ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଦଣ୍ଡଯାତ୍ରା

News Story - Posted on 2017-04-02

ହେମାଙ୍ଗ ରାଉଳ

 

ଗଞ୍ଜାମ ଜିଲ୍ଲା ଏହାର ଲୋକକଳା ଏବଂ ସଂସ୍କୁୃତିକୁ ନେଇ ସାରା ରାଜ୍ୟ ସମେତ ଭାରତବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ମଧ୍ୟରେ ଦଣ୍ଡନାଚ ହେଉଛି ଅନ୍ୟତମ। ଦଣ୍ଡନାଚ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ହୋଇଥିବା ବେଳେ ଏହା ବହୁ ପୂରାତନ ଏବଂ ଆଜି ମଧ୍ୟ ଲୋକପ୍ରିୟ ହୋଇ ରହିଛି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡୁଆ ଦଳ ମଧ୍ୟରେ କୁଲାଗଡ଼ ପୁଞ୍ଜା, ନୂଆଗାଁ  ପୁଞ୍ଜା, ଗାଲେରୀ ଦଣ୍ଡୁଆ ପୁଞ୍ଜାର ଦଣ୍ଡନାଚ ଅତି ଲୋକପ୍ରିୟ। ଉକ୍ତ ଦଣ୍ଡନାଚ ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହୋଇଥାଏ ଏବଂ ମହାବିଷୁବ ସଂକ୍ରାନ୍ତି (ମେରୁ ସଂକ୍ରାନ୍ତି) ତଥା ଓଡ଼ିଆ ନବବର୍ଷ  ଦିନ ଶେଷ ହୋଇଥାଏ।

 

ବର୍ତ୍ତମାନ ପୁଣି ଜିଲ୍ଲାରେ ଏକ ସାଂସ୍କୁୃତିକ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ଏପ୍ରିଲ‌୍‍ ମାସ ୧୪ ତାରିଖରେ ମେରୁ ସଂକ୍ରାନ୍ତି ଅନୁଷ୍ଠିତ ହେଉଥିବା ସ୍ଥଳେ ମାର୍ଚ୍ଚ ମାସ ୨୫ ତାରିଖରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏହି ଦିନରୁ ୨୧ ଦିନିଆ ଦଣ୍ଡୁଆ ପୁଞ୍ଜା(ଦଳ) ଯାତ୍ରାରେ ବାହାରିଛନ୍ତି। ସେହିଭଳି ୧୩ ଦିନିଆ ଦଣ୍ଡୁଆ ଦଳ ଏପ୍ରିଲ‌୍‍‌୍‍ ମାସ ୨ ତାରିଖରୁ ବାହାରିଛନ୍ତି।  ଯାତ୍ରା ଆରମ୍ଭ ଦିନ ଗ୍ରାମର ଦଣ୍ଡ ମନ୍ଦିରରେ ମାନସିକଧାରୀ ଦଣ୍ଡୁଆମାନେ ହଳଦିଆ ବସ୍ତ୍ର ପିନ୍ଧି ଏକତ୍ରିତ ହୋଇ ସଂକଳ୍ପ, ପୂଜାର୍ଚ୍ଚନା ଓ ଅଗ୍ନିପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରିବା ସହ ଦେହରେ ପଇତା ପକାଇ ମା ଦଣ୍ଡକାଳୀ ଓ  ମହାଦେବଙ୍କୁ ଧରି ଢ଼ୋଲ, ମହୁରୀ ତାଳେ ତାଳେ ଗ୍ରାମ ପରିକ୍ରମା ସହ ଯାତ୍ରା ଆରମ୍ଭ କରିଥାନ୍ତି।

 

ଏହି ଦଣ୍ଡନାଚରେ ମାନସିକଧାରୀ (ଦଣ୍ଡୁଆ) ଦଳ ମଧ୍ୟରୁ କିଛି ଦଳ ୨୧ ଦିନ ପାଇଁ ଆଉ କିଛି ଦଳ ୧୩ ଦିନ ପାଇଁ ସାମିଲ‌୍‍ ହୋଇଥାନ୍ତି। ଏହି ଦଣ୍ଡୁଆ ମାନେ ନିଜର ମନୋସ୍କାମନା ପୂର୍ଣ୍ଣ ନିମନ୍ତେ ମା ଦଣ୍ଡକାଳୀ ଏବଂ ଭଗବାନ‌ ଶିବଙ୍କ ଠାରେ ଏହିଦିନ ମାନଙ୍କରେ ନିଜକୁ ସମର୍ପଣ କରିଦିଅନ୍ତି। ପ୍ରଚଣ୍ଡ ଖରାରେ ଖାଲିପାଦରେ ଏମାନେ ଗ୍ରାମଗ୍ରାମ ଏବଂ ସାହିସାହି ବୁଲିଥାନ୍ତି। ଯେଉଁ ପରିବାର ମାଁ ଦଣ୍ଡକାଳୀଙ୍କ ଦଣ୍ଡନାଚ ନିଜ ଘର ଦାଣ୍ଡରେ କରିବା ପାଇଁ ମାନସିକ କରିଥାନ୍ତି, ସେମାନେ ଏହି ଦଣ୍ଡୁଆ ଦଳକୁ ନିମନ୍ତ୍ରିତ କରିଥାନ୍ତି। ଦଣ୍ଡନାଚ ଦିନ ପରିବାରର ସମସ୍ତେ ଉପବାସରେ ରହନ୍ତି ଏବଂ ରାତିରେ ଦଣ୍ଡୁଆମାନେ ପ୍ରସାଦ ସେବନ ପରେ ପ୍ରସାଦ ଗ୍ରହଣ କରନ୍ତି। ଏହିଦିନ ନିଜ ବନ୍ଧୁବାନ୍ଧବମାନଙ୍କୁ ମଧ୍ୟ ଘରକୁ ନିମନ୍ତ୍ରଣ କରିବା ସହ ସେମାନଙ୍କୁ ନୂଆବସ୍ତ୍ର ପ୍ରଦାନ କରିଥାନ୍ତି।

 

ଦଣ୍ଡନାଚ ମୁଖ୍ୟତଃ ୩ ପ୍ରକାରର। ଦଣ୍ଡୁଆମାନେ ଦ୍ୱିପହରରେ ପ୍ରଚଣ୍ଡ ଖରାରେ ମାଟି ଉପରେ ଧୂଳିଦଣ୍ଡ, ଅପରାହ୍ନରେ ନଦୀ କିମ୍ୱା ପୋଖରୀରେ ପାଣିଦଣ୍ଡ ଏବଂ ନିଶାର୍ଦ୍ଧରେ ଅଗ୍ନିଦଣ୍ଡ ପ୍ରଦର୍ଶନ କରିବା ସହ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମା କାଳୀ ଏବଂ ଭଗବାନ ଶିବଙ୍କ ଠାରେ ପ୍ରାର୍ଥନା କରିଥାନ୍ତି। ଏହି ଦଣ୍ଡନାଚରେ ମାନସିକଧାରୀ (ଦଣ୍ଡୁଆ)ମାନେ ଦିନସାରା ଉପବାସରେ ରହିଥାନ୍ତି। ଦଣ୍ଡନାଚ ପରେ ସନ୍ଧ୍ୟାରେ ମା ଦଣ୍ଡକାଳୀଙ୍କ ଆଳତୀ କରିଥାନ୍ତି ଏବଂ ମଧ୍ୟରାତ୍ରୀ ମସୟରେ ଯାହା ଘର ନିକଟରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ ତାଙ୍କ ପକ୍ଷରୁ ଦଣ୍ଡୁଆମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ। ଏହି ଅନ୍ନ ପ୍ରସାଦ ନିଜେ ଦଣ୍ଡୁଆମାନେ ପ୍ରସ୍ତୁତ କରନ୍ତି ଏବଂ  ତରକାରୀରେ କଟା ପରିବା ପଡ଼ିନଥାଏ। ମହତ୍ୱପୂର୍ଣ୍ଣ ବିଷୟ ଏହିକିଯେ ଦଣ୍ଡନାଚରେ ଓଡ଼ିଆ ସଂସ୍କୁୃତି, ପରମ୍ପରା, କୃଷି ଏବଂ କୃଷକର ଚାଲିଚଳନି ସହ ଗ୍ରାମ୍ୟ ସଂସ୍କୁୃତି ପ୍ରତିଫଳିତ ହୋଇଥାଏ।

 

ଦଣ୍ଡନାଚର ଶେଷଦିନରେ ଅର୍ଥାତ‌୍‍ ମେରୁ ସଂକ୍ରାନ୍ତି ଦିନ ଏହି ଦଣ୍ଡଯାତ୍ରାର ଅନ୍ତିମ ଚରଣରେ ପାଟଭୁକ୍ତା(ଦଣ୍ଡୁଆ ଦଳର ମୁଖ୍ୟ)ଙ୍କୁ ଅଗ୍ନିକୁଣ୍ଡ ଉପରେ ମୁଣ୍ଡ ତଳକୁ ଏବଂ ଗୋଡ଼ ଉପରକୁ କରି ଝୁଲାଯାଇଥାଏ। ଅଗ୍ନିଙ୍କୁ ଶାନ୍ତ କରାଯିବା ସହ ଏହି ପର୍ବର ସମାପ୍ତି ହୋଇଥାଏ। ଏହି ମେରୁ ଯାତ୍ରା ଶେଷ ହେବା ପରେ ଉପବାସଧାରୀ ମାନେ ପ୍ରସାଦ ସେବନ କରିଥାନ୍ତି। ଏହି ଦଣ୍ଡଯାତ୍ରାର ୨୧ ଦିନ ଜିଲ୍ଲାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ ଏବଂ କିଛିଲୋକ ଏହି ୨୧ ଦିନ ଘରେ ଆମିଷ ମଧ୍ୟ ଖାଇନଥାନ୍ତି।

 

ସେହିଭଳି ଦଣ୍ଡନାଚର ଅନ୍ୟ ଏକ ଆକର୍ଷଣ ହେଲା ପ୍ରଦିଦିନ ଦଣ୍ଡୁଆମାନେ ଯାହାଘର ନିକଟରେ ଦଣ୍ଡନାଚ କରନ୍ତି ମଧ୍ୟରାତ୍ରୀରେ ପ୍ରସାଦ ସେବନ ପରେ ନାଟଦଳ(ନାଟପୁଞ୍ଜା) ସେଠାରେ ସାଂସ୍କୁୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି। ପୂର୍ବରୁ ରାଜାନାଟ, ରାମାୟଣ, ମହାଭାରତ ଭଳି ପୌରାଣିକ ଗାଥାକୁ ଅପେରା ତଥା ନାଟକ ମାଧ୍ୟମରେ ପରିବେଷଣ କରାଯାଉଥିଲା। କିନ୍ତୁ ଆଜିର ଆଧୁନିକ ସମାଜରେ ଗତ କିଛିବର୍ଷ ହେଲା ଏହି ସଂସ୍କୁୃତି ସଂପର୍ଣ୍ଣ ଦଣ୍ଡନାଚରେ ପାଶ୍ଚାତ୍ୟ ଅପସଂସ୍କୁୃତିର ମିଶ୍ରଣ ହୋଇଛି। ଯାହା ଫଳରେ ଏହାର ପରିଭାଷା ଯଥେଷ୍ଟ ବଦଳିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ଗ୍ରାମର ଦଳ ସହ ଅନ୍ୟ ଏକ ଗ୍ରାମର ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଭାବେ ପାଶ୍ଚାତ୍ୟ ନୃତ୍ୟ ଏବଂ ବେଶଭୂଷା ଦଣ୍ଡନାଚ ପରମ୍ପରାର ଅବକ୍ଷୟ ଘଟାଇଛି। ଯାହାଫଳରେ କିଛି ଲୋକେ ଏହାକୁ ଉପଭୋଗ କରୁଥିଲେ ସୁଦ୍ଧା ବୁଦ୍ଧିଜୀବୀ ଏବଂ ଓଡ଼ିଆ ସଂସ୍କୁୃତି ପ୍ରେମୀଙ୍କ ମନକୁ କୁଠାରଘାତ କରୁଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top