ଯେତେ ମଣିଷ ସେତେ ଉପନ୍ୟାସ!

News Story - Posted on 2017-03-02

 ମାୟାଧର ନାୟକ

 

ଯେତେ ଜୀବନ, ସେତେ ଉପନ୍ୟାସ! ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।

 

ସବୁ ସତ୍ତ୍ୱେ ଓଡ଼ିଆ ଭାଷାରେ ଏବେ ଉପନ୍ୟାସ ରଚନା ଏକ ସଂକଟାପନ୍ନ ସ୍ଥିତିରେ ଗତି କରୁଛି ବୋଲି ମାନିନେବାକୁ ପଡ଼ିବ। ଏହା ପଛରେ ଯେଉଁ କାରଣଟିକୁ ସବୁଠୁ ବଡ଼ ମନେ କରାଯାଉଛି, ତାହା ହେଲା ଆଜିର ଦ୍ରୁତ ଜୀବନଧାରା। ଏଭଳି ଏକ ସମୟରେ ଆମେ ପହଞ୍ଚିସାରିଛେ, ଯେଉଁ ସମୟରେ କେହି କାହା କଥା ଶୁଣିବାକୁ ବେଳ ନାହିଁ। ଡାକ୍ତରଙ୍କ କ୍ଲିନିକ‌୍‍ ଆଗରେ ଲମ୍ୱା ଲାଇନ‌୍‍। ଲାଇନ‌୍‍ର ସବାଶେଷ ରୋଗୀଟି ଅଥୟ ଅସ୍ଥିର ଭାବରେ ଆଗକୁ ଉଙ୍କି ମାରିଲାବେଳକୁ ଦେଖିପାରୁଛି ଯେ େୱଟିଂରୁମ‌୍‍ ବି ଭର୍ତ୍ତି। ତାପରେ ସମୟ ପୂରିଯାଉଛି। ଡାକ୍ତରଙ୍କୁ ଆଉ ତର ନାହିଁ। ପୁଣି ତହିଁ ଆରଦିନର ଅପେକ୍ଷା ପାଇଁ ପ୍ରସ୍ତୁତ ରହି ଡାକ୍ତରଙ୍କୁ ଭେଟିପାରି ନଥିବା ରୋଗୀଏ ଘରମୁହାଁ ହେଉଛନ୍ତି। ଦ୍ରୁତ ଜୀବନଧାରାର ଏହା ହେଉଛି ଗୋଟିଏ ମାତ୍ର ଦୃଶ୍ୟର ଝଲକ। ଆହୁରି ଅଜସ୍ର ନମୁନା ତ ରହିଛି।

 

କହିବାର କଥା ହେଉଛି, ବର୍ତ୍ତମାନ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉପନ୍ୟାସ ହେଉଛି ସେଇ ଲମ୍ୱା ଲାଇନ‌୍‍ର ସବାଶେଷ ରୋଗୀଟି। ଡାକ୍ତର ରୂପକ ଜଣେ ବିଶ୍ୱସନୀୟ ଲେଖକଙ୍କୁ ଭେଟି ନ ପାରିଥିବା ଯାଏଁ ସେ ଏମିତି ଗଣୁଥିବ ଅପେକ୍ଷାର ଦିନ। ସେତିକି ଦିନ ଯାଏଁ ଖୋଲାଖୋଲି ନିଜ ସୁସ୍ଥ ଅସ୍ତିତ୍ୱକୁ ଜାହିର‌୍‍ କରିବା ତାର ଇଚ୍ଛାବହିର୍ଭୂତ ବ୍ୟାପାର।

 

ଲେଖକ ଓ ଉପନ୍ୟାସ ପ୍ରସଙ୍ଗ ଅବତାରଣା କରୁକରୁ ଡାକ୍ତର ଓ ରୋଗୀ ଉପମା ଉଲ୍ଲେଖ କରାଯିବା ପଛରେ ତାତ୍ପର୍ଯ୍ୟଟିଏ ରହିଛି। ଜଣେ ରୋଗୀ କ’ଣ କେବଳ ଔଷଧ ଦ୍ୱାରା ଆରୋଗ୍ୟ ଲାଭ କରେ ? ଆରୋଗ୍ୟ ହେବାର ରହସ୍ୟ ମୂଳରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥାକୁ ଏଡାଇ ଦେଇ ହୁଏନା। ପ୍ରଥମ କଥା, ରୋଗୀର ବେଦନାକୁ ବୁଝିବାର ଧ୍ୟାନସ୍ଥ ଧାରଣା; ଦ୍ୱିତୀୟ କଥା, ରୋଗୀ ପ୍ରତି ଡାକ୍ତରଙ୍କ ସଚ୍ଚା ସଂବେଦନା। ଏହି ବେଦନା ଓ ସଂବେଦନା ସାହିତ୍ୟ ପାଇଁ ମଧ୍ୟ ଜରୁରୀ। ଜଣେ ସଚ୍ଚା ଲେଖକ ହେଉଛି ଠିକ‌୍‍ ସଚ୍ଚା ଡାକ୍ତର ପରି। ରୁଗ‌୍‍ଣ, ରିକ୍ତ, ରକ୍ତାକ୍ତ, ନିଃସହାୟ, ନିରାଶ୍ରିତ, ନିର୍ଯାତିତ ଜୀବନକୁ ସେ ସମୟର ଦ୍ରୁତ ଗତିଧାରା ଓ ଚଳମାନ‌୍‍ ମୁହୂର୍ତ୍ତର ଦ୍ୱାହିଦେଇ କେବେ ନିଜ ଅନ୍ତର୍ଦୃଷ୍ଟିରୁ ଏଡାଇ ଯାଇପାରେନା। ବେଦନାକ୍ଳିଷ୍ଟ ଜୀବନ ପ୍ରତି ସେ ହୁଏ ସଂବେଦନଶୀଳ। ଜୀବନକୁ ଗୀତଟିଏ, କବିତାଟିଏ, ଗପଟିଏ କି ନାଟକଟିଏରେ ସାରି ନ ଦେଇ ଶେଷ ପର୍ଯ୍ୟନ୍ତ ସେ ଅପେକ୍ଷା କରେ - କେତେବେଳେ ଜୀବନଟିଏ ତା’ କଲମରୁ ଉପନ୍ୟାସର ଅବତାର ନେଇ ଉଭା ହେବ ସାମ୍ନାରେ ଆସି। ବଜାର ପାଇଁ ଲେଖୁଥିବା ଔପନ୍ୟାସିକମାନଙ୍କ ଶ୍ରେଣୀକକ୍ଷରୁ ସେଥିପାଇଁ ବରାବର ଜଣେ ସଚ୍ଚା ଲେଖକ ଛିଡ଼ା ହୋଇଥାଏ ବାହାରେ, ବହୁ ଦୂରରେ।

 

ଆଗ ପରି ଏବେ ଆଉ ଉପନ୍ୟାସ ଲେଖା ହେଉନାହିଁ। ଚରିତ୍ରମାନେ କ’ଣ କୁଆଡେ଼ ଛୁଟିଦିନ କଟାଇବାରେ ବ୍ୟସ୍ତ ନା ଘଟଣାସବୁ ଗର‌୍‍ହାଜିର‌୍‍? ହଁ, ପରିବେଶରେ ଅବଶ୍ୟ ଅନେକଟା ଅଦଳବଦଳ। ମେସିନ‌୍‍ ବିସ୍ଥାପିତ କରିଛି ମଣିଷକୁ - ତା’ ନିଜ ମନ-ପ୍ରାଣ-ଆତ୍ମାର ଏକଦା-ଅନ୍ତରଙ୍ଗ ଇଲାକାରୁ। ଶିଳ୍ପପ୍ରସାଧିତ ସଭ୍ୟତା ଆଜି କଳାକନା ବୁଲାଇସାରିଛି କୃଷିଭିତ୍ତିକ ସଂସ୍କୃତି ଓ ମୂଲ୍ୟବୋଧର ଯୌଥ ଜୀବନକ୍ଷେତ୍ରରେ। ବହିଃପ୍ରକୃତିର ବିକୃତୀକରଣ ପାଛୋଟି ଆଣିଛି ପ୍ରଦୂଷଣ, ଯାହାର ପ୍ରତୀକ କଳାଧୂଆଁ - ଅନ୍ତଃପ୍ରକୃତିର ଉଚ୍ଛେଦୀକରଣ ଡାକିଆଣିଚି ବିସ୍ଫୋରିତ ସାମାଜିକ ବ୍ୟବଧାନ, ଯାହାର ସଂକେତ କଳାଧନ। ବ୍ୟବସ୍ଥାକୁ ବଦଳାଇବାର ଆସ୍ଥା ଯେଉଁମାନଙ୍କ ଉପରେ, ସେଇ ଯୁବପିଢ଼ି ଆଜି ଚକ୍ରବ୍ୟୂହସ୍ଥ ଅଭିମନ୍ୟୁର ଦଳ - ମତଲବୀ ମହାରଥୀମାନଙ୍କ ମଇଦାନ ମଝିରେ !

 

ଯେତେବେଳେ କୁରୁକ୍ଷେତ୍ର ପାଲଟିଯାଇଥିଲା ଯୁଦ୍ଧକ୍ଷେତ୍ର, ସେତେବେଳେ ମହାଭାରତ ଲେଖାଯାଇପାରିଥିଲା। ଏହି ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିବାର ପ୍ରେରଣା ଦେଇଥିଲା ଏ ମହାକାବ୍ୟ। ଅଥଚ ତା’ଠାରୁ ଆହୁରି ଭୟାବହ ଏକ ପରିବେଶ ସଂପ୍ରତି ସୃଷ୍ଟି ହୋଇସାରିଥିଲେ ହେଁ ଉପନ୍ୟାସର ଯୁଗାନ୍ତର କାହିଁକି ଏବେ ମଧ୍ୟ ଏକ ପ୍ରଶ୍ନବାଚୀ ?

 

କ’ଣ ସମୟ ନାହିଁ ?

 

ଓଡ଼ିଆ ସାହିତ୍ୟର ଜଣେ ଯଶସ୍ୱୀ କଥାକାର ବି ‘ସମୟ ନାହିଁ’ ଶୀଷର୍କରେ ଲେଖିଛନ୍ତି ଆତ୍ମଚରିତ। ଶୁଣାଯାଏ, ତାଙ୍କ ଶେଷଜୀବନରେ କୌଣସି ଦୁରାରୋଗ୍ୟ ବ୍ୟାଧିର କବଳିତ ହୋଇଥିଲେ ହେଁ ଦୃଢ଼ ମନୋବଳ ନେଇ ସେ ସାରିଦେଇ ପାରିଥିଲେ ଶେଷ ବହିଟିକୁ । ସେ ଜାଣିଥିଲେ ଯେ ତାଙ୍କର ଆଉ ସମୟ ନ ଥିଲା, ସେଥିପାଇଁ ଆତ୍ମଚରିତର ନାମକରଣ କରିଥିଲେ - ‘ସମୟ ନାହିଁ’ !

 

ଆମ ପାଠକମାନଙ୍କର ପଢ଼ିବା ପାଇଁ ସମୟ ଥାଉ କି ନ ଥାଉ, କିନ୍ତୁ ଆମ ଲେଖକମାନଙ୍କର କ’ଣ ଲେଖିବା ପାଇଁ ସମୟ ନାହିଁ ? ଗୀତ, କବିତା, ଗପ, ନାଟକ, ନିବନ୍ଧ, ପାଠ୍ୟପୁସ୍ତକ ଲେଖିବା  ପାଇଁ ସମୟ ଅଛି, ହେଲେ ଉପନ୍ୟାସ ଲେଖିବା ପାଇଁ ସମୟ ନାହିଁ ଏବେ ?

 

ଉପନ୍ୟାସ ହେଉଛି ମହାଜୀବନ-ପ୍ରବାହର ମର୍ମାନୁବାଦ ।

 

ଆମ ଭାଷାରେ ବର୍ତ୍ତମାନ ଉପନ୍ୟାସର ଏହି ଅନଟନ ନିଶ୍ଚିତରୂପେ ଏକ ଉଦ‌୍‍ବେଗଜନକ ବିଷୟ। ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିବାର ମାତ୍ର ବର୍ଷେ ପୂରୁ ନ ପୂରୁଣୁ ଯଦି ଏହା ହିଁ ଏବେ ଅବସ୍ଥା, ଆଗକୁ ତା’ହେଲେ ଏକ ଉପନ୍ୟାସହୀନ ସାହିତ୍ୟକୁ ମଂଚ ଆଗରେ ଛିଡ଼ା କରାଇ କି ଆଶା ଆଉ ବାନ୍ଧିବା ଆମେ ?

 

ନୂଆ ଚରିତ୍ର, ନିଆରା ଘଟଣା, ନୁଖୁରା ପରିବେଶ - ଉପନ୍ୟାସର ଯୁଗାନ୍ତର ପାଇଁ ଯଥାର୍ଥରେ ଗୋଟିଏ ଗୋଟିଏ ଅନ୍ତର୍ଭେଦୀ ଆହ୍ୱାନ ନୁହେଁ କି ?

 

ସମୟ ଥିଲା, ସମୟ ଅଛି, ସମୟ ଥିବ। ନ ଥିବ ବୟସ, ନ ଥିବ କୃଷ୍ଣକେଶ, ନ ଥିବ ସୁଖଦୁଃଖରେ ସମଭାଗୀ ନିହାତି ନିକଟର ମଣିଷ। ଥିବ ନିରବଧି କାଳ, ନ ଥିବ କିନ୍ତୁ ଭାବି ବସିଥିବାକୁ ଆଉ ଘଡ଼ିଏ ବେଳ - ଜୀବନର ଗୁଡ଼ିଏ ଗୁମର ଭିତରୁ ଏମିତି ଗୋଟିଏ ଯୋଡ଼ିଏ କଥା ମନେ ପକାଇଦେଲେ ହିଁ ଯଥେଷ୍ଟ, ଯାହା ଆମକୁ ସୂଚାଇ ଦେଇଥାଏ ହାତଗଣତି କେତୋଟି ଉପନ୍ୟାସ। ସୂଚନା କ’ଣ ଦିଏ କେବଳ? ଦିଏ ଚେତନା, ଦିଏ ପ୍ରେରଣା, ଦିଏ ନବଜୀବନର ନିର୍ଦେଶନା ବି।

 

ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ। ସମସ୍ତେ ପ୍ରେମଚନ୍ଦ‌୍‍ ହୋଇପାରନ୍ତି ନାହିଁ କି ଫକୀରମୋହନ। ସମସ୍ତେ ଶରତଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ। ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ‌୍‍ ଟମ‌୍‍ସ‌୍‍ କ୍ୟାବିନ‌୍‍ ନା କ୍ରାଇମ‌୍‍ ଏଣ୍ଡ‌୍‍ ପନିଶ‌୍‍ମେଣ୍ଟ‌୍‍ ? ମହାନ‌୍‍ ଲେଖକମାନେ ଯେମିତି ସବୁଦେଶର, ମହତ୍ତର କୃତିଗୁଡ଼ିକ ବି ସେମିତି ସବୁ କାଳର। ସମସ୍ତେ ସେମାନେ ବରଣୀୟ। ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ। ସେମାନେ ବଜାରର ହଜାର ଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତଃପୁରୁଷର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ। ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ - ଅନ୍ତତଃ ଏତିକି ମନେ ରହିପାରିଲେ ଭଲ।

 

ଶରତଚନ୍ଦ୍ର କହିଥିଲେ, ‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା।’

 

କେଡେ଼ ବଡ଼ କଥାଟାଏ !

 

ଏଇ ଦୃଷ୍ଟିରୁ କୁହାଯାଇପାରେ, ବୁନ୍ଦାଏ ରକ୍ତରେ ମନର ମଣିଷ ପାଖକୁ ହୁଏତ ଦସ୍ତଖତଟିଏ ପଠାଇଦେଇ ହୁଏ, କିନ୍ତୁ ବୋତଲେ କାଳିରେ ପାଠକପାଠିକାଙ୍କ ହାତପାଆନ୍ତାକୁ ଉପନ୍ୟାସଟିଏ ବଢେଇ ଦେଇହୁଏନା।

 

ସମୟ ଥିଲେ ଯେ ଉପନ୍ୟାସ ଲେଖିଦେଇହେବ, ତା’ ବି ହଲପ‌୍‍ କରି କୁହାଯାଇନପାରେ। ଏ କଥା ମଧ୍ୟ କେବେକେବେ ଶୁଣିବାକୁ ମିଳିଥାଏ ଯେ କୌଣସି ଲେଖକ ଉପନ୍ୟାସଟିଏ ଲେଖିବେ ବୋଲି ଛୁଟି ନେଇ ଘରୁ ଚାଲିଯାଇଛନ୍ତି ବାହାରକୁ। କିନ୍ତୁ କିଛିଦିନ ପରେ ଫେରିଛନ୍ତି ଉପନ୍ୟାସ ବଦଳରେ ଖଣ୍ଡେ ଅସଜଡ଼ା ଭ୍ରମଣ ବୃତ୍ତାନ୍ତ ଲେଖି !

 

ଏମିତି ବି ହୁଏ ।

 

ଲେଖକ ଯାହା ଲେଖିବାକୁ ଲକ୍ଷ୍ୟ ରଖିଥାନ୍ତି, ତା’ ବଦଳରେ ତାଙ୍କୁ ମିଳିଥାଏ ପୃଥକ‌୍‍ ପଦାର୍ଥ। କଲମ୍ୱସ‌୍‍ ଭାରତ ଆବିଷ୍କାରରେ ବାହାରି ଆମେରିକାରେ ପହଞ୍ଚିଗଲା ପରି କଥା ଇଏ।

 

ଶରତଚନ୍ଦ୍ରଙ୍କ ସଂପର୍କରେ ଶୁଣାକଥାଟିଏ ଭାରି ଲୋକପ୍ରିୟ। କରଜଭାରରୁ କିଛିଟା ନିସ୍ତାର ପାଇବା ପାଇଁ ଟଙ୍କା ଦରକାର ଥିଲା ତାଙ୍କର। ପ୍ରକାଶକ ମହୋଦୟ ତାଙ୍କୁ ପ୍ରତିଶ୍ରୁତି ଦେଲେ, ଲୋଡୁଥିବା ଟଙ୍କା ତାଙ୍କ ହାତକୁ ଯିବା ପାଇଁ ଅପେକ୍ଷା କରି ରହିଛି - ହେଲେ ତାଙ୍କଠୁ ଗୋଟିଏ ଉପନ୍ୟାସ ପ୍ରକାଶକ ହାତେଇସାରିଲା ପରେ। ଶରତଚନ୍ଦ୍ର ରାଜି ହେଲେ। ସକାଳୁ ସେ ଗୋଟିଏ ବଖରା ଭିତରେ ରହି ପ୍ରକାଶକଙ୍କ ପାଖରୁ କାଗଜ କଲମ, ଖାଦ୍ୟପାନୀୟ ମଗାଇସାରିବା ପରେ ବାହାରୁ ତାଲା ପକାଇଦେବାକୁ କହିଲେ। ତା’ପରେ କହିଲେ, କାଲି ସକାଳୁ ଆସି କବାଟ ଫିଟାଇବ- ନଭେଲ‌୍‍ଟା ନେଇଯିବ !

 

ଏହି ବିଚିତ୍ରମନା ଲେଖକଙ୍କୁ ପ୍ରକାଶକ କେମିତି ଟିକିଏ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପଛେଇ ପଛେଇ ବଖରା ଭିତରୁ ବାହାରିଆସିଲେ। ମନେମନେ ଭାବୁଥିଲେ, ନିଶାପାଣି ଅଭ୍ୟାସଟା ବୋଧହୁଏ ଏଇମାତ୍ର ତା’ର କାମ ଆରମ୍ଭ କରିଦେଲାଣି - ନ ହେଲେ ରାତାରାତି ନଭେଲ‌୍‍? କ’ଣ ଲେଖକ ନା ଲେଖାକଳ ? ହଉ, ଥରେ ପରୀକ୍ଷା କରିନେଲେ କ୍ଷତି କ’ଣ ?

 

ଭୋର‌୍‍ ବେଳକୁ କବାଟରେ କରାଘାତ। ସାରାରାତି ଉଜାଗର ଶରତଚନ୍ଦ୍ର ଅନ୍ତିମ ଅନୁଚ୍ଛେଦ ଲେଖିସାରିଥିଲେ କି ନାହିଁ ଆମକୁ ଜଣା ନାହିଁ। କିନ୍ତୁ ସେଇ କରାଘାତ ଶୁଣିବା ମାତ୍ରେ ସେ ପୂର୍ଣ୍ଣଚ୍ଛେଦ ପକାଇଦେଲେ ସେଯାବତ ଲେଖାସରିଥିବା ସବାତଳ ବାକ୍ୟଟି ପରେ। ଆଖିରୁ ଖସିପଡ଼ିଲା ଦି’ଟୋପା ଲୁହ - ଯାହା ଟିକିଏ ଝାପ‌୍‍ସା କରିଦେଲା ତଥାକଥିତ ଶେଷବାକ୍ୟଟିକୁ - ଆଉ ସେଇ ଲୁହବତୁରା ବାକ୍ୟ ଉପରେ କଲମଟାକୁ ଦାବିଦେଇ ତା’ ମୂନଟାକୁ ଭାଙ୍ଗିଦେଲେ ମହାନ‌୍‍ ଲେଖକ। ବାସ‌୍‍, ସେଇଠି ଉପନ୍ୟାସ ଶେଷ।

 

ନାଁ ଥିଲା ‘ଦେବଦାସ’। କେବଳ ସେଦିନର ପାଠକ ପିଢ଼ି କାହିଁକି ଆଜିର ଉପନ୍ୟାସପ୍ରିୟ ବିଭିନ୍ନ ଭାଷାର ପାଠକଶ୍ରେଣୀ ପାଖରେ ବି ‘ଦେବଦାସ’ର ଅନୁବାଦ ଏକାନ୍ତ ଆଦରଣୀୟ। କେତେଥର କେତେ ଭାଷାରେ ଖାଲି କ’ଣ ଅନୂଦିତ ହୋଇସାରିଛି ଏ ଉପନ୍ୟାସ, ଅତୀତରୁ ଏଯାବତ ତାର ଚଳଚ୍ଚିତ୍ରିତ ଚେହେରା ପିଢ଼ି ପରେ ପିଢ଼ିକୁ ଭିଡ଼ି ଧରିଛି ଏକ ଚୁମ୍ୱକୀୟ ଆକର୍ଷଣରେ !

 

ଶୁଣାଯାଏ, ଋଣଦାୟଗ୍ରସ୍ତ, ରୁଗ‌୍‍ଣ କଥାକାର ସାଦାତ ହାସନ‌୍‍ ମଣ୍ଟୋ ବି ଖବରକାଗଜ ଅଫିସ‌୍‍କୁ ଯାଇ, ସେଇଠି ଘଡ଼ିଏ ଦି’ଘଡ଼ି ବସିପଡ଼ି ଲେଖିଛନ୍ତି ବହୁ ସ୍ମରଣୀୟ ଗଳ୍ପ। କିଛି କାଟଛାଣ୍ଟ‌୍‍ ନାହିଁ,  ସଂଶୋଧନ ନାହିଁ - ଶେଷରେ କେବଳ ଶୀର୍ଷକଟିଏ ଲେଖିଦେଇ ଛଟା ଅକ୍ଷରରେ ନିଜ ନାଆଁଟା ଦସ୍ତଖତ କରିଦେଲା ପରେ ମୂଳ କପିଟାକୁ ସେଇଠି ବଢେଇଦେଇ ଆସିଛନ୍ତି ସଂପାଦକ ମହୋଦୟମାନଙ୍କୁ ! ଗପ ବିନିମୟରେ ଯାହା ପ୍ରାପ୍ୟ ହସ୍ତଗତ ହୋଇଥାଏ, ମଣ୍ଟୋଙ୍କର ଗୋଟିଏ ସନ୍ଧ୍ୟାର ମଦ୍ୟପାନ ପାଇଁ ତାହା ଯଥେଷ୍ଟ।

 

ସେ ଦିନସବୁ ଥିଲା କଥାସାହିତ୍ୟର ଉଜ୍ଜ୍ୱଳ ଫାଲ‌୍‍ଗୁନ।

 

ସେଇଭଳି ମହାନ‌୍‍ ଲେଖକ ଏବେ ଆଉ ନାହାନ୍ତି କି ସେ ଧରଣର ସ୍ମରଣୀୟ କଥାକୃତି ସାରସ୍ୱତ ସଂସାରରେ ସୃଷ୍ଟି ହେଉଥିବାର ସୁସମ୍ୱାଦ ସେତେବେଶୀ ଶ୍ରୁତିଗୋଚର ହେଉନାହିଁ। ତଥାପି ଭବିଷ୍ୟତର ସାହିତ୍ୟ ନିଜର ମହାନ‌୍‍ ଲେଖକଲେଖିକାମାନଙ୍କୁ ଅପେକ୍ଷା କରିବାର ଆନନ୍ଦରେ ଯେ ନିତ୍ୟ ନିମଜ୍ଜମାନ ରହିଥିବ - ଏହା ନିଃସନ୍ଦେହ।

 

ଯାଜପୁର ରୋଡ‌୍‍, ଯାଜପୁର, ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top