ୟ ଚାଲି ଆସିଛି। ଏଣୁ ନାହିଦ‌୍‍ ଆଫ୍ରିନ‌୍‍ଙ୍କ ଘଟଣା ପ୍ରଥମ ଥର ପାଇଁ ଘଟୁନାହଁି ବୋଧହୁଏ ଶେଷ ବି ନୁହେଁ। ପାରମ୍ପରିକ ଧାର୍ମିକ ଆଇନକୁ ଦ୍ୱାହି ଦେଇ ସମୟ ସହ ତାଳ ଖାଉ ନଥିବା ଆଇନ ଏବଂ ପରମ୍ପରାର ଗଳାବାଟ ଦେଇ ଏସବୁ ଧମକ ଦେବା ଭାରତରେ ବିଭିନ୍ନ ଧାର୍ମିକ ମୌଳବାଦୀ ସଂଗଠନ ବେଶ‌୍‍ କିଛି ଦିନ ହେଲା ଅନାୟସରେ କରିଚାଲିଛନ୍ତି। ବ୍ୟକ୍ତିର ସ୍ୱାଧୀନତା ତଥା ଅଧିକାର ରକ୍ଷା କରିବାରେ ଏହି ମୌଳବାଦୀ ସଂଗଠନମାନଙ୍କର ବିଶେଷ କିଛି ଭୂମିକା ନଥିବାବେଳେ ଏମାନେ ବ୍ୟକ୍ତି ଏବଂ ରାଷ୍ଟ୍ରର ସ୍ୱ ସ୍ୱ ଧର୍ମ ନିବାର୍ହ କରିବା ଦିଗରେ ଯେ ଜଣେଜଣେ ପ୍ରଭାବ ଶାଳୀ ପ୍ରତିବଂଧକରୂପେ କାମ କରୁଛନ୍ତି।

 

ବ୍ୟକ୍ତିର ଅଧିକାରକୁ ସଂରକ୍ଷିତ କରି ରଖିବା ରାଷ୍ଟ୍ରର ଅଧିକାର ଏବଂ ଏଥିପାଇଁ ରାଷ୍ଟ୍ର ହିଁ ପଦକ୍ଷେପ ନେବା ଦରକାର। ମାତ୍ର ନାହିଦ‌୍‍ ଘଟଣାରେ ରାଷ୍ଟ୍ର ନିଜର ମୁହଁ ପ୍ରାୟ ବନ୍ଦ ରଖିଛି। ବରଂ ନାହିଦ‌୍‍ ପାଇଁ ବୁଦ୍ଧିଜୀବି ଏବଂ କଳାପ୍ରେମୀ ମାନେ ହିଁ ପ୍ରଥମେ ସ୍ୱର ଉଠାଇଛନ୍ତି। ଅଥଚ ଏଠି ପ୍ରଥମେ ରାଷ୍ଟ୍ର ହିଁ ସ୍ୱର ଉଠାଇବାର ଥିଲା। ରାଷ୍ଟ୍ର ନିଜର ମନୋଭାବ ସ୍ୱଷ୍ଟ କରିବାର ଥିଲା। ଅଥଚ ରାଷ୍ଟ୍ର ଏଠି ଚୁପ ରହିଗଲା। ନାଗରିକ ମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେଉଥିବାବେଳେ, ମୌଳବାଦୀ ତତ୍ତ୍ବମାନେ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିଚାଲିଥିଲା ବେଳେ ରାଷ୍ଟ୍ର ଚୁପ ହୋଇ ରହିବା ଆଦୌ ସମୀଚିନ ନୁହେଁ।

 

ବିଜ୍ଞାନର ବିକାଶ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ସମାଜରେ ବହୁ ପୁରୁଣା ଧର୍ମ ଏବଂ ଏହା ସହ ଯୋଡି ହୋଇ ରହିଥିବା ରୀତିନୀତିକୁ ସଂପୂର୍ଣ୍ଣ ରୁପେ ମାନିନେବା ଆମ ସମସ୍ତଙ୍କ ପକ୍ଷରେ ଅନେକାଂଶରେ ସମ୍ଭବ ହେଉନାହଁ। ଧର୍ମର କିଛି ଧ୍ୱଜାଧାରୀ ନିଜକୁ ସୁହାଇଲା ପରି ଏହି ସବୁ ନୀତିନିୟମର ବାଖ୍ୟା କରି ଏହାକୁ ମୋଡି ମକଚି ଦେବାରେ ବେଶ‌୍‍ ସକ୍ଷମ। ଯେହେତୁ ଆମେମାନେ ଅନେକାଂଶରେ ଧର୍ମଭୀରୁ ଏମାନଙ୍କର ରୀତିନୀତିକୁ ଆହ୍ୱାନ କରିବାକୁ ଆମକୁ ଭୟ ଲାଗେ। ଆଉ ଆମର ଭୟକୁ ଆୟୁଧ କରି ଏହି ଧାର୍ମିକ ମୌଳବାଦୀମାନେ ହିଁ ଆମ ଉପରେ ଫତୱା ଜାରୀ କରିବାକୁ ସକ୍ଷମ ହୁଅନ୍ତି। ଅନେକ ସମୟରେ ରାଷ୍ଟ୍ର ଏବଂ ଏହାକୁ ପରିଚାଳନା କରୁଥିବା ସରକାର ଏମାନଙ୍କ ଆଗରେ ଅସହାୟ ବୋଧ କରିଥାନ୍ତି। ନାହିଦ‌୍‍ଙ୍କ ଘଟଣାରେ ରାଷ୍ଟ୍ର ଚୁପ ରହିବା ଏହି ପରି ଅସହାୟତାର ନମୂନା ନୁହେଁ ତ ? ଏଠାରେ ବରଂ ରାଷ୍ଟ୍ର ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଏହି ମୌଳବାଦୀ ଧାର୍ମିକ ସଂଗଠନ ମାନଙ୍କୁ ଚୁପ ହେବାକୁ ଇଂଗିତ ଦେଇ ପାରିଥାନ୍ତା। ଏପରି ହୋଇଥିଲେ ରାଷ୍ଟ୍ରର ଧର୍ମ ନିରପେକ୍ଷ ଚେହେରା ଏବଂ ନାଗରିକଙ୍କୁ ରକ୍ଷା କରିବାର ପ୍ରତିଶ୍ରୁତିବଦ୍ଧତା ବେଶ‌୍‍ ସ୍ୱଷ୍ଟ ହୋଇଥାନ୍ତା।

 

ନାହିଦ‌୍‍ଙ୍କ ଉପରେ ଧର୍ମ ନାମରେ କଟକଣା ଜାରୀ କେବଳ ବ୍ୟକ୍ତିର ସ୍ୱାଧିନତା ଉପରେ ଅଂକୁଶ ମାତ୍ର ନୁହେଁ ବରଂ ରାଷ୍ଟ୍ରର ଉପସ୍ଥିତିରେ ତା’ର ଜଣେ ନାଗରିକ ଉପରେ ଅଣ-ରାଷ୍ଟ୍ରୀୟ ଅନୁଷ୍ଠାନର ଆକ୍ରମଣ ବୋଲି କୁହାଯାଇ ପାରିବ। ଏକ ସଂଗଠିତ, ସୁସଭ୍ୟ ଏବଂ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ବ୍ୟକ୍ତିର ବ୍ୟବହାର ଏବଂ ସ୍ୱାଧୀନତାର ଦିଗ ଏବଂ ଦିଗନ୍ତ ନିର୍ଣ୍ଣୟ କରିବାର ଭୂମିକା କେବଳ ରାଷ୍ଟ୍ରର ରହିଛି। ରାଷ୍ଟ୍ର ଏବଂ ବ୍ୟକ୍ତି ମଧ୍ୟରେ ଥିବା ପରିପୂରକ ସଂପର୍କକୁ ଖରାପ କରିବାକୁ ନଦେବା ରାଷ୍ଟ୍ରର ପବିତ୍ର କର୍ତ୍ତବ୍ୟ। ଆଉ ଏସଂପର୍କ ଯେତେ ଭଲ ହେବ ତାହା ସମାଜ ଏବଂ ଗଣତନ୍ତ୍ର ପାଇଁ ଶୁଭଙ୍କର। ଆଗକୁ ନାହିଦ‌୍‍ଙ୍କ ପରି ପ୍ରତିଭାମାନେ ଯେପରି ଫତୱାର ସମ୍ମୁଖୀନ ହୋଇ ହତାଶ ନହେବେ ସେ ନେଇ ରାଷ୍ଟ୍ର ବେଶ‌୍‍ ଯତ୍ନବାନ ହେବା ଉଚିତ‌୍‍।

 

ଧବଳଗିରି, ଯାଜପୁର ରୋଡ

ସଂପର୍କ- ୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top