ସତ୍ତ୍ବଲିପି ହରାଇଛନ୍ତି ଜଗନ୍ନାଥ!

News Story - Posted on 2017-03-31

ଶ୍ରୀକ୍ଷେତ୍ର ପୁରୀରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ୬୦,୮୦୫ ଏକରରୁ ଊର୍ଦ୍ଧ୍ୱ ଭୂ-ସମ୍ପତ୍ତି ଥିବା ଚିହ୍ନଟ କରାଯାଇଥିବା ବେଳେ ଏଥିରୁ ଶ୍ରୀମନ୍ଦିରକୁ ରାଜଭାଗ ବାବଦରେ ବାର୍ଷିକ ମାତ୍ର ୯୪ ଲକ୍ଷ ଟଙ୍କା ମିଳୁଛି। ଶ୍ରୀମନ୍ଦିରର ଯେତେ ଭୂ-ସମ୍ପତ୍ତି ରହିଛି ସେଥିମଧ୍ୟରୁ ୩୩,୭୫୫ ଏକର ୨୯୩ ଡିସିମିଲ‌୍‍ର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଥିବା ବେଳେ ଆଉ ୨୬,୬୫୪ ଏକର ୭୮୦ ଡିସିମିଲ‌୍‍ ଜମିର ସତ୍ତ୍ୱଲିପି ନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ‌୍‍ ମନ୍ତ୍ରୀ ଅରୁଣ କୁମାର ସାହୁ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

 

ଆଇନ‌୍‍ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଭିତରେ ୨୩ଟି ଜିଲ୍ଲାରେ ୬୦,୪୧୦ ଏକର ୦୭୩ ଡିସିମିଲ‌୍‍ ଶ୍ରୀମନ୍ଦିରର ଭୂ-ସମ୍ପତ୍ତି ଥିବା ଚିହ୍ନଟ କରାଯାଇଥିବା ବେଳେ ଓଡ଼ିଶା ବାହାରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ୩୯୫ ଏକର ୨୫୨ ଡିସିମିଲ‌୍‍ ପରିମିତ ଜମି ଥିବାର ଚିହ୍ନଟ ହୋଇଛି। ପ୍ରତି ଦୁଇ ବର୍ଷରେ ରାଜ୍ୟ ସରକାର ଭୂ-ସମ୍ପତ୍ତିର ବେଞ୍ଚମାର୍କ ଭାଲୁଏସନ‌୍‍ କରୁଥିବାରୁ ଶ୍ରୀମନ୍ଦିର ଭୂ-ସମ୍ପତ୍ତିର ମୂଲ୍ୟ ଆକଳନ କରିବା ସମ୍ଭବପର ନୁହେଁ ବୋଲି ସେ ସୂଚାଇଛନ୍ତି।

 

ଶ୍ରୀମନ୍ଦିର ଜମିକୁ ଭାଗ ସୂତ୍ରରେ ଭୋଗ ଦଖଲ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜବରଦଖଲକାରୀ ଭାବେ ଗଣ୍ୟ କରାଯାଉନାହିଁ। ତେବେ ଚିହ୍ନଟ ଭାଗଚାଷୀଙ୍କ ଠାରୁ ୨୦୧୫-୧୬ ବର୍ଷରେ ଶ୍ରୀମନ୍ଦିର ପ୍ରଶାସନ ରାଜଭାଗ ବାବଦରେ ୯୪ ଲକ୍ଷ ଟଙ୍କା ଆଦାୟ କରିଛି। ଏହାଛଡ଼ା ବିନାନୁମତିରେ ବେଆଇନ‌୍‍ ଭାବେ ଶ୍ରୀମନ୍ଦିର ଜମିକୁ ଅବରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସରଜିମନ‌୍‍ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଉଚ୍ଛେଦ ନିମନ୍ତେ ବିଭିନ୍ନ ତହସଲଦାରଙ୍କ ଇଜଲାସରେ ୩୮୬ଟି ମାମଲା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁଜୁ କରାଯାଇଛି। ଗତ ୧୭ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ୩୦୩ ଏକର ୩୯୧ ଡିସିମିଲ‌୍‍ ଜମି ୧୦,୦୭,୧୭,୩୦୬ ଟଙ୍କାରେ ବିକ୍ରି କରିଥିବା ସେ ସୂଚାଇଛନ୍ତି।

 

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୋଟ‌୍‍ ୧୫୨୩ ଏକର ୮୭୯ ଡିସିମିଲ‌୍‍ ଭୂ-ସମ୍ପତ୍ତି ଥିବା ବେଳେ ଏଥିରୁ ମାତ୍ର ୨୨୯ ଏକର ୨୨୯ ଡିସିମିଲ‌୍‍ ଜମିର ସତ୍ତ୍ୱଲିପି ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ନିକଟରେ ରହିଛି। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ୩୭ ଏକର ୦୪୯ ଡିସିମିଲ‌୍‍ ଜମି ଜବରଦଖଲକାରୀଙ୍କ କବ‌୍‍ଜାରେ ରହିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏତେ ଭୂ-ସମ୍ପତ୍ତି ଥାଇ ମଧ୍ୟ ଜମି ଭାଗ ବାବଦରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ୪ଟି ମୌଜାରୁ ବାର୍ଷିକ ମାତ୍ର ୭୧,୩୪୦ ଟଙ୍କା ପାଉଥିବା ବେଳେ ଜାଗା ଭଡ଼ା ବାବଦରେ ୩ଟି ମୌଜାରୁ ବାର୍ଷିକ ପ୍ରାୟ ସାଢ଼େ ତିନିଲକ୍ଷ ଟଙ୍କା ଆଦାୟ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଏହି ମନ୍ଦିରର କୌଣସି ଭୂ-ସମ୍ପତ୍ତି ବିକ୍ରି ହୋଇନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top