ହୋଲି

News Story - Posted on 2017-03-24

ଡ. ଅଞ୍ଜୁମନ ଆରା

 

ମୁଁ ଜାଣେ

ତୁମ ଆଗେ

କାକୁସ୍ଥ ହେବା ମାନେ

ନିଜ ଉପରେ ମାଠିଆ ମାଠିଆ

ପାଣି ଢାଳିବା।

 

ତୁମେ ସାରୁପତ୍ରରେ

ଢଳ ଡଳ ଅଛୁଆଁ ବିନ୍ଦୁ

ଯଦିଓ ନିଜ ସଂପୃକ୍ତିର

ଦୃଢ଼ ଦାବି କର।

 

ଫିକା ସହାନୁଭୂତି ତୁମର

ଅଗାଡ଼ିଠାରୁ ଅଧିକା ନୁହେଁ

ହାତମୁଠାରେ ଧରି

ଗୋଟିଏ କୋଣକୁ ଫିଙ୍ଗିଦିଏ।

 

ନ୍ୟାୟର ମଇଦାନରେ

ଏକା ଛିଡ଼ା ହେବାକୁ ପଡେ଼

ନଚେତ ଶରଶଯ୍ୟାରେ ଶୋଇ

ଧର୍ମଯୁଦ୍ଧର ଜୟକୁ

ଅନିସା କରିବାକୁ ପଡେ଼।

 

ଛଦ୍ମବେଶରେ

ବେଶ ନିର୍ବାହ କଲ

ଦୋହରା ଭୂମିକା

ଦେହ ସାରା ବୋଳିଛ

ଅଠାଳିଆ ଅହମିକା।

 

ଅନେକ ଜାଗାରେ

ଠାଏ ଠାଏ ନିର୍ମୋକ

ଛାଡ଼ି ଯାଇଥିବା ସହଜେ ବାରିହୁଏ।

 

ତୁମ ହସର ଗରଳକୁ

ନିରୀହ ସାଜି ପିଇଦିଏ

ଯଦିଓ ତୁମ ମୁହଁରେ ତାକୁ

ଫିଙ୍ଗି ଦେବାର ମୁଁ ତାକତ ରଖେ।

 

ତଥାପି କେଜାଣି

ଏକ ନୀରବ ପ୍ରତୀକ୍ଷାର ଅନ୍ତରାଳେ

ମୁଁ ଚୁପ ରହିଯାଏ।

 

ବାଳୁତ କାଳୁ ବିଦିତ

ନିଜ ଯୁଦ୍ଧ ନିଜକୁ

ଲଢ଼ିବାକୁ ହୁଏ

ବିନ୍ଦୁ ବିନ୍ଦୁ ବିଶ୍ୱାସର ରକ୍ତକୁ

ଥପ ଥପ ଝରାଇବାକୁ ପଡେ଼।

 

ସେଠି ତଣ୍ଟି ଶୁଖେ

ପାଣି ଟୋପେ ପାଇଁ

ପ୍ରାଣ କଲବଲ ହୁଏ।

 

ବିଶ୍ୱାସ ହୋରିର

ଲାଲ ରଙ୍ଗ ଗାଢ଼ ହୁଏ

ଛଦ୍ମବେଶୀ ନିଜର ଲାଗେ

ରଙ୍ଗ ବୋଳାବୋଳି କରି

ଭୂଇଁରେ ଚିତପଟାଙ୍ଗ କରିବାକୁ

କେତେ କାଣ୍ଡ ଭିଆଏ।

 

ଏତେ ସବୁ ଭିତରେ

ଭଲ ରୂପେ ମୁଁ ଜାଣେ

ମୋ ଆତ୍ମବିଶ୍ୱାସ ହିଁ

ମୋର ଜିତାପଟ।

 

ହିନ୍ଦୀ ବିଭାଗ, ରେଭେନ‌୍‍ଶା ବିଶ୍ୱବିଦ୍ୟାଳୟ, କଟକ-୩

ସଂପର୍କ-୯୪୩୮୬୨୯୭୮୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top