ଧନୁରାଶିକୁ ଶନିଚଳନ

News Story - Posted on 2017-01-25

ଜ୍ୟୋତିର୍ବିଦ‌୍‍ ଡ. ପ୍ରଦୀପ କୁମାର ଚୌଧୁରୀ

 

ରାଶିଚକ୍ରରେ ଶନିଚଳନ ବା ଶନିସପ୍ତା ଏକ ଅଶୁଭ ସଙ୍କେତ ବୋଲି ଧାରଣା ରହିଛି। ଏହାର ପ୍ରତିକାର ବିଧି ଭାବେ ଶନିଦେବଙ୍କୁ ପୂଜା କରିବା ପାଇଁ ପରାମର୍ଶ ଦିଆଯାଏ। କେହି କେବେ ଏଭଳି ବିଧିର ମହତ‌୍‍ ଦିଗ ସଂପର୍କରେ ଆଲୋଚନା କରିନାହାନ୍ତି। ପ୍ରକୃତରେ ଶନି ହେଉଛନ୍ତି ଜଣେ ସର୍ବଶ୍ରେଷ୍ଠ ଶିକ୍ଷକ। ଆସନ୍ତୁ ଶନି ଚଳନର ଦିଗ ଓ ଉପକାର ସହିତ ପ୍ରତିକାର ସମ୍ପର୍କରେ ଆଲୋଚନା କରିବା।

 

ଶନି ଚଳନ ! ଭାଗ୍ୟ ଓ ଭବିଷ୍ୟତ ଉପରେ ଗ୍ରହ-ନକ୍ଷତ୍ରର ପ୍ରଭାବକୁ ସାମାନ୍ୟ ବିଶ୍ୱାସ କରୁଥିବା ବ୍ୟକ୍ତି ମଧ୍ୟ ଏଭଳି ଶବ୍ଦରେ ଶଙ୍କିତ ହୋଇପଡନ୍ତି। ଏହା ଉପରେ ଆଦୌ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ଅବଚେତନ ମନରେ ଗୋଳେଇ ଘାଣ୍ଟି ହୁଅନ୍ତି ଓ ଏହାର ଉପଚାର ପାଇଁ ଗୁପ୍ତ ଉପଚାର ଆରମ୍ଭ କରନ୍ତି। ସୂକ୍ଷ୍ମ ଅନୁଶୀଳନ କଲେ ଜଣାଯାଏ, ମଣିଷର ଇଚ୍ଛା ରହିଥିବା ଯାଏଁ ଭାଗ୍ୟ ଓ ଭବିଷ୍ୟତ ମନସ୍କ ହେବା ନିଶ୍ଚିତ। ଏ ଦୁଇଟି ମଧ୍ୟରେ ଯୁକ୍ତିସଙ୍ଗତ କ୍ରିୟା ଓ ପ୍ରତିକ୍ରିୟା ରହିଛି ବୋଲି ଜ୍ୟୋତିର୍ବିଦ‌୍‍ମାନେ ଦୃଢୋକ୍ତି କରନ୍ତି। ଜ୍ୟୋତିର୍ବିଜ୍ଞାନ ମଧ୍ୟ ଏହି କାରଣରୁ ଲୋକପ୍ରିୟ ଓ  ସର୍ବଜନାଦୃତ ହୋଇଛି।

 

ମଣିଷର ମନ ଏପରି ଯେ ଇଚ୍ଛାକୁ ସହଜରେ ଦମନ କରିବା ତା’ ପକ୍ଷେ ସମ୍ଭବ ହୁଏନା। ଅଧିକାଂଶ ଏହି କାରଣରୁ ସଂପଦକୁ ସୁଖବେଳ ବୋଲି ଧରିଥା’ନ୍ତି। ସଂପଦବେଳେ ଅନେକ ଭଗବାନଙ୍କ ନାମସ୍ମରଣ ମଧ୍ୟ ପାସୋରି ଦିଅନ୍ତି। ବିପଦ ଆସିବା ମାତ୍ରେ ପ୍ରଥମେ ତୁଣ୍ଡରୁ ବାହାରେ - ‘ହେ ଭଗବାନ ! ରକ୍ଷାକର’। ଶନି ଚଳନ କ୍ଷେତ୍ର ଓ ଅବସ୍ଥିତି ବିଶେଷରେ ମଣିଷକୁ ରୋଗ, ଶୋକ, ଯନ୍ତ୍ରଣା, ଅର୍ଥାଭାବ, ସମ୍ମାନହାନି ଓ କ୍ଷେତ୍ରସ୍ଥଳରେ  ମୃତ୍ୟୁ ଦିଏ ବୋଲି ଜାତକ ଗଣନାକାର, ଜ୍ୟୋତିର୍ବିଦ‌୍‍ମାନେ ମତ ଦିଅନ୍ତି। ଏହି ଚଳନ ମାତ୍ରେ କୌଣସି ସଙ୍କଟ ଓ ଦୁଃଖ ‘ଶନି ଦେବଙ୍କ କୋପଦୃଷ୍ଟିରୁ’ ହେଉଛି ବୋଲି ଦୁର୍ବଳ ମଣିଷ ଭାବିବା ଯଥାର୍ଥ। ଏହା ପରେ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ ହୁଏ ପୂଜାର୍ଚ୍ଚନା। ବିଶେଷ କରି ଶନିବାର ଶନିଦେବଙ୍କ ବାର ହୋଇଥିବାରୁ ଏହି  ଦିନ ବେଶି ଗହଳି ହୁଏ ଶନି ମନ୍ଦିରରେ। ଶନି ଦେବତାଙ୍କ ଭୟ ଆମକୁ ଏପରି ଗ୍ରାସ କରିଛି ଯେ ତାଙ୍କ ସଂଲଗ୍ନ ପୂଜାବିଧି ଓ ପରମ୍ପରାର ମହତ‌୍‍ ଦିଗକୁ ଆମେ ଧ୍ୟାନ ଦେଇ ନାହାନ୍ତି।

 

ପ୍ରଥମେ ଆମେ ଶନି ଦେବତାଙ୍କୁ ଜଣେ ଶିକ୍ଷକ ଭାବେ ବିଚାର କରିବା। ତାଙ୍କ ଭଳି ଜଣେ ଉତ୍ତମ ଶିକ୍ଷକ ଆଉ ନାହାନ୍ତି। ସୂର୍ଯ୍ୟ ଦେବ ଓ ତାଙ୍କ ପତ୍ନୀ ଛାୟାଙ୍କ ପୁତ୍ର ହେଉଛନ୍ତି ଶନି। ଗ୍ରହମଣ୍ଡଳରେ ସବୁଠୁ ବୃହତ‌୍‍ ବଳୟଧାରୀ ଗ୍ରହକୁ ଶନି ବୋଲି କୁହାଯାଏ। ଯିଏ ଶନି ଦେବତାଙ୍କ ପ୍ରତୀକ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ପୌରାଣିକ ବ୍ୟାଖ୍ୟାନ ଅନୁସାରେ ଶନି ଦେବତା ତାଙ୍କ ଚକ୍ଷୁ ଯୁଗଳ ଖୋଲିବା ମାତ୍ରେ ସୂର୍ଯ୍ୟପରାଗ ହୋଇଥାଏ। ଏଥିରୁ ଧାରଣା ହୋଇଛି ଯେ ପ୍ରତ୍ୟେକଙ୍କ ରାଶିଚକ୍ର ଉପରେ ଏହାଙ୍କ ପ୍ରଭାବ ରହିଛି।

 

ଶନି ଜଣେ ଉତ୍ତମ ଶିକ୍ଷକ ଭାବେ ଆମକୁ ଜୀବନର ପରିଭାଷା ଜ୍ଞାତ କରାନ୍ତି। ତାଙ୍କ ପ୍ରଭାବ ବଳରେ ହିଁ ଆମେ ଜ୍ଞାନ ଆହରଣ କରିଥାଉ। ସେ ଆମକୁ ଦାୟିତ୍ୱବୋଧ, ନୀତି, ଅଧ୍ୟବସାୟ ଓ ଶୃଙ୍ଖଳା ଶିକ୍ଷା ଦିଅନ୍ତି। ଏହା ଦ୍ୱାରା ଆମେ ଆମର ଆଭ୍ୟନ୍ତରୀଣ ଶକ୍ତି ଉତ୍ସକୁ ଚିହ୍ନିବାର ସୁଯୋଗ ପାଉଛେ। ଏବେ ବିଚାର କରନ୍ତୁ, ଏହି ଶିକ୍ଷା ଆମକୁ ବିଦ୍ୟାଳୟରେ ପ୍ରଦାନ କରାଯାଇଥାଏ ନା ନାହିଁ ?

 

ଶନି ଧିରଗାମୀ। ଗୋଟିଏ ରାଶିରେ ସେ ଅଢେଇ ବର୍ଷ ଅବସ୍ଥାନ କରନ୍ତି ଓ ପୂରା ରାଶିଚକ୍ର ପରିକ୍ରମା କରିବାକୁ ତାଙ୍କୁ ୩୦ ବର୍ଷ ସମୟ ଲାଗେ। ଏହା ସୂଚାଏ ଯେ ସେ ବିଳମ୍ୱରେ ପୁରସ୍କାର ପ୍ରଦାନ କରନ୍ତି। ଯେ ପର୍ଯ୍ୟନ୍ତ ଆମେ ଆମର ସତ‌୍‍କର୍ମ ଓ କର୍ତ୍ତବ୍ୟ ସୂଚାରୁରୂପେ କରିନାହାନ୍ତି ସେ ପର୍ଯ୍ୟନ୍ତ ଶନିଙ୍କଠାରୁ ଉପହାର ମିଳେନା। ଦ୍ୱିତୀୟରେ ଏପରି କୌଣସି ରାଶି ନାହିଁ ଯିଏ ଶନିଚଳନରୁ ମୁକ୍ତ ରହିଥିଲା, ରହିଛି ବା ରହିବ। ଧୀର ଓ ସ୍ଥିର ଚିତ୍ତରେ କର୍ମ କଲେ ସୁଫଳ ନିଶ୍ଚୟ ବୋଲି ଶନିଙ୍କ ଚଳନ ପର୍ଯ୍ୟାୟ ହିଁ ଆମକୁ ଶିକ୍ଷା ଦିଏ।

               

ତେଣୁ ଶନିଙ୍କୁ ଭୟ ନ କରି ତାଙ୍କଠାରୁ ଶିକ୍ଷାଗ୍ରହଣ କରିବା ହିଁ ଭାଗ୍ୟବାଦୀଙ୍କ ପାଇଁ ସୁଖ, ଶାନ୍ତି ପାଇବାର ମାଧ୍ୟମ ହେବ ବୋଲି ଜ୍ୟୋତିଷଶାସ୍ତ୍ର ବିଶ୍ୱାସ କରେ।

 

ସୌରମଣ୍ଡଳରେ, ବ୍ୟକ୍ତିର ଜନ୍ମ ଜାତକରେ ଶନିଗ୍ରହଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରହମଣ୍ଡଳରେ ସେ ଏକମାତ୍ର ବଳୟ ଗ୍ରହ। ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ରଙ୍କ ଭଳି ଶନିଗ୍ରହର ଅତିଚାର, ବକ୍ରଗତି ଏବଂ ସ୍ତମ୍ୱନସ୍ଥିତି ଫଳରେ ତାଙ୍କର ପରିକ୍ରମଣ ସମୟରେ ପରିବର୍ତ୍ତନ ଘଟେ। ପ୍ରାୟତଃ ପ୍ରତ୍ୟେକ ରାଶିରେ ଶନିମହାଗ୍ରହ ପ୍ରାୟ ଅଢେଇ ବର୍ଷ ରହନ୍ତି।

 

ଗ୍ରହଚଳନ ଶୁଭାଶୁଭ ଫଳ ନିର୍ଣ୍ଣୟରେ ଶନିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିର ଜନ୍ମ ଜାତକର ଶୁଭାଶୁଭ ଫଳକୁ ଶନିଙ୍କ ସ୍ଥିତି ପ୍ରଭାବିତ କରେ। ହିନ୍ଦୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଶନିମହାଗ୍ରହ ଗୋଚରରେ ତୃତୀୟ, ଷଷ୍ଠ, ଏକାଦଶରେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରୁଥିବସ୍ଥଳେ ପାଶ୍ଚାତ୍ୟ ପଦ୍ଧତି ଅନୁସାରେ ତୃତୀୟ, ଷଷ୍ଠ, ଏକାଦଶ ସହିତ ନବମ, ଦଶମରେ ମଧ୍ୟ ଶୁଭଫଳ ପ୍ରଦାନ କରୁଥିବା କଥା ଉଲ୍ଲେଖ ରହିଛି। ପୌରାଣିକ କଥାବସ୍ତୁ ଓ କିମ୍ୱଦନ୍ତୀ ଅନୁଧ୍ୟାନ କଲେ ରାଜା ହରିଶ୍ଚନ୍ଦ୍ର, ରାଜା ନଳ, ପିପ‌୍‍ପଳାଦ ଋଷି, ଦଶରଥ, ପଞ୍ଚୁପାଣ୍ଡବ ଏପରିକି ପ୍ରଭୁ ଶ୍ରୀରାମ ମଧ୍ୟ ଶନିଙ୍କ ପ୍ରଭାବରେ ବେଶ‌୍‍ ପ୍ରଭାବିତ ହୋଇ ସଂଘର୍ଷମୟ ଜୀବନ ଅତିବାହିତ କରିଥିଲେ। ଶନିସବୁଠାରୁ ଶକ୍ତିଶାଳୀ ମହାଗ୍ରହ ଏବଂ ଉଭୟ ପାର୍ଥିବ ଓ ଆଧ୍ୟାତ୍ମିକ ଜୀବନରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉତ୍ତରଦାୟୀ। ଶନି ଆୟହାନୀ, ଦୁଃଖ, ଯନ୍ତ୍ରଣା, ମୃତ୍ୟୁ, ଚୋରପ୍ରବୃତ୍ତି, ପୀଡା, ବନ୍ଧନ, ଶତ୍ରୁତା, ବିଚ୍ଛେଦ, ଦୁର୍ଘଟଣା, ଅଙ୍ଗଛେଦ, ଦୁଷ୍କର୍ମ, ଆଇନ‌୍‍କାନୁନ‌୍‍, ଦଣ୍ଡବିଧାନ ଇତ୍ୟାଦିର ସୂଚକ ହେଲାବେଳେ ଅନୁକୂଳ ପରିସ୍ଥିତିରେ ସେ ଯଶ, ସମ୍ମାନ, ପ୍ରତିଷ୍ଠା, ରାଜସିଂହାସନ, ଖ୍ୟାତି ପ୍ରଦାନକାରୀ ଏବଂ ମୃତ୍ୟୁଞ୍ଜୟୀ ମଧ୍ୟ ଅଟନ୍ତି।

 

ଚଳିତ ମାଘମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀତିଥିରେ ଗୁରୁବାର, ଜାନୁୟାରୀ ୨୬ ତାରିଖ ଦିବା ଘ.୨.୩୪ମି. ସମୟେ ଶନି ବିଛା ରାଶି ପରିତ୍ୟାଗ କରି ଧନୁରାଶିର ମୂଳା ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ରାଶିରେ ଶନି ୨୬.୦୧.୨୦୧୭ରୁ ପ୍ରାୟ ଅଢେଇ ବର୍ଷ ଅର୍ଥାତ‌୍‍ ୨୬.୦୭.୨୦୧୯ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଚନ୍ଦ୍ରଥିବା ରାଶିର ପୂର୍ବ ରାଶି, ଚନ୍ଦ୍ରଥିବା ରାଶିରେ ଏବଂ ଚନ୍ଦ୍ରଥିବା ରାଶିର ଦ୍ୱିତୀୟ ରାଶିରେ ଶନି ପ୍ରାୟ ସାଢେ ସାତବର୍ଷ ଅବସ୍ଥାନ କରନ୍ତି। ଏହାକୁ ଶନିସପ୍ତା କୁହାଯାଏ। ଏହି ଶନିସପ୍ତା ବ୍ୟକ୍ତିର ଜୀବନକାଳ ମଧ୍ୟରେ ତିନିଥର ଭୋଗହୁଏ। ପ୍ରଥମ ଜୀବନକାଳର ତିରିଶ ବର୍ଷ ମଧ୍ୟରେ, ଦ୍ୱିତୀୟ ଷାଠିଏ ବର୍ଷରେ ଓ ତୃତୀୟ ପ୍ରାୟ ନବେବର୍ଷରେ ଭୋଗ ହୋଇଥାଏ। ଶେଷ ଶନିସପ୍ତା ଅତ୍ୟନ୍ତ କଷ୍ଟ ଓ ମୃତ୍ୟୁର ସୂଚକ ହୋଇଥାଏ। ଏହି ସମୟରେ ବ୍ୟକ୍ତି ଅନେକ କଷ୍ଟ, ଦୁଃଖ, ନିର୍ଯାତନା ଓ ମନସ୍ତାପ ଦେଇ ଗତି କରେ। ଧନୁସ୍ଥିତ ଶନି, କୁମ୍ଭ, କର୍କଟ ଓ ତୁଳାରାଶି ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ। ସିଂହରାଶି ବ୍ୟକ୍ତିଙ୍କ ନିମନ୍ତେ ପଞ୍ଚମ ଶନି ଅଶୁଭଫଳ ପ୍ରଦାନ କରିବେ। କନ୍ୟାରାଶି ବ୍ୟକ୍ତିଙ୍କୁ ଚତୁର୍ଥ ଶନି ଅର୍ଥାତ‌୍‍ ଅର୍ଦ୍ଧାଷ୍ଟମଶନି ହେତୁ ଅଶୁଭଫଳ ପ୍ରଦାନ କରିବେ। ଧନୁରାଶି ବ୍ୟକ୍ତିଙ୍କ ନିମନ୍ତେ ଶନି ପ୍ରଥମ ବା ଜନ୍ମଶନି ହେତୁ ଅତ୍ୟନ୍ତ ଅଶୁଭଫଳ ପ୍ରଦାନ କରିବେ। ମକର ରାଶି ବ୍ୟକ୍ତିଙ୍କ ଶନିସପ୍ତା ଆରମ୍ଭ ବା ପ୍ରଥମ ଚରଣରେ ଅଶୁଭଫଳଦାୟୀ ହେବ।  ମେଷରାଶିର ନବମ ଶନି ମିଶ୍ରଫଳଦାୟୀ ହେବାବେଳେ ବୃଷ ଓ ମିଥୁନରାଶି ନିମନ୍ତେ ଅଷ୍ଟମ ଓ ସପ୍ତମ ଶନି ହେତୁ ଅଶୁଭଫଳ ମିଳିବ।  ମୀନରାଶି ବ୍ୟକ୍ତିଙ୍କ ନିମନ୍ତେ ଦଶମ ଶନି ମିଶ୍ର ଫଳଦାୟୀ ହେବ। କେଉଁ ରାଶି ପାଇଁ ଶନିଙ୍କ ଅବସ୍ଥାନ କି ଫଳ ଦେବ ତାହା ବିସ୍ତୃତ ବର୍ଣ୍ଣନା କରାଯାଇଛି।

 

କେଉଁ ରାଶିରେ ଶନିଚଳନର ପ୍ରଭାବ କେମିତି ?

 

ମେଷରାଶି : ନବମ ଶନି 

 

ସୁଫଳ :  ଅର୍ଥର ସଦୁପଯୋଗ କରିବେ। ପଦ ଓ ମର୍ଯ୍ୟାଦା ବୃଦ୍ଧି ପାଇବ। ସମସ୍ୟା ଦୂର ହେବ। ପଦୋନ୍ନତି ମିଳିପାରେ। ଉଚ୍ଚ ଆଶା ପୂରଣ ହେବ। ପରିବାର ସହ ସମ୍ପର୍କ ଭଲ ରହିବ। କାହାକୁ ଆଘାତ ଦେବାକୁ ଚିନ୍ତା ମଧ୍ୟ କରନ୍ତୁ ନାହିଁ।

 

କୁଫଳ : ବାପାଙ୍କ ସହିତ ସାମୟିକ ମନୋମାଳିନ୍ୟ ଘଟିପାରେ। ଦୃଢ ମନରେ ନିଷ୍ପତ୍ତି ନେବା ସହଯୋଗୀଙ୍କୁ ଈର୍ଷାନ୍ୱିତ କରିବ। ଅନ୍ୟକୁ ଦେଇଥିବା କଥା ରଖିପାରିବେ ନାହିଁ। ଏହା ଆପଣଙ୍କ ସମ୍ମାନହାନି କରିପାରେ।

 

ବୃଷରାଶି : ଅଷ୍ଟମ ଶନି 

 

ସୁଫଳ - ଆଧ୍ୟାତ୍ମିକ ମାର୍ଗ ଆପଣଙ୍କ ସମସ୍ୟା ସମାଧାନରେ ସହାୟକ ହେବ। ଗୁରୁଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରନ୍ତୁ। ଆବେଗ ୁପରେ ନିୟନ୍ତ୍ରଣ ଆଣନ୍ତୁ କାହାକୁ ଆଘାତ ଦିଅନ୍ତୁ ନାହିଁ।

 

କୁଫଳ - ଶତ୍ରୁ ସମ୍ମୁଖରେ ଲଜ୍ଜିତ ହେବେ। ତଳିପେଟରେ ସମସ୍ୟା ଦେଖାଦେବ। ବନ୍ଧୁ ଶତ୍ରୁ ହେବେ। ଶତ୍ରୁମାନେ ବଳଶାଳୀ ହେବେ। ପୁଞ୍ଜିନିବେଶ ସମସ୍ୟା ହେବ। ବୃତ୍ତି ଓ ପୁଞ୍ଜିନିବେଶରେ ଆବଶ୍ୟକତାଠାରୁ ଅଧିକ ସତର୍କ ରୁହନ୍ତୁ। କିଶୋର ସନ୍ତାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଓ ସେମାନେ ଯୁବତୀଙ୍କ ସହିତ ଅଧିକ ମିଳାମିଶା କରୁଥିଲେ ବାରଣ କରନ୍ତୁ। ପରିବାର ଲୋକଙ୍କ କାର୍ଯ୍ୟଧାରା ଉପରେ ସନ୍ଦେହ କରନ୍ତୁ ନାହିଁ।

 

ମିଥୁନ : ସପ୍ତମ ଶନି

 

ସୁଫଳ : ଆପଣଙ୍କ ଚାରିପଟେ କ’ଣ ଘଟୁଛି ଜାଣିପାରିବେ। ଅନେକ ଅଜ୍ଞାତ ପ୍ରସଙ୍ଗ ଜ୍ଞାତ ହେବ। ଦୟାଳୁ ହେବେ ସମାଜରେ ସମ୍ମାନ ବଢିବ। ବୃତ୍ତିରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ସୁଯୋଗ ମିଳିବ। ନୂଆ ପୁଞ୍ଜିନିବେଶ ଓ ଆର୍ଥିକ ସୁଯୋଗ ଆସିବ।

 

କୁଫଳ : ଯେ କୌଣସି ଗାଡି ଚଳାଇବାବେଳେ ସତର୍କତା ଅବଲମ୍ୱନ କରନ୍ତୁ। ପତ୍ନୀଙ୍କ ସହ କଳହ କରନ୍ତୁ ନାହିଁ। ଚାକିରୀକ୍ଷେତ୍ରରେ ନୂଆ ଆହ୍ୱାନ ଆସିପାରେ। ନିଜକୁ ଅଧିକ ବନ୍ଧୁପ୍ରବଣ କରନ୍ତୁ ନାହିଁ। 

 

କର୍କଟରାଶି :  ଷଷ୍ଠ ଶନି 

 

ସୁଫଳ : ବିଜୟ ଓ ସୁଫଳପ୍ରାପ୍ତି, ଚାକିରୀ କ୍ଷେତ୍ରରେ ପଦୋନ୍ନତି ଓ ସମ୍ମାନବୃଦ୍ଧି। ଆଧ୍ୟାତ୍ମିକ କ୍ଷେତ୍ରରେ ମନୋନିବେଶ କୌଣସି ଭୂ-ସମ୍ପତ୍ତି ବା ସମ୍ପଦ ବିକ୍ରିକରି ଲାଭବାନ ହେବେ। ପରିବାର ମଧ୍ୟରେ ସୁ ସମ୍ପର୍କ ବୃଦ୍ଧିପାଇବ। ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ। ଉଚ୍ଚଶିକ୍ଷା କରିବାର ସୁଯୋଗ ଆସିବ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ। 

 

କୁଫଳ : ପାକସ୍ଥଳୀ ଓ ଫୁସ‌୍‍ଫୁସ‌୍‍ ଯନ୍ତ୍ରଣା। ଋଣ ପାଇଁ ଆଗ୍ରହ। ଆଇନଗତ ସମସ୍ୟା ଉପୁଜିପାରେ। ସାମୟିକ ଯାତ୍ରାରେ ବିଘ୍ନ ଘଟିପାରେ। କୌଣସି ବ୍ୟକ୍ତିଙ୍କ ଉପରେ ଅଗାଧ ବିଶ୍ୱାସ କରିବା ଉଚିତ‌୍‍ ନୁହେଁ।

 

ସିଂହରାଶି : ପଞ୍ଚମ ଶନି 

 

ସୁଫଳ : ପୁରୁଣା ବ୍ୟାଧିରୁ ଆରୋଗ୍ୟ ହେବେ। ପୁଞ୍ଜିନିବେଶରୁ ଲାଭବାନ ହେବେ। ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଳିବ। ବୃତ୍ତିରେ ପରିବର୍ତ୍ତନ ଆସିପାରେ। ପଦୋନ୍ନତିର ସମ୍ଭାବନା ରହିଛି। ଦୂରଯାତ୍ରାରେ  ସନ୍ତୋଷ।

 

କୁଫଳ : ବ୍ୟବସାୟରେ ହଠାତ‌୍‍ କ୍ଷତି ସହିପାରନ୍ତି, ସତର୍କ ରୁହନ୍ତୁ। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇପାରେ।  ବ୍ୟବସାୟିକ ଅଂଶୀଦର, ବନ୍ଧୁଙ୍କ ସହ ମତଭେଦ ଉପୁଜିପାରେ। ସନ୍ତାନ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି।

 

କନ୍ୟାରାଶି  : ଚତୁର୍ଥ ଶନି 

 

ସୁଫଳ : ନୂତନ କର୍ମନିଯୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ନୂତନ ଜମି କ୍ରୟର ସୂଚନା ରହିଛି। ଉଚ୍ଚଶିକ୍ଷାରେ ନିମନ୍ତେ ବିଦେଶ ଯାତ୍ରା ରହିଛି। ପିତାମାତାଙ୍କ ସହ ସୁସମ୍ପର୍କ ରହିବ। ଋଣ ପରିଶୋଧ କରିବେ।

 

କୁଫଳ : ସ୍ନାୟବିକ ରୋଗରେ ପୀଡିତ ହୋଇପାରନ୍ତି। ଚାକିରୀ କ୍ଷେତ୍ରରେ ବିବାଦ ଉପୁଜିପାରେ। ମାତୃକଷ୍ଟ ଓ ବନ୍ଧୁ ବିୟୋଗ ଘଟିପାରେ। ଯାନବାହାନ ଦୁର୍ଘଟଣା ଯୋଗ।

 

ତୁଳାରାଶି : ତୃତୀୟ ଶନି 

 

ସୁଫଳ : ଆଶା କରି ନ ଥିବା ବ୍ୟକ୍ତିଙ୍କଠାରୁ ଉପହାର ଓ ଲାଭଯୋଗ ରହିଛି। ଅନ୍ୟମାନେ େସ୍ୱଚ୍ଛାକୃତ ସାହାଯ୍ୟ କରିବେ। ପିତୃସମ୍ପତ୍ତି ନେଇ ବିବାଦ ସମାଧାନ ହେବ। ଶତ୍ରୁ ଶରଣ ପଶିବେ। ମାଲି ମୋକଦ୍ଦମାରେ ବିଜୟ ଘଟିବ। ନୂଆ କାର୍ଯ୍ୟରେ ସଫଳ ହେବେ।

 

କୁଫଳ : ସନ୍ତାନ ସହିତ ଅମେଳ ବା ସନ୍ତାନଚିନ୍ତା ବୃଦ୍ଧି ପାଇବ। ଅଧସ୍ତନମାନେ ବିପଦରେ ପକାଇ ପାରନ୍ତି। ବାପା ଗୁରୁତର ଅସୁସ୍ଥ ହୋଇପାରନ୍ତି। ଦୁଃସମ୍ୱାଦ ପାଇବେ। ଯୋଜନାବଦ୍ଧ ଯାତ୍ରା ବିଫଳ ହେବ।

 

ବିଛାରାଶି : ଦ୍ୱିତୀୟ ଶନି 

 

ସୁଫଳ :  ଭଲ ଚାକିରୀ ମିଳିବ ବା ପଦୋନ୍ନତି ହେବ। ବିବାହ ଉତ୍ସବ ଆସିପାରେ। ପଡୋଶୀଙ୍କଠାରୁ ସାହାଯ୍ୟ ପାଇବେ। ବ୍ୟବସାୟିକ ଅଂଶୀଦାର ପରିତ୍ୟାଗ କରି ସଫଳ ହେବେ। ହରାଇଥିବା ସମ୍ପତ୍ତି ମିଳିବାର ଆଶା ରହିଛି।

 

କୁଫଳ :  ଆଖି ଓ କାନରୋଗ ଚିନ୍ତାର କାରଣ ହେବ। ବ୍ୟବସାୟିକ ଅଂଶୀଦାର ସହିତ ବିବାଦ ଉପୁଜିବ। ପନିୀ ଓ ପରିବାରର ଅନ୍ୟ ଲୋକଙ୍କ ସହ ସମ୍ପର୍କ ବିଗିଡପାରେ। ଆୟ ଅଣ୍ଟିବ ନାହିଁ। ତୁମ କଥାକୁ କେହି ଗୁରୁତ୍ୱ ଦେବେ ନାହିଁ। ପରିବାର ଲୋକେ ଶତ୍ରୁତା କରିପାରନ୍ତି। ଭାବାବେଗ ପାଇଁ ସମାଲୋଚିତ ହୋଇପାରନ୍ତି।

 

ଧନୁରାଶି : ପ୍ରଥମ ଶନି 

 

ସୁଫଳ : ଆଧ୍ୟାତ୍ମିିକ ମାର୍ଗ ଆପଣଙ୍କୁ ଶାନ୍ତି ଦେବ, ତେଣୁ ଏହାର ଅନୁଗାମୀ ହୁଅନ୍ତୁ। କୌଣସି ସଦ‌୍‍ଗୁରୁଙ୍କ ଦୀକ୍ଷା ଗ୍ରହଣ କରନ୍ତୁ। ବୁଝିବିଚାରି ବ୍ୟୟ କରନ୍ତୁ। ୨୦୧୭ ଫେବୃୟାରୀ ପରେ ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି।

 

କୁଫଳ : ଖାଦ୍ୟ କାରଣରୁ ଉଦର ଓ ସ୍ନାୟବିକ ରୋଗରେ ପଡିପାରନ୍ତି। ଚାକିରୀ କ୍ଷେତ୍ରରେ ଲଜ୍ଜିତ ହେବାକୁ ପଡିପାରେ। ଏହାକୁ ସୁଧାରିବାର ପ୍ରୟାସ ମଧ୍ୟ ବିଫଳ ହେବ। ପତ୍ନୀ  ସନ୍ଦେହକରି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଅନୁସନ୍ଧାନ କରିବେ। ଶତ୍ରୁ ବୃଦ୍ଧି ପାଇବେ। କେହି ତନ୍ତ୍ରମନ୍ତ୍ର କରି ଆପଣଙ୍କର କ୍ଷତି କରିବାକୁ ଉଦ୍ୟମ ମଧ୍ୟ କରିପାରନ୍ତି। ବ୍ୟାଧି କାରଣରୁ ଅସ୍ତ୍ରୋପଚାର ହୋଇପାରେ।

 

ମକରରାଶି : ଦ୍ୱାଦଶ ଶନି 

 

ସୁଫଳ : ନୂତନ ଘର, ଗାଡି କ୍ରୟ କରିପାରନ୍ତି। ପାଠପଢାରେ ଉନ୍ନତି ଘଟିବ। ପୁରୁଣା ବନ୍ଧୁମିଳନ ହେବ।  ବିଦେଶଯାତ୍ରାର ଯୋଗ ରହିଛି।  ବୃତ୍ତିରେ ଉନ୍ନତି ଘଟିବ। ବୈବାହିକ ଜୀବନ ସୁଖମୟ ହେବ।

 

କୁଫଳ : ସନ୍ତାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ଶିକ୍ଷାରେ ବାଧା ଉପୁଜିପାରେ। ବ୍ୟବସାୟରେ କ୍ଷତି ହୋଇପାରେ। କ୍ଷତି ଏଡେଇବା ପାଇଁ ଦୀର୍ଘମିଆଦି ପୁଞ୍ଜିନିବେଶକୁ ପ୍ରାଧାନ୍ୟ ଦିଅନ୍ତୁ। ଗୋଡ ବ୍ୟାଧିଗ୍ରସ୍ତ ହୋଇପାରେ। ଅଯଥା ଭ୍ରମଣ, ଗଣ୍ଡଗୋଳ, ଅର୍ଥହାନୀ ଓ ସବୁକ୍ଷେତ୍ରରେ ବିଫଳତା ସାଙ୍ଗକୁ ଚିନ୍ତା ବଢିପାରେ।

 

କୁମ୍ଭରାଶି : ଏକାଦଶ ଶନି 

 

ସୁଫଳ : ସବୁକ୍ଷେତ୍ରରେ ସୁଫଳ ହେବେ। ବୃତ୍ତିରେ ଭଲ ପଦ ଓ ମର୍ଯ୍ୟାଦା ମିଳିବ। ଆଧ୍ୟାମିିକ ଲକ୍ଷ୍ୟ ସାଧନ ହେବ। ସମ୍ପତ୍ତି ବିକ୍ରିରୁ ଲାଭବାନ ହେବେ। ତତ‌୍‍କାଳ ସୁଯୋଗ ଓ ସୁବିଧା ମିଳିପାରେ। ଉଚ୍ଚଶିକ୍ଷା ପାଉଁ ଉଦ୍ୟମ କରନ୍ତୁ। ଶତ୍ରୁଙ୍କ ଉପରେ ବିଜୟ ପାଇଁ ଏହା ହିଁ ସମୟ।  ମାଲିମୋକଦ୍ଦମାରେ ବିଜୟ ଘଟିବ।

 

କୁଫଳ : ବନ୍ଧୁଙ୍କଠାରୁ ସାହାଯ୍ୟ ମିଳି ନ ପାରେ। ବ୍ୟବସାୟିକ ପ୍ରସାରଣ ବିଳମ୍ୱିତ ହେବ। ପନିୀଙ୍କ ସହିତ ସେତେଟା ଭଲ ସମ୍ପର୍କ ରହିବ ନାହିଁ। ମାଆଙ୍କ ପ୍ରତି ବିପଦ ରହିଛି। କିଛି ସମ୍ପତ୍ତି ହରାଇ ପାରନ୍ତି।

 

ମୀନରାଶି : ଦଶମ ଶନି

 

ସୁଫଳ : ଚାକିରୀକ୍ଷେତ୍ରରେ ପଦୋନ୍ନତି ଓ ମର୍ଯ୍ୟାଦା ବୃଦ୍ଧି। ଆଧ୍ୟାମିିକ ପ୍ରକ୍ରିୟା ଇଚ୍ଛା ପୂରଣ କରିବ। ଅଧସ୍ତନମାନେ ଆପଣଙ୍କ ନିଷ୍ପତ୍ତିକୁ ମାନିବେ  ନିଦ୍ଦେର୍ଶାନୁସାରେ କାର୍ଯ୍ୟ କରିବେ। କର୍ମକର୍ତ୍ତାଙ୍କ ଶୁଭଚକ୍ଷୁରେ ରହିବେ।  

 

କୁଫଳ :  ଅତ୍ୟଧିକ କର୍ମଚାପ ଅନୁଭବ କରିବେ। ଆରାମ ମିଳିବନି। ପନିୀଙ୍କ ସହିତ କଳହ ଲାଗିରହିବ। ପନିୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଗ୍ରସ୍ତ କରିବ।

 

ପ୍ରତିକାର ବ୍ୟବସ୍ଥା :

 

ଶନିଙ୍କ ଉପସ୍ଥିତି ଅଶୁଭଫଳଦାୟୀ ହୋଇଥିବାରୁ ପ୍ରତିକାର ନିମନ୍ତେ କେତେକ ବିଧି ଗ୍ରହଣ କରାଯିବା ଉଚିତ‌୍‍ ହେବ।

 

ପୂଜା : କୌଣସି ଶନିବାର ଶୁଭ ତିଥି, ନକ୍ଷତ୍ର ଓ ବେଳା ଦେଖି ଦିନବେଳା କିମ୍ୱା ଶନିଙ୍କର ମିତ୍ରବାସ ଯଥା - ବୁଧବାର ଓ ଶୁକ୍ରବାର କିମ୍ୱା ଶନିଙ୍କ ନକ୍ଷତ୍ର ଯଥା ପୁଷ୍ୟା, ଅନୁରାଧା ଓ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ବ୍ୟକ୍ତିର ଚନ୍ଦ୍ରଶୁଦ୍ଧି, ତାରାଶୁଦ୍ଧି, ବାରଶୁଦ୍ଧି, ଲଗ୍ନଶୁଦ୍ଧି, ତିଥିଶୁଦ୍ଧି ଓ ବେଳାଶୁଦ୍ଧିରେ ଶନିମହାଗ୍ରହଙ୍କ ଉଦ୍ଦେଶ୍ୟରେ ଭକ୍ତି ସହକାରେ ନୀଳବର୍ଣ୍ଣ ଫୁଲ, ବିଭୂତି, ଚନ୍ଦନ, ରାଶିତେଲ ଦୀପ, ଧୂପ, ନୀଳବସ୍ତ୍ର ଓ ନୀଳବର୍ଣ୍ଣ ଫଳ ଭୋଗକରି ପୂଜା କରନ୍ତୁ।

 

ହୋମ : ନୀଳବର୍ଣ୍ଣ ମୁରୁଜରେ ଶନିମହାଗ୍ରହଙ୍କ ଖଡ‌୍‍ଗଧାରୀ ମଣ୍ଡଳ କାଟି ସମୀକାଠକୁ ସମିଧ କରି ମଇଁଷି ଘିଅରେ ଶ୍ରୀ ଶନିମହାଗ୍ରହଙ୍କୁ ୧୦୮ ଆହୁତି ଦେଲେ ଅଶୁଭଳ ଫଳ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ନୀଳବର୍ଣ୍ଣର ବସ୍ତ୍ର, ଫୁଲ, ଲୁହା ବା ଷ୍ଟିଲପାତ୍ର ଓ ବିଭୂତି ବ୍ୟବହାର କରି ପୂଜାକରିବା ବିଧେୟ। କର୍ତ୍ତା ଓ ପୂଜକ ଉଭୟ ନୀଳବସ୍ତ୍ର ପରିଧାନ କରିବା ବିଧେୟ। ପିଆଜ, ରସୁଣ, ଆମିଷ, ପୋଡାଖାଦ୍ୟ, ତେଲ, ଉଷୁନା ଇତ୍ୟାଦି ଭକ୍ଷଣ ନିଷେଧ। ଉଭୟ କର୍ତ୍ତା ଓ ପୂଜକ ପୂଜା ପରେ ଅନ୍ନପ୍ରସାଦ ସେବନ କରି ରାତିରେ ଫଳାହାର କରିବା ବିଧେୟ।

 

ଜପ : ନୀଳବର୍ଣ୍ଣର ବସ୍ତ୍ର, ଫୁଲ, ମୁରୁଜ ଓ ଫଳ ବ୍ୟବହାର କରି ଶନି ମହାଗ୍ରହଙ୍କ ଉଦ୍ଦେଶ୍ୟରେ ଶନିମହାଗ୍ରହଙ୍କ ବୀଜମନ୍ତ୍ର ଯଥା ‘ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ’ ମନ୍ତ୍ରରେ କୌଣସି ଏକ ସିଦ୍ଧହସ୍ତ ବ୍ରାହ୍ମଣଙ୍କ ଦ୍ୱାରା ଉପରୋକ୍ତ ତିଥି, ନକ୍ଷତ୍ର, ଶୁଭଦିନ ଓ ବେଳା ଦେଖି ବ୍ୟକ୍ତି କୁଣ୍ଡଳୀର ଶନିଗ୍ରହଙ୍କ ଆବଶ୍ୟକତା  ଅନୁସାରେ ଜପ କରାଯିବା ସହିତ ଏକଦଶମାଂଶ ଶନିଙ୍କର ଈଷ୍ଟଦେବୀ ମାତା ଦକ୍ଷିଣକାଳୀଙ୍କ ଜପ କରାଇ ଶେଷ ଦିନ ହୋମ ସମାପନ କରିବେ।

 

ଦାନ : ଶନି ମହାଗ୍ରହଙ୍କ ଉଦ୍ଦେଶ୍ୟରେ ଉପରବର୍ଣ୍ଣିତ ତିଥି, ନକ୍ଷତ୍ର, ବାର ଓ ବେଳା ଦେଖି କୌଣସି ଏକ ବ୍ରାହ୍ମଣଙ୍କୁସଂକଳ୍ପ ସହ ନୀଳବର୍ଣ୍ଣର ଏକ ବସ୍ତ୍ର, ଲୁହା କିମ୍ୱା ଷ୍ଟିଲ‌୍‍ର ଏକପାତ୍ର, ୧୯ ଆଞ୍ଜୁଳା କଳାରାଶି, ବିଭୂତି, ନୀଳବର୍ଣ୍ଣର ଫୁଲ, ୧୯ଟି ନୀଳରନି (ନିଜ କ୍ଷମତା ଅନୁସାରେ) ଶନିଙ୍କୁ ପ୍ରଣାମପୂର୍ବକ ଦାନ କରିବେ।

 

ଭୋଜନ : ଉଣେଇଶ ଜଣ ବ୍ରାହ୍ମଣଙ୍କୁ ଉପରୋକ୍ତ ତିଥି, ନକ୍ଷତ୍ର, ବାର ଓ ବେଳା ଦେଖି ହନୁମାନଙ୍କ ମନ୍ଦିରରେ ଅନ୍ନପ୍ରସାଦ ସହ କଳାରାଶି ଲଡୁ କିମ୍ୱା ରାଶିରେ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ଦେଇ ନିଜର ସାମର୍ଥ୍ୟ ମୁତାବକ ଦକ୍ଷିଣାଦେଇ ଆଶୀର୍ବାଦ ଗ୍ରହଣ କରିବେ।

 

ରତ୍ନ ଧାରଣ : ଉପରୋକ୍ତ ତିଥି, ନକ୍ଷତ୍ର, ବାର ଓ ବେଳା ଶୁଦ୍ଧି ଦେଖି ନିଜ ରାଶିଚକ୍ରର ଶନି ମହାଗ୍ରହଙ୍କର ଆବଶ୍ୟକତା ଅନୁସାରେ ଲୁହା କିମ୍ୱା ରୂପାରେ ତିଆରି ହୋଇଥିବା ନୀଳାରନି ମୁଦ୍ରିକାକୁ ହନୁମାନଙ୍କ ନିକଟରେ ପୂଜାକରି ମଧ୍ୟମା ଆଙ୍ଗୁଳିରେ (ପୁରୁଷ ହେଲେ ଡାହାଣହାତ, ସ୍ତ୍ରୀ ହେଲେ ବାମହାତ)ରେ ଧାରଣ କରନ୍ତୁ।

 

ଚେର ଧାରଣ : ଉପରୋକ୍ତ ତିଥି, ନକ୍ଷତ୍ର, ବାର ଓ ବେଳା ଶୁଦ୍ଧି ଦେଖି ନୀଳଫୁଲ, କଳାଗାଈର କ୍ଷୀର, ଜଳ, ଦୀପ, ଧୂପ ଓ ପଞ୍ଚାମୃତ ଦେଇ ବାଡିଅଁଳା ବୃକ୍ଷକୁ ପୂଜାକରିବା ପରେ ସେହି ଗଛର ଚେରକୁ ଉପାଡି ଆଣି ତାହାକୁ ଲୁହା ବା ରୂପା ଡେଉଁରିଆରେ ଭରି ହନୁମାନଙ୍କ ନିକଟରେ ପୂଜାକରି କଳାବର୍ଣ୍ଣର ସୂତାରେ ବାହୁରେ (ପୁରୁଷ ହେଲେ ଡାହାଣ ବାହୁ, ସ୍ତ୍ରୀ ହେଲେ ବାମବାହୁ)ରେ ଧାରଣ କରିବେ।

 

ଯନ୍ତ୍ର ଧାରଣ : ଉପରୋକ୍ତ ତିଥି, ନକ୍ଷତ୍ର, ବାର ଓ ବେଳାଶୁଦ୍ଧି ଦେଖି ନିମ୍ନଲିଖିତ ଶନିମହାଗ୍ରହଙ୍କର ଯନ୍ତ୍ର ଲୌହପାତ୍ର କିମ୍ୱା ଭୂର୍ଜପତ୍ରରେ ଡାଳିମ୍ୱ କାଠିଦ୍ୱାରା କାଟି ଲୁହା ନିର୍ମିତ ଡେଉଁରିଆରେ ଭରି ନୀଳବର୍ଣ୍ଣର ଫୁଲ, ବିଭୂତି, ଧୂପ, ଦୀପ ଦେଇ ପୂଜାକରିବା ପରେ କଳା ବର୍ଣ୍ଣର ସୂତାରେ ବାହୁରେ (ପୁରୁଷ ହେଲେ ଡାହାଣ ବାହୁ, ସ୍ତ୍ରୀ  ହେଲେ ବାମ ବାହୁ)ରେ ଧାରଣ କରିବେ।

 

୧୨            ୭              ୧୪

୧୩           ୧୧            ୯

୮              ୧୫            ୧୦

 

ସ୍ତବପାଠ : ଉପରୋକ୍ତ ତିଥି, ନକ୍ଷତ୍ର, ବାର ଓ ବେଳା ଶୁଦ୍ଧି ଦେଖି ତୁଳସୀ ଦାସକୃତ ହନୁମାନ ଚାଳିଶାର ପ୍ରତ୍ୟେକ ଦୋହା ଓ ଚୌପାଈର ଆଦ୍ୟ ଏବଂ ପ୍ରାନ୍ତରେ ଶନିମହାଗ୍ରହଙ୍କର ବୀଜାକ୍ଷର ମନ୍ତ୍ର ‘ଶଂ’ ବୀଜକୁ ସଂପୂଜିତକରି ପାଠ କଲେ ଶନିଦେବ ଶୁଭଫଳ ପ୍ରଦାନ କରିବେ। ଶନି ମହାଗ୍ରହଙ୍କ ଈଷ୍ଟଦେବୀ ମାତା ଦକ୍ଷିଣକାଳୀଙ୍କର ବୀଜାକ୍ଷର ମନ୍ତ୍ର ‘କ୍ରୀଂ’ ବୀଜକୁ ହନୁମାନଚାଳିଶାର ପ୍ରତ୍ୟେକ ଦୋହା ଓ ଚୌପାଈର ଆଦ୍ୟ ଓ ପ୍ରାନ୍ତରେ ସଂପୂଜିତ କରି ପାଠକଲେ ଶନିମହାଗ୍ରହ ଅତି ଶୀଘ୍ର ପ୍ରସନ୍ନ ହୋଇ ଶୁଭଫଳ ପ୍ରଦାନ କରନ୍ତି।

 

କ୍ୱାର୍ଟର ନଂ - ଭିଏ - ୩୪/୪, ୟୁନିଟ‌୍‍ - ୨, ଭୁବନେଶ୍ୱର - ୯

ମୋ - ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top