ପୁରାଣ ଭିତ୍ତିରେ ଓଳକଣା ମେଲଣ

News Story - Posted on 2017-03-10

ଶୁଭେନ୍ଦୁ କୁମାର ଭୂୟାଁ

 

ଋତୁରାଜ ବସନ୍ତର ଆଗମନୀ ଏବେ ଧରାପୃଷ୍ଠକୁ କରିଛି ଆମୋଦିତ ଓ ପଲ୍ଲବିତ। ତରୁ, ତୃଣ ଓ ଜୀବଜଗତ ମଳୟର ମୃଦୁମନ୍ଦ ଆବାହନୀରେ ଉଲ୍ଲସିତ। ଫଗୁଣର ଏଇ ବୈଚିତ୍ରମୟ ପରିବେଶରେ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ଦୋଳଯାତ୍ରା। ରାଧାକୃଷ୍ଣଙ୍କ ମିଳନପର୍ବ ଦୋଳ ଉତ୍ସବର ଉଲ୍ଲାସ ଓ ଆନନ୍ଦ ସାରା ଓଡ଼ିଶାକୁ ଆଚ୍ଛନ୍ନ କରି ରଖିଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପୁରାତନକାଳରୁ ଅନୁଷ୍ଠିତ ହୋଇଆସୁଛି ଦୋଳ ମେଲଣ ଯାତ୍ରା।

 

ମୁଖ୍ୟତଃ ପୁରୀ ଶ୍ରୀକ୍ଷେତ୍ରର ଦୋଳ ମିଳନ, ଧର୍ମଶାଳାର ପ୍ରସିଦ୍ଧ ମୁନ‌୍‍ସୀ ମେଳଣ, ନେମାଳ ପୀଠର ଦୋଳଯାତ୍ରା, ବୟାଳିଶ ମୌଜାର ଗୋପୀନାଥ ଦୋଳ, ଚଅଁରପୁର ମାଧୁରୀମଠର ବୈଷ୍ଣବ ମେଳା, ବ୍ରହ୍ମଗିରିର ହରିହର ଭେଟ, ବରୁଆଁ ମେଲଣ, ଏରଚଂ ନୃସିଂହନାଥଙ୍କ ଦୋଳ ଉତ୍ସବ ଭଳି ଅବିଭକ୍ତ କଟକ ଜିଲ୍ଲାର ଓଳକଣା ମେଲଣ ମଧ୍ୟ ବହୁ ପୌରାଣିକ ଘଟଣାର ମୂକସାକ୍ଷୀ। ଅଧିକାଂଶ ସ୍ଥାନରେ ଦୋଳମେଲଣରେ ଠାକୁରବାଡ଼ିର ମଠଗୁଡ଼ିକୁ ମେଲଣ ପାଇଁ ସ୍ୱତନ୍ତ୍ର ଆମନ୍ତ୍ରଣ କରାଯାଉଥିଲା ବେଳେ ଓଳକଣା ମେଲଣରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳେ। ବିନା ନିମନ୍ତ୍ରଣ, ବିନା ବିଦାକିରେ ବହୁ ପୁରାତନ କାଳରୁ ଦେଢ଼ଶହରୁ ଅଧିକ ବିମାନ ଏହି କ୍ଷେତ୍ରକୁ ବିଜେ ହୋଇଥାନ୍ତି। ପ୍ରତିବର୍ଷ ଫାଲ‌୍‍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିର ପରମ ପାବନ ବ୍ରାହ୍ମ ମୁହୂର୍ତ୍ତରେ ଏହି ପ୍ରସିଦ୍ଧ ମେଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ।

 

ଏହି ପୌରାଣିକ କ୍ଷେତ୍ର ଓଳକଣା - କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଡେରାବିଶ ଓ ମାହାଙ୍ଗା ବ୍ଳକର ସୀମାକ୍ଷେତ୍ରରେ ହିଁ ଅନୁଷ୍ଠିତ ହୋଇଥାଏ। ଡେରାବିଶ ବ୍ଳକର ଏଣ୍ଡର ଗ୍ରା.ପ.ସ୍ଥିତ ଅରାଖଣ୍ଡ ଓ ନୀଳକଣ୍ଠପୁର ଗ୍ରାମ ଏବଂ ମାହାଙ୍ଗା ବ୍ଳକର ଓଳକଣା ଗ୍ରାମରେ ହିଁ ଓଳକଣା ପଡ଼ିଆର ଅବସ୍ଥିତି। ଏହି ଅଚଂଳ ଏକ ମହାନ ବିଭୂତିର କ୍ଷେତ୍ର ବୋଲି ବହୁ ପୁରାଣଶାସ୍ତ୍ର ଓ ମାଳିକାରେ ବର୍ଣ୍ଣିତ ହୋଇଛି। ଦ୍ୱାପର ଯୁଗରୁ ଅନୁଷ୍ଠିତ ହୋଇଆସୁଥିିବା ଏହି ବହୁ ପୁରାତନ ତଥା ସୁପ୍ରସିଦ୍ଧ ମେଲଣ ପରିଚାଳନା ପାଇଁ କୌଣସି ସ୍ଥାୟୀ ଅନୁଷ୍ଠାନ ନଥିଲେ ହେଁ ମାହାଙ୍ଗା, ପାଟକୁରା, ଡେରାବିଶ, କେନ୍ଦ୍ରାପଡ଼ା ଓ ବଡ଼ଚଣା ଅଚଂଳରେ ଥିବା ବହୁ ପୁରାତନ ଠାକୁରବାଡ଼ିର ପ୍ରତିନିଧିମାନଙ୍କ ସହଯୋଗରେ ଏହା ବହୁ ପୁରାତନକାଳରୁ ନିଷ୍ଠା ଓ ଶୃଙ୍ଖଳାର ସହିତ ଯେଭଳି ପାଳିତ ହେଉଛି ତାହା ଏକ ଅଲୌକିକ ଦୈବକୃପାର ନିଦର୍ଶନ ବୋଲି ସ୍ଥାନୀୟ ପୁରୁଖା ଲୋକମାନେ ମତପ୍ରକାଶ କରିଥାନ୍ତି।

 

ଓଳକଣା ମେଲଣର ପୃଷ୍ଠଭୂମି ଉପରେ ଲୋକମୁଖରେ ପ୍ରଚଳିତ କିମ୍ୱଦନ୍ତୀଟି ଏହିଭଳି। ଦ୍ୱାପରଯୁଗରେ ପାଣ୍ଡବ ଭାଇମାନେ ପଶାଖେଳରେ ସର୍ବସ୍ୱାନ୍ତ ହେଲାପରେ କୌରବମାନଙ୍କ ମାତୁଳ ଶକୁନି ଓ ଜ୍ୟେଷ୍ଠ ଭ୍ରାତା ରାଜା ଦୁର୍ଯ୍ୟୋଧନଙ୍କ ଚକ୍ରାନ୍ତରେ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ଭୋଗ କରିବା ପରେ ମଧ୍ୟ ରାଜାନୁଗ୍ରହରୁ ବଂଚିତ ହୋଇଛନ୍ତି। ମହାଭାରତ ଯୁଦ୍ଧର ସଂଭାବ୍ୟ ପରିଣତିକୁ ଏଡ଼ାଇବାକୁ ଶ୍ରୀକୃଷ୍ଣ ଶାନ୍ତିର ବାର୍ତ୍ତାବହ ଭାବରେ ଉଦ୍ୟମ କରି ମଧ୍ୟ କୁରୁ ରାଜସଭାରୁ ଶୂନ୍ୟ ହସ୍ତରେ ଫେରିଛନ୍ତି। ମାତ୍ର ପାଂଚଟି ପଡ଼ା ନ ପାଇ ଶ୍ରୀକୃଷ୍ଣ ଅପମାନିତ ହୋଇ ଫେରିବା ବାଟରେ ତାଙ୍କର ପରମ ଉପାସକ ଭକ୍ତ ବିଦୂରଙ୍କ ଘରକୁ ଯାଇଛନ୍ତି ଏବଂ ଶାଗଭାତ ଖାଇ ସନ୍ତୋଷ ହୋଇଛନ୍ତି। ମହାନ‌୍‍ ଭକ୍ତର ମନୋବାଞ୍ଛା ପୂରଣ ପାଇଁ ତାର ଦରିଦ୍ର କୁଡ଼ିଆରେ ପାଦ ରଖି ଶ୍ରୀକୃଷ୍ଣ ଆତ୍ମସନ୍ତୋଷ ଲାଭ କରିଥିଲେ ମଧ୍ୟ ଭକ୍ତ ବିଦୂର ହରି-ହର ରୂପର ଦର୍ଶନ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରିୟ ଭକ୍ତର ଭକ୍ତିରେ ବନ୍ଧା ଶ୍ରୀକୃଷ୍ଣ ଫାଲ‌୍‍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ତାଙ୍କୁ ଏହି ଦେବଦୁର୍ଲ୍ଲଭ ରୂପରେ ଦର୍ଶନ ଦେବେ ବୋଲି ଆଶୀର୍ବାଦ କରିଛନ୍ତି। ମହାଭାରତ ଯୁଗରୁ ଅଦ୍ୟାବଧି ଏହି ପୌରାଣିକ ପୃଷ୍ଠଭୂମିର କିମ୍ୱଦନ୍ତୀ ଅନୁଯାୟୀ ମହାନ‌୍‍ ଭକ୍ତ ବିଦୂର ପ୍ରତି ଫଗୁ ଚତୁର୍ଦ୍ଦଶୀର ବ୍ରାହ୍ମନିଶିରେ ହରି-ହର ରୂପ ଦର୍ଶନ କରିଆସୁଛନ୍ତି ଏଇ ଓଳକଣା ମାଟିରେ।

 

ମହାଭାରତ ଯୁଗର ମହାନ‌୍‍ ଭକ୍ତ ବିଦୂର, ଉଦ୍ଧବ, ଦ୍ରୋଣ, ଭୀଷ୍ମ ଓ ପାଣ୍ଡବ ପଂଚଭ୍ରାତାଙ୍କ ମନ୍ଦିର ଓଡ଼ିଶାରେ ଅନ୍ୟତ୍ର କେଉଁଠି ନଥିଲା ବେଳେ ଓଳକଣା-ଅରାଖଣ୍ଡ-ଡେରାଢ଼ିଅ ଗ୍ରାମରେ ଏହି ପ୍ରାଚୀନ ମନ୍ଦିର ଓ ପୌରାଣିକ ପୀଠସ୍ଥଳୀଗୁଡ଼ିକ ରହିଛି। ପାଣ୍ଡବ ଭ୍ରାତାମାନଙ୍କ ଅଜ୍ଞାତବାସସ୍ଥଳୀ ରୂପରେ ଡେରାଢ଼ିହ ଗ୍ରାମରେ ରହିଛି ସୁପ୍ରସିଦ୍ଧ ତଥା ପ୍ରାଚୀନ ପଂଚୁପାଣ୍ଡବ ମନ୍ଦିର। ସେଠାରେ ମାତା କୁନ୍ତୀଦେବୀ ଓ ଦ୍ରେ୍ଭାପଦୀଙ୍କ ସମେତ ପଂଚଭ୍ରାତାଙ୍କ ପାଷାଣ ବିଗ୍ରହ ସଂକେତ ରହିଛି ଏବଂ ପଂଚୁପାଣ୍ଡବ ନାମରେ ଉକ୍ତ ସ୍ଥାନ ବେଶ‌୍‍ ସୁପରିଚିତ। ପାଂଚ ନମ୍ୱର (କ) ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ପଂଚୁପାଣ୍ଡବ ଛକଠାରୁ ଓଳକଣା ପୀଠର ଦୂରତ୍ୱ ପ୍ରାୟ ଦୁଇ କି.ମି.। ଯଦିଓ ପଂଚୁପାଣ୍ଡବ ନାମରେ କୌଣସି ରାଜସ୍ୱ ଗ୍ରାମ ନାହିଁ ତଥାପି ଲୋକମୁଖରେ ଏହା ବେଶ‌୍‍ ସୁପରିଚିତ। ଏହା ରାଜସ୍ୱ ଡେରାଢ଼ିହର ଅନ୍ତଭୁର୍କ୍ତ।

 

ଐତିହାସିକ ପୃଷ୍ଠଭୂମି

 

ପୌରାଣିକ ମହାଭାରତ ଯୁଗର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ଧାର୍ମିକ ଚେତନାରେ ଦିନେ ଓଡ଼ିଶାର ଏହି ପ୍ରାଚୀନ ଭୂ-ଖଣ୍ଡ ପରିପୂର୍ଣ୍ଣ ଥିଲା। ‘ପଦ୍ମକଳ୍ପ’ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଓଳକଣା ପଡ଼ିଆଠାରୁ ବେଲାରପୁର ଭଗବତୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଛଅ କି.ମି. ଅଂଚଳ କୁରୁକ୍ଷେତ୍ର ନାମରେ ନାମିତ ଥିଲା। ଏହି ଅଂଚଳରେ ପାଣ୍ଡବଭ୍ରାତାଙ୍କ ଅଜ୍ଞାତବାସସ୍ଥଳୀ, ବିଦୂରଙ୍କ ଆଶ୍ରମ, ଉଦ୍ଧବଙ୍କ ଆଶ୍ରମ, ଶକୁନିଗଡ଼, ବେଲାଳସେନପୁର (ବେଲାରପୁର), ବୀର ଅଶ୍ୱତ‌୍‍ଥମାଙ୍କ ବିଳ (ପଲାଇ ଗ୍ରାମସ୍ଥିତ ଗାଙ୍ଗୀ ପାହାଡ଼ର ଗିରିଗାତ୍ର), ଭୀଷ୍ମ ଓ ଦ୍ରୋଣଙ୍କ ଆସ୍ଥାନ, ମହାଗୁପ୍ତ ସୁଡ଼ଙ୍ଗ ପଥ ଭଳି ପୌରାଣିକ ଚିହ୍ନ ରହିଛି । ଏହି ଅଚଂଳର ପ୍ରତ୍ନତାତ୍ତ୍ୱିକ ତଥା ଐତିହାସିକ ଉତ‌୍‍ଖନନ ଏବଂ ଗବେଷଣା କରାଗଲେ ଇତିହାସର ଅନେକ ଅନାଲୋଚିତ ତଥ୍ୟ ଉନ୍ମୋଚିତ ହୋଇପାରିବ।

 

ଅରାଖଣ୍ଡ ଗ୍ରାମର ବୟୋବୃଦ୍ଧ ବ୍ୟକ୍ତି ସ୍ୱର୍ଗତ ଉପେନ୍ଦ୍ରନାଥ ମଲ୍ଲଙ୍କ ମତରେ ମହାଭାରତ ଯୁଦ୍ଧ ପରେ ମାତ୍ର ୧୩ ଜଣ ବ୍ୟକ୍ତି ଜୀବିତ ଥିଲେ। ସେମାନେ ହେଲେ ବିଦୂର, ଧୃତରାଷ୍ଟ୍ର, ପଞ୍ଚପାଣ୍ଡବ, ସାତ୍ୟକୀ, ଶ୍ରୀକୃଷ୍ଣ, ଅଶ୍ୱତ‌୍‍ଥମା, କୁନ୍ତୀ ଓ ଗାନ୍ଧାରୀ । ଧୃତରାଷ୍ଟ୍ର, କୁନ୍ତୀ ଓ ଗାନ୍ଧାରୀ ତପସ୍ୟାମଗ୍ନ ଥାଇ ଦଗ୍ଧୀଭୂତ ହୋଇଯାଇଥିଲେ। ଶ୍ରୀକୃଷ୍ଣ ବିଦୂରଙ୍କୁ ଡାକିଥିଲେ ମଧ୍ୟ ସେ ତପସ୍ୟା ଭଙ୍ଗ ନକରି କହିଥିଲେ ଯେ, ମରଣ ଯୋଗ ଥିବ ତ ମରିବି। ତାଙ୍କ ତପସ୍ୟାର ଅଭିଳାଷ ଥିଲା ହରିହର ମିଳନ ଦର୍ଶନ। ଶ୍ରୀକୃଷ୍ଣ ତାଙ୍କୁ ଏହି ରୂପରେ ଦର୍ଶନ ଦେବାକୁ ବର ଦେଇଥିଲେ। ପ୍ରାୟ ଦୁଇଶହ ବର୍ଷ ତଳେ ସଏମ ଗ୍ରାମର ବିଦ୍ୟାଧର ପୃଷ୍ଟି ବିଦୂର ମନ୍ଦିର ନିର୍ମାଣ କରିଥିଲେ ଅରାଖଣ୍ଡ ଗ୍ରାମରେ। ଅରାଏ ଓଳାଇ (ପରିଷ୍କାର) କରିଥିବାରୁ ତାର ନାମ ‘ଅରାଖଣ୍ଡ’ ହୋଇଥିଲା ବୋଲି ସ୍ୱର୍ଗତ ମଲ୍ଲ କହିଥିଲେ।

 

ଲକ୍ଷ୍ମୀଠାକୁରାଣୀଙ୍କ ବିମାନ ଆଗରେ ଧାନକଳସୀ

 

ଏହି ଅଂଚଳରେ ଏକ ବହୁଳ ପ୍ରସାରିତ ଜନଶ୍ରୁତି ରହିଛି- ଓଳକଣା ମେଲଣ, ଆଳିରାଜା ଝୁଲଣ, କୋଇଲର ରାମ ନବମୀ- ପୁରସ୍ତମ ଚନ୍ଦନ। ପ୍ରକୃତରେ ଓଳକଣାର ମେଲଣଯାତ୍ରା, ଆଳିର ଝୁଲଣ ଯାତ୍ରା, ଅସୁରେଶ୍ୱର (କୋଇଲ)ର ରାମନବମୀ ଉତ୍ସବ ଓ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମର ଚନ୍ଦନ ଯାତ୍ରା ଜନମାନସରେ ଅତି ପ୍ରସିଦ୍ଧିଲାଭ କରିଥିଲା।

 

ଦୋଳଯାତ୍ରା ଅବସରରେ ମଧ୍ୟରାତ୍ରରୁ ଓଳକଣା ମେଲଣ ପଡ଼ିଆକୁ ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଠାକୁରବାଡ଼ିରୁ ପ୍ରାୟ ଦେଢ଼ଶହ ଛୋଟବଡ଼ ବିମାନ ଆସିଥାଏ। ବିମାନଗୁଡ଼ିକ ପ୍ରଥମେ ପଡ଼ିଆରେ ପ୍ରବେଶ ନକରି ତିନି ଦିଗରୁ ମହା ଆଡ଼ମ୍ୱର ସହକାରେ ଆସି ତିନିପଥରେ ରହିଥାନ୍ତି। ମେଲଣ ପଡ଼ିଆରେ ତିନିଟି ଦିଗରେ ତିନୋଟି ଫାଟକ ରହିଛି। ପ୍ରତି ଫାଟକରେ ଦୁଇଟି ପ୍ରସ୍ତରର ଖମ୍ୱ ନିର୍ମାଣ କରାଯାଇଛି। ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ଥିବା ପ୍ରସ୍ତର ଖମ୍ୱର ପ୍ରତ୍ୟେକ ଦ୍ୱାରରେ ବୃଷଭ ଓ ଗରୁଡ଼ଙ୍କର ବିଗ୍ରହ ସ୍ଥାନ ପାଇଛନ୍ତି। ହରି ଓ ହରଙ୍କ ବାହନ ଭାବରେ ଏହି ବିଗ୍ରହ ସ୍ଥାନ ପାଇବା ବେଶ‌୍‍ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ମେଲଣକୁ ଉଭୟ ମୋଗଲବନ୍ଦୀ ଓ ରାଜଯୋଡ଼ା ଅଚଂଳରୁ ବିମାନଗୁଡ଼ିକ ଆସିଥାନ୍ତି।

 

ଆଳି ରାଜାଙ୍କ ଅଧୀନରେ ରାଜାଯୋଡ଼ା ଓ ମୋଗଲବନ୍ଦୀ ଅଞ୍ଚଳ ତତ‌୍‍କାଳୀନ ବଂଗଳାର ସୁଲତାନ ସୁବେଦାର ସୁଲେମାନ କିରାନୀଙ୍କ ଅଧୀନରେ ରହିଥିଲା। ଡେରାବିଶର ରାଜନଗରରୁ ଆଳି ରାଜାଙ୍କ ବିମାନରେ ରାଧାକୃଷ୍ଣ ଓ ଲକ୍ଷ୍ମୀଠାକୁରାଣୀ ପଡ଼ିଆର ପୂର୍ବ ଓ ଦକ୍ଷିଣ ଦିଗରେ ଥିବା ଫାଟକ ବାଟେ ପ୍ରଥମେ ମେଲଣ ପଡ଼ିଆକୁ ପ୍ରବେଶ କରିଥାନ୍ତି। ଏହା ପରେ ପରେ ଅନ୍ୟ ଦିଗରୁ ସୁସଜ୍ଜିତ ବିମାନଗୁଡ଼ିକ ପଡ଼ିଆରେ ପ୍ରବେଶ କରିଥାନ୍ତି। ଦକ୍ଷିଣ ଦିଗରେ ପ୍ରଥମେ ଓଳକଣା ଗ୍ରାମର ଦଧିବାମନଜୀଉଙ୍କ ବିମାନ, ତା ପଛରେ ନୀଳକଣ୍ଠପୁର ଗ୍ରାମର ରାଧାକାନ୍ତ ଓ ଅନ୍ୟ ବିମାନଗୁଡ଼ିକ ପ୍ରବେଶ କରନ୍ତି। ପଶ୍ଚିମ ଦିଗରେ ପ୍ରଥମେ ଜିରା ଗ୍ରାମର ଗୋପୀନାଥଜୀଉଙ୍କ ବିମାନ ଏବଂ ଉତ୍ତର ଦିଗରେ ଓଳାଶୁଣୀ ଗୁମ୍ଫାର ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ବିମାନ ମେଲଣ ପଡ଼ିଆକୁ ପ୍ରବେଶ କରିଥାନ୍ତି। ପ୍ରଥମ ବିମାନ ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟ ବିମାନଗୁଡ଼ିକ ଅତି ତୀବ୍ର ଗତିରେ ଯାଇ ଆସ୍ଥାନରେ ଅଧିଷ୍ଠାନ ହୋଇଥାନ୍ତି। ବିମାନଗୁଡ଼ିକ ଅତ୍ୟନ୍ତ ମନୋରମ ସାଜସଜ୍ଜାରେ ପରମ୍ପରା ସହିତ ନୃତ୍ୟ, ଗୀତ, ସଂଗୀତ ଓ ଆକର୍ଷଣୀୟ ରଂଗରୋଷଣୀରେ ଆସିଥାନ୍ତି। ମେଳଣ ପଡ଼ିଆରେ ବିମାନଗୁଡ଼ିକ ଆଗରେ ନବବସ୍ତ୍ର ବିଛାଯାଇଥାଏ ଏବଂ ଭକ୍ତମାନେ ମାନସିକ ମୁତାବକ ନୈବେଦ୍ୟ ଅର୍ପଣ କରିଥାନ୍ତି।

 

ପୂର୍ବରୁ ଓଳକଣା ଗ୍ରାମ ମୋଗଲବନ୍ଦୀ ଅଚଂଳର ଅନ୍ତଭୁର୍କ୍ତ ଥିଲା ଏବଂ ଅରାଖଣ୍ଡ ଗ୍ରାମ ରାଜଯୋଡ଼ା ଅଚଂଳରେ ରହିଥିଲା। ଡେରାବିଶ ରାଜନଗରଠାରେ ଆଳି ରାଜାଙ୍କ ଦ୍ୱିତୀୟ ରାଜଧାନୀ ଥିଲା। ଏହା ଅଧୀନରେ ଅରାଖଣ୍ଡ ଶାସନାଧୀନ ଥିଲା। ଏହି ମେଲଣ ଯାତ୍ରା ଦ୍ୱାପର ଯୁଗରୁ ଅନୁଷ୍ଠିତ ହୋଇଆସୁଥିଲେ ମଧ୍ୟ ଏହା ମୋଗଲବନ୍ଦୀ ଓ ରାଜଯୋଡ଼ା ଅଚଂଳର ସୀମାରେ ଥିବାରୁ ଆଳିର ସୂର୍ଯ୍ୟବଂଶୀ ରାଜା ଏହି ଦୁଇ ଶାସନାଧୀନ ଅଚଂଳରେ ଭାଇଚାରାର ରକ୍ଷା ପାଇଁ ଓଳକଣା ମେଲଣକୁ ପୃଷ୍ଠପୋଷକତା କରିଆସୁଥିଲେ। ମେଲଣ ପଡ଼ିଆରେ ସୁସଜ୍ଜିତ ମଣ୍ଡପ ତଳେ ନୀଳକଣ୍ଠପୁର(୨) ମୌଜା ସ୍ଥାନରେ ଆଳିରାଜାଙ୍କ ବିମାନ ଆସ୍ଥାନ ଗ୍ରହଣ କରିଥାନ୍ତି ଏବଂ ଏହି ଏକମାତ୍ର ବିମାନ ଉପରେ ଚନ୍ଦ୍ରାତପ ଟଙ୍ଗା ଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ଆଗରେ ଏକ ଧାନକଳସୀ ସ୍ଥାପନ କରାଯାଇଥାଏ। ବିଶ୍ୱାସ କରାଯାଏ- ଏହି ଧାନକଳସୀରୁ ଧାନ ନେଇ ନିଜ ଅମାରରେ ପକାଇଲେ, ଧନଧାନ୍ୟରେ ତାହା ପୂର୍ଣ୍ଣ ହୋଇଥାଏ। ମୋଗଲବନ୍ଦୀ ଅଂଶରେ ପ୍ରଥମେ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ବିମାନ ଆସନ ଗ୍ରହଣ କରିବା ପରେ ଅନ୍ୟ ବିମାନଗୁଡ଼ିକ ଆସନ ଗ୍ରହଣ କରିଥାନ୍ତି। ମୋଗଲବନ୍ଦୀ ଇଲାକାରେ ଭଦ୍ରେଶ୍ୱର ଓ ପୋଡ଼ାମରାଇ ମଠର ବିମାନ ଦୁଇଟିକୁ ମଧ୍ୟ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଥାଏ।

 

ମେଲଣର ଅଧିପତି ଶ୍ରୀ ବୀରଭଦ୍ରେଶ୍ୱର

 

ଓଳକଣା ମେଲଣ ପଡ଼ିଆର କ୍ଷେତ୍ରାଧିପତି ହେଉଛନ୍ତି ଭଦ୍ରେଶ୍ୱର ଗ୍ରାମର ଶ୍ରୀ ବୀରଭଦ୍ରେଶ୍ୱର ଦେବ। ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱର ବିମାନ ପାଇଁ ଏକ ନିର୍ଦ୍ଦିଷ୍ଟ ବିଧିମୁତାବକ ଫାଲ‌୍‍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ପୂର୍ବଦିନ ପୂଜକ ସନ୍ଧ୍ୟା କାଳରେ ଆରତୀ ଅର୍ପଣ ପୂର୍ବକ ଭଦ୍ରେଶ୍ୱରଙ୍କ ଉପରେ ଆଜ୍ଞାମାଳ ଚଢ଼ାଇଥାନ୍ତି। ଆଜ୍ଞାମାଳ ରାତ୍ରର ବିଳମ୍ୱ ପ୍ରହରରେ ଖସିବା ପରେ ରାଧାକୃଷ୍ଣ ବିଗ୍ରହ ସହିତ ଶିବଶକ୍ତି (ହର) ମେଲଣ ପଡ଼ିଆକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି। ବିମାନରେ ଆଜ୍ଞାମାଳ ମଧ୍ୟ ଆସିଥାଏ। ପ୍ରତି ବିମାନରେ ଶିବଶକ୍ତି ଆସିଥାନ୍ତି। ଶିବଶକ୍ତି ଅର୍ଥାତ‌୍‍ ଚୂଳମାଳ ଆସିଥାଏ। ଏହି  ତୁଳସୀମାଳରେ ଫୁଲ, ଚୁଆ, ବେଲପତ୍ରୀ ଓ ତମ୍ୱା ନିର୍ମିତ ସର୍ପ ରହିଥାନ୍ତି। ଭଦ୍ରେଶ୍ୱରଙ୍କ ବିମାନ ସହିତ ୧୦୮ଟି ଘଂଟ ଓ ଦୁଇଟି ଦୀପ ଆସିଥାଏ। ୧୦୮ଟି ଘଂଟକୁ ୧୦୮ ଜଣ ଭକ୍ତ ନିନାଦ କଲେ ଅପୂର୍ବ ରୋମାଂଚ ସୃଷ୍ଟି ହୋଇଥାଏ। ଭଦ୍ରେଶ୍ୱରଙ୍କ ୧୦୮ ଜଣ ଘଂଟପାଟିଆ ମେଲଣର ଅନ୍ୟତମ ବିଶେଷ ଆକର୍ଷଣ। ପୂର୍ବରୁ ୧୦୮ ଘଂଟ ସହିତ ୧୦୮ଟି ବତୀ ମଧ୍ୟ ଆସୁଥିଲା। ଭଦ୍ରେଶ୍ୱରଠାରେ ଥିବା ପୁରାତନ ଶିବ ମନ୍ଦିରରେ ଥିବା ବାସୁଆ ବଳଦ ବେକରେ ମଧ୍ୟ ୧୦୮ଟି ଘଂଟି ରହିଥିବା କଥା ଲକ୍ଷ୍ୟ କରାଯାଇଛି।

 

ମେଲଣ ପଡ଼ିଆକୁ ଦକ୍ଷିଣ ଦିଗରୁ ଭଦ୍ରେଶ୍ୱର ବିମାନ ପ୍ରବେଶ କରି ଆସ୍ଥାନ ଗ୍ରହଣ କରିବା ପରେ ବିମାନ ନିକଟରେ ଗୋଟିଏ ମଶାଲ ରଖାଯାଏ। ୧୦୮ଟି ଘଂଟବାଦ୍ୟ ସହିତ ଅନ୍ୟ ମଶାଲଟି ଚୂଆମାଳ ସହିତ ପଟୁଆରରେ ଉତ୍ତର ଦିଗରେ ଥିିବା ବିଦୂର ପୋଖରୀ ନିକଟସ୍ଥ ବିଦୂର ମନ୍ଦିର ନିକଟକୁ ଯାଇଥାଏ। ଏଠାରେ ସୂଚନାଯୋଗ୍ୟ ଯେ, ଫଗୁ ଶୁକ୍ଳ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ପୁରାଣ ବର୍ଣ୍ଣିତ ରୀତିରେ ବିଦୂରଙ୍କ ନିକଟରେ ଶାଗଭାତ ମଧ୍ୟ ନୈବେଦ୍ୟ ଅର୍ପଣ କରାଯାଇଥାଏ।

 

ବ୍ରାହ୍ମ ମୁହୂର୍ତ୍ତରେ, ୧୦୮ ଜଣ ଘଂଟବାଦକ ପ୍ରଥମେ ବିଦୂର ମନ୍ଦିର ନିକଟରେ ପ୍ରଥମ ଘଂଟବାଦ୍ୟ ଆରମ୍ଭ କରିଥାନ୍ତି। ପଡ଼ିଆରେ ସମବେତ ସହସ୍ରାଧିକ ନରନାରୀଙ୍କ ଦେହରେ ଅପୂର୍ବ ଚମକ ସୃଷ୍ଟି ହୁଏ। ଏହାପରେ ଦ୍ୱିତୀୟ ଘଂଟନାଦ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଆହ୍ଲାଦିତ କରିଥାଏ। ଏହାପରେ ଆସେ ଅନ୍ତିମ ଘଂଟନାଦ। ଭକ୍ତଜନଙ୍କ ମନରେ ଉଦ‌୍‍ବେଳନ ସୃଷ୍ଟି ହୁଏ। ତୃତୀୟ ଘଂଟନାଦ ସହିତ ମହାତ୍ମା ବିଦୂରଙ୍କ ମନ୍ଦିର ସମ୍ମୁଖରେ ବିଦୂର ମନ୍ଦିରର ପୂଜକ ମଙ୍ଗଳ ଆରତୀ ଅର୍ପଣ କରିଥାନ୍ତି। ଏହା ସହିତ ଏକ ସାଙ୍ଗରେ ଭଦ୍ରେଶ୍ୱରଙ୍କ ବିମାନ ସମ୍ମୁଖରେ ମଧ୍ୟ ମଙ୍ଗଳ ଆରତୀ କରାଯାଏ। ଉଭୟ ଆରତୀର ମହାମିଳନ ଘଟେ। ଏହାହିଁ ହୋଇଥାଏ ପୁରାଣ ପ୍ରସିଦ୍ଧ ଓଳକଣା ମେଲଣର ଅନ୍ତିମ ମୁହୂର୍ତ୍ତ। ମେଲଣର କ୍ଷେତ୍ରାଧିପତି ଭଦ୍ରେଶ୍ୱର ବିମାନ ଏହାପରେ ଆସ୍ଥାନରୁ ଉଠିବା ସହିତ ଅନ୍ୟ ବିମାନଗୁଡ଼ିକ ମଧ୍ୟ ପ୍ରସ୍ଥାନ କରିଥାନ୍ତି।

 

ବ୍ରାହ୍ମ ମୁହୂର୍ତ୍ତରେ ହରି ଓ ହରଙ୍କର ମହାମିଳନ ଓଳକଣା ମେଳଣର ପରମ ବୈଶିଷ୍ଟ୍ୟ। ଭକ୍ତଗଣ ବ୍ରାହ୍ମ ମୁହୂର୍ତ୍ତରେ ଶୈବ ଓ ବୈଷ୍ଣବ ସଂସ୍କୃତିର ଯେଉଁ ଅପୂର୍ବ ସମନ୍ୱୟ ସନ୍ଦର୍ଶନ କରନ୍ତି ତାହାଦ୍ୱାରା ପରମାନନ୍ଦ ପ୍ରାପ୍ତ ହୋଇଥାନ୍ତି। ଇତିହାସ ଓ ପୁରାଣ ପୃଷ୍ଠାରେ ମହିମାନ୍ୱିତ ଏହି ସୁପ୍ରସିଦ୍ଧ ପୀଠର ଉନ୍ନତି କରାଯିବା ସହିତ ମେଲଣ ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଗରିମାମୟ କରାଯିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି।

 

ସଦସ୍ୟ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ

ପଲାଇ (ବାଲିଚନ୍ଦ୍ରପୁର), ଯାଜପୁର-୭୫୪୨୦୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top