ସବୁ ନଦୀ ପ୍ରଦୂଷିତ

News Story - Posted on 2017-03-31

ଓଡ଼ିଶାରେ ପ୍ରବାହିତ ସମସ୍ତ ନଦୀର ଜଳକୁ ପ୍ରଦୂଷଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ‘ଗ’ ଶ୍ରେଣୀଭୁକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରୁଥିବା ନିୟମିତ ପରୀକ୍ଷାରୁ ନଦୀ ଜଳରେ ବାୟୋକେମିକାଲ‌୍‍ ଅତ୍ତିଡେସନ‌୍‍ ଡିମାଣ୍ଡ (ବିଓଡି) ଓ ଟୋଟାଲ କୋଲିଫର୍ମ (ଟିସି) ପରିମାଣ ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି। ମୁଖ୍ୟତଃ ସହରାଞ୍ଚଳର ନର୍ଦ୍ଦମା ଜଳ ନିଷ୍କାସନ ଯୋଗୁ ଏପରି ଘଟୁଥିବା ଅନୁମାନ କରାଯାଉଛି। ବିଧାୟକ ଦିଲିପ ରାୟଙ୍କ ଓଡ଼ିଶାରେ ନଦୀଜଳ ପ୍ରଦୂଷଣ ଓ ତାହାର ନିରାକରଣ ପାଇଁ ପଦକ୍ଷେପ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୭୯ଟି ସ୍ଥାନରେ ରାଜ୍ୟର ୯ଟି ପ୍ରମୁଖ ନଦୀର ଜଳ ୩୬ଟି ପାରାମିଟରରେ ପରୀକ୍ଷା କରିଥାନ୍ତି। ଏହି ପରୀକ୍ଷଣ ରାଜ୍ୟର ସମସ୍ତ ନଦୀରେ ପ୍ରଦୂଷଣର ମାତ୍ରା ‘ଗ’ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ମାନରୁ ଉପରେ ରହୁଥିବା ଦେଖାଯାଇଛି। ମୁଖ୍ୟତଃ ସହରାଞ୍ଚଳର ନର୍ଦ୍ଦମା ଜଳ ନିଷ୍କାସନ ଯୋଗୁ ଏହି ନଦୀଗୁଡ଼ିକର ଜଳରେ ବିଓଡି ଓ ଟିସି ପରିମାଣ ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଥିବା ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାର ନିରାକରଣ ନିମନ୍ତେ ନଗର ଉନ୍ନୟନ ବିଭାଗ, ଓଡ଼ିଶା ଜଳ ଯୋଗାଣ ଓ େସ୍ୱରେଜ‌୍‍ ବୋର୍ଡରୁ ପ୍ରାପ୍ୟ ତଥ୍ୟ ଭିତ୍ତିରେ ନର୍ଦ୍ଦମା ଜଳ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ହାତକୁ ନିଆଯାଇଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବାଂଶଧାରା ଓ ଏହାର ଶାଖାନଦୀଗୁଡ଼ିକର ବିଭିନ୍ନ ସ୍ଥାନରେ ଜଳ ମାନ ପରୀକ୍ଷା କରାଯାଉଛି।

 

ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର, ପୁରୀ, ତାଳଚେର, ଚାନ୍ଦବାଲି, ଧର୍ମଶାଳା, ବାଲେଶ୍ୱର, ବାରିପଦା, ଭଦ୍ରକ ଛଡ଼ା ଆଉ ୫୭ଟି ପୌରସଂସ୍ଥା ଅଞ୍ଚଳରେ ନଦୀ ଦଳ ପ୍ରଦୂଷଣ ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ପରିବେଶ‌୍‍ ମନ୍ତ୍ରୀ ସୂଚାଇଛନ୍ତି। ମାନବୀୟ କାର୍ଯ୍ୟକଳାପ ଓ ପୌରସଂସ୍ଥାର ନର୍ଦ୍ଦମା ଜଳ ନିଷ୍କାସନ ଏବଂ କେତେକ କ୍ଷେତ୍ରରେ କଳ କାରଖାନାର ବର୍ଜ୍ୟବସ୍ତୁ ଯୋଗୁ ନଦୀ ଜଳ ପ୍ରଦୂଷିତ ହେଉଥିବା ଦର୍ଶାଇବା ସଙ୍ଗେ ସଙ୍ଗେ ସଂକ୍ରମିତ ଜଳରେ ସୁଧାର ଅଣାଯାଇ ଜନସାଧାରଣଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top