ଶେଷ ବସନ୍ତର ରାଗ!

News Story - Posted on 2017-03-20

ଦେବେନ୍ଦ୍ର ପୃଷ୍ଟି

 

ମୁଁ ଦେଖିଛି ସୂର୍ଯ୍ୟାସ୍ତର ରଙ୍ଗ

ଆଉ ଶୁଣିଛି ବି ଆର୍ତ୍ତନାଦ ନିଝୁମ ରାତିର।

ତା’ ସାଥେ ଦେଖିଛି ପୁଣି

ସୂର୍ଯ୍ୟସ୍ନାତ ସକାଳର ସ୍ମିତହାସ,

ଶୁଣିଛି ବି ଭୟାନକ ରାଗ

କେତେ ଖାଁ ଖାଁ ଲାଗୁଥିବା ନିଷ୍ଠୁର ଦିନର।

 

ବେଦନା ବିଧୂର କେଉଁ କୋଇଲିର କୁହୁତାନ

ବହି ଯାଉଥିବା ନଈ ଗାଉଥିବା ସଙ୍ଗୀତର ସ୍ୱର

ଶୁଣି ପୁଣି ମନେପଡେ଼ ଗ୍ରୀଷ୍ମର ଗର୍ଜନ

ଆଉ ଘରଭଙ୍ଗା ମୌସୁମୀର ବତାସୀ ଝଡ଼ର।

 

ଦେଖିଛି ଯାତ୍ରାରେ କେତେ ରଙ୍ଗବୋଳା ଖୁସିର ଶେଫାଳି

ସକାଳକୁ ଝଡ଼ିଥାଏ ମଞ୍ଚରୁ ଦୂରରେ,

ଯାତ୍ରା-ଫେରା ଲୋକଙ୍କର ପାଦତଳେ

ଦଳି ହୋଇ ମିଶିଥାଏ ଧୂଳିକାଦୁଅରେ।

 

ପ୍ରକୃତି ବଦଳେ ଏଠି, ଋତୁ ବି ବଦଳେ

ବଦଳେ ବି ରୂପରଙ୍ଗ ଫୁଲ, ଫଗୁଣର।

ପ୍ରେମର ବଜାରେ ଏଠି ଉପଭୋକ୍ତା ହଜାର ହଜାର

ମୁହଁଢାଙ୍କି ବୁଲୁଥିବା ଦେଖିଛି ସହର,

ଆଉ ଦେଖିଛି ବି ଲାଭଖୋର ଦୋକାନଦାର,

ଆକର୍ଷକ ପ୍ୟାକେଟରେ ବିକୁଥାଏ ଶସ୍ତା ଚେନାଚୁର!

 

ବଜ୍ରାଘାତେ ମୃତ ଯେଉଁ ବସନ୍ତର ବେଳା

ଅବା ଅପହୃତ କିଶଳୟ କାଳେବୈଶାଖୀରେ

ସବୁକିଛି ଫେରିପାରେ ପୃଥିବୀକୁ ଆଉ ଥରେ

କିନ୍ତୁ କି ଫେରିବ କେବେ ଶହୀଦ ହୋଇଥିବା

ସ୍ବପ୍ନସବୁ ସଂସାରର ଚାପ, ଯନ୍ତ୍ରଣାରେ?

ସଂପର୍କ- ୯୪୩୭୦୩୬୨୭୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top