କୋଣାର୍କକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

News Story - Posted on 2017-03-02

 

ଓଡିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ବିଗତ ବର୍ଷମାନଙ୍କରେ ଯେଉଁ ହାରରେ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସୁଥିଲେ ତାହା ଏବେ ଦେଖିବାକୁ ମିଳୁ ନାହିଁ। ବିଶେଷ କରି ପର୍ଯ୍ୟଟନ ଋତୁ ଓ ଆନ୍ତର୍ଜାତୀୟ ସ୍ତରର ଉତ୍ସବ ସମୟରେ ବିଦେଶୀ ପର୍ଯ୍ୟଟକ ଅଧିକ ସଂଖାରେ ଏଠାକୁ ଆସିଥାନ୍ତି। କିନ୍ତୁ ଏବେ ତାହା ଆଉ ଦେଖିବାକୁ ମିଳୁ ନାହିଁ।

 

ବିଦେଶୀ ପର୍ଯ୍ୟଟକମାନେ ଓଡିଶାର କଳା ସଂକୃତି, ଐତିହ୍ୟ, ନୃତ୍ୟ, ସଂଗୀତ ଓ ଆଦିବାସୀମାନଙ୍କ ଜୀବନଯାତ୍ରା ପ୍ରତି ବେଶ ଆକୃଷ୍ଟ ହୋଇ ଓଡିଶାକୁ ଆସିଥାନ୍ତି। ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକମାନେ ସ୍ୱର୍ଣ୍ଣ ତ୍ରିଭୁଜ (ପୁରୀ-କୋଣାର୍କ-ଭୁବନେଶ୍ୱର)କୁ ହିଁ ପସନ୍ଦ କରିଥାନ୍ତି। ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟକୁ ଅଣହିନ୍ଦୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏମାନେ ଜଗନ୍ନାଥଙ୍କ ଦର୍ଶନ ଓ ମନ୍ଦିର ବୁଲି ଦେଖିବାରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ବଙ୍ଗୋପସାଗରର ଉପକୂଳରେ ପୁରୀର ଶାନ୍ତ ସମୁଦ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିବା ବେଳେ ସମୁଦ୍ର କୂଳରେ ଥିବା ହୋଟେଲେମାନଙ୍କରେ ଏମାନେ ରହି ସମୁଦ୍ର ସ୍ନାନ କରିବା ସହିତ ନିକଟସ୍ଥ ସାତପଡାର ଡଲଫିନ, ଏସିଆର ବୃହତ୍ତମ ହ୍ରଦ ଚିଲିକା, କୁରୁମ ବୌଦ୍ଧ ପୀଠ ଦେଖିବା ସହିତ ପିପିଲି ଚାନ୍ଦୁଆ କିଣିଥାନ୍ତି। ମନ୍ଦିର ମାଳିନୀ ଭୁବନେଶ୍ୱରରେ ରହି ଶାନ୍ତିସ୍ତୁପ ଧଉଳୀ, ଖଣ୍ଡଗିରୀ, ଲଲିତ ଗିରୀ, ନନ୍ଦନକାନନ ଓ ରାଜାରାଣୀ ମନ୍ଦିର ସମେତ ନିକଟସ୍ଥ ବିଭିନ୍ନ ମନ୍ଦିର ବୁଲି ଓଡିଶାର କଳାଭାସ୍କର୍ଯ୍ୟ ସଂପର୍କରେ ଅବଗତ ହୋଇଥାନ୍ତି।

 

ଓଡିଶାର ପ୍ରମୁଖ ଐତିହ୍ୟ ପୀଠମାନଙ୍କ ମଧ୍ୟରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବିଦେଶୀମାନଙ୍କ ପ୍ରଥମ ପସନ୍ଦ ହୋଇଥାଏ। ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ଏହି ବିଦେଶୀ ପର୍ଯ୍ୟଟକମାନଙ୍କଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ମନ୍ଦିର ପ୍ରବେଶ ଶୁଳ୍କ ବାବଦେରେ ଗତ ୨୦୧୬ ମସିହା ଆପ୍ରେଲ ମାସ ୨ ତାରିଖଠାରୁ ୫୦୦ ଟଙ୍କା ଆଦାୟ କରାଯାଉ ଥିବା ବେଳେ ପୂର୍ବରୁ ୨୫୦ ଟଙ୍କା ଆଦାୟ କରାଯାଉଥିଲା। ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଆଳରେ ଏଏସଆଇ ପକ୍ଷରୁ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଚତୁଃପାର୍ଶ୍ୱରେ ଲୁହାପାଇପ ଭାରାରେ ଆବଧ କରାଯାଇଥିବାରୁ ମନ୍ଦିର ଗାତ୍ରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟକୁ ବିଦେଶୀ ପର୍ଯ୍ୟଟକମାନେ ଦେଖି ନ ପାରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଅଭିଯୋଗ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ନାହିଁ। ବର୍ତ୍ତମାନ ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ଗୁଳୁଗୁଳି ଓ ଗରମ ଆରମ୍ଭ ହୋଇଥିବା ବେଳେ ମନ୍ଦିର ପରିସରରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ବିଶ୍ରାମାଗାର ମଧ୍ୟ ନାହିଁ।

 

ମନ୍ଦିରର ସମ୍ୱେଦନଶୀଳ ଅଞ୍ଚଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାନୁକ ଲୁହା ପାଇପରେ ଆବଦ୍ଧ କରାଯାଇଥିବାରୁ ସୂର୍ଯ୍ୟମନ୍ଦିର ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଆଉ ଆସୁ ନାହାନ୍ତି। ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁଁ କୋଣାର୍କ, ରାମଚଣ୍ଡୀ ଓ ପୁରୀ ବେଳାଭୂମିର ବିକାଶ ହୋଇପାରୁ ନାହିଁ। ବେଳାଭୂମିରେ ଆଲୋକ ସୂରକ୍ଷା ବ୍ୟବସ୍ଥା ନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଏହାଛଡା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ହୋଟେଲ ଏବଂ ଅନ୍ୟାନ୍ୟ  ସୁବିଧା ସୁଯେଗ ନ ଥିବାରୁ ସେମାନେ କୋଣାର୍କ ଆସିବାକୁ ନାପସନ୍ଦ କରୁଛନ୍ତି।

 

ପୂର୍ବରୁ ଏହି ବିଦେଶୀ ପର୍ଯ୍ୟଟକମାନେ ଆଦିବାସୀ ଜନଜାତୀଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ଘଞ୍ଚଜଙ୍ଗଲ ମଧ୍ୟରେ ଥିବା ସେମାନଙ୍କ ଜନବସତିକୁ ଆସି ନିର୍ଭୟରେ ବୁଲାବୁଲି କରୁଥିଲେ। କିନ୍ତୁ ଏସବୁ ଅଞ୍ଚଳ ଏବେ ନକ୍ସଲମାନେ ଆତଙ୍କ ଖଳାଇ ରଖିଛନ୍ତି। ଏହି ନକ୍ସଲଙ୍କ ଆତଙ୍କ ଯୋଗୁଁ ପୂର୍ବରୁ କେତେକ ବିଦେଶୀ ପର୍ଯ୍ୟଟକମାନେ ଏମାନଙ୍କ ଆକ୍ରେଶର ଶିକାର ମଧ୍ୟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହିସବୁ ଅଞ୍ଚଳରେ ନକ୍ସମାନଙ୍କୁ ଦମନ କରିବା ପାଇଁ ସେନା ଓ ପୁଲିସର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରିରହିଛି। ଏଥିପାଇଁ  ଆଦିବାସୀଙ୍କ ଜନବସତି ନ ଯିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।

 

ଏହି ସବୁ କାରଣରୁ ବିଦେଶୀଙ୍କ ଆଗମନ ବିଗତ ବର୍ଷମାନଙ୍କ ତୁଳନାରେ ପ୍ରାୟତଃ କମିବାରେ ଲଗିଛି। ୨୦୧୩-୧୪ରେ ୨୨ ଲକ୍ଷ ୬୨ ହଜାର ୬୩୧ ଜଣ ଘରୋଇ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଭ୍ରମଣ କରିଥିବା ବେଳେ ୬ ହଜାର ୯୦୩ ଜଣ ବିଦେଶୀ ପର୍ଯ୍ୟଟକ, ୨୦୧୪-୧୫ରେ ୨୪ ଲକ୍ଷ ୫ ହଜାର ୯୬୩ ଜଣ ଘରୋଇ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଭ୍ରମଣ କରିଥିବା ବେଳେ ୬ ହଜାର ୫୭୦ ଜଣ ବିଦେଶୀ ପର୍ଯ୍ୟଟକ ଓ ୨୦୧୫-୧୬ରେ ୨୮ ଲକ୍ଷ ୪୮ ହଜାର ୪୦୮ ଜଣ ଘରୋଇ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଭ୍ରମଣ କରିଥିବା ବେଳେ ୫ ହଜାର ୯୨୪ ଜଣ ବିଦେଶୀ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଭ୍ରମଣ କରିଥିବା କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟରୁ ଜଣା ପଡିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top