କେତେ ଥର ହଟିବ ଗରିବୀ?

News Story - Posted on 2017-02-07

ସୂର୍ଯ୍ୟମଣି ମିଶ୍ର

 

୧୯୭୧ ମସିହାରେ ଭାରତବାସୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କଠାରୁ ଶୁଣିବାକୁ ପାଇଥିଲେ ଗରିବୀ ହଟାଓର ନାରା। ନିକଟରେ ଅର୍ଥାତ୍ ୨୦୧୬ ନଭେମ୍ୱର ୮ ତାରିଖ ରାତିରେ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ, ଭ୍ରଷ୍ଟାଚାର ହଟାଓର ଧ୍ୱନି। ଶ୍ରୀମତୀ ଇନ୍ଦିରା ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫରକ ଏହା ଯେ, ଶ୍ରୀମତୀ ଗାନ୍ଧି ସର୍ବଦା ଗାନ୍ଧିବାଦ ସମାଜବାଦ କଥା କହୁଥିବାବେଳେ ମୋଦିଙ୍କ ମୁହଁରେ ରାଷ୍ଟ୍ରବାଦ ଓ ବସୁଧୈବ କୁଟୁମ୍ୱକମ‍୍‌ର କଥା ଶୁଣିବାକୁ ମିଳୁଛି। ଦେଶ ବଦଳୁଛି, ଆଗକୁ ବଢୁଛି ବୋଲି ଶ୍ରୀମତୀ ଇନ୍ଦିରା ଗାନ୍ଧି ଦେଶବାସୀଙ୍କୁ କହୁଥିଲେ। ହୁଏତ ସିଧାସଳଖ ଭାବେ ନୁହେଁ, ପରୋକ୍ଷରେ ତାଙ୍କ ମତ ଥିଲା ତାଙ୍କ ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଶ୍ରୀମତୀ ଗାନ୍ଧି କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ଆଜିର ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା।

 

ସ୍ୱାଧୀନତାର ୬୯ ବର୍ଷ ମଧ୍ୟରେ ଶ୍ରୀମତୀ ଗାନ୍ଧିଙ୍କ ଠାରୁ ତାଙ୍କର ସୁପୁତ୍ର ରାଜୀବ ଗାନ୍ଧି, କଂଗ୍ରେସ ନେତା ନରସିଂହ ରାଓ, ଡକ୍ଟର ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶକୁ ଦାରିଦ୍ର୍ୟତାରୁ ମୁକ୍ତ କରିବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ଅଣକଂଗ୍ରେସ ଦଳର ମୋରାରଜୀ ଦେଶାଇ, ଭି.ପି. ସିଂହ ଏବଂ ଚରଣ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ଭ୍ରଷ୍ଟାଚାରମୁକ୍ତ ଓ ଦାରିଦ୍ର୍ୟ ମୁକ୍ତ କରିବାକୁ ତାଙ୍କ ସରକାର ଉଦ୍ୟମରତ ଓ ପ୍ରତିଶ୍ରୁତିବଦ୍ଧ ବୋଲି କହିବାକୁ ଭୁଲି ନଥିଲେ। ଏହା ମଧ୍ୟରେ ଦେଶ ସ୍ୱାଧୀନତାର ୭୦ତମ ଉତ୍ସବ ପାଳନ କରିସାରିଛି। ଦେଶର ଜାତୀୟ ଆୟ ବୃଦ୍ଧି ଘଟିଛି। ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଭାରତ ବିଶେଷ ସ୍ଥାନ ଅଧିକାର କରିଛି। ଭାରତ ବିଶ୍ୱରେ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ବୋଲି ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି।

 

ଏହି ତଥ୍ୟ ଯେପରି ସତ୍ୟ, ଅନ୍ୟ ଯେଉଁ ତଥ୍ୟଟି ସତ୍ୟ ତାହା ହେଲା- ବିଶ୍ୱର ମୋଟ ଗରିବ ଲୋକଙ୍କ ସଂଖ୍ୟାର ୩୦ ପ୍ରତିଶତ ଗରିବ କେବଳ ଭାରତ ବର୍ଷରେ ବସବାସ କରୁଛନ୍ତି। ଦାରିଦ୍ର୍ୟର ପରିଭାଷା, ମାନଦଣ୍ଡ ପରିବର୍ତ୍ତନ ସହ ଦାରିଦ୍ର୍ୟର ସମସ୍ୟା ଓ ଗରିବ ଲୋକଙ୍କ ଦୁଃସ୍ଥିତି ଜଟିଳ ହେଉଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରାକରଣ ପରେ ଗରିବଲୋକଙ୍କ ଜଟିଳ ସ୍ଥିତି ଦେଶବ୍ୟାପୀ ଦେଖିବାକୁ ମିଳିଥିଲା। ଏଟିଏମ‍୍‌ ଆଗରେ ଛିଡ଼ା ହୋଇ ଟଙ୍କା ନପାଇ ୧୦୦ରୁ ଅଧିକ ଲୋକ ପଡ଼ି ମରିଥିଲେ। ଏମାନଙ୍କ ମୃତ୍ୟୁରେ ଏମାନଙ୍କ ପରିବାରରେ ଚୁଲି ଜଳିନଥିଲା। କନ୍ୟା ବିଭାଘର ଦିନ ଘୁଞ୍ଚିଥିଲା। ଖାଦ୍ୟ, ବସ୍ତ୍ର, ଚିକିତ୍ସା ଓ ପାଠପଢା ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହରେ ଗରିବ ଓ ନିମ୍ନମଧ୍ୟବିତ୍ତ ହା ହତାଶ ହେଉଥିବା ଦୃଶ୍ୟର ଏବେବି ଅନ୍ତ ଘଟିନି ବୋଲି କହିଲେ ଭୁଲ ହେବନାହିଁ।

 

ଏହି ସମୟରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହୋଇଛି। ସାମାଜିକ ସୁରକ୍ଷା ପ୍ରଦାନ ଦିଗ ଉପରେ ସରକାର କେତେ ସଚେତନ ଓ ସମ୍ୱେଦନ ତାହା ଏହି ବଜେଟରେ ଦେଖିବାକୁ ମିଳିଛି। ବିଦେଶୀ ରାଷ୍ଟ୍ରଗୁଡ଼ିକରେ ସେସବୁ ଦେଶର ମୋଟ ରାଜସ୍ୱ ଏବଂ ମୋଟ ଘରୋଇ ଉତ୍ପାଦନ ୩୦ରୁ ୪୦ ପ୍ରତିଶତ ଗରିବଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟୟ ହୋଇଥାଏ। ଭାରତରେ ଏହାର ହାର ୧୬.୮ ପ୍ରତିଶତରେ ସୀମିତ ରହିଛି। କିନ୍ତୁ ପୁଞ୍ଜିପତି, ଶିଳ୍ପପତି, ବ୍ୟବସାୟୀ, ବଡ଼ବଡ଼ ଚାଷୀ, ରାଜନେତାମାନେ ଟିକସ ଦେଇନଥାନ୍ତି। ଟିକସ ଚୋରି କରିଥାନ୍ତି। ଶିଳ୍ପପତି ଓ ବ୍ୟବସାୟୀଙ୍କ ଟିକସ ଛାଡ଼ କରାଯାଇଥାଏ।

 

ଏହିପରି ବଡ଼ଚାଷୀଙ୍କୁ ସବ‍୍‌ସିଡି, କ୍ଷମତାଧାରୀ ରାଜନେତାଙ୍କୁ ଅନେକ ପ୍ରକାର ସରକାରୀ ମାଗଣା ସୁବିଧା ଦିଆଯାଇଥାଏ। ଗରିବ କ’ଣ ଚାହୁଛନ୍ତି, ଏ ସଂପର୍କରେ ଗୋଟିଏ ପରେ ଗୋଟିଏ ସରକାର ବଦଳୁଥିଲେ ହେଁ କେହି ଚିନ୍ତା କରିନାହାନ୍ତି କି ଆଜି ଦିନର ବିଜେପି ନେତୃତ୍ୱାଧୀନ ସରକାର ମଧ୍ୟ କରୁନାହାନ୍ତି। କେବଳ ପ୍ରତିଶ୍ରୁତି ଓ ଭାଷଣରେ ସେଦିନ ଯେପରି ଶ୍ରୀମତୀ ଗାନ୍ଧି ‘ଗରିବୀ ହଟାଅ’ର ନାରା ଦେଇ ଗରିବଙ୍କ ମନକୁ ଭୁଲାଉଥିଲେ, ଆଜି ଦିନରେ ଶ୍ରୀଯୁକ୍ତ ମୋଦି ଦି’ ପାହଚ ଆଗକୁ ବଢ଼ି ତାଙ୍କ ସରକାର ଗରିବଙ୍କ ବିକାଶ ପାଇଁ ବୋଲି ହୁରିପକାଇ କହିଚାଲିଛନ୍ତି। ଚଳିତ ଆର୍ଥିକ ବଜେଟ‍୍‌ର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୟୁନିଭର୍ସାଲ‍୍‌ ବେଶିକ୍ ଇନ‍୍‌କମ‍୍‌ ବା ୟୁବିଆଇ ଅର୍ଥାତ୍ ସର୍ବନିମ୍ନ ଆୟ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସୂଚନା ଦିଆଇଛି। ଏହି ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ ଜରିଆରେ ଦେଶର ଦରିଦ୍ରତମ ଓ ଦରିଦ୍ର ପରିବାରଗୁଡ଼ିକ ମାସକୁ ୧୫୦୦ ଟଙ୍କା ପାଇବେ। ପ୍ରତ୍ୟେକ ଗରିବ ବା ଆର୍ଥିକ ଅସ୍ୱଚ୍ଛଳ ପରିବାରକୁ କେନ୍ଦ୍ର ସରକାର ୟୁବିଆଇ ବା ୟୁନିଭର୍ସାଲ‍୍‌ ବେଶିକ୍ ଇନ‍୍‌କମ‍୍‌ କାର୍ଯ୍ୟକ୍ରମ ଜରିଆରେ ମାସକୁ ମାସ ୧୫୦୦ ଟଙ୍କା ପ୍ରଦାନ କରିବେ।

 

କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ‍୍‌ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ଯେ, ୨୦୦୪ ରୁ ୨୦୧୪ (ୟୁପିଏ ଶାସନକାଳ) ମଧ୍ୟରେ ଦେଶର ୧୪ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଥିଲେ। କିନ୍ତୁ ବାସ୍ତବରେ ଗରିବ ଆହୁରି ଗରିବ ହୋଇଚାଲିଛି। ଆଜିର ବିଜେପି ନେତୃତ୍ୱାଧୀନ ସରକାର ଏକାଧିକ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସବ୍‌ସିଡ୍ ହ୍ରାସ କରି ୟୁବିଆଇ ମାଧ୍ୟମରେ ନଗଦ ସବ୍‌‌ସିଡି ଦେବାକୁ ମନସ୍ଥ କରିଛନ୍ତି। ଏହା ନିର୍ଦ୍ଦିଷ୍ଟ ଜନସଂଖ୍ୟା ପାଇଁ କି ନୁହେଁ, ତାହା ସ୍ପଷ୍ଟ ହୋଇନି। ସର୍ଭେଭିତ୍ତିକ ଭାବେ ବା ସର୍ଭେ ନକରି ଏହି ଯୋଜନାରେ ଗରିବଙ୍କୁ ସଂପୃକ୍ତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିନି। ସରକାର ପୂର୍ବରୁ (କଂଗ୍ରେସ ସରକାର ସମୟରେ) ଗ୍ରାମୀଣ ଲୋକର ଆୟ ୩୨ ଟଙ୍କାରୁ ଅଧିକ ଏବଂ ସହରରେ ୪୭ ଟଙ୍କାରୁ ଅଧିକ ଦୈନିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଦରିଦ୍ର ବୋଲି ଚିହ୍ନଟ କରିଛନ୍ତି। ଏହି ଦାରିଦ୍ର୍ୟ ନିର୍ଦ୍ଧାରଣ ବା ମାପଦଣ୍ଡକୁ ଆଜିର କେନ୍ଦ୍ର ସରକାର ପରିବର୍ତ୍ତନ କରିବେ କି ନାହିଁ, ତାହା ସ୍ପଷ୍ଟ ନୁହେଁ।

 

ୟୁବିଆଇ ଯୋଜନା କାର୍ଯ୍ୟକାରୀ କରି ସର୍ବନିମ୍ନ ଆୟ ବ୍ୟବସ୍ଥା ଗରିବଙ୍କ ପାଇଁ ନିଶ୍ଚିତ କଲେ ବାର୍ଷିକ ହାରାହାରି ୩୪୬,୫୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଏକ ଆକଳନରୁ ଜଣାପଡ଼ିଛି। ଅନ୍ୟ ଏକ ଆକଳନ ଅନୁଯାୟୀ ଏହି ଯୋଜନାରେ ବାର୍ଷିକ ୬୯୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦେଶର ସମୁଦାୟ ଗରିବଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବ ବୋଲି ନିଶ୍ଚିତତା ଯେ ଅଛି ତାହା କୁହାଯାଇନପାରେ। ୨୦୧୫-୧୬ ଆର୍ଥିକ ବର୍ଷରେ ଦେଶର ଅଣଗରିବୀ ଲୋକଙ୍କ ପାଇଁ ସରକାର ୧୦୦,୦୦୦ କୋଟି ଟଙ୍କାର ସବ‍୍‌ସିଡ୍ ଦେଇଛନ୍ତି। ସାର୍ବଜନୀନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଯୋଜନାର ବ୍ୟୟ ଅଟକଳ ୨୫୬,୬୬୯ କୋଟି ଟଙ୍କାରୁ ହ୍ରାସ କରାଯାଇ ୪୨,୧୨୮ କୋଟି ଟଙ୍କାରେ ପହଞ୍ଚିଛି। ଘରୋଇ କ୍ଷେତ୍ରରେ ଘୋଷିତ ଯୋଜନାର ମୂଲ୍ୟ ୧୧୯,୪୭୫ କୋଟି ଟଙ୍କାରୁ ହ୍ରାସ କରାଯାଇ ୮୬,୬୪୫ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟରେ ଅର୍ଥାତ୍ ଚଳିତ ବଜେଟ‍୍‌ରେ ଜିଡିପିର ୧ ପ୍ରତିଶତ ହ୍ରାସ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ହ୍ରାସ ଘଟିଲେ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଦେଢ଼ଲକ୍ଷ କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଏହି କ୍ଷତି ଆର୍ଥିକ ବ୍ୟବସ୍ଥା ପାଇଁ ଆହ୍ୱାନର ବିଷୟ ହୋଇଥିଲା ବେଳେ ସରକାରଙ୍କ ପ୍ରଚାରିତ ୟୁବିଆଇ ବା ସର୍ବନିମ୍ନ ଆୟ ଯୋଜନାର ସଫଳତା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ।

 

୨୦୧୧ ଆର୍ଥିକ ଓ ଜାତିଗତ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶରେ ୨୪.୪୯ କୋଟି ପରିବାର ଅଛନ୍ତି। ଏହି ମୋଟ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ୧୭.୦୭ କୋଟି ପରିବାର ରହିଛନ୍ତି। ଏହି ମୋଟ ପରିବାର ମଧ୍ୟରୁ ୭.୦୭ କୋଟି ପରିବାର ୟୁବିଆଇ କାର୍ଯ୍ୟକ୍ରମ ଅନୁଯାୟୀ ସହାୟତା ପାଇବେ ନାହିଁ। ସୂଚନାମୁତାବକ ୦.୧୬ କୋଟି ଗ୍ରାମୀଣ ଗରିବ ଏବଂ ୮.୭୩ କୋଟି ବଞ୍ଚିତ ପରିବାରଙ୍କୁ ମାସକୁ ୧୫୦୦ ଟଙ୍କା ମିଳିବ। ଅର୍ଥାତ୍ ୮.୮୯ କୋଟି ପରିବାରର ୧୬ କୋଟି ଲୋକ ୟୁବିଆଇ କାର୍ଯ୍ୟକ୍ରମ ଦ୍ୱାରା ସର୍ବନିମ୍ନ ଆୟ ବ୍ୟବସ୍ଥା ଅନୁଯାୟୀ ପଞ୍ଜିକୃତ ହେବେ। ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲେ ଦେଶର ରାଜସ୍ୱ ଉପରେ ୧.୬ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଦେଶର ସମସ୍ତ ୨୯ କୋଟି ଆର୍ଥିକ କ୍ଷେତ୍ରର ଦୁର୍ବଳ ପରିବାରଙ୍କୁ ୟୁବିଆଇ  ବ୍ୟବସ୍ଥା ଅନୁଯାୟୀ ସୁବିଧା ଦିଆଗଲେ ଦେଶ ପାଇଁ ଅତିରିକ୍ତେ ଭାବେ ଆର୍ଥିକ ବୋଝ ପରିମାଣ ୩.୬ ଲକ୍ଷ କୋଟି ଟଙ୍କାକୁ ଛୁଇଁବ। ଏହା ଦେଶର ସରକାରଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ନୁହେଁ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଗଲେ ଦାରିଦ୍ର୍ୟ ପରିବାର ହ୍ରାସ ପାଇବ ବୋଲି ଅର୍ଥଶାସ୍ତ୍ରୀ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୋଟ ଘରୋଇ ଉପିାଦରେ ଟିକସ-ରାଜସ୍ୱ ବୃଦ୍ଧି କରାଯାଉଛି। ଏହି ରାଜସ୍ୱ ଦ୍ୱାରା ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇପାରିବ।

 

ଏହିପରି ସରକାର ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରୁ ଅର୍ଥକାଟ କରୁଥିବାରୁ ବଳକା ଅର୍ଥକୁ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ କରାଯାଇପାରିବ। କର୍ପୋରେଟ‍୍‌ ଟିକସ ଛାଡ଼କୁ ବନ୍ଦ କରିବା, ଟିକସ ଚୋରିକୁ ବନ୍ଦ କରିବା ଓ ଧନୀକଙ୍କୁ ଦିଆଯାଉଥିବା ସବ‍୍‌ସିଡିକୁ ବନ୍ଦ କରି ଦାରିଦ୍ର୍ୟ ଦୂରୀକରଣ ପାଇଁ ୟୁବିଆଇ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇପାରେ। ରାଜସ୍ୱ ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ ଭାବରେ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଏହାସହ ପ୍ରାକୃତିକ ସଂପଦର ଉପଯୋଗଙ୍କୁ ପ୍ରାଥମିକତା ଦିଆଯିବା ସହ ଏହାର ସଠିକ୍ ମୂଲ୍ୟାୟନ ଓ ବିତରଣ ଜରୁରୀ। ଏହା କରାଯାଇ ପାରିବ। ଏହା ନିର୍ଭର କରେ ସରକାରଙ୍କ ଇଚ୍ଛାଶକ୍ତି ଉପରେ। ଆମ ଦେଶ ଭାରତ ଭାଷା, ଲିଙ୍ଗ, ଧର୍ମ, ଜାତି ଓ ବର୍ଗକୁ ନେଇ ବିଭିନ୍ନତା ମଧ୍ୟରେ ଏକତାର କଥା କହିଥାଏ। ଏଥିପାଇଁ ବିଶ୍ୱ ସଂସ୍କୃତିରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି।

 

ଦେଶର ଗରିବୀ ଲୋକଙ୍କ ସଂଖ୍ୟା କେତେ? ତାହାର ପ୍ରକୃତ ଆକଳନ ହୋଇପାରିନି। ସରକାର ଘରୋଇ କର୍ପୋରେଟ‍୍‌ ହାଉସ‍୍‌ ଉପରେ ଦେଶର ବିକାଶକୁ ନ୍ୟସ୍ତ କରୁଛନ୍ତି। ଏହି ଘରୋଇ କ୍ଷେତ୍ର ଦ୍ୱାରା ଦେଶର ଉପେକ୍ଷିତ ଗରିବୀ ଲୋକଙ୍କର ବିକାଶ ସମ୍ଭବ ହେବ, ଏହା ବିଶ୍ୱାସଯୋଗ୍ୟ ନୁହେଁ। ଘରୋଇ କ୍ଷେତ୍ର ଉପରେ ବିଶ୍ୱାସ କରି ବିକାଶ ଯୋଜନାର ସଫଳତା ଆଶା କରିବା ମରିଚୀକାରେ ଜଳର ସନ୍ଧାନ ସଦୃଶ। ସରକାରଙ୍କର ସର୍ବଦା ଯୁକ୍ତି ହେଉଛି-ଶିଳ୍ପ ବିକାଶରେ ଦେଶର ବିକାଶ ହୋଇପାରିବ। ଦେଶର ଆର୍ଥିକ ସ୍ଥିତି ସ୍ୱାବଲମ୍ୱୀ ହେବ। କିନ୍ତୁ ଏହା ସ୍ୱାଧୀନତାର ୭୦ ବର୍ଷ ପରେ ଦେଶର ଉପେକ୍ଷିତ, ବଞ୍ଚିତ ଓ ଅବହେଳିତ ସାଧାରଣ ଲୋକ (ମୋଟ ଜନସଂଖ୍ୟାର ୮୦ ଭାଗ) ଦେଖିପାରିନାହାନ୍ତି କି ଅନୁଭବ କରିପାରିନାହାନ୍ତି।

 

ଦକ୍ଷିଣ କୋରିଆ ଭଳି ଗୋଟିଏ ଦେଶର ଉଦାହରଣ ଦେଲେ ଦେଶର ସାଧାରଣ ନାଗରିକଙ୍କ ଆର୍ଥିକ ସ୍ଥିତି କିପରି ତାହା ସ୍ପଷ୍ଟ ହେବ। ଦକ୍ଷିଣ କୋରିଆର ପ୍ରତ୍ୟେକ ବ୍ୟକ୍ତି ମୋଟ ଘରୋଇ ଉତ୍ପାଦର ସ୍ତର ଅନୁଯାୟୀ ପାଖାପାଖି ୨୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରିଥାନ୍ତି। କିନ୍ତୁ ଭାରତର ଆର୍ଥିକ ସ୍ଥିତି ହେଉଛି ପ୍ରତ୍ୟେକ ବ୍ୟକ୍ତି ମୋଟ ଘରୋଇ ଉତ୍ପାଦର ସ୍ତର ଅନୁଯାୟୀ ୫ ହଜାର ଆମେରିକୀୟ ଡଲାର‍୍‌ ଖର୍ଚ୍ଚ କରିଥାନ୍ତି। ଦେଶର ସାଧାରଣ କୃଷକ ପରିବାରର ଆୟ ଦିନକୁ ୨୦ ଟଙ୍କା। ଏଠାରେ ଅସଂଗଠିତ ଶ୍ରମିକଙ୍କ ଆୟର ଗ୍ୟାରେଣ୍ଟି ନାହିଁ। ଏହି ଚିତ୍ରକୁ ସମୀକ୍ଷା କଲେ ଦେଶରେ ମୋଟ ଜନସଂଖ୍ୟାର ୮୦ ଭାଗ ଲୋକ ସ୍ୱଚ୍ଛଳ ନୁହଁନ୍ତି ବୋଲି ଜଣାପଡେ଼।

 

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୟୁନିଭର୍ସାଲ‍୍‌ ବେଶିକ୍ ଇନ‍୍‌କମ‍୍‌ ବା ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପୂର୍ବରୁ ଦେଶର ମୋଟ ଗରିବ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ‍୍‌ କରାଯିବ, ତାହାର ସ୍ପଷ୍ଟ ଚିତ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଉ। ସମୟ କହିବ ସରକାରଙ୍କ ଏହି ୟୁବିଆଇ ବା ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ ଦେଶରୁ ଦାରିଦ୍ର୍ୟ ଦୂର କରିବାରେ କେତେ ସଫଳ ହେଉଛି। ଏହା ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ (କଂଗ୍ରେସ ସରକାରଙ୍କ) ‘ଗରିବୀ ହଟାଅ’ ଧ୍ୱନି ଭଳି ବିଫଳତାର ପ୍ରସଙ୍ଗ ହୋଇ ରହିବ। ଗରିବ ଓ ଧନୀ ମଧ୍ୟରେ ତାରତମ୍ୟ ଏବେ ଯେପରି ଆକାଶ ପାତାଳ ଫରକ ରହିଛି, ସେହିପରି ଫରକ ଅତୁଟ ରହିବ ନା ଦୂର ହେବ?

 

କହିବା ପ୍ରାସଙ୍ଗିକ ହେବ ଯେ ଉଦାରୀକରଣ ଅର୍ଥନୀତିର କରୁଣ ପରିଣତି ହେଉଛି ଦାରିଦ୍ର୍ୟ ବୃଦ୍ଧି। ଏହି କାରଣକୁ ସରକାର ଏଯାଏ ମାନିନାହାନ୍ତି ବା ସ୍ୱୀକାର କରିନାହାନ୍ତି ବା ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପରିବର୍ତ୍ତନ ପାଇଁ ଗୋଟିଏ ପାଦ ଆଗକୁ ବଢ଼ିନାହାନ୍ତି। କଂଗ୍ରେସର ଅର୍ଥନୀତି ରାସ୍ତାରେ ଆଜିର ବିଜେପି ଆଗକୁ ମାଡ଼ିଚାଲିଛି। ପଛକୁ ଫେରି ଅର୍ଥନୀତି ପରିବର୍ତ୍ତନ କରିବାର ସମ୍ଭାବନା ଦେଖାଯାଉନାହିଁ। ଫଳରେ ଦାରିଦ୍ର୍ୟ ଦୂର କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିଛି ଓ ରହିଥିବ ବୋଲି କହିଲେ ଭୁଲ ହେବନାହିଁ। ଏସଂପର୍କରେ ସମୀକ୍ଷା ଓ ବିତର୍କ ଲୋଡ଼ା।

 

ଭିଆର‍୍‌-୧୦/୧, ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧

ଦୂରଭାଷ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top