ପ୍ରତିଷ୍ଠା ହେବ ୫୦ ସୌର ପାର୍କ

News Story - Posted on 2017-02-22

ଦେଶରେ ଥିିବା ଅତ୍ୟାଧୁନିକ ବୃହତ ସୌର ଶକ୍ତି ପ୍ରକଳ୍ପଗୁଡିକର କ୍ଷମତାକୁ ୨୦ ହଜାର ମେଗାୱାଟ‌୍‍ରୁ ୪୦ ହଜାର ମେଗାୱାଟ‌୍‍କୁ ବୃଦ୍ଧି କରାଯିବ। ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ୫୦ଟି ସୌର ଶକ୍ତି ପାର୍କ ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ପାର୍କର ଶକ୍ତି ଉପିାଦନ କ୍ଷମତା ୫୦୦ ମେଗାୱାଟ‌୍‍ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ‌୍‍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ହିମାଳୟ ଏବଂ ପାର୍ବତ୍ୟାଂଚଳ ରାଜ୍ୟଗୁଡ଼ିକରେ ସମତଳ ଭୂମି ମିଳିବା ସମ୍ଭବ ହୋଇନଥିବାରୁ ଏସବୁ ସ୍ଥାନରେ କମ‌୍‍ କ୍ଷମତାବିଶିଷ୍ଟ ସୌରପାର୍କ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି।

 

ବିଭିନ୍ନ ରାଜ୍ୟରୁ ଅତିରିକ୍ତ ସୌର ପାର୍କ ନିର୍ମାଣ ପାଇଁ ଦାବି ଆସିବା ପରେ ସୌର ଶକ୍ତି ପାର୍କଗୁଡ଼ିକର କ୍ଷମତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ୨୦୧୯-୨୦ ସୁଦ୍ଧା ଅତ୍ୟାଧୁନିକ ସୌର ଶକ୍ତି ପ୍ରକଳ୍ପ ଏବଂ ସୌର ପାର୍କ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୮୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ। ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ବାର୍ଷିକ ୬୪୦୦ କୋଟି ୟୁନିଟ‌୍‍ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ଏହା ଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନରେ ୫୫ ନିୟୁତ ଟନ‌୍‍ ହ୍ରାସ କରାଯାଇପାରିବ। ଏହି ଯୋଜନା ଦ୍ୱାରା ଦେଶରେ ସ୍ୱଚ୍ଛ ଏବଂ ଅକ୍ଷୟ ଇନ୍ଧନ ମିଳିବା ସମ୍ଭବପର ହୋଇପାରିବ।

 

ଏହି ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା କାଚ, ଧାତୁ ଏବଂ ବୃହତ ଶିଳ୍ପ ସାମଗ୍ରୀ ନିର୍ମାଣ କ୍ଷେତ୍ର ସହିତ ଜଡ଼ିତ ଲୋକମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ମଧ୍ୟ ମିଳିପାରିବ। ସୌର ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ସମ୍ପୃକ୍ତ ଅଂଚଳର ବିକାଶ ମଧ୍ୟ ସମ୍ଭବ ହୋଇପାରିବ। ଏହି ଯୋଜନା ଦ୍ୱାରା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଲାଭାନ୍ୱିତ ହୋଇପାରିବେ। ପ୍ରଥମେ ରାଜ୍ୟ ସରକାରଗୁଡ଼ିକ ସୌର ଶକ୍ତି ପାର୍କ ବିକାଶ(ଏସପିପିଡି) ଲାଗି ନାମାଙ୍କନ ଦାଖଲ କରିବେ ଏବଂ ଏଥିପାଇଁ ଆବଶ୍ୟକ ଭୂମି ମଧ୍ୟ ଯୋଗାଇ ଦେବେ। ଏହାପରେ ସୌର ପାର୍କ ପ୍ରତିଷ୍ଠା ଲାଗି ଡିପିଆର ପ୍ରସ୍ତୁତି ନିମନ୍ତେ ପ୍ରଥମେ ୨୫ ଲକ୍ଷ ଟଙ୍କାର ଅନୁଦାନ ମିଳିବ। ଏହାପରେ ପ୍ରତି ମେଗାୱାଟ‌୍‍ ପିଛା ୨୦ ଲକ୍ଷ କିମ୍ୱା ପ୍ରକଳ୍ପ ମୂଲ୍ୟର ୩୦ ପ୍ରତିଶତ (ଯାହା କମ‌୍‍ ହୋଇଥିବ)କେନ୍ଦ୍ରୀୟ ଅନୁଦାନ ମିଳିବ।

 

ଏହି ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଠାର ସମସ୍ତ କାର୍ଯ୍ୟ ଭାରତୀୟ ସୌର ଶକ୍ତି ନିଗମ(ଏସଇସିଆଇ) ଦ୍ୱାରା ପରିଚାଳିତ ହେବ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସହଭାଗିତାରେ ଏହି ସବୁ ସୌର ପାର୍କ ପ୍ରତିଷ୍ଠା କରାଯିବ। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ୨୫ଟି ସୌର ପାର୍କ ପ୍ରତିଷ୍ଠା ଲାଗି କାର୍ଯ୍ୟାରମ୍ଭ ହୋଇସାରିଛି। ଏହି ଯୋଜନା ଡିସେମ୍ୱର ୨୦୧୪ରେ ଆରମ୍ଭ ହୋଇଥିଲା। ଉକ୍ତ ୨୫ଟି ସୌର ପାର୍କର ବିଦ୍ୟୁତ ଉତ୍ପାଦନ କ୍ଷମତା ୨୦ ହଜାର ମେଗାୱାଟ‌୍‍। ବର୍ତ୍ତମାନ ସୁଦ୍ଧା ୨୦ ହଜାର ମେଗାୱାଟ‌୍‍ କ୍ଷମତା ବିଶିଷ୍ଟ ୩୪ଟି ସୌର ପାର୍କ ବିକାଶ ଲାଗି ଅନୁମୋଦନ ମିଳିସାରିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top