ଝର୍କା ଖୋଲିବା ପରେ

News Story - Posted on 2017-03-01

ହୃଷୀକେଶ ପଣ୍ଡା

 

ଜୀବନରେ ତ ବହୁତ କିଛି ହେଲା। ଯାହାଯାହା ହବବୋଲି ସ୍ୱପ୍ନରେ ବି ଭାବିନଥିଲେ ତା’ବି ହେଲା। ଗୋଟେ ପରେ ଗୋଟେ...ତା’ପରେ...ତା’ପରେ...ଏମିତି ସବୁକିଛି। ହେଇଚାଲିଲା ତା’ ବାଟରେ, ତା’ ଛଟକରେ। କେତେବେଳେ କେମିତି ଏସବୁ ତାଙ୍କ ପାଖକୁ ଧସେଇ ପଶିଲା, ଚାହିଁଲେ ଅଥବା ନ ଚାହିଁଲେ ବି, ଭାବି ବସିଲେ ସେସବୁର କିଛି ଟେର‌୍‍ ପାଆନ୍ତିନି ସେ। ଗାଡ଼ି ପରେ ଗାଡ଼ି, କିସମ କିସମର। ଦାମୀଠୁ ଆହୁରି ଦାମୀ। ଜମି ପରେ ଜମି, ଘର ପରେ ଘର, କୋଠା ପରେ କୋଠା, ଏଠିସେଠି ସବୁଠି। ତିନିତିନିଟା ଦାମୀ ସହରରେ ସୁଦୃଶ୍ୟ ପ୍ରାସାଦୋପମ ବହୁତଳ ଅଟ୍ଟାଳିକା। ଯୋଉଠି ଯେତେବେଳେ ଜାଗାଖଣ୍ଡେ ଜୁଟିଲା ତାଲିକାରେ ଯୋଡ଼ି ହେଇଗଲା। ସେସବୁର ହିସାବ ତାଙ୍କ ପାଖରେ ନାହିଁ। ବ୍ୟାଙ୍କବାଲାନ୍ସ କଥା ତ ନକହିଲେ ଭଲ। ସୁନାରୂପା, ଗହଣାପତ୍ର ସେସବୁ ମନୋରମାଙ୍କୁ ଜଣା।

 

ହାକିମ ପୁଅ। ଡାକ୍ତରାଣୀ ଝିଅ। ସୁନ୍ଦରୀ ଶିକ୍ଷିତା ସ୍ତ୍ରୀ। ନିଜେ ମଧ୍ୟ ଜଣେ ବହୁଚର୍ଚ୍ଚିତ ବରିଷ୍ଠ ପଦାଧିକାରୀ। ଅରବିନ୍ଦ ମହାପାତ୍ର। ସଂସାରଯାକର ମାନସମ୍ମାନ, ଅର୍ଥ, ପ୍ରତିପତ୍ତି ସବୁକିଛି ଅଜାଡ଼ିପଡ଼ିଚି ପାଦତଳେ। ସବୁକିଛି ହାସଲ ହେଇସାରିଚି ଜୀବନରେ।

 

ଘର ଭିତରର ଶ୍ରୀ ଅଫୁରନ୍ତ। ଦାମୀ ମାର୍ବଲ‌୍‍, ଦୁର୍ମୂଲ୍ୟ ଗାଲିଚା, ଚମତ୍କାର ପର୍ଦ୍ଦା। ନାନାଜାତିର, ଦେଶବିଦେଶର ପେଣ୍ଟିଂ। ସ୍ତ୍ରୀଙ୍କ ଦ୍ୱାରା ଘର ଭିତରର ସାଜସଜ୍ଜାର ପଟାନ୍ତର ନାହିଁ। ଗାଡ଼ିମଟର, ଚାକରବାକର ଚାରିପାଖରେ ଚବିଶି ଘଣ୍ଟା ହାଉଯାଉ। କୋଉଥିରେ ଅଭାବ ନାହିଁ, ଅସୁବିଧା ନାହିଁ।

 

ଦିନ ଥିଲା, ଅରବିନ୍ଦ ଘର ଭିତରର ଏଇ ପରିପୂର୍ଣ୍ଣ ପରିପାଟୀକୁ ଦେଖି ଆତ୍ମବିଭୋର ହେଇପଡୁଥିଲେ। ୟା’ପରେ ଆଉ କ’ଣ ଅଭାବ ରହିଲା ? ଆଉ କ’ଣ କ’ଣ ଦେଇ ଅନବଦ୍ୟ କରାଯାଇପାରେ ଏ ଘରକୁ, ଏ ସଂସାରକୁ ? ଏମିତିକା ଚମତ୍କାର ଚିନ୍ତାରେ ଚେଇଁ ଚେଇଁ ବି ସେ ଚବକା ଚବକା ସ୍ୱପ୍ନ ଦେଖୁଥିଲେ।

 

କେବେ କେମିତି ଏକୁଟିଆ ଘରଟା ଭିତରେ ବସି ନିଜ ସଂଚିତ ଏବଂ ସଜ୍ଜିତ ସଂସାରର ଆଲବମ‌୍‍ ଓଲଟାଇଲା ବେଳେ - ମନକୁ ମନ ମୁଚୁକୁନ୍ଦିଆ ହସଟାଏ ହସିବାକୁ ତାଙ୍କର ପ୍ରବଳ ଇଚ୍ଛାହୁଏ। ମଝିରେ ମଝିରେ ନିର୍ଲଜ ପରି ଦାନ୍ତ ନେଫେଡିବାକୁ ବି ଭୁଲନ୍ତିନି। ନାକ ସୁଁ ସୁଁ କରନ୍ତି। ଆଖିପତାକୁ ବାରମ୍ୱାର ନଚାନ୍ତି। ଓଠଖୋଲି ଫିକ‌୍‍ ଫିକ‌୍‍ ହସନ୍ତି ମଧ୍ୟ। ଏସବୁ ତାଙ୍କର ଆତ୍ମସନ୍ତୋଷ ଏବଂ ଆତ୍ମାଭିମାନର ନିଭୃତ ଉଚ୍ଚାରଣ ମାତ୍ର। ଏସବୁ କ୍ରିୟାକଳାପ କଲାବେଳେ ସେ ଅରବିନ୍ଦ ମହାପାତ୍ରର ଆଉ ଏକ ତତ୍ସମ ପୁରୁଷକୁ ଚିମୁଟି ଚିମୁଟି ଉଚ୍ଚାଟ କରୁଥାନ୍ତି ଯେମିତି।

 

ତାଙ୍କର ଏଭଳି ପ୍ରକ୍ରିୟାରେ ଜାଗ୍ରତ ଡୋଭରମ୍ୟାନ‌୍‍ ମୁଣ୍ଡ ଝାଡ଼ି ଯେମିତି ତା’ କହିବାର ମର୍ମ ବୁଝେଇଦିଏ - ମୋ’ ପରିକା ଗୋଟେ ତତଲା ଜନ୍ତୁକୁ ଯିଏ ହେମାଳ କରିଦେଇପାରେ, ତା’ ପାଖରେ ଆଉ ଅସାଧ୍ୟ ବୋଲି କ’ଣ ରହିଲା !

 

ଅସାଧ୍ୟ କିଛି ନାହିଁ। କେବେ ମଧ୍ୟ ନଥିଲା। tyଭାଗ୍ୟ ସବୁଆଡ଼ୁ ଆସିଚି। ସମୃଦ୍ଧି ରୁନ୍ଧି ହେଇଯାଇଚି ଅନ୍ଦିକନ୍ଦିରେ। ସବୁଆଡ଼ ପରିଷ୍କାର, ପରିଛନ୍ନ। କୋଉଠି ହେଲେ ଦାଗଟେ ବି ଦେଖିବାକୁ ମିଳିବା କଷ୍ଟକର। ପ୍ରଶଂସା, ପ୍ରଶସ୍ତି, ପରସ୍ତ ପରସ୍ତ ଖ୍ୟାତି, ଉତ୍ତରୋତ୍ତର ଉନ୍ନତି ଅଜାଡ଼ି ହେଇପଡ଼ିଚି। ବାରମ୍ୱାର ଉପରକୁ ଉଠିଚନ୍ତି ସେ। ଶୀର୍ଷକୁ ଲମ୍ୱିଥିବା ସୋପାନଗୁଡ଼ିକୁ ଅନାୟାସରେ ଅତିକ୍ରମ କରିଚନ୍ତି। ଯେତେବେଳେ ମନ ଯାହା ଚାହିଁଚି, ସବୁ ମିଳିଚି। ବେଳେବେଳେ ନ ଚାହିଁଥିବା ଜିନିଷ ବି ମନକୁମନ ମଥା ପାତିଚି ଆସି ତାଙ୍କ ପାଦତଳେ। ନା ନିଜର, ନା ସ୍ତ୍ରୀଙ୍କର, ନା ପିଲାଙ୍କର କାହାର ଇଚ୍ଛା ଅପୂର୍ଣ୍ଣ ରଖିନାହାନ୍ତି କେବେ।

 

ଏସବୁ ଭାବିବସିଲେ ତାଙ୍କର ମନେ ପଡେ଼ ପିଲାଦିନର କଥା। ପିତୃହରା ନିଃସଙ୍ଗ ଅରବିନ୍ଦ କେମିତି ସେତେବେଳେ ଜୀବନର ମାନେ ଖୋଜିଖୋଜି ବାଟବଣା ହେଇଯାଉଥିଲେ। ଭଲ ଗଣ୍ଡେ ଖାଇବା, ଭଲ ଖଣ୍ଡେ ପିନ୍ଧିବା, ଭଲ ଚିଜରେ ଲୋଭେଇବା ଯେମିତି ଦିବାସ୍ୱପ୍ନ ଥିଲା। ନିଜଭିତରେ ନିଜକୁ ସଂକୁଚିତ କରି ରଖିବାର ଅବିରତ ପ୍ରୟାସରେ ବାଲ୍ୟରୁ କୈଶୋର କେମିତି ଖର୍ଚ୍ଚ ହେଇଗଲା, ଭାବିଲେ ଭାବବିହ୍ୱଳ ହେଇପଡ଼ନ୍ତି ସେ। ସେଇଥିପାଇଁ ସେ ଭାବନ୍ତି, ମନ ଯେତେବେଳେ ଯାହା ଚାହୁଁଚି ତାକୁ ଅଲବତ‌୍‍ ଦିଆଯିବା ଦର୍କାର।

 

ପୁଅ ମନ ମୁତାବକ ପାଠ ପଢ଼ିଚି, ଫୁର୍ତ୍ତି କରିଚି, ଚାକିରୀ ପାଇଚି, ଭଲପାଇ ବାହା ହେଇଚି। ପ୍ରତିବାଦ କରିନାହାନ୍ତି ସେ।

 

ଝିଅ ଡାକ୍ତରୀ ପଢ଼ିଚି, ଆବଶ୍ୟକତାଠୁ ଅଧିକ ସ୍ମାର୍ଟ ହେଇଚି, ମନପସନ୍ଦ ସାଥୀ ବାଛିଚି। ଆନନ୍ଦରେ ଆଶୀର୍ବାଦ କରିଚନ୍ତି।

 

ସ୍ତ୍ରୀ ଚାହିଁଚନ୍ତି ଘରଭର୍ତ୍ତି ବିଳାସିତା, ପେଟଭର୍ତ୍ତି ଖାଦ୍ୟ, ଦେହଭର୍ତ୍ତି ଉତ୍ତେଜନା...ସବୁ ଅଜାଡ଼ି ଦେଇଚନ୍ତି।

 

ଯାବତୀୟ ସୁଖକୁ ସାଉଁଟି ସାଉଁଟି ସ୍ୱତ୍ୱବାନ‌୍‍ ହେଇଚନ୍ତି। ଚାରିପାଖରେ କୁଢେଇ ହେଇଚି ପ୍ରାଚୁର୍ଯ୍ୟ...ପ୍ରତିଷ୍ଠା...ପ୍ରତିପତ୍ତି...ଏମିତି ଅନେକ କିଛି।

 

ଅରବିନ୍ଦ ଅନେକ ସମୟରେ ଆତ୍ମବିଭୋର ହେଇ କଳନା କରିବସନ୍ତି ତାଙ୍କ କୀର୍ତ୍ତିସ୍ତମ୍ଭର ମୂଲ୍ୟ।

 

ପୁରୀ କୋଠାର ମୂଲ୍ୟ ଅତିକମ‌୍‍ରେ କୋଟିଏ କି ଦେଢ଼କୋଟି। କଟକ କୋଠା ସେଇ ଦୁଇ କି ତିନିକୋଟି। ଭୁବନେଶ୍ୱର କୋଠା ଏବଂ ଜାଗାର ଦାମ‌୍‍ ନକହିଲେ ଭଲ। ଚାକିରୀ ବେଳେ ବିଭିନ୍ନ ଜାଗାରେ ଯୋଗାଡ଼ ହେଇଥିବା ଜମି ସବୁର ମୂଲ୍ୟ କଳନା କରିବା କଷ୍ଟକର। ଟିଭି, ଫ୍ରିଜ‌୍‍, ଏୟାରକଣ୍ଡିସନର‌୍‍, ବିଦେଶୀ କାର୍ପେଟ, ପର୍ଦ୍ଦା, ପେଣ୍ଟିଂ, ଏମିତି ଏମିତି ଗାଡ଼ି, ଡୋଭରମ୍ୟାନ‌୍‍, ବ୍ୟାଙ୍କ ବାଲାନ୍ସ...ଛାଡ଼ ସେସବୁ। ମୂଲ୍ୟବାନ‌୍‍ ଅଳଙ୍କାରର ହିସାବ ତାଙ୍କୁ ଜଣାନହିଁ। ସେସବୁ ପତ୍ନୀଙ୍କୁ ଜଣା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କେମିତି ଏସବୁ ଉପାର୍ଜନ କଲେ ସେ ? କେତେବେଳେ କଲେ ? କେମିତି କେଇଟା ବର୍ଷରେ ସେ ପାଲଟିଗଲେ ଏତେ ପ୍ରଚୁର ପ୍ରାଚୁର୍ଯ୍ୟ ଏବଂ ପ୍ରତିପତ୍ତିର ମାଲିକ ?

 

ଏତେ ସବୁ ପାଇସାରିବା ପରେ, ପ୍ରାଚୁର୍ଯ୍ୟ ଏବଂ ପ୍ରତିପତ୍ତିର ପାହାଡ଼ ଉପରେ ଛିଡ଼ାହେଇ ବି, ଏବେ କିନ୍ତୁ କ’ଣ ହେଇଚି କେଜାଣି ? ସବୁବେଳେ ଗୋଟେ ଖାଲିଖାଲି ପଣ, ଅସ୍ଥିରତା, ଅନ୍ୟମନସ୍କତା। ୟାଡ଼ୁସାଡ଼ୁ ଅନାବନା ଅଭାବମାନ ଗୁମାନ ମାରି ତାଙ୍କ ଆଗରେ ଗହଳି କରୁଚନ୍ତି। ଶକ୍ତ ହାତମୁଠାରୁ ସରୁବାଲି ପରି ସରିସରି ଯାଉଚି ଆସ୍ତେ ଆସ୍ତେ ଅସରନ୍ତି ଐଶ୍ୱର୍ଯ୍ୟ, ଆସ୍ପର୍ଦ୍ଧା, ଔଦ୍ଧତ୍ୟ...ସବୁକିଛି। ଗୋଟାଏ ନିଃସ୍ୱପଣ, ନିସ୍ତେଜ ଭାବ, ନିଷ୍କ୍ରିୟ କରିଚାଲିଚି କୋଉଠି କେମିତି, କାହିଁ କିଛି ଟେର‌୍‍ ପାଉନାହାନ୍ତି ସେ।

 

ଆସ୍ତେ ଆସ୍ତେ ଦିନକୁ ଦିନ କ’ଣ ଯେମିତି ଅସଜ ହେଇଯାଉଚି। ମନଟା ଶୂନଶାନ‌୍‍ ଲାଗୁଚି, ଦେହରୁ ଝାଇଁ ଝାଇଁ ବାଷ୍ଫ ବାହାରୁଚି। ଆଖିରେ ରୁଗୁରୁଗୁ ପୋଡ଼ାଜଳା। ଘର ଭିତରେ ଏତେସବୁ ବିଳାସ, ଉପଭୋଗର ସାମଗ୍ରୀ ଅଥଚ ଆଖିରେ ନିଦ ନାହିଁ। କୁଢ଼କୁଢ଼ ଉଷ୍ମତା, ପୋଷା ପୋଷା ଝାଳ। କିଏ ଯେମିତି ଛଡେ଼ଇନେଇଚି ଶାନ୍ତିର ନିଦ ଟିକକ। ସ୍ୱସ୍ତିରେ ଶୋଇବା ଟିକକ। ଆଖି ହଳକ ଆଜିକାଲି କାହିଁକି ଭାରି ଅରକ୍ଷିତ ଅରକ୍ଷିତ ମନେ ହଉଚି।

 

ଆଖି ଆଗରେ ଝଲସିଯାଉଚି ସ୍ମୃତିସିକ୍ତ ଶୈଶବ। କମନୀୟ କୈଶୋର। ଗାଁରେ ବିତେଇଥିବା ମାସ ମାସ, ବର୍ଷ ବର୍ଷ। କଅଁଳ ସକାଳ, ମଧୁର ମଧ୍ୟାହ୍ନ, ଶୀତଳ ସଂଧ୍ୟା ଏବଂ ଅନେକ ରୂପସୀ ରାତି। ଖରା, ବର୍ଷା, ଶୀତ, କାକରର କୁହୁକିନୀ ସ୍ପର୍ଶ। କୋଡ଼ିଏଟି ନିର୍ଦ୍ଦୟ ନିଦାଘବି ତ ବିତେଇଚନ୍ତି ଶାନ୍ତିରେ, ସୁଖରେ, ଖୁସିଖୁସିରେ। ସେତେବେଳେ ତ ସେଥିରେ ନଥିଲା ଏମିତି କ୍ଳାନ୍ତି, କାକୁତି, ବ୍ୟସ୍ତତା, ବିନିଦ୍ରତା। ଅଥଚ ଏବେ, ଏତେସବୁ ସ୍ୱାଚ୍ଛନ୍ଦ୍ୟ ଭିତରେ, ପ୍ରାଚୁର୍ଯ୍ୟ ସତ୍ୱେ କାହିଁକି ମିଳିପାରୁନି ଟିକେ ଶାନ୍ତି ? ସୁଖରେ ଟିକେ ଶୋଇବାର ସ୍ୱାଧୀନତା ? ସେତେବେଳର ସହସ୍ର ଅଭାବ ସତ୍ତ୍ବେ ସେ କେବେ ଏମିତି କ’ଣ ଗୋଟେ ହଜେଇଦବାର ହାହାକାରରେ ଛଟପଟ ହେଇନଥିଲେ କଦାଚିତ‌୍‍।

 

ଅରବିନ୍ଦଙ୍କ ମନରେ ଝିପିଝିପିକା ଆତ୍ମବିସ୍ମୃତି। ଛାପିଛାପିକା ଛାଇଅନ୍ଧାର। ଅବଚେତନରେ ଚକଡ଼ା ଚକଡ଼ା ଚୁମ୍ୱନର ଜ୍ୱାଳା।

 

ତାଙ୍କ ଭିତରେ ସେଇ ଅଦୃଶ୍ୟ ଅନ୍ଧାରଟା ଯେମିତି ଧୀରେଧୀରେ ଜମାଟ ବାନ୍ଧିବାରେ ଲାଗିଚି। ଅଲକ୍ଷ୍ୟରେ ଅନେକ ଶାଖାପ୍ରଶାଖା ମେଲେଇ ଦ୍ରୁମାୟିତ ହେବାରେ ଲାଗିଚି। ଅଥଚ ସେ କିଛି ଟେର‌୍‍ ପାଉନାହାନ୍ତି। ଆସ୍ତେ ଆସ୍ତେ ସବୁ ଉତ୍ତେଜନା, ଉନ୍ମାଦନା, ଫୂର୍ତ୍ତିକୁ ଗୋଟାଏ ଫୁତ୍କାରରେ ଉଡେ଼ଇଦେଇ ଶୀତଳ ବାର୍ଦ୍ଧକ୍ୟଟେ ଯେମିତି ଘୋଟିଯାଉଚି ତାଙ୍କ ଦେହ, ମନ, ଇନ୍ଦ୍ରିୟ...ସବୁଠି।

 

ସ୍ୱାମୀଙ୍କର ଏମିତି ଅତର୍କିତ ପରିବର୍ତ୍ତନରେ ମନୋରମା କିନ୍ତୁ ବେଶ‌୍‍ ବିଚଳିତ, ବିବ୍ରତ। ସେ ଦେଖିଚନ୍ତି ତାଙ୍କର ସେଇ ପଚିଶିବର୍ଷର ଏକାନ୍ତ ଆପଣାର ମଣିଷକୁ। ଖୁସିଖୁସି ମଣିଷଟା ହଠାତ‌୍‍ କାହିଁକି ଯେ ଅଚଳ ମହାମେରୁ ପରି ଅକାମୀ ପାଲଟିଯାଉଚି ଦିନକୁଦିନ !

 

ବୟସ ଚାଳିଶି ଟପିଲେ ବି ମନୋରମା ଦେଖିବାକୁ ପଚିଶି ବର୍ଷର ତରୁଣୀ ପରି ପୂର୍ଣ୍ଣ ପଲ୍ଲବିନୀ। ଉଗ୍ରଯୌବନା। ସଦା ଚଞ୍ଚଳ, ଉଚ୍ଛଳ, କଳକଳ। ଅଧରୋଷ୍ଠରେ ଅକ୍ଷୂର୍ଣ୍ଣ ଉଷ୍ମତା, ସ୍ନିଗ୍ଧତା, ସତେଜତା। ଦେହରେ, ରକ୍ତରେ - ଉତ୍ତେଜନା ସେମିତି ଉତ୍ତପ୍ତ, ଅବଦମିତ। ସବୁଦିନ ପରି ସେ ସ୍ୱାମୀଙ୍କୁ ନିଦରୁ ଉଠାନ୍ତି। ଗେଲ ହୁଅନ୍ତି। କୁତୁକୁତୁ କରନ୍ତି। ଉଚ୍ଚାଟ କରନ୍ତି। ଉତ୍ତେଜିତ କରନ୍ତି। ଏସବୁ ତାଙ୍କର ଅରବିନ୍ଦଙ୍କ ସହ ଦୀର୍ଘ ପଚିଶି ବର୍ଷର ଚିରାଚରିତ ଉପଭୋଗର ଉପଚାର।

 

ଅଥଚ ଅରବିନ୍ଦ ଆଖି ଦି’ଟା ମେଲି ଜଳଜଳ ଚାହିଁ ରହନ୍ତି। ଆପତ୍ତି, ଅଭିଯୋଗ କିଛି ନାହିଁ। କୃତ୍ରିମ ରାଗରେ ଫୋପାଡ଼ି ଦିଅନ୍ତିନି କି ଛାତି ଉପରକୁ ଭିଡ଼ି ଆଣନ୍ତିନି। ଆଶ୍ଳେଷ, ଆଲିଙ୍ଗନ, ଚୁମ୍ୱନରେ ଯେମିତି ଜମାରୁ ଆଗ୍ରହ ନାହିଁ ତାଙ୍କର।

 

ଥକିପଡ଼ନ୍ତି ମନୋରମା। ଦିନଦିନ ରାତିରାତି ବିତିଯାଏ ହେଲେ କିଛି ଲାଭ ହୁଏନି। ନିଆଁ ଜଳିଜଳି ଅଙ୍ଗାର ପାଲଟେ। ଘିଅ ଜମାଟ ବାନ୍ଧି ବାନ୍ଧି ବରଫ ବନିଯାଏ। ମନୋରମା ମନମାରି ଭିତରେ ଭିତରେ ମନ୍ଥି ହୁଅନ୍ତି ଖାଲି।

 

.......ଏପଟେ କଅଁଳ ଶେଯରେ ଅରବିନ୍ଦ। ଘରସାରା ଶୀତତାପ ଯନ୍ତ୍ରର ଶିତଳ ଶିହରଣ। ବାହାରେ ବୈଶାଖ ମଧ୍ୟାହ୍ନ। ଘରଭିତରେ ଛାଇଛାଇ ଅନ୍ଧାର। ତାଙ୍କର ମନୋରମା ଲୋଡ଼ା ନାହିଁ। ଉନ୍ମାଦନା ଦର୍କାର ନାହିଁ। ଉତ୍ତେଜନା ଆବଶ୍ୟକ ନାହିଁ। ଦର୍କାର କେବଳ ଟିକେ ନିଦ... ନିର୍ଭେଜାଲ‌୍‍ ନିଦ ଖାଲି ଟିକେ ଲୋଡ଼ା...

 

ଅଥଚ କାହିଁ ସେ ନିଦ ! ଆଖିରେ ଯେ ପଲକ ପଡ଼ୁନି। ଆଖିପତାରେ ରଟରଟ‌୍‍, ବିନ୍ଧାଛିଟିକା ! ପୋଡ଼ାଜଳା ଯନ୍ତ୍ରଣା !

 

ଏଥର ଅରବିନ୍ଦ କଡ଼ ଲେଉଟେଇବେ। ଭିଡ଼ିମୋଡ଼ି ହେବେ। ଜୋର‌୍‍କରି ଆଖିପତା ବନ୍ଦକରି ଶୋଇବାକୁ ଚେଷ୍ଟା କରିବେ। ମନକୁ ସ୍ଥିର କରିବାକୁ ଆପ୍ରାଣ ଉଦ୍ୟମ କରିବେ। ଗୋଟେ ସୂକ୍ଷ୍ମବିନ୍ଦୁରେ ସବୁତକ ଅସ୍ଥିରତା ଏକାଠି କରିବାକୁ ପ୍ରୟାସ କରିବେ। କିନ୍ତୁ ସବୁ ବୃଥା, ସବୁ ନିଷ୍ଫଳ। ମନ ମୁହୂର୍ତ୍ତକରେ ଏଠିତ ମୁହୂର୍ତ୍ତକରେ ଯାଇ ଆଉ କୋଉଠି। କ୍ରମଶଃ ତୀବ୍ରତର ହେବାରେ ଲାଗିଚି ଚଞ୍ଚଳତା। ସଞ୍ଚରିଯାଉଚି, ଭେଦିଭେଦି ଯାଉଚି ଭିତରକୁ। ଶିରାପ୍ରଶିରା, ହୃତ‌୍‍ପିଣ୍ଡକୁ।

 

ସର୍ବାଙ୍ଗରେ ସଞ୍ଚରିଯାଉଚି ନିଆଁଧରା ଓଦାକାଠର ଉଦ‌୍‍ଭ୍ରାନ୍ତ ଉଷ୍ମତା।

 

କୁହୁଳୁଚି। ଧୂଆଁରେ ଅଣନିଃଶ୍ୱାସୀ ହେଇ ପଡ଼ୁଚନ୍ତି ଅରବିନ୍ଦ।

 

ତଣ୍ଟି ଶୁଖି ଶୁଖି ଯାଉଚି। ଓଠ ଅଠାଅଠା।

 

ଘର ଭିତରେ ବର୍ଫାୟିତ ପାଣିବୋତଲ, ଥଣ୍ଡା ପାନୀୟ, ମୃଦୁ ପାନୀୟ। ଗଦାଗଦା। ଅପର୍ଯ୍ୟାପ୍ତ।

 

ଅଥଚ ଅରବିନ୍ଦ ଝାଳରେ ଉବୁଟୁବୁ। ଗୋଟାପଣେ ଜଡ଼ସଡ଼। ଦେହସାରା ରୁଗୁରୁଗୁ। ବିନ୍ଧାଛିଟିକା।

 

ଥରୁଚନ୍ତି ଅରବିନ୍ଦ। ଯନ୍ତ୍ରଣାରେ ଯନ୍ତି ହେଇଯାଉଚି ଦେହଟା।

 

ଅଗତ୍ୟା ଫ୍ରିଜ‌୍‍ ଖୋଲିଲେ ଅରବିନ୍ଦ। ପାଣିବୋତଲ ପାଖକୁ ହାତ ବଢ଼େଇଲେ। ସାରା ଦେହରେ ସଂକ୍ରମିଗଲା ଏକ ଶୀତଳ ନିର୍ଜୀବତା। ଧଡ଼ାସ‌୍‍ କରି ବନ୍ଦ‌୍‍ କରିଦେଲେ ଫ୍ରିଜ‌୍‍।

 

ଦେହରେ ବଢ଼ିଚାଲିଚି ତାତି।

 

ଅରବିନ୍ଦ ଆଗେଇଗଲେ। ଆଲ‌୍‍ମିରାରୁ ବାହାର କଲେ ଗୋଟେ ମନଲୋଭା ବହି। ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଗଲେ। ଓଃ, କି ତାତି ! କି ଉଷ୍ମତା ! ଅରବିନ୍ଦଙ୍କ କପାଳରେ ପୋଷା ପୋଷା ଝାଳ। ଛାତି ଭିତରେ କୁଢ଼ କୁଢ଼ ନିଆଁ। ଥୋଇଦେଲେ।

 

କମ୍ପ୍ୟୁଟର ଅନ‌୍‍ କଲେ ଏଥର। କେବେ କେମିତି ବ୍ୟସ୍ତ ବିବ୍ରତ ଲାଗିଲେ, ମନ ଅମାନିଆ ହେଲେ, ଟିକେ ଉଷ୍ମ ଆନନ୍ଦ ପାଇବାକୁ ଭାରି ମନକହେ। ପସନ୍ଦ ମୁତାବକ ସାଇଟ‌୍‍ ଖୋଲିଲେ ସେ। ସେଇ ଚିରାଚରିତ ଆଦିମ ଦୃଶ୍ୟ ତାଙ୍କ ଆଖି ସାମ୍ନାରେ। ଅରବିନ୍ଦଙ୍କୁ ଲାଗିଲା ଯେମିତି ଗୋଟାଏ ଉନ୍ମତ୍ତ ଅଗ୍ନିପିଣ୍ଡ ଅସ୍ଥିର ହଉଚି ତାଙ୍କ ଆଖି ସାମ୍ନାରେ। ଛିଟିକି ପଡ଼ୁଚି ନିଆଁଝୁଲ, ବିଛାଡ଼ି ହେଇପଡ଼ୁଚି ଘରସାରା। ତାଙ୍କ ଦେହରେ ବାଜି ଭୀଷଣ ଯନ୍ତ୍ରଣା ଦଉଚି। ଦେହରେ ଅସମ୍ଭବ ଭାବେ ବଢ଼ିଯାଉଚି ତାତି। ଆଖିପତାରେ ପ୍ରବଳ ଯନ୍ତ୍ରଣା। ସଟ‌୍‍ ଡାଉନ‌୍‍ କଲେ କମ୍ପ୍ୟୁଟର।

 

କପାଳରେ ପୋଡ଼ାଜଳା ଯନ୍ତ୍ରଣା। ଦେହସାରା ରୁଗୁରୁଗୁ।

 

ଏଥର ଆଖି ପଡ଼ିଲା ମନୋରମାଙ୍କ ଉପରେ। ଶେଯରେ ନିଦ୍ରିତା।

 

ଅରବିନ୍ଦ ଉନ୍ମନା ହେବାକୁ ଚେଷ୍ଟା କଲେ। ପ୍ରଗଳ୍ଭ ହେବାକୁ ପ୍ରୟାସ କଲେ। ମନୋରମାଙ୍କୁ ଖପ‌୍‍କିନା ମାଡ଼ିବସିଲେ କାଳବିଳମ୍ୱ ନକରି। ନିଦ ବାଉଳାରେ ଭିଡ଼ିମୋଡ଼ି ହେଲେ ମନୋରମା। ଭିଡ଼ି ଧରିଲେ ଅରବିନ୍ଦଙ୍କୁ।

 

ଅରବିନ୍ଦ ଚାପି ହେଇଗଲେ। ତାଙ୍କ ମୁହଁରେ, ଜଙ୍ଘରେ, ଛାତିରେ, ଚାରିଆଡେ଼ ଆବୋରିଗଲା ମନୋରମାଙ୍କ ଚଗଲା ହାତ।

 

ପୁଣି ସେଇ ତପ୍ତ ଚୁମ୍ୱନର ଜ୍ୱାଳା। ଜଳିଯାଉଚି ସାରାଦେହ।

 

ଅରବିନ୍ଦଙ୍କ ଦେହରେ ଉଗ୍ର ଯନ୍ତ୍ରଣା। ବଢ଼ିଯାଉଚି ଉତ୍ତାପ। ପ୍ରବଳ ହଉଚି ଅସ୍ଥିରତା। ଲାଗିଲା, ମନୋରମା ବି ଯେମିତି ଗୋଟେ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ !

 

ଅରବିନ୍ଦ ମୁକୁଳିବାକୁ ଆପ୍ରାଣ ଉଦ୍ୟମ କଲେ। ଫୋପାଡ଼ିଦେଲେ ମନୋରମାଙ୍କୁ। ମନମାରି ପିଠି ବୁଲେଇ ଶୋଇପଡ଼ିଲେ ମନୋରମା।

 

ଓଃ...କି ଯନ୍ତ୍ରଣା ! ଅରବିନ୍ଦଙ୍କ ମୁହଁରେ ଏଥର କାନ୍ଦକାନ୍ଦ ଭାବ। ଘର ଭିତରେ ଏତେସବୁ ଶୀତଳ ସମ୍ଭାର, ଅଥଚ ସବୁ ଅଚଳ। ସବୁ ଅର୍ଥହୀନ। ତାଙ୍କ ଅଜାଣତରେ କେମିତି ପଶିଆସିଲା ଘର ଭିତରକୁ ଏତେ ଉଷ୍ମତା ! ବେଳକୁ ବେଳ ଉତ୍ତପ୍ତ ହଉଚି। ନିଭୃତରେ କୁହୁଳି କୁହୁଳି କଣ୍ଠାଗ୍ରତ କରୁଚି। ମୁହୂର୍ତ୍ତକେ ଯେମିତି ଜାଳିପୋଡ଼ି ସବୁକିଛି ପାଉଁଶ କରିଦବ।

 

ନିଜକୁ ବଡ଼ ଅସହାୟ ମନେକଲେ ଅରବିନ୍ଦ। ନିହାତି ନିରୁପାୟ।

 

ନିଜ ଘରଟା ତାଙ୍କୁ ନିହାତି ଅଜଣା, ଅଚିହ୍ନା ଅଚିହ୍ନା ଲାଗିଲା ଆଜି।

 

ଘରଟା କେବେ ଗୋଟେ କଣ୍ଟାବଣ ତ କେବେ ପୁଣି ଗୋଟେ ନିର୍ଜଳା ମରୁଭୂମି। କେବେ ପୁଣି ଚଟାଣଟା ଫାଟି ଦିଫାଳ ହେଇଯାଉଚି ତ ତା’ ଭିତରୁ ଛିଟିକି ପଡ଼ୁଚି କୁଢ଼ କୁଢ଼ ନିଆଁ।

 

ଅରବିନ୍ଦ ନିରୁପାୟ ଏବଂ କାନ୍ଦକାନ୍ଦ ହେଇ ମୁଣ୍ଡବାଳକୁ ମୁଠାମୁଠା କରି ଟଣାଓଟରା କଲେ। କାନମୂଳର ଭାଁ ଭାଁ ଶବ୍ଦକୁ ଆଙ୍ଗୁଳି ଗେଞ୍ଜି ବନ୍ଦ‌୍‍ କରିବାକୁ ଚେଷ୍ଟାକଲେ। ନଖମୂନରେ ବେକମୂଳ, ଛାତି, ପିଠି ଯାହା ପାଇଲେ ରାମ୍ପି ପକେଇଲେ। ପାଗଳ ପରି ଛାଟିପିଟି ହେଲେ। ଇଚ୍ଛା ହେଲା, ଝରକା ଖୋଲି ଡେଇଁ ପଡ଼ନ୍ତେ ତଳକୁ। ନହେଲେ ଘର ଭିତରେ ସେ ଅଣନିଃଶ୍ୱାସୀ ହେଇଯିବେ। ଜଳିପୋଡ଼ି ପାଉଁଶ ହେଇଯିବେ।

 

ଏମିତି ଗୋଟେ ସନ୍ତ୍ରସ୍ତ ଆବେଗରେ ଅରବିନ୍ଦ ଆଡେ଼ଇଦେଲେ ଝରକାର ଚମତ୍କାର ମଖମଲି ପର୍ଦା। ଖୋଲିଦେଲେ କାଚଝରକା। କ’ଣ ଗୋଟେ ଝର୍କାରେ ପିଟିହେଇ ଲମ୍ୱିଆସିଲା ତାଙ୍କ ହାତପାଖକୁ। ଆଖି ଖୋଲିଲେ ଅରବିନ୍ଦ। ଆଙ୍ଗୁଳିରେ ପୋଛି ପରିଷ୍କାର କଲେ। କି ଆଶ୍ଚର୍ଯ୍ୟ...ଦେବଦାରୁ ଗଛର କଅଁଳ ପତ୍ରଭରା ସରୁ ଡାଳଟିଏ ଲମ୍ୱିଆସିଚି ତାଙ୍କ ଝର୍କା ପାଖକୁ। ବାଃ ! ତାଙ୍କ ଘର ପଛରେ ଏତେବଡ଼ ଦେବଦାରୁ ଗଛଟେ କେବେ ଜନ୍ମିଲା। ବଢ଼ି ବଢ଼ି ଏଡେ଼ବଡ଼ ହେଲା। ଶାଖାପ୍ରଶାଖା ମେଲେଇ ତାଙ୍କ ଝରକା ପର୍ଯ୍ୟନ୍ତ ଲମ୍ୱିଆସିଲା ! କାଇଁ ସେତ ଦେଖି ନାହାନ୍ତି କେବେ ! କେହିତ କହିନାହାନ୍ତି ତାଙ୍କୁ ଏତେବଡ଼ ସୁକୋମଳ ଗଛ ସମ୍ଭବିବାର ସୁଖବର !

 

ଅରବିନ୍ଦ ନରମ ଡାଳଟିକୁ ଟାଣିଆଣିଲେ ହାତରେ। କଅଁଳ ପତ୍ରକୁ ଆଉଁସି ଦେଲେ ସରାଗରେ। ମୁହଁରେ, ଦେହରେ, ଯୋଉଠି ପାରିଲେ ସେଠି ନେସି ପକେଇଲେ। ଘସିହେଲେ।

 

ଅରବିନ୍ଦ ଆସ୍ତେ ଆସ୍ତେ ନିଜ ଭିତରେ ଅନୁଭବ କଲେ ଏକ ଅଦ୍ଭୂତ ଉଶ୍ୱାସ। ଆଖିପତାରେ ତାଙ୍କର ଶୀତଳ ଶିହରଣ।

 

ଚାହିଁଲେ, ଆଖିଖୋଲି ଦରାଣ୍ଡି ପକେଇଲେ ଚାରିଆଡ଼। ତାଙ୍କ ଆଖି ସାମ୍ନାରେ ଅଚାନକ ଭାସି ଉଠିଲା ଦୃଶ୍ୟଟିଏ।

 

ନିର୍ଜନ ରାସ୍ତା। ବୈଶାଖ ମଧ୍ୟାହ୍ନ। ଚିକ‌୍‍ମିକ‌୍‍ ଖରା। ଚାରିଆଡ଼ ଶୂନଶାନ‌୍‍।

 

ସେଇ ତତଲା  ନିର୍ଜନ ରାସ୍ତାରେ ଗୋଡ଼ିଭର୍ତ୍ତି ଟ୍ରକଟାଏ, ଧଡ଼ଧାଡ଼‌୍‍ ଶବ୍ଦକରି ମାଡ଼ିଚାଲିଚି। ଇଂଜିନ‌୍‍ର ଘାଉଁ ଘାଉଁ ଗର୍ଜନ। ଗୋଡ଼ିଭର୍ତ୍ତି ଡାଲାରେ ଚାରି ପାଞ୍ଚଜଣ ଲୋକ ଗାମୁଛା ଖଣ୍ଡେ ଲେଖାଏଁ ପାରିଦେଇ ଖରାକୁ ଚିତ‌୍‍କରି ଶୋଇଚନ୍ତି ନିଧଡ଼କ। ଚାରିଆଡେ଼ ଚକ୍କର କାଟୁଚି ଦାଉଦାଉ ଖରା। ଗାଡ଼ିର ବିକଟ ଗର୍ଜନ। ଉପରୁ ବର୍ଷୁଚି ନିଆଁ। ତଥାପି ସେମାନେ ନିର୍ବିକାର। ନିର୍ଲିପ୍ତ।

 

ନିରେଖି ଚାହିଁଲେ ଅରବିନ୍ଦ। ନିବିଡ଼ ଭାବରେ ନିରୀକ୍ଷଣ କଲେ। ନିମଜ୍ଜି ଗଲେ।

 

ଅରବିନ୍ଦଙ୍କୁ ମନେହେଲା - ଏସବୁ ପ୍ରାଚୁର୍ଯ୍ୟ, ପ୍ରତିଷ୍ଠା ଓ ପ୍ରତିପତ୍ତି ଯେମିତି ଗୋଟିଏ ଗୋଟିଏ ପ୍ରାଚୀର। ଏ ପ୍ରାଚୀର ମଣିଷକୁ ଅଲଗା କରିରଖେ ମାଟି ଓ ଆକାଶଠୁ, ତାର ପ୍ରିୟଜନ ଓ ପରିଜନଙ୍କଠୁ। ତାକୁ ଛନ୍ଦି ରଖେ, ବାନ୍ଧି ରଖେ, କବଳିତ କରିରଖେ ନିରନ୍ତର। ନିରବଧି।

 

ଅଥଚ ଏ ପ୍ରାଚୀରର ଅପରପାର୍ଶ୍ୱରେ କି ପ୍ରାଣଚଞ୍ଚଳ ପୃଥିବୀ ! କି ଦୁର୍ବାର ଜୀବନ ! କି ଅକପଟ ଛନ୍ଦ !

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ

ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

Capt.suryendu bikash panigrahi - Email: mastersbpanigrahi@gmail.com - Posted on 2017-03-07 08:37:35

What a thought, million mile apart from nomal and presentations are fabulous. incredibly fine and honest to story.perfect justice given to all story bearers. The name always play a vital role in story.thats also beautifully drawn. thanks and rgds MAMU.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top