ଶ୍ରୀରାମ ପୂଜାରେ ନବଗ୍ରହ ଶାନ୍ତିବିଧାନ

News Story - Posted on 2017-04-07

ଜ୍ୟୋତିର୍ବିଦ‍୍‌ ଡ. ପ୍ରଦୀପ କୁମାର ଚୌଧୁରୀ

 

ନିଜର ସୃଷ୍ଟିକୁ ସନ୍ତୁଳିତ ରଖିବା ନିମନ୍ତେ ଯୁଗେ ଯୁଗେ ପାଳନକର୍ତ୍ତା ଶ୍ରୀହରି ବିଭିନ୍ନ ଅବତାର ଗ୍ରହଣ କରି ଏ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି। ସନ୍ଥପାଳନ ଓ ଦୁଷ୍ଟଶକ୍ତିର ନିପାତ ହିଁ ଶ୍ରୀହରିଙ୍କ ଅବତାରବାଦ ପଛରେ ରହିଥିବା ଲୁକ୍କାୟିତ ତତ୍ତ୍ୱ। ବର୍ତ୍ତମାନ ସୁଦ୍ଧା ଶ୍ରୀବିଷ୍ଣୁ ନଅଗୋଟି ଅବତାରରେ ଏ ଧରାବକ୍ଷରେ ଅବତୀର୍ଣ୍ଣ ହୋଇ ସତ୍ୟ, ଧର୍ମ ଓ ନ୍ୟାୟର ରକ୍ଷାକରି ଅଧର୍ମ, ଅନ୍ୟାୟ ଓ ଅସତ୍ୟର ପଥରୋଧ କରିଛନ୍ତି, ଫଳରେ ସୃଷ୍ଟି ସନ୍ତୁଳିତ ହୋଇ ଧର୍ମମାର୍ଗରେ ଅନୁଗାମୀ ହୋଇ ଆଗେଇ ଚାଲିଛି। ଶ୍ରୀବିଷ୍ଣୁଙ୍କ ଦଶଗୋଟି କ୍ରମାନୁଯାୟୀ ଅବତାର ହେଲା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ ଅବତାର। ଏଥିମଧ୍ୟରୁ ନଅଗୋଟି ଅବତାରରେ ଶ୍ରୀବିଷ୍ଣୁ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ସନ୍ଥପାଳନ ଓ ଦୃଷ୍ଟ ସଂହାର କାର୍ଯ୍ୟ ସଂପାଦନ କରିଯାଇଛନ୍ତି ଏବଂ ଭବିଷ୍ୟତରେ କଳ୍କୀ ଅବତାରରେ ଅବତ୍ତୀର୍ଣ୍ଣ ହୋଇ ସୃଷ୍ଟିକୁ ସନ୍ତୁଳିତ ରଖି ଧର୍ମମାର୍ଗୀ କରାଇବା ପାଇଁ ପ୍ରତିଜ୍ଞାବଦ୍ଧ।

 

ବିଷ୍ଣୁଙ୍କ ଦଶଗୋଟି ଅବତାର ମଧ୍ୟରୁ ନରରୂପରେ ‘ଶ୍ରୀରାମ’ ଗୋଟିଏ ଅବତାର। ଶ୍ରୀବିଷ୍ଣୁ ତ୍ରେତୟା ଯୁଗରେ ଅଯୋଧ୍ୟା ନରେଶ ଦଶରଥଙ୍କ ଜ୍ୟେଷ୍ଠପୁତ୍ର ଭାବରେ ଅବତାର ନେଇ ନିଜର କାର୍ଯ୍ୟ ସଂପାଦନ କରିଥିଲେ। ଶ୍ରୀରାମ ଶ୍ରେଷ୍ଠ ରାଜକୂଳରେ ଜନ୍ମଗ୍ରହଣ କରିଥିଲେ ଏକଥା ସତ, କିନ୍ତୁ ଜୀବନଚର୍ଯ୍ୟାରେ ସେ ଅତି ସାଧାରଣ ଜୀବନ ଯାପନ କରିଥିଲେ। ଶ୍ରୀରାମ ସୀତାଙ୍କୁ ବିବାହ କରିବା ପରେ ରାଜ ସିଂହାସନରେ ଅଭିଷିକ୍ତ ହେବା ପରିବେର୍ତ୍ତ ପିତୃସତ୍ୟ ପାଳନ କରି ଚଉଦବର୍ଷ ବନବାସ ଯିବା, ବନଚାରୀ ହୋଇ ଜୀବନ ବିତାଇବା, ରାବଣ ମାତା ସୀତାଙ୍କୁ ହରଣ କରିବା ପରେ ମର୍କଟମାନଙ୍କ ସହିତ ମିତ୍ରତା ସ୍ଥାପନ କରି ଦୁଷ୍ଟଶକ୍ତି ରାବଣର ସମୂଳ ବିନାଶ କରି ଧର୍ମ ସ୍ଥାପନା କରି ଶ୍ରୀରାମ ନିଜର ସନ୍ଥପାଳନ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀରାମଙ୍କୁ ମର୍ଯ୍ୟଦା ପୁରୁଷୋତ୍ତମ ବୋଲି କୁହାଯାଏ, କାରଣ ଶ୍ରୀରାମ ନିଜର ସୁଖକୁ ଜଳାଞ୍ଜଳି ଦେଇ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରିଥିଲେ। ଶ୍ରୀରାମଙ୍କ ଆଜ୍ଞାଧୀନ ଭକ୍ତ ଶିରୋମଣି ହନୁମାନ ଶ୍ରୀରାମଙ୍କ ଚରଣକମଳରେ ନିଜକୁ ଉତ୍ସର୍ଗୀକୃତ କରି ଯେଉଁସବୁ ପରାକାଷ୍ଠା ଦେଖାଇଲେ ତାହା ଅବର୍ଣ୍ଣନୀୟ। ହନୁମାନଙ୍କ ପରିଭାଷାରେ ଶ୍ରୀରାମଙ୍କ ସ୍ମରଣ ମାତ୍ରେଣ ସମସ୍ତ ଦୁଷ୍ଟଶକ୍ତି ଓ ପ୍ରତିକୂଳ ପରିସ୍ଥିତି ଦୂର ହୋଇ ଶୁଭଫଳ ପ୍ରାପ୍ତ ହୋଇଥାଏ।

 

ଶ୍ରୀରାମଙ୍କ ଉପାସନା, ଆରାଧନା, ପୂଜାର୍ଚ୍ଚନା ମାତ୍ରେଣ ନବଗ୍ରହଙ୍କ ଅନୁକୂଳଫଳ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟବଂଶୀ ଶ୍ରୀରାମ ସ୍ୱୟଂ ସୂର୍ଯ୍ୟଙ୍କ ପ୍ରତୀକ, ଶ୍ରୀରାମଙ୍କ ସୌମ୍ୟ, ଶାନ୍ତ ଓ ସୁନ୍ଦର ସ୍ୱରୂପ ଚନ୍ଦ୍ରଙ୍କ ପ୍ରତୀକ, ଶତ୍ରୁ ସଂହାର ବୀରତ୍ୱ ପରାକାଷ୍ଠାରେ ସେ ମଙ୍ଗଳଙ୍କ ପ୍ରତୀକ। ସଦ‍୍‌ବୁଦ୍ଧି, ସତ୍ଜ୍ଞାନ, ସତଚିନ୍ତା ପ୍ରଦାନରେ ବୁଧଙ୍କ ପ୍ରତୀକ। ପୀତବସ୍ତ୍ର ପରିହିତ ଓ ପ୍ରଜ୍ଞା ପ୍ରଦାନରେ ବୃହସ୍ପତିଙ୍କ ପ୍ରତୀକ। ସୁଶୋଭିତ ରାମସୀତାଙ୍କ ଯୁଗଳମୂର୍ତ୍ତୀ ଶୁକ୍ରଙ୍କ ପ୍ରତୀକ। ଘନ ନୀଳବର୍ଣ୍ଣ ଶରୀର ଶନିଙ୍କ ପ୍ରତୀକ। ହସ୍ତରେ କୋଦଣ୍ଡ ଧନୁ ଓ ସ୍କନ୍ଧରେ ତୁଣୀର ଉଗ୍ରରାହୁଙ୍କ ପ୍ରତୀକ ଏବଂ ସମସ୍ତ ମାୟାଶକ୍ତିର ଉତ୍ସ ରୂପେ ସେ କେତୁଙ୍କ ପ୍ରତୀକ। ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସେ ନବଗ୍ରହଙ୍କ ପୂର୍ଣ୍ଣ ସ୍ୱରୂପ।

 

ଶ୍ରୀରାମଙ୍କଠାରେ ନବଗ୍ରହଙ୍କର ପ୍ରତିଟି ରୂପ ପ୍ରକାଶିତ। ଶ୍ରୀରାମଙ୍କୁ ଆରାଧନା, ପୂଜାର୍ଚ୍ଚନା ବା ଭକ୍ତି ମାଧ୍ୟମରେ ବ୍ୟକ୍ତି ନବଗ୍ରହଙ୍କର ଆଶୀର୍ବାଦ ପ୍ରାପ୍ତି କରି ସକଳ ବିପଦ ଓ ସଙ୍କଟକୁ ଟାଳି ଏକ ସ୍ୱଚ୍ଛ, ସୁନ୍ଦର ଜୀବନଯାପନ କରେ।

 

ଶ୍ରୀବିଷ୍ଣୁଙ୍କ ଶ୍ରେଷ୍ଠ ଅଂଶ ଅବତାରରୂପୀ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ପୁରୁଷମାନଙ୍କ ଶ୍ରେଷ୍ଠଗୁଣର ଅଧିକାରୀ ତେଣୁ ସେ ପୁରୁଷୋତ୍ତମ। ଶ୍ରୀରାମ ତ୍ୟାଗର ଏକ ମୂର୍ତ୍ତିମନ୍ତ ପ୍ରତୀକ। ନିଜର ସୁଖ ସବୁ ତ୍ୟାଗ କରି ବନବାସ ସମୟରେ ବହୁ କଠୋର ପରିସ୍ଥିତି ସବୁକୁ ଦୃଢ଼ତା ଓ ସାହାସର ସହ ମୁକାବିଲା କରି ନିଜର ପରାକାଷ୍ଠା ଦେଖାଇଥିଲେ। ସାମାନ୍ୟ ମର୍କଟମାନଙ୍କୁ ନେଇ ମହାପ୍ରତାପୀ ମହାବଳୀ ଲଙ୍କାର ନରେଶ ରାବଣକୁ ଧରାଶାୟୀ କରି ମର୍ତ୍ତ୍ୟମଣ୍ଡଳରୁ ଦୁଷ୍ଟଶକ୍ତିକୁ ନିପାତ କରିଥିଲେ ଏବଂ ସତ୍ୟ, ଧର୍ମ ଓ ନ୍ୟାୟର ସାମ୍ରାଜ୍ୟ ପ୍ରତିଷ୍ଠା କରି ନିଜର କର୍ତ୍ତବ୍ୟ ପାଳନ କରିଥିଲେ। ଶ୍ରୀରାମଙ୍କ ଗୁଣାବଳୀ ବର୍ଣ୍ଣନାରେ ରୁଦ୍ରରୂପୀ ହନୁମାନ ଶତମୁଖ। ରାମଙ୍କ ଆଦର୍ଶ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ଧୈର୍ଯ୍ୟ, ବିଚକ୍ଷଣତା, ପିତୃଭକ୍ତି, ଦାୟିତ୍ୱବୋଧ, ସମାନତା, ନ୍ୟାୟ ବିଚାର ଇତ୍ୟାଦି ଗୁଣାବଳୀକୁ ହନୁମାନ ବିସ୍ତୃତ ଭାବରେ ନିଜର ସ୍ତୁତି ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।

 

ସ୍ୱୟଂ ରାବଣ ମୃତ୍ୟୁଶଯ୍ୟାରେ ରାମଙ୍କ ଗୁଣାବଳୀକୁ ଭୂୟସୀ ପ୍ରଶଂସା କରି ନିଜକୁ ପ୍ରଭୁଙ୍କ ଶ୍ରୀଚରଣକମଳରେ ଆଶ୍ରୟ ଦେବା ପାଇଁ ଯୋଡ଼ହସ୍ତରେ ପ୍ରାର୍ଥନା କରିଥିବା କଥା ରାମାୟଣରେ ଉଲ୍ଲେଖ ଅଛି। ଏଥିରୁ ଅନୁମେୟ ଶ୍ରୀରାମଙ୍କ କରୁଣା ଆଶୀର୍ବାଦ ଫଳରେ ବ୍ୟକ୍ତି ପାର୍ଥିବ ଜଗତର ସବୁ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଅନୁକୂଳ ଶୁଭଫଳ ପ୍ରାପ୍ତି କରିପାରେ ଏବଂ ନବଗ୍ରହଙ୍କ ଆଶୀର୍ବାଦ ଅଚିରେ ଲଭି ଜୀବ ମୋକ୍ଷ ଅନୁଗାମୀ ହୁଏ।

 

ସ୍ୱୟଂ ରୁଦ୍ର ରାମଙ୍କ ସହାୟତା ଉଦ୍ଦେଶ୍ୟରେ ମର୍କଟ ରୂପରେ ହନୁମାନଙ୍କ ସ୍ୱରୂପରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ଶ୍ରୀରାମଙ୍କ ଗୁଣାବଳୀ ବର୍ଣ୍ଣନାରେ ସେ ସର୍ବଦା ଶତମୁଖ। କଳିଯୁଗରେ ଶ୍ରୀରାମଙ୍କ ଗୁଣଗାନ ସମସ୍ତ ଆପଦବିପଦ ଖଣ୍ଡନ କରିବାରେ ମହୌଷଧି ଭଳି କାମ କରେ। କେବଳ ରାମଙ୍କ ନାମ ଜପ କରି ଦସ୍ୟୁ ରତ୍ନାକର ମହାନ ସନ୍ଥ ବାଲ୍ମିକୀରେ ପରିଣତ ହେବା କଥା ଆମେ ସମସ୍ତେ ଅବଗତ। ଏଥିରୁ ଅନୁମେୟ ଶ୍ରୀରାମଙ୍କ ନାମର ଯେଉଁ ଅଦ୍ଭୁତ ଶକ୍ତି ଅଛି ତାହା ଆମମାନଙ୍କୁ ଗ୍ରହଚକ୍ର, କାଳଚକ୍ର ଏବଂ ଜୀବନଚକ୍ରର ସମସ୍ତ ପ୍ରତିକୂଳ ଶକ୍ତିକୁ ଅନୁକୂଳ ଶକ୍ତିରେ ରୂପାନ୍ତରିତ କରେ। ଶ୍ରୀରାମ ନବଗ୍ରହଙ୍କ ଏକ ଅଭିନ୍ନ ସ୍ୱରୂପ। ବ୍ୟକ୍ତି ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କଲେ ନବଗ୍ରହ ଦୋଷ ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତ ହୋଇ ମୋକ୍ଷ ଅନୁଗାମୀ ହୁଏ।

 

ଭିଏ ୩୪/୪, ୟୁନିଟ‍୍‌-୨, ଭୁବନେଶ୍ୱର,

ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top