ଫେସ‌୍‍ବୁକ‌୍‍ ଏକ ସାମାଜିକ ବୋମା!

News Story - Posted on 2017-04-08

ସମସ୍ତେ ଜାଣନ୍ତି ଫେସ‌୍‍ବୁକ‌୍‍ ଓ ଟ୍ୱିଟର ପରି ଇଣ୍ଟର୍ନେଟ ପରିଚାଳିତ ସୋସିଆଲ ମିଡିଆରେ କିଏ କ’ଣ କେତେବେଳେ କେଉଁ ବିଷୟରେ ଲେଖିବ ତା’ର କିଛି ଠା’ ଠିକଣା ନଥାଏ। ତାହାର ସତ୍ୟତା ନେଇ ମଧ୍ୟ ଅନେକ ସନ୍ଦେହ ଥାଏ। କାରଣ ପ୍ରମୁଖ ଗଣମାଧ୍ୟମ ପରି ଏହା ଏକ ଉତ୍ତରଦାୟିତ୍ୱ ସଂପନ୍ନ ମାଧ୍ୟମ ନୁହେଁ। ଏଥିରେ ଅନେକ ଖାଣ୍ଟି ମିଛ କଥାକୁ ସତର ପୋଷାକ ପିନ୍ଧାଇ ଛଡ଼ାଯାଇପାରେ। ଏକଥା ଆଉ କେହି ନହେଲେ ମଧ୍ୟ ଲକ୍ଷଲକ୍ଷ ସଂଖ୍ୟାରେ ଫେକ‌୍‍ ଆଇଡି ବା ଜାଲ‌୍‍ ପରିଚୟ ସୃଷ୍ଟି କରି ନିର୍ଦ୍ଦିଷ୍ଟ ଦଳ ଓ ଏହାର ନେତାଙ୍କର ପ୍ରଚାର କରୁଥିବା ଲୋକମାନେ ଭଲ ଭାବେ ଜାଣିଥିବେ। ଏଇ ମାଧ୍ୟମକୁ ବ୍ୟବହାର କରି କିପରି ଲୋକମାନଙ୍କୁ ବିଭ୍ରାନ୍ତ ଓ ଉଦଭ୍ରାନ୍ତ କରାଇଯାଇ ପାରେ ତାହା ସେମାନେ ଜାଣିଛନ୍ତି। ତଥାପି ସେଇପରି କିଛି ଲୋକ ଏବେ ଫେସ‌୍‍ବୁକ‌୍‍ରେ ଲେଖାଯାଇଥିବା କିଛି ମନ୍ତବ୍ୟକୁ ନେଇ ଭଦ୍ରକରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଆନନ୍ଦର କଥା, ସେମାନଙ୍କର ଉଦ୍ୟମ ଆପାତତଃ ସଫଳ ହୋଇନାହିଁ। କିନ୍ତୁ ଏଥିରୁ ଅନ୍ୟମାନେ ଅନେକ କଥା ଶିକ୍ଷା କରିବା କଥା।

 

ଫେସ‌୍‍ବୁକ‌୍‍ ପରି ଦାୟିତ୍ୱହୀନ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା କାହାର କିଛି କଥାକୁ ଯାଞ୍ଚ ନକରି ଓ ସେଥିରେ ଭଳି ନଯାଇ ସାମାଜିକ ଶାନ୍ତି ଓ ସଂହତି ପାଇଁ କିଛି ଅଘଟଣା ଘଟାଇବାରୁ ସବୁ ଦଳର କର୍ମୀ ଓ ନେତାଙ୍କ ଚାମଚାମାନେ କ୍ଷାନ୍ତ ରହିବା ଜରୁରୀ। ନହେଲେ ତାହା ଦିନେ ଏକ ଭୟଙ୍କର ବିସ୍ଫୋରଣର ରୂପ ନେଇପାରେ ଓ ଭାରତ ପରି ଏକ ଧର୍ମ ବହୁଳ, ଜନ ବହୁଳ, ମୂର୍ଖ ବହୁଳ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ।

 

ଭଦ୍ରକ ଦଙ୍ଗା-ଉଦ୍ୟମର ମୂଳ ମଂଜି ହେଲା ଫେସ‌୍‍ବୁକ‌୍‍। ଏଥିରେ ଜଣେ କେହି ହିନ୍ଦୁ ଭକ୍ତ ରାମ ନବମୀ ଉତ୍ସବ ନେଇ କିଛି ଫଟୋ ଅପ‌୍‍ଲୋଡ଼‌୍‍ କରିଥିଲେ। ତାଙ୍କର ଏହି ପୋଷ୍ଟରେ ଅନ୍ୟ ଏକ ସଂପ୍ରଦାୟର କେଇ ଜଣ କିଛି ଆପତ୍ତିଜନକ ମନ୍ତବ୍ୟ ଲେଖିଥିଲେ। ଏହା ବିରୋଧରେ ଫଟୋ ଅପ‌୍‍ଲୋଡ଼‌୍‍ କରିଥିବା ବ୍ୟକ୍ତି ଜଣକ ଥାନାରେ କାଳେ ଏତଲା ଦେଇଥିଲେ। ହେଲେ ଓଡ଼ିଶା ପୁଲିସର ତତ୍ପରତା କଥା ସମସ୍ତେ ଜାଣନ୍ତି। ଦିନକ ଭିତରେ ପୁଲିସ ଏ ନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ସେଇଠୁ ମାତିଲେ ରାମଙ୍କ ବାନର ଦଳ। ଭଦ୍ରକରେ ହେଲା ଲଙ୍କାପୋଡ଼ି। ସୌଭାଗ୍ୟକୁ ଦଙ୍ଗା ଭୟରେ ପୁଲିସ ସକ୍ରିୟ ହେଲା। ଜଳାପୋଡ଼ା ଲୋକଙ୍କ ଜୀବନନାଶ କରିବା ପୂର୍ବରୁ ଆପାତତଃ ଥମିଗଲା। କିନ୍ତୁ ଦିନକ ପାଇଁ ଭଦ୍ରକ ଅଶାନ୍ତ ହୋଇଗଲା। ବହୁ ସାଧାରଣ ଲୋକ ହଇରାଣ ହରକତ ହେଲେ। କେଇଟା ଦୋକାନ ଜଳିଗଲା ଓ ଏହାର ମାଲିକମାନେ ସର୍ବସ୍ୱ ହରାଇଲେ।

 

ଏ ଘଟଣା ଆଉ କେତେ ବାଟ ଆଗକୁ ଯିବ କି ପୁଲିସ ଓ ଶାନ୍ତି କମିଟି ହସ୍ତକ୍ଷେପ ଯୋଗୁଁ ଅଟକିଯିବ ତାହା ଭବିଷ୍ୟତ କହିବ। କିନ୍ତୁ ଏଥିରୁ ପାଠପଢ଼ୁଆ ଶିକ୍ଷିତ ଓ ସଚେତନ ନାଗରିକ ଗଣ ନିର୍ଦ୍ଦିଷ୍ଟ ଧାର୍ମିକ ଓ ରାଜନୀତିକ ଗୋଷ୍ଠୀର ଏପରି ଦାୟିତ୍ୱହୀନ କାର୍ଯ୍ୟକଳାପ ସଂପର୍କରେ କିଛିଟା ହୃଦବୋଧ କରିବା କଥା। ଏଭଳି ଲୋକମାନେ ଫଟୋଶପ‌୍‍ ଓ କୋରେଲ ଡ୍ର ପ୍ରଯୁକ୍ତି ବ୍ୟବହାର କରି କାହାକୁ ଶୃଗାଳ କାହାକୁ ସିଂହ ବନାଇ ପାରନ୍ତି। କେଉଁ ଘାସ କଟାଳିର କାନ୍ଧରେ ଅନ୍ୟ କାହାର ମୁଣ୍ଡ ଖପେଇ ତା’ଙ୍କୁ ସାଧାରଣ ଲୋକ ଭାବେ ଉପସ୍ଥାପନ କରିପାରନ୍ତି। କାହା ଫଟୋ ପାଖରେ ଆଉ କାହାର ଫଟୋ ଯୋଡ଼ି ତାଙ୍କୁ ସମ୍ମାନ ଓ ଉଚ୍ଚାସନର ଅଧିକାରୀ ଭାବେ ଦର୍ଶାଇ ପାରନ୍ତି। ଖାସି ମାଂସକୁ ଗୋ ମାଂସ ଭାବେ ଉପସ୍ଥାପନ କରି ଦୁର୍ବଳ ଲୋକଙ୍କ ମଧ୍ୟରେ ମାନସିକ ଅସନ୍ତୁଳନ ସୃଷ୍ଟି କରିପାରନ୍ତି। ଫେସ‌୍‍ବୁକ‌୍‍ ପରି ସୋସିଆଲ ମିଡିଆରେ ସାଧାରଣତଃ ଏସବୁ ଉପରେ ନିୟନ୍ତ୍ରଣ ନଥାଏ। ଅଭିଯୋଗ ହେଲେ କେବେ କେବେ ଫେସ‌୍‍ବୁକ‌୍‍ କର୍ତ୍ତୃପକ୍ଷ ଏଭଳି କିଛି ପୋଷ୍ଟ ବା ଆଇଡିକୁ ବ୍ଲକ କରିପାରନ୍ତି। କିନ୍ତୁ ତାହା ସାଧାରଣ ଚଳଣି ନୁହେଁ। ଏହାର ସୁଯୋଗ ନିଅନ୍ତି ମନ୍ଦ ଉଦ୍ଦେଶ୍ୟ ପୋଷଣ କରୁଥିବା ଗୋଷ୍ଠୀ।

 

ଭାରତ ଏକ ବିବିଧ ଧର୍ମ ଓ ସଂସ୍କୃତିର ଦେଶ। ଏ ଦେଶରେ ଅନେକ ଭାଷା, ଅନେକ ଖାଦ୍ୟ, ଅନେକ ପୋଷାକ, ଅନେକ ଆଭରଣ, ଅନେକ ମତବାଦ। ଏଠି ଶାସକ ବର୍ଗ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣା ଦୂର କରିବାରେ ଶହଶହ ବର୍ଷ ଧରି ବିଫଳ ହୋଇଥିବାରୁ ଲୋକମାନେ ଧର୍ମ ଓ ବିଶ୍ୱାସକୁ ଆଧାର କରି ବଂଚି ରହିଛନ୍ତି। ଏଭଳି ସମ୍ୱେଦନଶୀଳ ଲୋକଙ୍କୁ ଫେସ‌୍‍ବୁକ‌୍‍ ଆଦି ମିଥ୍ୟା-ପ୍ରବଣ ସୋସିଆଲ ମିଡିଆ ଜରିଆରେ ଅଧିକ ଉଦଭ୍ରାନ୍ତ, ଉନ୍ମାଦ ଓ ହିଂସ୍ର କରାଯାଇପାରେ। ତାହା ଦେଶ ଓ ସମାଜ ପାଇଁ ବିପଦ। କିଛି ଲୋକ ବ୍ୟକ୍ତିଗତ କ୍ରୋଧ ଶୁଝାଇବାକୁ ବା ସୁଦ୍ଦୁ ବ୍ୟକ୍ତିଗତ ମଜା ଦେବାକୁ ବି ଅନେକ ଝିଅବୋହୂଙ୍କ ଇଜ୍ଜତ ସହ ଖେଳୁଛନ୍ତି ଏଇ ମିଡିଆରେ। ଏହା ଅନେକଙ୍କ ଘର ଉଜାଡ଼ି ଦେଉଛି, ଅନେକଙ୍କ ଜୀବନନାଶର ମଧ୍ୟ କାରଣ ହେଉଛି। ତେଣୁ ଭାରତ ସରକାର ଏଭଳି ଏକ ଭର୍ଚୁଆଲ ମିଡିଆକୁ ଏଭଳି ନିୟନ୍ତ୍ରଣହୀନ ଭାବେ ଛାଡ଼ିଦେବା ଉଚିତ ନୁହେଁ। ଲୋକମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖି ଏଭଳି ଏକ ମିଡିଆକୁ କିପରି ଦାୟିତ୍ୱସଂପନ୍ନ କରାଯାଇ ପାରେ ତାହା ଭାରତ ସରକାର ଚିନ୍ତା କରିବା ଉଚିତ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top