ମ୍ୟାଲେରିଆ ହଟିବ!

News Story - Posted on 2017-02-21

ମ୍ୟାଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ରାଜ୍ୟରୁ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ମ୍ୟାଲେରିଆ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଏହି ନିଷ୍ପତି ଗ୍ରହଣ କରାଯାଇଛି।

 

ସମୀକ୍ଷାରୁ ପ୍ରକାଶ ଯେ ୨୦୧୩ ମସିହା ଠାରୁ ୨୦୧୪ , ୧୫ ଏବଂ ୧୬ ମସିହାରେ ମ୍ୟାଲେରିଆ ଜନିତ ମୃତ୍ୟୁହାର କ୍ରମଶଃ ହ୍ରାସ ପାଇଛି। ୨୦୧୭ ମସିହାରେ ମ୍ୟାଲେରିଆ ଆକ୍ରାନ୍ତ ହାର ପୂର୍ବ ବର୍ଷମାନଙ୍କ ତୁଳନାରେ ହ୍ରାସପାଇବା ଆରମ୍ଭ ହୋଇଛି। ୨୦୧୩ ମସିହାରେ ରକ୍ତ ନମୂନା ସଂଗ୍ରହ ହାର ୧୧.୮୧ ଥିବା ବେଳେ ୨୦୧୬ ରେ ଏହା ୧୬.୩୭ କୁ ବୃଦ୍ଧି ପାଇଛି। ମୃତ୍ୟୁହାର ୪୦ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଛି।

 

ତେବେ ମ୍ୟାଲେରିଆ ରୋଗର ତୁରନ୍ତ ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗ୍ରାମାଚଂଳରେ ନିୟୋଜିତ ୪୫ ହଜାରରୁ ଉର୍ଦ୍ଧ୍ୱ ଆଶା କର୍ମୀଙ୍କ ଦକ୍ଷତା ବୃଦ୍ଧି, ଉନ୍ନତମାନର ତୁରନ୍ତ ରୋଗ ନିରୂପଣ କିଟ‌୍‍ ଓ ନିରବିଚ୍ଛିନ ଔଷଧ ଯୋଗାଣକୁ ସୁନିଶ୍ଚିତ କରାଯିବ। ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଭଦ୍ରକ ଭଳି ୮ ଟି ଜିଲ୍ଲାରେ ମ୍ୟାଲେରିଆ ପରଜୀବି ହାର (ଏ.ପି.ଆଇ) ୧ରୁ କମ‌୍‍ ଥିବାରୁ ଏହି ସବୁ ଜିଲ୍ଲାରୁ ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଏପିଆଇ ୧ ରୁ ୧୦ ମଧ୍ୟରେ ଥିବା ୯ ଟି ଜିଲ୍ଲା ଯଥା- ବରଗଡ, ଗଞ୍ଜାମ, ଝାରସୁଗୁଡା, ନୟାଗଡ, ସୋନପୁର, ବଲାଙ୍ଗିର, ବୌଦ୍ଧ, ନୂଆପଡା ଏବଂ ଢେଙ୍କାନାଳ ଜିଲ୍ଲ‌୍‍ାରେ ତିରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଏପିଆଇ ୧୦ରୁ ଅଧିକ ଥିବା ବାକି ୧୩ଟି ଜିଲ୍ଲ‌୍‍ାରେ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରାଯିବା ସଙ୍ଗେ ସଙ୍ଗେ ରୋଗବାହକ ମଶାର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ‌୍‍ ଶିଶୁମାନଙ୍କ କ୍ଷେତ୍ରରେ ମ୍ୟାଲେରିଆ ଅଧିକ ବିପଦପୂର୍ଣ୍ଣ ହୋଇଥିବାରୁ ସେ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସଚିବ ଡାଃ ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି।

 

ଆସନ୍ତା ମାସରୁ ଦୁର୍ଗମ ଅଂଚଳ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ସେହିପରି ଆସନ୍ତା ଅପ୍ରେଲ ମାସରୁ ଔଷଧୀୟ ମଶାରୀ ବଂଟନ ଆରମ୍ଭ କରାଯିବ। ଦମନ କାର୍ଯ୍ୟକ୍ରମ ଓ ଔଷଧୀୟ ମଶାରୀ ବଂଟନ ନେଇ ରାଜ୍ୟସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯିବ। ଜିଲ୍ଲା ଏବଂ ବ୍ଲକ‌୍‍ ସ୍ତରରେ ଥିବା ଖାଲି ପଦବିଗୁଡିକୁ ତୁରନ୍ତ ପୁରଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିପରି ରୋଗ ଚିହ୍ନଟ ପାଇଁ ପାଇଲଟ‌୍‍ ପ୍ରକଳ୍ପ ଭାବରେ ୪ ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଏକ ନୂଆ ପ୍ରକାରର ଡିଜିଟାଲ ମାଇକ୍ରୋସ୍କୋପ ବ୍ୟବହାର ସଂପର୍କରେ ଆଲୋଚନା କରାଯାଇଥିଲା। ଏ ନେଇ ଡାକ୍ତରୀଶିକ୍ଷା ଓ ତାଲିମ‌୍‍ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ପରାମର୍ଶ ଅନୁଯାୟୀ ଏହି ନୂତନ ବ୍ୟବସ୍ଥା ସଂପର୍କରେ ନିର୍ଣ୍ଣୟ ନିଆଯିବ। ରାଜ୍ୟକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ଯାହା କିଛି କରାଯାଇପାରେ ସେ ସବୁ କରାଯିବ।

 

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଡାକ୍ତରୀଶିକ୍ଷା ଓ ତାଲିମ‌୍‍ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆର‌୍‍ଏମ‌୍‍ଆର‌୍‍ସି ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଂଚଳିକ ନିର୍ଦ୍ଦେଶକ, ଭେକ୍ଟର ନିୟନ୍ତ୍ରଣ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ, ଟାଟା ଟ୍ରଷ୍ଟ, ଲେପ୍ରା, କାରିଟାସ‌୍‍ର ପଦାଧିକାରୀ ଏବଂ ଖ୍ରୀଷ୍ଟିଆନ ହସପିଟାସଲର ଡାଃ ଜନି ଓମେନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top