ସ୍ମାର୍ଟ ସିଟି ଭାଷା ବିରୋଧୀ!

News Story - Posted on 2017-03-25

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପାଳନ ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଭାଷା ଭବନ ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ। ଏହି ଭାଷା ଭବନ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ସହିତ ଅର୍ଥ ବରାଦ କରିବା ସଙ୍ଗେ ସଙ୍ଗେ ପୂର୍ତ୍ତ ବିଭାଗକୁ ନିର୍ମାଣ ଦାୟିତ୍ୱ ଦେଇଥିଲେ ବି ସ୍ମାର୍ଟ ସିଟିର ନିର୍ବାହୀ ଅଧିକାରୀ ଏହି ଜମିରେ ନିର୍ମାଣ ଉପରେ ରୋକ‌୍‍ ଲଗାଇ ଥିବାରୁ କାମ ଆଗେଇ ପାରୁନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ବିଧାନସଭାରେ ଭାଷା ଭବନ ନିର୍ମାଣ ସଂକ୍ରାନ୍ତରେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଏ କଥା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

 

ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ରାଜଧାନୀର ଖାରବେଳ ନଗର ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ୫୩,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳର ଜମି ଯୋଗାଇବା ସହିତ ଭାଷା ଭବନ ନିର୍ମାଣ ପାଇଁ ସରକାର ମଧ୍ୟ ଅର୍ଥ ଯୋଗାଇ ଦେଇଛନ୍ତି। ଭାଷା ଭବନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଦେଇଥିବା ନକ୍ସା ଓ ୨ କୋଟି ୮୩ ଲକ୍ଷ ବ୍ୟୟ ଅଟଳକକୁ ସରକାର ଅନୁମୋଦନ କରିବା ପରେ ଟେଣ୍ଡର ପ୍ରକ୍ରିୟା ଶେଷ କରି ନିର୍ମାଣ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷ ଆଗଉଥିବା ବେଳେ ସ୍ମାର୍ଟ ସିଟିର ନିର୍ବାହୀ ଅଧିକାରୀ ଭାଷା ଭବନ ନିର୍ମାଣ କାମ ନ କରିବା ପାଇଁ କହିଛନ୍ତି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଏହା ଫଳରେ ଓଡ଼ିଆ ଭାଷା ଆନ୍ଦୋଳନକୁ ଆଉ ଏକ ଝଟ‌୍‍କା ଲାଗିଛି ଓ ସରକାରୀ କଳର ଓଡ଼ିଆ ତଥା ଓଡ଼ିଆ ଭାଷା ବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିଛି ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

 

ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ଉତ୍ତରରୁ ଜଣାପଡ଼ିଛି ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ଅନ୍ତର୍ଭୁକ୍ତ ସ୍ନିକ‌୍‍ ଅଞ୍ଚଳରେ ଓଡ଼ିଶା ଖଦି ବୋର୍ଡ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ଜମି ରହିଛି। ଏଠାରେ ସ୍ମାର୍ଟ ସିଟି ଲାଗି ଯୋଜନା ଭାରତ ସରକାର ଅନୁମୋଦନ କରିଥିବା ପରିପ୍ରେକ୍ଷୀରେ କୌଣସି ଏକକ ଯୋଜନାର ରୂପାୟନ ପାଇଁ ଅନୁମତି ଦେଲେ ଏହି ଅଞ୍ଚଳର ସାମୂହିକ ବିକାଶ ବାଧାପ୍ରାପ୍ତ ହେବ। ଖଦି ବୋର୍ଡର କୋଠାବାଡ଼ି ଭାଙ୍ଗି ସ୍ନିକ‌୍‍ ପ୍ରୋଜେକ୍ଟ ଅଞ୍ଚଳ ଲାଗି ଉତ୍ସର୍ଗୀକୃତ ରାସ୍ତା ନିର୍ମାଣ ପ୍ରସଙ୍ଗରେ ଶ୍ରୀ ରାୟ ପଚାରିଥିବା ଅନ୍ୟ ଏକ ପ୍ରଶ୍ନକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଏଡ଼ାଇ ଯାଇ ଏ ସଂକ୍ରାନ୍ତରେ ଖଦି ବୋର୍ଡର ଆଭିମୁଖ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କହିଥିବା ବେଳେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ତାଙ୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ଖଦି ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବ ଆଦିଙ୍କୁ  ପତ୍ର ଲେଖି ସ୍ମାର୍ଟ ସିଟିର ସ୍ନିକ‌୍‍ ଯୋଜନାରେ ଖଦି ବୋର୍ଡକୁ ବଳି ନ ପକାଇବା ଲାଗି ଅନୁରୋଧ କରିଛନ୍ତି।

 

ସେହିପରି ସ୍ନିକ‌୍‍ ପ୍ରକଳ୍ପ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକ ମୁଦ୍ରଣାଳୟ, ଏହାର ଦପ୍ତର ଓ କର୍ମଚାରୀଙ୍କ କ୍ୱାର୍ଟର୍ସ ଆଦିକୁ ଭାଙ୍ଗି ପ୍ରାୟ ୧୨ ଏକର ଜମି ନେଇଯିବା ପାଇଁ ଥିବା ପ୍ରସ୍ତାବ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ସିଂହଦେଓ ଏହାର ଉତ୍ତର ରଖି ଏଠାରେ ପ୍ରେସ‌୍‍ ଦପ୍ତର ସମେତ ୧୯୬ଟି କ୍ୱାର୍ଟର୍ସ ଥିବା ସ୍ୱୀକାର କରିଛନ୍ତି। ତେବେ ଏହି ଦପ୍ତର, ପ୍ରେସ‌୍‍ ଓ ବାସଗୃହ ହଟାଇବା ସ୍ଥାନାନ୍ତର ଯୋଜନା ବିଚାରାଧୀନ ରହିଛି। ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଠାରୁ କୌଣସି ଆପତ୍ତି ହସ୍ତଗତ ହୋଇନଥିବା ନଗର ଉନ୍ନୟନ ମନ୍ତ୍ରୀ ସୂଚାଇଥିବା ବେଳେ ସରକାରୀ ପାଠ୍ୟପୁସ୍ତକ ମୁଦ୍ରଣାଳୟର କର୍ମଚାରୀମାନେ କିନ୍ତୁ ଏହି ପ୍ରକଳ୍ପର ତୀବ୍ର ବିରୋଧ କରୁଛନ୍ତି।

 

ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଭୁବନେଶ୍ୱରକୁ କେନ୍ଦ୍ର ସରକାର ସ୍ମାର୍ଟସିଟିର ମର୍ଯ୍ୟାଦା ଦେବା ପରେ ଏହାର ବିକାଶ ପରିବେର୍ତ୍ତ ସହସ୍ରାଧିକ କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ମାର୍ଟସିଟି କତ୍ତୃର୍ପକ୍ଷ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ। ରାଜଧାନୀ ଉପକଣ୍ଠରେ ଥିବା ଅବ୍ୟବହୃତ ସରକାରୀ ଜମିରେ ସ୍ମାର୍ଟସିଟି ବିକାଶ କରିବାକୁ ସେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତୁରନ୍ତ ଭାଷା ଭବନ ନିର୍ମାଣ ସହିତ ପାଠ୍ୟପୁସ୍ତକ ମୁଦ୍ରଣାଳୟ, ଖଦି ବୋର୍ଡ ଓ ଅନ୍ୟ ସରକାରୀ ଦପ୍ତର ଓ ବାସଗୃହଗୁଡ଼ିକୁ ଭାଙ୍ଗିବା ଲାଗି ଯେଉଁ ପ୍ରସ୍ତାବ ରହିଛି ସେଥିରୁ କର୍ତ୍ତୃପକ୍ଷ ଓହରି ଯିବା ପାଇଁ ପରାମର୍ଶ ଦେଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top