ଜନତାଙ୍କ ପୁରସ୍କାର ‘ପଦ୍ମ’

News Story - Posted on 2017-02-03

ପ୍ରିୟଦର୍ଶୀ ଦତ୍ତ

 

୨୦୧୭ ପଦ୍ମ ପୁରସ୍କାର ତାଲିକା ସତେଜ ପବନ ଭଳି ଅନୁଭବ ଦେଇଛି। ଏଥିରେ କେତେଜଣ କୀର୍ତ୍ତି ଅବିଦିତ ନାୟକଙ୍କୁ ସ୍ଥାନ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି, ଭାରତର ସବୁଠୁ ବୟସ୍କ ମହିଳା କଲରିପୟଟ୍ଟୁ ବିଶେଷଜ୍ଞ ମୀନାକ୍ଷୀ ଆମ୍ମା(୭୬), କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ର ପ୍ରଦେଶର ଗ୍ରାମାଂଚଳରେ ୧୦୦ରୁ ଅଧିକ ଝୁଲା ପୋଲ ନିର୍ମାଣ କରିଥିବା ଗିରୀଶ ଭରଦ୍ୱାଜ(୬୬), ଦୀର୍ଘ ୪୦ ବର୍ଷ ଧରି କୋଲକାତାରେ େସ୍ୱଚ୍ଛାକୃତ ଭାବେ ନିଆଁ ଲିଭାଇବା କାମରେ ନିୟୋଜିତ ଥିବା ବିପିନ ଗଣତ୍ରା(୫୯), ମାଗଣାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଇନ୍ଦୋରର ବୟସ୍କ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଭକ୍ତି ଯାଦବ(୯୧), ତେଲଙ୍ଗାନାର ବିଭିନ୍ନ ଅଂଚଳରେ ଏକ କୋଟିରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଥିବା ଦାରିପଲ୍ଲୀ ରାମ୍ୟା(୬୮),  ପୋଚମପଲ୍ଲୀ ସିଲ୍କ ଶାଢ଼ୀ ବୁଣିବାର ସମୟ ଏବଂ ଶ୍ରମ ହ୍ରାସ କରିଥିବା ଲକ୍ଷ୍ମୀ ଏଏସୟୁ ମେସିନ‌୍‍ର ଉଦ୍ଭାବକ ଚିନ୍ତାକିଣ୍ଡି ମାଲ୍ଲେଶମ (୪୪), ନିଜ ବାଇକ‌୍‍କୁ ଆମ୍ୱୁଲାନ୍ସରେ ପରିଣତ କରି ରୋଗୀ ସେବା ଯୋଗାଇ ଦେଉଥିବା ପଶ୍ଚିମବଙ୍ଗ ଚା’ ବଗିଚାରେ କାର୍ଯ୍ୟରତ କରିମୁଲ‌୍‍ ହକ‌୍‍ (୫୨), ରାଜପଥରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏକକ ହେଲ୍ପଲାଇନ ଆରମ୍ଭ କରିଥିବା ଡା. ସୁବ୍ରତ ଦାସ ପ୍ରମୁଖ। ଏମାନେ ସମସ୍ତେ ୭୫ ଜଣ ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ମଧ୍ୟରେ ସାମିଲ‌୍‍ ଅଛନ୍ତି। ଚଳିତ ଥର କୌଣସି ବଲିଉଡ‌୍‍ ଅଭିନେତାଙ୍କୁ ଏହି ତାଲିକାରେ ସାମିଲ କରାଯାଇନାହିଁ।

 

ପଦ୍ମ ପୁରସ୍କାର ଇତିହାସରେ ପ୍ରଥମ ଘଟଣା ଭାବେ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବାଛିବା ଲାଗି ଏଥର ସାଧାରଣ ଜନତାଙ୍କୁ ସୁଯୋଗ ମିଳିଥିଲା। ପୂର୍ବରୁ କେବଳ କେନ୍ଦ୍ର ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସାଂସଦ, ପୂର୍ବତନ ପୁରସ୍କାର ବିଜେତା ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପାଇଁ ନାମ ସୁପାରିସ କରିବାର ସୁଯୋଗ ମିଳିଥିଲା। ଏହା ପୁରସ୍କାର ପାଇଁ ଲବି କରିବାକୁ ପ୍ରୋତ୍ସାହନ ଦେଉଥିଲା। ଅଫଲାଇନ‌୍‍ରେ ସବୁକିଛି ହେଉଥିବାରୁ ଏ ଦିଗରେ ଆସୁଥିବା ଅଭିଯୋଗଗୁଡ଼ିକ ପ୍ରମାଣିତ କରିହେଉନଥିଲା କିମ୍ୱା ନାକଚ ମଧ୍ୟ କରିହେଉ ନଥିଲା।

 

ମାତ୍ର ଏଥର ସ୍ୱଚ୍ଛତା ଆଣିବା ଲାଗି ପୁରସ୍କାର ନାମାଙ୍କନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ଅନ‌୍‍ଲାଇନ‌୍‍ କରିଦିଆଯାଇଥିଲା। ଫଳରେ ଲବି କରିବାର ସୁଯୋଗ ରହିଲା ନାହିଁ। ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଦିଲ୍ଲୀର ୫ ଜଣରୁ ଅଧିକ ଲୋକଙ୍କୁ ସୁଦ୍ଧା ସ୍ଥାନ ମିଳିନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। କାରଣ ପୂର୍ବରୁ କେବଳ ଜାତୀୟ ରାଜଧାନୀରେ ରହୁଥିବା ପାଖାପାଖି ୨୦ ଜଣଙ୍କୁ ପଦ୍ମ ପୁରସ୍କାର ମିଳୁଥିଲା। ଏଥର ୭ ଜଣ ପଦ୍ମବିଭୂଷଣ, ୭ ଜଣ ପଦ୍ମ ଭୂଷଣ ଏବଂ ୭୫ ଜଣ ପଦ୍ମଶ୍ରୀଙ୍କୁ ମିଶାଇ ୮୯ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି। ଅର୍ଥାତ‌୍‍ ଚଳିତ ଥର କଡ଼ା ତର୍ଜମା ପରେ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରାଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୦୦ରୁ ଅଧିକ ଟପିଯାଉଥିଲା। ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାର ସୀମା ୧୨୦ ରହୁଥିଲା।

 

୧୯୫୫ ମସିହା ପରଠାରୁ ପଦ୍ମ ପୁରସ୍କାର ଦିଆଯାଇଆସୁଛି। ସମାଜସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ତଥା ଅସାଧାରଣ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଭାରତର ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥାନ୍ତି।

 

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପରେ ପଦ୍ମ ପୁରସ୍କାର ହିଁ ଶ୍ରେଷ୍ଠ ସମ୍ମାନ। ବ୍ରିଟିଶ ଉପନିବେଶବାଦ ସମୟରେ ଭାରତୀୟ ନାଗରିକଙ୍କୁ ମିଳୁଥିବା ନାଇଟ‌୍‍ହୁଡ‌୍‍, ରାୟ ବାହାଦୂର, ଖାନ‌୍‍ ବାହାଦୂର ଏବଂ ସର୍ଦ୍ଦାର ବାହାଦୂର ସମ୍ମାନକୁ ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୧୮ ବଳରେ ଉଚ୍ଛେଦ କରିଦିଆଯାଇଛି। ଶୈକ୍ଷିକ କିମ୍ୱା ସାମରିକ ଉତ୍କର୍ଷ ନଥିବା କୌଣସି ସମ୍ମାନ ଭାରତ ସରକାର ପ୍ରଦାନ କିମ୍ୱା ଅନୁମୋଦନ କରିନଥାନ୍ତି। ୧୯୫୪ରେ ମେଧା ଏବଂ ସମାଜକୁ ଅବଦାନ ଆଧାରରେ ପଦ୍ମ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ୧୯୫୫ରେ ଏହି ପୁରସ୍କାରର ନାମକରଣ କରାଯାଇଥିଲା। କୌଣସି ପଦ୍ମ ପୁରସ୍କାର ବିଜେତା ସେମାନଙ୍କ ନାମ ସହ ପଦ୍ମ ପୁରସ୍କାରକୁ ଏକ ସମ୍ମାନ ଭାବେ ଯୋଡ଼ିପାରିବେ ନାହିଁ।

 

ଏହି ପୁରସ୍କାର ପାଇବା ଲାଗି କଳା, ସମାଜସେବା, ସାଧାରଣ ସେବା, ବିଜ୍ଞାନ ଏବଂ କାରିଗରୀ, ବାଣିଜ୍ୟ ଏବଂ ଶିଳ୍ପ, ମେଡିସିନ‌୍‍, ସାହିତ୍ୟ ଏବଂ ଶିକ୍ଷା, ପ୍ରଶାସନିକ ସେବା ଏବଂ କ୍ରୀଡ଼ା ଆଦି ୯ଟି ବିସ୍ତୃତ କ୍ଷେତ୍ରରେ ବଳି  ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଚୟନ କରାଯାଇଥାଏ। ତେବେ ମାନବତା, ପରିବେଶ, ବନ୍ୟଜନ୍ତୁ ଆଦିଙ୍କ ସୁରକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ମଧ୍ୟ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। ଏହାକୁ ଅଣପରମ୍ପରାଗତ ଭାବେ ପଦ୍ମ ପୁରସ୍କାର ପାଇବାର ଦଶମ ମାନଦଣ୍ଡ ରୂପେ ଗ୍ରହଣ କରାଯାଇଛି।

 

ମାର୍ଚ୍ଚ/ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯିବ। ତା’ପୂର୍ବରୁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇସାରିଛି। ପଦ୍ମ ପୁରସ୍କାର କୌଣସି ବିଦେଶୀ ମଧ୍ୟ ପାଇପାରିବେ। ତେବେ ସେଭଳି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଭାରତ କିମ୍ୱା ଭାରତ ସହ ସମ୍ପୃକ୍ତ ସମାଜ ଉପକୃତ ହୋଇଥିବା ଆବଶ୍ୟକ।

 

ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ଗଠିତ କମିଟି ପୁରସ୍କାର ବିଜେତାଙ୍କ ତାଲିକା ପ୍ରସ୍ତୁତ କରିଥାଏ। କ୍ୟାବିନେଟ‌୍‍ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ସ୍ୱରାଷ୍ଟ୍ର ସଚିବ, ରାଷ୍ଟ୍ରପତିଙ୍କ ସଚିବଙ୍କ ସହିତ ୪ କିମ୍ୱା ୬ଜଣ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଥାଆନ୍ତି। ତାଲିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଗୋପନୀୟ ଭାବେ ଅନୁମୋଦନ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥାଏ।

 

ମରଣୋତ୍ତର ଭାବେ ସାଧାରଣତଃ ପଦ୍ମ ପୁରସ୍କାର ଦିଆଯାଇ ନଥାଏ। ତେବେ ବିଶେଷ ଆବଶ୍ୟକତା ଦେଖାଦେଲେ ସରକାର ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ ନିମନ୍ତେ ବିଚାର କରିପାରନ୍ତି। ଚଳିତ ବର୍ଷ ୪ ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଶିଷ୍ଟ ଚିକିତ୍ସକ ଡା. ସୁନୀତି ସୋଲୋମୋନ୍‌(୧୯୩୮-୨୦୧୫)। ଏଡସ‌୍‍ ଭଳି ପ୍ରାଣଘାତୀ ରୋଗ ନିରାକରଣ ଲାଗି ଗବେଷଣା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଦେଶରେ ପ୍ରଥମ ଥର ଲାଗି ୧୯୮୫ରେ ଚେନ୍ନାଇରେ ଏଡସ‌୍‍ ରୋଗ ଚିହ୍ନଟ କରାଯାଇଥିଲା। ସେବେଠାରୁ ଏଡ‌୍‍ସ‌୍‍ ବିରୋଧୀ ଲଢ଼େଇରେ ଡା. ସୁନୀତି ଉଲ୍ଲେଖନୀୟ ଯୋଗଦାନ ଦେଇଆସିଥିଲେ। ଏଡସ‌୍‍ ରୋଗ ଗରିବ ଏବଂ ଅଶିକ୍ଷିତ ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଡ‌୍‍ସ‌୍‍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଡା. ସୁନୀତି ସୋଲୋମନ‌୍‍ଙ୍କ ଯୋଗଦାନ ଅବିସ୍ମରଣୀୟ। ଦୁଃଖର କଥା ଜୀବନକାଳ ମଧ୍ୟରେ ତାଙ୍କୁ ଏହି ପୁରସ୍କାର ମିଳିପାରିଲା ନାହିଁ।

 

ଜୀବିତ ଥିବା ଅବସ୍ଥାରେ ସମ୍ମାନରୁ ବଂଚିତ ହୋଇଥିବା ଆଉ ଜଣେ ଚିକିତ୍ସକ ହେଲେ ଡା. ଏସଭି ମାପୁସ୍କର। ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ପୂର୍ବରୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଗ୍ରାମାଂଚଳରେ ସ୍ୱଚ୍ଛ ପରିମଳ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କ୍ଷେତ୍ରରେ ସେ ‘ସ୍ୱଚ୍ଛ ଦୂତ’ ଭାବେ କାର୍ଯ୍ୟ କରିଥିଲେ। ପୁନେ ନିକଟବର୍ତ୍ତୀ ଦେହୁ ଗ୍ରାମରେ ସେ ବାୟୋ-ଗ୍ୟାସ‌୍‍ ଟାଙ୍କି ଥିବା ପାଇଖାନା ନିର୍ମାଣ କରିଥିଲେ। ଏହା ସ୍ୱଚ୍ଛ ଗ୍ରାମ ଏବଂ ସ୍ୱଚ୍ଛ ଶକ୍ତି ସୃଷ୍ଟିରେ ସହାୟକ ହୋଇଥିଲା। ମାପୁସ୍କରଙ୍କ ଏନଜିଓ ମହାରାଷ୍ଟ୍ରର ବିଭିନ୍ନ ଗ୍ରାମ ଏବଂ ଅନ୍ୟାନ୍ୟ ସ୍ଥାନରେ ଦଶନ୍ଧୀ ଧରି ଏଭଳି ପାଇଖାନା ନିର୍ମାଣ କରିଥିଲା ଯାହା ବେଶ‌୍‍ ଲୋକପ୍ରିୟ ହୋଇଥିଲା। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଏହି ପାଇଖାନା ନିର୍ମାଣ ପଦ୍ଧତିକୁ ଆଦର୍ଶ ଭାବେ ଗ୍ରହଣ କରାଯାଇପାରିବ।

 

ପଦ୍ମ ଏପରି ଏକ ପୁଷ୍ପ ଯାହାର ଐଶ୍ୱରୀକ ସୌନ୍ଦର୍ଯ୍ୟ ରହିଛି। ପଙ୍କରେ ଫୁଟୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ରହିଥାଏ। ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଥିବା କୀର୍ତ୍ତି ଅବିଦିତ ନାୟକମାନେ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ସେମାନେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛନ୍ତି। ଏହି କାର୍ଯ୍ୟ ସେମାନଙ୍କୁ ଅସାଧାରଣ କରିଦେଇଛି।

 

(ଲେଖକ ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ସ୍ତମ୍ଭକାର ଏବଂ ସ୍ୱାଧୀନ ଗବେଷକ। ଏହି ଲେଖା ତାଙ୍କର ବ୍ୟକ୍ତିଗତ ମତ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top