ବିଜୁଙ୍କୁ ଦିଅ ସମ୍ମାନ,  ନିଷିଦ୍ଧ କର ନିଶାପାନ!

News Story - Posted on 2017-03-06

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ଜଣାଇବା ପାଇଁ ଥିବା ଅବସରକୁ ରାଜ୍ୟ ସରକାର ହାତଛଡ଼ା କରିଛନ୍ତି। ଅନୁଭବୀ ନେତା ବିଜୁ ପଟ୍ଟନାୟକଙ୍କ ନାମରେ ଗଢ଼ା ଯାଇଥିବା ବିଜୁ ଜନତା ଦଳ ଓଡ଼ିଶାରେ ଦୀର୍ଘଦିନ ଧରି ଶାସନ କ୍ଷମତାରେ ଥିବା ବେଳେ ବିଜୁବାବୁଙ୍କ କଥା ଓ କାମକୁ ସାକାର କରିବା ପାଇଁ ଅନ୍ତତଃପକ୍ଷେ ତାଙ୍କ ଜନ୍ମ ଶତବାର୍ଷିକୀରେ ଓଡ଼ିଶାକୁ ବିହାର ଭଳି ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିପାରିଥାନ୍ତେ ଓ ବିଜୁବାବୁଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ଯେଉଁ ଶିଳ୍ପସବୁ ବର୍ତ୍ତମାନର ସରକାର ଅମଳରେ ବନ୍ଦ ହୋଇଯାଇଛି ତାହାକୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରି ବିଜୁବାବୁଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ବାସ୍ତବ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ରାଜ୍ୟ ସରକାର ଅର୍ପଣ କରିପାରିଥାନ୍ତେ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହଲାଦ କୁମାର ସିଂହ କହିଛନ୍ତି।

 

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଅବସରରେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବହୁ ମନ୍ତ୍ରୀ ଏବଂ ଶତବାର୍ଷିକୀ ପାଳନ କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଶ୍ରୀ ସିଂହ ଅନେକଥର ଅନୁରୋଧ କରିଛନ୍ତି। କିନ୍ତୁ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବାରମ୍ବାର ଧ୍ବନି ଦିଆଯାଉଥିଲେ ମଧ୍ୟ ସେ ଯେଉଁ କାମ ଆରମ୍ଭ କରିଥିଲେ ଓଡ଼ିଶା ସରକାର ତାହାର ବିପରୀତ ଦିଗରେ ଯାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

 

ନବେ ଦଶକରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଘଟିଥିବା କଟକର ମର୍ମନ୍ତୁଦ ମଦମୃତ୍ୟୁ ଦୁର୍ଘଟଣା ପରେ ମହିଳା ସଂଗଠନର ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରି ରାଜ୍ୟରେ ମହୁଲି ଓ ଦେଶୀ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ବିଦେଶୀ ମଦ କାରବାର ଉପରେ ନିୟନ୍ତ୍ରଣ ଜାରି କରିଥିଲେ। କିନ୍ତୁ ଏବେ ବିଜୁବାବୁଙ୍କ କଥା ଓ କାମକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ଓଡ଼ିଶାରେ ଦେଶୀ, ବିଦେଶୀ ଓ ମହୁଲି ମଦର ବନ୍ୟା ଛୁଟୁଛି। ସେତେବେଳେ ବିଜୁବାବୁ ମହିଳାମାନଙ୍କୁ ମଦ ବିରୋଧରେ ଆନ୍ଦୋଳନ କରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଏବେ ମଦ ବେପାରୀଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏହା ଫଳରେ ରାଜ୍ୟରେ ଅନଗ୍ରସରତା, ଦାରିଦ୍ର୍ୟ, ରୋଗବ୍ୟାଧି, ଦୁର୍ଘଟଣା, ଆଇନ୍ ଶୃଙ୍ଖଳା ପରିସ୍ଥିତି, ନାରୀ ଓ ଶିଶୁ ନିର୍ଯାତନା, ଅପରାଧ ସମେତ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଗୁରୁତର ବିଭ୍ରାଟ ସୃଷ୍ଟି ହେଉଛି।

 

ବିଜୁବାବୁ ଗଁାକୁ କାମ ଓ ମା’କୁ ସମ୍ମାନ କଥା କହୁଥିବା ବେଳେ ଏବେ ଓଡ଼ିଶାରେ ଗଁାଗୁଡ଼ିକ ପରମୁଖାପେକ୍ଷୀ ହୋଇଯାଉଛି ଏବଂ ମାତୃଜାତିକୁ ସମ୍ମାନ ପରିବେର୍ତ୍ତ ମହିଳାଙ୍କ ପ୍ରତି ହିଂସା ଓ ବିଭିନ୍ନ ଅପରାଧ ବଢ଼ୁଛି। ଏମିତିିକି ଏଭଳି ମାମଲାରେ ଦଣ୍ଡବିଧାନର ହାର 15 ପ୍ରତିଶତ ବି ହେଉନାହିଁ।

 

ସେହିପରି ଷାଠିଏ ଦଶକରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗ୍ରାମ୍ୟ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶାରେ ପଞ୍ଚାୟତ ଶିଳ୍ପ ସ୍ଥାପନ କରିଥିଲେ। ଏବେ ପ୍ରାୟ ସବୁ ପଞ୍ଚାୟତ ଶିଳ୍ପ ବନ୍ଦ ହୋଇପଡ଼ିଛି। ଏହାର ପୁନରୁଦ୍ଧାର କରାଯାଉନାହିଁ। ସେହିପରି ବିଜୁବାବୁଙ୍କ ହାତଗଢ଼ା ଚୌଦ୍ବାରର ଓଟିଏମ୍ ଓ ବଡ଼ବିଲ୍ର କଳିଙ୍ଗ ଲୁହା କାରଖାନା ବର୍ତ୍ତମାନର ସରକାର ଅମଳରେ ବନ୍ଦ ହୋଇଯାଇଥିବା ବେଳେ ତାହାକୁ ଶତବାର୍ଷିକୀ ଅବସରରେ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରାଯିବାର ସୁଯୋଗକୁ ବି ସରକାର ହାତଛଡ଼ା କରିଛନ୍ତି। ଅନ୍ତତଃପକ୍ଷେ ଶୁଖିଲା ଶ୍ରଦ୍ଧାଞ୍ଜଳି ନ ଜଣାଇ ସୀମିତ ସମୟ ମଧ୍ୟରେ ବିଜୁବାବୁଙ୍କ ଏହି କାମକୁ ରାଜ୍ୟ ସରକାର ସାକାର କରିବା ଲାଗି ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top