ଓଏସଏଲ କ’ଣ ହତ୍ୟାକାରୀ?

News Story - Posted on 2017-01-30

ଭାରତବର୍ଷର ସର୍ବ ବୃହତ ବନ୍ଦରମାନଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦର ଅନ୍ୟତମ। ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର ମଧ୍ୟ ସର୍ବଭାରତୀୟ ସ୍ତରରେ ଅଦ୍ୱିତୀୟ। ତା’ର ପୃଷ୍ଠଭୂମି ମଧ୍ୟ ବୃହତ। ଦୀର୍ଘଦିନ ଧରି ଏଠାରେ ପଣ୍ୟ କାରବାର କରୁଥିବା ଓଡ଼ିଶା ଷ୍ଟିଭେଡୋର୍ସ ଲିଃ. ସୁଚାରୁ ରୂପେ କାରବାର କରି ଆସୁଛି ଏବଂ ଅନ୍ୟ ଷ୍ଟିଭେଡୋରିଂ କମ୍ପାନୀ ମଧ୍ୟ ପାରାଦ୍ୱୀପ ବନ୍ଦରରେ ଦୀର୍ଘ ଦିନ ଧରି ପଣ୍ୟ କାରବାର କରୁଛନ୍ତି।

 

୨୦୧୫ ମସିହାରେ ଜିନ୍ଦଲ ଷ୍ଟିଲ ଆଣ୍ଡ‌୍‍ ପାୱାର ଲିଃ. ସିେୱଜ ଷ୍ଟିଭେଡୋର୍ସ କମ୍ପାନୀକୁ କୋଇଲା ଓ ଚୁନପଥର କାରବାର କରିବା ପାଇଁ କାମ ଦେଲା। ନୀତି ନିୟମ ଦୃଷ୍ଟିରୁ ସିେୱଜ‌୍‍ କମ୍ପାନୀ କେବଳ କଣ୍ଟେନର କାର୍ଗୋ ପରିବହନ କରୁଥିଲା। ଏହିଠାରୁ ହିଁ ଆରମ୍ଭ ହେଲା ପାରଦ୍ୱୀପ ବନ୍ଦରରେ ଅଶାନ୍ତ ପରିବେଶ। ସ୍ୱିେୱଜ‌୍‍ କମ୍ପାନୀ ଓ ଜିନ୍ଦଲ ମିଶି ପାରାଦ୍ୱୀପ ବନ୍ଦରରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ ଚକ୍ରାନ୍ତ। ତା ପୂର୍ବରୁ ଓଏସ‌୍‍ଏଲ‌୍‍ ଜିନ୍ଦଲର ସମସ୍ତ ପଣ୍ୟ କାରବାର କରୁଥିଲା। କିନ୍ତୁ ଓଏସ‌୍‍ଏଲ‌୍‍ ଦ୍ୱାରା ପରିଚାଳିତ ଗୋପାଳପୁର ବନ୍ଦରର ସହଭାଗିତାକୁ ନେଇ ଜିନ୍ଦଲ ଓ ଓଏସଏଲ ମଧ୍ୟରେ ବିବାଦ ଉପୁଜିଥିଲା। ସେହି ବିବାଦରୁ ଜିନ୍ଦଲ ପାରାଦ୍ୱୀପ ବନ୍ଦରରେ ଓଏସ‌୍‍ଏଲ‌୍‍ର ପଣ୍ୟ କାରବାରକୁ ସାହାରା ଇଂଞ୍ଜିନିୟରିଂକୁ ଅର୍ପଣ କରିଥିଲା। ସେତେବେଳେ ଓଏସ‌୍‍ଏଲ‌୍‍ ଏହାକୁ ବିରୋଧ କରି ନଥିଲା। ପରବର୍ତ୍ତୀ ଅବସ୍ଥାରେ ସାହାରା ଇଂଞ୍ଜିନିୟରିଂ ଷ୍ଟିଭେଡୋର୍ସ ସଂସ୍ଥାକୁ ମଧ୍ୟ ଅନ୍ତର କରି ଜିନ୍ଦଲ ସିେୱଜ କମ୍ପାନୀକୁ କାମ ଦେବାରୁ ପାରାଦ୍ୱୀପ ଷ୍ଟିଭେଡୋରିଂ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ପରେ ସଂଘ ଏହା ବିରୁଦ୍ଧରେ ସ୍ୱର ଉତ୍ତୋନଳ କଲା ବେଳେ ବିଶାଖପାଟଣା ବନ୍ଦରର ଅଧ୍ୟକ୍ଷ ଟି. କୃଷ୍ଣାବାବୁ ପାରାଦ୍ୱୀପ ବନ୍ଦରର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେହି ସମୟରୁ ପାରଦ୍ୱୀପ ବନ୍ଦର ସହିତ ଷ୍ଟିଭେଡୋରିଂ ସଂଘର ବିବାଦ ତେଜିବାକୁ ଲାଗିଲା। ସେପଟେ ବନ୍ଦରର ଅଧ୍ୟକ୍ଷ ସିେୱଜର କମ୍ପାନୀର ତତ୍ତ୍ୱବାଧାନରେ ଆଉ ଏକ ସଂଘକୁ ସ୍ୱୀକୃତି ପ୍ରଦାନ କଲେ। ଯାହା ଫଳରେ ଓଡ଼ିଆ ଓଡ଼ିଆଙ୍କ ମଧ୍ୟରେ ସଂର୍ଘଷ କରାଇ ଅଣ ଓଡ଼ିଆମାନେ ଏହାର ଫାଇଦା ନେବାକୁ ଚେଷ୍ଟା କଲେ। ଯାହାର ପରିଣତି ମହିମା ମିଶ୍ର ଓ ତାଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟିଭେଡୋର୍ସ ଲିଃ.କୁ ଭୋଗିବାକୁ ପଡୁଛି।

 

ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୨୬ ତାରିଖରେ ସଂଗଠିତ ପରିସ୍ଥିତିରେ ଫାଇଦା ଉଠାଇବା ପାଇଁ ଜନୈକ କର୍ମଚାରୀ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାରେ ଓଏସ‌୍‍ଏଲ‌୍‍ର ପରିଚାଳନା ନିର୍ଦ୍ଦେଶକ ମହିମା ମିଶ୍ର, ବସନ୍ତ ବଳ, ସୁଶାନ୍ତ ସେଠୀ, କଂଗ୍ରେସ ନେତା ବାପି ସର୍କେଲ ପ୍ରମୁଖଙ୍କୁ ପୁଲିସ ଗିରଫ କରି ଅନୁସନ୍ଧାନ ଚଳାଇଛି। ଦୀର୍ଘ ଦିନ ଅନୁସନ୍ଧାନ ପରେ ମହେନ୍ଦ୍ର ସ୍ୱାଇଁଙ୍କର ମୃତ୍ୟୁର ମୁଖ୍ୟ ଆସାମୀକୁ ପୋଲିସ ଧରି ସାରିଥିବା ବେଳେ କେଉଁ କାରଣ ଯୋଗୁଁ ଓଏସ‌୍‍ଏଲ‌୍‍କୁ ହଇରାଣ ହରକତ କରାଯାଉଛି ତାହା ସନ୍ଦେହ ଘେରରେ ରହୁଛି। ମହିମା ଯଦି ହତ୍ୟାକାଣ୍ଡରେ ଜଡ଼ିତ ତେବେ ତାଙ୍କ ବିରୋଧରେ ପ୍ରମାଣ ଏକତ୍ରିତ କରି କୋର୍ଟକୁ ଯିବା ପରିବର୍ତ୍ତେ ପୁଲିସ ଓଏସ‌୍‍ଏଲ‌୍‍ କର୍ମଚାରୀମାନଙ୍କୁ ଥାନାକୁ ଡକାଇ ଜେରା କରିବା ବାହାନାରେ ମାନସିକ ଯନ୍ତ୍ରଣା ଦେଉଛି। ମହିମା ଯଦି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତାହା କୋର୍ଟରେ ପ୍ରମାଣିତ କରାଯାଉ, କୋର୍ଟ ତାଙ୍କ ଦଣ୍ଡ ଦେଉ। କିନ୍ତୁ ତାଙ୍କ ବ୍ୟାବସାୟିକ ସଂସ୍ଥା ବିରୋଧରେ ପୁଲିସ ଲଗାଇ କାହିଁକି ଷଡ଼ଯନ୍ତ୍ର କରାଯାଉଛି?

 

ଓଏସ‌୍‍ଏଲ‌୍‍ ସଂସ୍ଥାର ମୁଖ୍ୟ କାହାଠାରୁ ପଇସା ନେଇ ଏତେ ଦିନ ବାହାରେ ରହୁଥିଲେ, ହୋଟେଲ ଖର୍ଚ୍ଚ କିଏ ବହନ କରୁଥିଲା ତାହା କାହିଁକି ପୁଲିସ ପଚାରୁଛି ବୁଝାପଡ଼ୁନି। ସ୍ୱଭାବିକ ଭାବେ ସଂସ୍ଥାର ଅଧ୍ୟକ୍ଷ ବ୍ୟାବସାୟିକ ଦୃଷ୍ଟିରୁ ବିଦେଶ ଯିବାବେଳେ ସମସ୍ତ ଖର୍ଚ୍ଚ ସଂସ୍ଥା ହିଁ ବହନ କରିଥାଏ। ଏହା ଜଣେ ସାଧାରଣ ଲୋକ ବି କହିପାରିବ। ଏପରିକି ଏକ ଇଂରାଜୀ ଖବର କାଗଜରେ ଜନୈକ ପୋଲିସ ଅଫିସର (ନାମ ନଥିବା)ଙ୍କ ବୟାନ ଯେ ମହିମା ମିଶ୍ରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସଂସ୍ଥାର ସମସ୍ତ ସମ୍ପତ୍ତି ସଂଲଗ୍ନ କରାଯିବ। ଏଭଳି ବିବୃତି ସପୃକ୍ତ ଖବର କାଗଜ ଓ ପୋଲିସ ଅଫିସରଙ୍କୁ ସନ୍ଦେହ ଘେର ଭିତରକୁ ଟାଣିଆଣୁଛି। ସମସ୍ତ ବିଷୟ ବିଚାରାଧୀନ ଥିବା ବେଳେ ଏଭଳି ମନ୍ତବ୍ୟ ଓ ପୋଲିସ ଅଫିସରଙ୍କ ବୟାନ କେତେ ଦୂର ଯଥାର୍ଥ? ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ବା ମୁଖ୍ୟମନ୍ତ୍ରୀ ନିଜେ ଏଭଳି ମନ୍ତବ୍ୟ ଦେବା ପାଇଁ ସଂପୃକ୍ତ ପୋଲିସ ଅଫିସରଙ୍କୁ ଅନୁମତି ପ୍ରଦାନ କରିଛନ୍ତି କି? ଏଭଳି ଅବାସ୍ତବ ଅବାଞ୍ଛନୀୟ ମତ, ମନ୍ତବ୍ୟ ଓ ଅନୁସନ୍ଧାନ କେତେ ଦୂର ଜଣେ ଓଡ଼ିଆ ବ୍ୟବସାୟୀଙ୍କ ପାଇଁ ପ୍ରଯୁଜ୍ୟ?

 

୧୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଠିକା କର୍ମଚାରୀଙ୍କୁ ନେଇ ବ୍ୟବସାୟ କରୁଥିବା ଓଡ଼ିଶା ଷ୍ଟିଭେଡୋରର୍ସ ଲିଃ.ର ସମସ୍ତ କାରବାର କେବଳ ମାତ୍ର ଓଡ଼ିଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମ ବଙ୍ଗ, ଦିଲ୍ଲୀ ପ୍ରଭୃତି ରାଜ୍ୟରେ ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ପ୍ରତିଷ୍ଠିତ ହୋଇଥିବା ମହିମାନନ୍ଦ ମିଶ୍ରଙ୍କୁ ଏଭଳି ବ୍ୟବହାର ପ୍ରତ୍ୟେକ ଓଡ଼ିଆଙ୍କୁ ନିଶ୍ଚିତ ଭାବେ କଷ୍ଟ ଦେଇଛି। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ୧୦ ହଜାରରୁ ଉର୍ଦ୍ଧ୍ବ ପରିବାର ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଷ୍ଟିଭେଡୋର୍ସ ଲିଃ.ର ବିଶ୍ୱସନୀୟତାକୁ ଦୃଢିଭୁକ୍ତ କରାଇବାରେ ସହାୟକ ହୁଅନ୍ତୁ ବୋଲି ପାରାଦୀପରେ ଜନମତ ପ୍ରକାଶ ପାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top