ନୂତନ ପ୍ରୟାସ କଳିଙ୍ଗ ଫେଲୋସିପ‍୍‌

News Story - Posted on 2017-03-06

କଳିଙ୍ଗ ଫେଲୋସିପ‍୍‌ ପକ୍ଷରୁ ଓଡ଼ିଶାରେ ମହିଳାଙ୍କୁ ଯୌନ ନିର୍ଯାତନାର ସଂପୂର୍ଣ୍ଣ ବିଲୋପ ଲକ୍ଷ୍ୟରେ ଏକ ପାଞ୍ଚ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଏଦିଗରେ କଳିଙ୍ଗ ଫେଲୋସିପ‍୍‌ ହେଉଛି ଏକ ଅଭିନବ ପ୍ରୟାସ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌) ମାଧ୍ୟମରେ ବ୍ରିଜ୍‌ ଏଫ୍ଏକ୍ସବି ଇଣ୍ଡିଆ, ଦାସ‍୍‌ରା, ନୀତି ଫାଉଣ୍ଡେସନ‍୍‌, ଅଶୋକା ଇଣ୍ଡିଆ ଓ ଓଡ଼ିଶା ସରକାର ସହଯୋଗରେ କଳିଙ୍ଗ ଫେଲୋସିପ ହେଉଛି ଏକ ନୂଆ ସୃଷ୍ଟି।

 

ଓଡ଼ିଶାରେ ମହିଳାଙ୍କୁ ଯୌନ ନିର୍ଯାତନାର ସଂପୂର୍ଣ୍ଣ ବିଲୋପ ଲକ୍ଷ୍ୟରେ କଳିଙ୍ଗ ଫେଲୋସିପ ପକ୍ଷରୁ ଏହି କର୍ମଶାଳା କିସ‍୍‌ରେ ମାର୍ଚ୍ଚ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ୪୦ଟି ଦେଶରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ କର୍ପୋରେଟ ଓ ଏନ‍୍‌ଜିଓର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଛନ୍ତି। ଏହା ଛଡ଼ା ଭାରତର ବହୁ ପ୍ରତିଷ୍ଠିତ ଏନ‍୍‌ଜିଓ ଓ କର୍ପୋରେଟ‍୍‌ର ପଦାଧିକାରୀ, ପ୍ରଶାସକ, ବରିଷ୍ଠ ପୋଲିସ‍୍‌ ଅଧିକାରୀ ଓ ଗଣମାଧ୍ୟମର କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି। ୪୦ଟି ଦେଶରୁ ଆପଲ‍୍‌, ଏଚ‍୍‌ଏସ‍୍‌ବିସି, ଗୁଗୁଲ‍୍‌, ମାର୍ସ, ସୋ ଜଷ୍ଟ ଆଡ୍ ୱାଟର‍୍‌, ଡେଣ୍ଟସୁ ଏଜିସ‍୍‌ ଆଦି ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀ, ବ୍ରିଜ୍‌ ଓ ପିଅର‍୍‌ସନ‍୍‌ ଆଦି ପ୍ରତିଷ୍ଠିତ ଏନ‍୍‌ଜିଓରେ କାର୍ଯ୍ୟ କରୁଥିବା ବରିଷ୍ଠ କର୍ମକର୍ତ୍ତା ଏହି କର୍ମଶାଳାରେ ମେଣ୍ଟର ଭାବେ କାର୍ଯ୍ୟ କରିବେ। ସେମାନେ କର୍ମଶାଳାରେ ଯୋଗଦେଇଥିବା ଭାରତର ପ୍ରତିଷ୍ଠିତ ଏନ‍୍‌ଜିଓ ଓ କର୍ପୋରେଟ‍୍‌ ପଦାଧିକାରୀ, ପ୍ରଶାସକ, ପୋଲିସ‍୍‌ ଅଧିକାରୀ ଓ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବେ।

 

ଏକ ସାମାଜିକ ସମସ୍ୟା ସମାଧାନ ଦିଗରେ ଆନ୍ତର୍ଜାତିକସ୍ତରର କର୍ପୋରେଟ‍୍‌, ମେଡିଆ ହାଉସ‍୍‌ ଓ ଏନ‍୍‌ଜିଓ କର୍ମକର୍ତ୍ତା ଏବଂ ଭାରତର ପ୍ରତିଷ୍ଠିତ ଏନ‍୍‌ଜିଓ, କର୍ପୋରେଟ, ଏନ‍୍‌ଜିଓ, ପ୍ରଶାସକ, ପୋଲିସ‍୍‌ ଅଫିସର ଏବଂ ଗଣମାଧ୍ୟମର କର୍ମକର୍ତ୍ତା ଏକାଠି ହୋଇ ନୀତି ନିର୍ଦ୍ଧାରଣ କରିବା ସହ ଏହାର ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଏପରି ଏକ କର୍ମଶାଳା ଆୟୋଜନ ଅନନ୍ୟ ବୋଲି କୁହାଯାଉଛି। ଏମାନେ ସମସ୍ତେ କଳିଙ୍ଗ ଫେଲୋ ଭାବେ ପରିଗଣିତ ହେବେ। ୫ ଦିନିଆ ଏହି କର୍ମଶାଳାରେ ଗୋଷ୍ଠୀଗତ ଆଲୋଚନାରେ ମେଣ୍ଟରମାନେ ଅଂଶଗ୍ରହଣକାରୀଙ୍କୁ ନେତୃତ୍ୱ ନେବା, ନୀତି ନିର୍ଦ୍ଧାରଣ କରିବା, କାର୍ଯ୍ୟାନ୍ୱୟ ସ୍ଥିର କରିବା ସହ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ମାର୍ଗଦର୍ଶନ ଦେବେ। ଏହାଛଡ଼ା ଜଣେ ଲେଖାଏଁ ମେଣ୍ଟର ଓ ଜଣେ ଲେଖାଏଁ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଏକକ ଆଲୋଚନା କରିବେ। ମେଣ୍ଟରମାନେ ବର୍ଷବ୍ୟାପୀ ଅଂଶଗ୍ରହଣକାରୀଙ୍କ ସହ ଯୋଗାଯୋଗରେ ରହିବା ସହ ସେମାନଙ୍କୁ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ନେଇ ମାର୍ଗ ଦର୍ଶନ କରିଆସିବେ।

 

କିସ‍୍‌ ଓ କିଟ‍୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଯୋଗୁଁ କଳିଙ୍ଗ ଫେଲୋସିପ‍୍‌ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ଏଠାରେ ସୂଚନାଯୋଗ୍ୟ, ବ୍ରିଜ୍‌ ଫାଉଣ୍ଡେସନ‍୍‌ ହେଉଛି ଏକ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଏନ‍୍‌ଜିଓ ଯାହାକି ନେତୃତ୍ୱ ନେବା, ଦକ୍ଷ ଟିମ‍୍‌ ତିଆରି କରିବା, ଆନୁଷ୍ଠାନିକ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବା ଏବଂ ବିଭିନ୍ନ ଯୋଜନା ପାଇଁ ନୀତି ପ୍ରସ୍ତୁତ କରିବାରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ। ଏଫ୍ଏକ୍ସବି ଇଣ୍ଡିଆ ହେଉଛି ଭାରତରେ କାମ କରୁଥିିବା ଏକ ଏନ‍୍‌ଜିଓ ଯାହାକି ଅବହେଳିତ ଶିଶୁ, ପରିବାର ଓ ଗୋଷ୍ଠୀ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ଶିକ୍ଷା ଓ ସାମାଜିକ ନିରାପତ୍ତା ଦିଗରେ କାର୍ଯ୍ୟ କରିଥାଏ। ଦାସ‍୍‌ରା ହେଉଛି ମୁମ୍ୱାଇରେ ଅବସ୍ଥାପିତ ଏକ ପ୍ରତିଷ୍ଠିତ େସ୍ୱଚ୍ଛାସେବୀ ଅନୁଷ୍ଠାନ ଯାହାକି ୟୁଏସ‍୍‌ଏ ବିଲ‍୍‌ ଓ ମିଲିନ୍ଦା ଗେଟ‍୍‌ସ ଫାଉଣ୍ଡେସନ‍୍‌ ଓ ପିରାମଲ‍୍‌ ଫାଉଣ୍ଡେସନ‍୍‌ ପ୍ରୋତ୍ସାହନରେ ଚାଲୁଛି। ଏହି େସ୍ୱଚ୍ଛାସେବୀ ଅନୁଷ୍ଠାନ ପରିମଳ, ଶାସନ ବ୍ୟବସ୍ଥା, ପ୍ରାପ୍ତବୟସ୍କା ଯୁବତୀ ଆଦି କ୍ଷେତ୍ରରେ କାର୍ଯ୍ୟ କରିଥାଏ। ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀ ଓ ସରକାରୀ ଅନୁଷ୍ଠାନ ସହ ବ୍ରିଜ୍‌ କାର୍ଯ୍ୟ କରିଆସୁଛି।

 

କଳିଙ୍ଗ ଫେଲୋସିପ‍୍‌ ଜରିଆରେ ତାଲିମ‍୍‌ ପାଇଥିବା କର୍ପୋରେଟ, ଏନ‍୍‌ଜିଓର ପଦାଧିକାରୀ, ପ୍ରଶାସକ ଓ ବରିଷ୍ଠ ପୋଲିସ‍୍‌ ଅଧିକାରୀ, ଗଣମାଧ୍ୟମର କର୍ମକର୍ତ୍ତା ସ୍ୱ ସ୍ୱ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଭିତ୍ତିରେ ମହିଳାମାନଙ୍କ ଉପରେ ଯୌନ ଅତ୍ୟାଚାର ନିରାକରଣ ଓ ସଂପୂର୍ଣ୍ଣ ବିଲୋପ ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟକ୍ରମକୁ ହାତକୁ ନେବେ। ଏହି କର୍ମଶାଳାରେ ସ୍ଥିର ହୋଇଥିବା ନୀତି ଓ କାର୍ଯ୍ୟକ୍ରମକୁ ଅନ୍ୟାନ୍ୟ ଦେଶରେ ମହିଳାମାନଙ୍କୁ ଯୌନ ଶୋଷଣର ନିରାକରଣ ଦିଗରେ ମଡେଲ‍୍‌ ଭାବେ କାର୍ଯ୍ୟକାରୀ କରାଯିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top