କାମ ନାହିଁ, ଖାଲି ଶିଳାନ୍ୟାସ!

News Story - Posted on 2017-04-07

ରାଉରକେଲା ନିକଟରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ୨ଟି ପ୍ରକଳ୍ପ ଲାଗି ତିନିଚାରି ବର୍ଷ ଧରି ଅର୍ଥ ବରାଦ ହୋଇ ନଥିବାରୁ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବିଧାୟକ ଦିଲିପ ରାୟଙ୍କ ୨ଟି ପୃଥକ‌୍‍ ପୃଥକ‌୍‍ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

 

ପାନ‌୍‍ପୋଷ ନିୟନ୍ତ୍ରିତ ବଜାର କମିଟି ଅଧୀନସ୍ଥ ବାଲୁଘାଟଠାରେ ରାଉରକେଲା ହୋଲ‌୍‍ସେଲ‌୍‍ ମାର୍କେଟ‌୍‍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ଫେବୃଆରୀ ୨୩ ତାରିଖରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ପୂର୍ବଦିନ ଏହି ପ୍ରକଳ୍ପ ଲାଗି ଅତିରିକ୍ତ ଜିଲ୍ଲାପାଳ କୃଷି ବିପଣନ ନିର୍ଦ୍ଦେଶକଙ୍କୁ ଆବଶ୍ୟକୀୟ ଜମି ହସ୍ତାନ୍ତର କରିଥିଲେ। ଏଯାବତ‌୍‍ ଏହି ପ୍ରକଳ୍ପ ନିର୍ମାଣ ଲାଗି କୌଣସି ଅର୍ଥ ମଞ୍ଜୁର ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା କିଛି କାମ ଆରମ୍ଭ ହୋଇନାହିଁ ବୋଲି ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି।

 

ସେହିପରି ଇସ୍ପାତ ନଗରୀରେ ଖରାଦିନେ ସୃଷ୍ଟି ହେଉଥିବା ଉତ୍କଟ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ୯ ତାରିଖରେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ଅନ୍ୟ ଏକ ପ୍ରଶ୍ନ ଉଠାଇବା ସହିତ କୋଏଲ‌୍‍ ନଦୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର କେଉଁଠି ବନ୍ଧ ନିର୍ମାଣ କରୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିଛନ୍ତି ଯେ ସେ ୨୦୧୩ ମସିହାରେ ରାଉରକେଲା ନିକଟରେ କୋଏଲ‌୍‍ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ଏଯାବତ‌୍‍ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେବେ କୋଏଲ‌୍‍ ନଦୀର ଉପର ଭାଗରେ ଝାଡ଼ଖଣ୍ଡ ସରକାର ଗୁମୁଲାଠାରେ କାଡ୍ରି ଡ୍ୟାମ‌୍‍ର ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ରାଞ୍ଚିଠାରେ ବାସୁକୀ ଡ୍ୟାମ‌୍‍ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିବା ମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି।

 

ଅନ୍ୟପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ କୋଏଲ‌୍‍ ନଦୀର ବୈକୁଣ୍ଠ ଘାଟଠାରେ ବ୍ୟାରେଜ‌୍‍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଶୁଭ ଦେଇଥିଲେ ସେ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ କରାଯାଉଛି। ଖରାଦିନେ ରାଉରକେଲା ପୌରାଞ୍ଚଳ ଓ ସିଭିଲ‌୍‍ ଟାଉନ‌୍‍ସିପ‌୍‍ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜୁଥିବା ବେଳେ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ପ୍ରକଳ୍ପର କାମ ଚାରି ବର୍ଷ ଧରି ଆରମ୍ଭ ନ ହେବା ଘଟଣାରେ ବିଧାୟକ ଶ୍ରୀ ରାୟ କ୍ଷୋଭ ପ୍ରକାଶ କରିବା ସହ ମାର୍କେଟ‌୍‍ କମ୍ପ୍ଲେକ୍ସ  ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ପ୍ରକଳ୍ପ ଲାଗି ତିନିବର୍ଷ ଧରି ଅର୍ଥ ବରାଦ ନ ହେବା ରାଉରକେଲାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ନିଦର୍ଶନ ବୋଲି ସେ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top