ଆଉ ଏକ ଲଜ୍ଜା!

News Story - Posted on 2017-04-08

ରାମଚନ୍ଦ୍ର ପଣ୍ଡା

 

ଆଉ କେତେ ସହିବ ଏ ଜାତି ? ଆଉ କେତେ ପଛକୁ ଯିବ ଓଡ଼ିଶା ଶିକ୍ଷାବ୍ୟବସ୍ଥାର ସ୍ଥିତି? ଭିତ୍ତିଭୂମି, ଉପକରଣ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅଭାବ ଓ ଶିକ୍ଷାବିଭାଗର ପଦାଧିକାରୀ ନିଯୁକ୍ତି ପ୍ରକ୍ରିୟା ଦୁର୍ବଳ ଏବଂ ଶିକ୍ଷାର ବିଭିନ୍ନ ବିଭାଗରେ ଚାଲିଥିବା ତ୍ରୁଟିଯୁକ୍ତ ପରିଚାଳନା ଆଜି ଓଡ଼ିଶା ଶିକ୍ଷାକୁ ରସାତଳଗାମୀ କରିଛି। ଏପରିକି ପିଲାଙ୍କୁ ଯଥା ସମୟରେ ପାଠ୍ୟପୁସ୍ତକ, ସୁବିଧା ସୁଯୋଗ ଦେବା ଏବଂ ପରୀକ୍ଷା ପରୀଚାଳନାରେ ସ୍ୱଚ୍ଛତା ଆଣିବା- ସବୁଥିରେ ଫେଲ‌୍‍ ମାରିଛନ୍ତି ରାଜ୍ୟ ସରକାର। ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରାଯାଉଛି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି, ଏହା କେବଳ ସରକାରଙ୍କ ବାହାସ୍ପୋଟ ବୋଲି ପ୍ରମାଣିତ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ପୁଣି ଥରେ ପଦାରେ ପକାଇଛି। ଜାତୀୟସ୍ତରରେ ଓଡ଼ିଶାକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି।

 

ଏବେ ପୁଣି ଆଉ ଏକ ଚଡ଼କ ପଡ଼ିଛି ଓଡ଼ିଶା ଶିକ୍ଷା ଶିରୋନାମାରେ। ନିକଟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହୋଇଛି ‘ନ୍ୟାସନାଲ ଇନିଷ୍ଟିଚ୍ୟୁଟ‌୍‍ ଅଫ ରାଙ୍କିଙ୍ଗ ଫ୍ରେମୱର୍କ (ଏନଆଇଆରଏଫ)’ ଅର୍ଥାତ‌୍‍ ଜାତୀୟ ଉଚ୍ଚଶିକ୍ଷା ଅନୁଷ୍ଠାନର ରାଙ୍କିଙ୍ଗ। ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଂଟ ଏବଂ ଫାମାର୍ସି ଆଦି ଶିକ୍ଷାନୁଷ୍ଠାନ ବର୍ଗରେ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟ ସାରା ଦେଶରୁ ୩,୩୦୦ଟି ବୃହତ‌୍‍ ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ମେଧା ତାଲିକାକୁ ଉତ୍ତୀର୍ଣ୍ଣ କରିଛନ୍ତି ମୋଟ ୧୦୦ଟି ଶିକ୍ଷାନୁଷ୍ଠାନକୁ। ପରିତାପର ବିଷୟ ଏହି ଜାତୀୟ ରାଙ୍କିଙ୍ଗ‌୍‍ ତାଲିକାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ଗୋଟିଏ ହେଲେ ଶିକ୍ଷାନୁଷ୍ଠାନର ନାଁ ଗନ୍ଧ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବାଣୀବିହାର, ବ୍ୟାସ ବିହାର, ଭଞ୍ଜ ବିହାର, ଗଙ୍ଗାଧର ମେହେର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବିପିୟୁଟି, ଓୟୁଏଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରମୁଖ ଜାତୀୟ ମେଧା ମଇଦାନରେ ଚିତ‌୍‍ପଟାଙ୍ଗ ମାରିଛନ୍ତି।

 

ଅପରପକ୍ଷରେ ଦେଶର ୧୦୦ଟି ଉତ୍କୃଷ୍ଟ ଓ ସଫଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ରାଜ୍ୟର ଯେଉଁ ୪ଟି ଘରୋଇ ବିଶ୍ୱବିଦ୍ୟାଳୟ ଅଛନ୍ତି, ସେମାନେ ୩୩, ୪୬, ୬୬ ଏବଂ ୭୯ ସ୍ଥାନରେ ରହିଛନ୍ତି। ହଁ, ବହୁ ଆଗରେ ନଥିଲେ ବି ଏହି ଘରୋଇ ବିଶ୍ୱବିଦ୍ୟାଳୟକୁ ତାରିଫ ଦେବାକୁ ପଡ଼ିବ। କାରଣ ଏମାନେ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକଠାରୁ ଯଥେଷ୍ଟ ଯୋଗ୍ୟ ବୋଲି ପ୍ରମାଣିତ କରିଛନ୍ତି।

 

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାତୀୟ ରାଙ୍କିଙ୍ଗର ୪୬.୭୨ ନମ୍ୱର ପାଇ ଦେଶର ୩୩ତମ ସ୍ଥାନରେ ରହିଥିବାବେଳେ ଘରୋଇ ମ୍ୟାନେଜମେଂଟ ଦ୍ୱାରା ପରିଚାଳିତ କିଟ‌୍‍ ବିଶ୍ୱବିଦ୍ୟାଳୟ ରହିଛି ୪୭ତମ ସ୍ଥାନରେ। ସେହିପରି ଜାତୀୟ ଇଞ୍ଜିନିୟରିଂ ରାଙ୍କିଙ୍ଗ ତାଲିକାରେ ପୂର୍ବ ପରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ମାଡ୍ରାସ ଓ ଖଡ଼ଗପୁର ଆଇଆଇଟି। ଏତିକିବେଳେ ଥିବାବେଳେ ୩୩ତମ ସ୍ଥାନରେ ରହିଛି ଜାଭିୟର୍ସ ୟୁନିଭର୍ସିଟି ଏବଂ ସିଭି ରମଣ ଅଫ ଇଞ୍ଜିନିୟରିଂ କଲେଜ ରହିଛି ରାଙ୍କିଙ୍ଗ ତାଲିକାର ୯୨ତମ ସ୍ଥାନରେ।

 

ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ କଲେଜ ମଧ୍ୟରେ ଓଡ଼ିଶାର ରାଉରକେଲାସ୍ଥିତ ଏନ‌୍‍ଆଇଟି ୪୪.୦୨ ନମ୍ୱର ରଖି ଦେଶର ୪୬ତମ ସ୍ଥାନରେ ଥିବାବେଳେ ଭୁବନେଶ୍ୱରସ୍ଥିତ ଆଇଆଇଟି ୪୧.୭୫ ନମ୍ୱର ରଖି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୬୬ତମ ସ୍ଥାନରେ ରହିଛି।

 

ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ବି ଯଥେଷ୍ଟ ସହଭାଗିତା ରହିଛି। ହେଲେ ଶିକ୍ଷାର ଉନ୍ନତି ପରିବର୍ତ୍ତେ ଏଭଳି ଅଧୋଗତି କାହିଁକି? କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ରାଙ୍କିଙ୍ଗ‌୍‍ ତାଲିକାରେ ଦେଶର ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ବାଙ୍ଗାଲୋରର ଇଣ୍ଡିଆନ‌୍‍ ଇନିଷ୍ଟିଚ୍ୟୁଟ‌୍‍ ଅଫ ସାଇନ୍ସ, ୨ୟ ସ୍ଥାନରେ ରହିଛି ଜବାହରଲାଲ ନେହରୁ ୟୁନିଭରସିଟି, ଦିଲ୍ଲୀ, ୩ୟ ସ୍ଥାନରେ ରହିଛି ବନାରସ ହିନ୍ଦୁ ୟୁନିଭର୍ସିଟି, ୪ର୍ଥ ସ୍ଥାନରେ ରହିଛି କର୍ଣ୍ଣାଟକର ଜବାହରଲାଲ ସେଂଟର ଫର ଆଡଭାନ୍ସଡ ସାଇଂଟିଫିକ‌୍‍ ରିସର୍ଚ୍ଚ ଏବଂ ୫ମ ସ୍ଥାନକୁ ଆସିଛି କୋଲକତାର ଯାଦବପୁର ବିଶ୍ୱବିଦ୍ୟାଳୟ। ହେଲେ ଏଥିରେ ଓଡ଼ିଶାର କୌଣସି ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ନାହିଁ। ତାହା ବାଣୀବିହାର ହେଉ କି ଭଞ୍ଜ ବିହାର, ଜ୍ୟୋତିବିହାର ହେଉ କି ଅନ୍ୟ କୌଣସି ବିଶ୍ବବିଦ୍ୟାଳୟ। କେବଳ ସାଧାରଣ ଶିକ୍ଷା ଆଧାରିତ ବିଶ୍ୱବିଦ୍ୟାଳୟ କାହିଁକି ରାଜ୍ୟ ସରକାରଙ୍କ କୌଣସି ବୈଷୟିକ କିମ୍ୱା ବିଜ୍ଞାନ କି ମେଡିକାଲ ୟୁନିଭର୍ସିଟି ବି ଏହି ରାଙ୍କ ମଧ୍ୟରେ ସ୍ଥାନ ଦଖଲ କରିପାରିନାହାଁନ୍ତି।

 

ହଁ, ହୋଇପାରେ ରାଜ୍ୟର ସମ୍ମାନ ରଖିବାରେ ସମର୍ଥ ହୋଇଛନ୍ତି ୪ଟି ଘରୋଇ ବିଶ୍ୱବିଦ୍ୟାଳୟ। ଏହା କିନ୍ତୁ ଅନାହାରକୁ ଅନ୍ନ ମୁଠାଏ ପରି। ହେଲେ ଲଜ୍ଜାର ବିଷୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ତାଲିକାରୁ ବାଦ‌୍‍ ପଡ଼ିଛନ୍ତି। ଏ ସରକାରର ମଙ୍ଗ ଧରିଥିବା ବିଜେଡି ଦଳକୁ ଗୋଡ଼ାଇ ମାଇଲେ କି ଧରି ମାଇଲେ ତ ଲଜ୍ଜା ନାହିଁ ! ପୁଣି ଶାସକ ଦଳ ଦ୍ୱାରା ପରିଚାଳିତ ରାଜ୍ୟ ସରକାରଙ୍କ ଇଜ୍ଜତ‌୍‍ ବି ଧୋଇ ଯାଇଛି। ଧନ୍ୟ କହିବ ଓଡ଼ିଶା ଶିକ୍ଷାର ମଙ୍ଗୁଆଳମାନଙ୍କୁ !!!

 

ବଲାଙ୍ଗୀର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top