ଓଡ଼ିଶାରେ ୬୮ ହଜାର ଏଚଆଇଭି+

News Story - Posted on 2017-02-23

ଆସନ୍ତା ଡିସେମ୍ୱର ମାସ ଶେଷ ସୁଦ୍ଧା ସମସ୍ତ ଗର୍ଭବତୀ ମହିଳାଙ୍କର ଏଚ‌୍‍.ଆଇ.ଭି ପରୀକ୍ଷା କରିବାକୁ ଏବଂ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଆକ୍ରାନ୍ତଙ୍କ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡଃ ଅରୁଣ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି। ଡଃ ପଣ୍ଡା ତାଙ୍କର ଓଡିଶା ଗସ୍ତକାଳରେ ରାଜ୍ୟର ଏଚ‌୍‍.ଆଇ.ଭି ଏବଂ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି। ମହିଳାମାନେ ଗର୍ଭବତୀ ହେବା ପରେ ସେମାନଙ୍କର ପ୍ରଥମ ଆନ୍ଟିନେଟାଲ ଚେକ‌୍‍ଅପ‌୍‍ ସମୟରେ ଏଚ‌୍‍.ଆଇ.ଭି ପରୀକ୍ଷା କରାଯିବା ଜରୁରୀ। ତାହା ହେଲେ ଅନ୍ତତଃପକ୍ଷେ ଜନ୍ମିତ ଶିଶୁଟି ଉପରେ ଯେପରି ଏଚ‌୍‍.ଆଇ.ଭି ସମ୍ୱନ୍ଧିତ କୌଣସି କୁପ୍ରଭାବ ନପଡେ ତାହା ସୁନିଶ୍ଚିତ କରାଯାଇପାରିବ।

 

ସମୀକ୍ଷାରୁ ପ୍ରକାଶ ଯେ ରାଜ୍ୟରେ ପ୍ରାୟ ୦.୨୫ ପ୍ରତିଶତ ଲୋକ ଏଚ‌୍‍.ଆଇ.ଭି ପ୍ରବଣ ମଧ୍ୟରେ ଅଛନ୍ତି। ବର୍ତମାନ ସୁଦ୍ଧା ୬୭ ହଜାର ୬୫୪ ଜଣ ଲୋକ ଏଚ‌୍‍.ଆଇ.ଭି ଆକ୍ରାନ୍ତ ହୋଇଥିବା ଆକଳନ କରାଯାଇଛି। ବର୍ଷକୁ ପ୍ରାୟ ୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ୪୦ ହଜାର ୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪ ହଜାର ୭୨୬ ଜଣ ପୁରୁଷ ଏବଂ ୧୫ ହଜାର ୪୭୯ ମହିଳା। ସେମାନଙ୍କ ମଧ୍ୟରୁ ୭୮ ପ୍ରତିଶତ ୨୫ ରୁ ୪୯ ବର୍ଷ ବୟସ ମଧ୍ୟରେ। ସେହିପରି ୧୪ ବର୍ଷ ମଧ୍ୟରେ ୨୪୬୭ ଜଣ ପିଲା ଏଚ‌୍‍.ଆଇ.ଭି ଆକ୍ରାନ୍ତ ଥିବାବେଳେ ୨୦୯୨ ଜଣ ମହିଳା ଗର୍ଭାବସ୍ଥାରେ ଆକ୍ରାନ୍ତ ଥିବା ଜଣାପଡିଛି।

 

ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରି ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ସ୍ୱାସ୍ଥ୍ୟ ପ୍ରଦାନକାରୀ ସଂସ୍ଥା କିମ୍ୱା ବ୍ୟକ୍ତି ଏ ଦିଗରେ ଅଧିକ ଯତ୍ନବାନ ହେବା ଜରୁରୀ। ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଚିହ୍ନଟ ପ୍ରକ୍ରିୟାରେ ନୂତନ ପଦକ୍ଷେପ ଏବଂ ଆଭିମୁଖ୍ୟରେ ପରିବର୍ତନର ଆବଶ୍ୟକତା ରହିଛି। ବର୍ତମାନ ରାଜ୍ୟରେ ବର୍ଷକୁ ପ୍ରାୟ ୪୮ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିବା ବେଳେ ୨୦ ରୁ ୩୦ ପ୍ରତିଶତ ଅପହଂଚ ରହିଯାଉଛନ୍ତି। ଯେଉଁମାନଙ୍କୁ ଚିହ୍ନଟ ପାଇଁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ। ତାହାହେଲେ ଆସନ୍ତା ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ସମୂଳ ନିରାକରଣ କରିବାକୁ ସକ୍ଷମ ହୋଇପାରିବା। ଯକ୍ଷ୍ମା  ଚିହ୍ନଟ ନିମନ୍ତେ ଯୋଗାଇ ଦିଆଯାଇଥିବା ଅତ୍ୟାଧୁନିକ ସିବିନାଟ‌୍‍ ମେସିନ ଗୁଡିକର ପୂଣ୍ଣାର୍ଙ୍ଗ ଉପେଯାଗ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଖାଲି ଥିବା ସମସ୍ତ ପଦବି ପୁରଣ କରିବାକୁ ଏବଂ ପ୍ରଦତ ଅର୍ଥର ପୂର୍ଣ୍ଣ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଯକ୍ଷ୍ମାର ଗୁରୁତ୍ୱ ଦୃଷ୍ଟିରୁ ଏହାର ନିୟନ୍ତ୍ରଣ ପାଇଁ ଏକ ବ୍ୟବସ୍ଥାଗତ ପଦ୍ଧତି ଗ୍ରହଣ କରାଯିବାର ଆବଶ୍ୟକତା ସଂପର୍କରେ କହିଥିଲେ। ସେହିପରି ଯକ୍ଷ୍ମା ଏବଂ ଏଚ‌୍‍.ଆଇ.ଭିର ପରୀକ୍ଷାକୁ ଗୋଟିଏ ସ୍ଥାନରେ ସମ୍ମନ୍ୱିତ କରାଯିବା ଉପରେ ଗୁରୁତ୍ୱ ଆରୋପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଏ ନେଇ କେନ୍ଦ୍ର ସରକାର ବିଶେଷଜ୍ଞ ମାନଙ୍କୁ ନେଇ ଏକ ୧୦ ଜଣିଆ କମିଟି ଗଠନ କରିବ ଓ ଏହି କମିଟି ଏକ ମାସ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ। ସେହି ରିପୋର୍ଟକୁ ଆଧାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡଃ ପଣ୍ଡା କହିଥିଲେ।

 

ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସେଂଟ୍ରାଲ ଯକ୍ଷ୍ମା ଡିଭିଜନ ଡି.ଏ.ଡି.ଜି ଡାଃ ରଘୁରାମ ରାଓ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ କୈଳାଶ ଚନ୍ଦ୍ର ଦାଶ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ବି.ବି ମିଶ୍ର, ନର୍ସିଂ ନିର୍ଦ୍ଦେଶକ ଡାଃ ବିନୋଦ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ଜ୍ଞାନେନ୍ଦ୍ର ତ୍ରିପାଠୀ, ଯୁଗ୍ମ ସଚିବ ତଥା ପି.ଡି ଓସାକ‌୍‍ସ‌୍‍ ଡାଃ ଅଜିତ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top