ଶିକାର, ସୁଲିଆ ବୈଧ କର!

News Story - Posted on 2017-01-25

ହିନ୍ଦୁ ଧର୍ମରେ ଷଣ୍ଢର ସ୍ଥାନ ଅନନ୍ୟ। ଏହା ହେଉଛି ମହାଯୋଗୀ ମହାତ୍ୟାଗୀ ଭୋଳାନାଥ ମହାଦେବଙ୍କ ବାହନ। ଭାରତୀୟ ସଭ୍ୟତାରେ ଗାଈଙ୍କୁ ମାତା ମାନୁଥିବା ଲୋକମାନଙ୍କ ପାଇଁ ଷଣ୍ଢ ହେଉଛି ସାକ୍ଷାତ ଈଶ୍ୱର। ଷଣ୍ଢକୁ ଏ ସଭ୍ୟତାରେ ଏତେ ଉଚ୍ଚାସନ ଦିଆଯାଇଛି ଯେ ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ମନ୍ଦିର ସାମ୍ନାରେ ବସିଥିବା ଷଣ୍ଢକୁ ଆଗ ପ୍ରଣାମ କରିବାକୁ ପଡେ଼।

 

ଓଡ଼ିଶାରେ ଅନେକ ଅଣ୍ଡିରା ବାଛୁରୀକୁ ବଳଦ ନକରି ଷଣ୍ଢ କରିଦିଆଯାଏ। ବଳଦ ହେଲେ ବହୁତ ଖଟଣୀ। ପଘାରେ ବନ୍ଧା ହେବ। ହଳ କରିବ। ମାଲିକ ଯେତେବେଳେ ଖାଇବାକୁ ଦେବ ଖାଇବ, ନହେଲେ ନାଇଁ। ଗାଈଙ୍କୁ ମା’ ଭାବେ ପୂଜା କରୁଥିବା ଓଡ଼ିଆ ହିନ୍ଦୁମାନେ ସେଥିପାଇଁ କେଉଁ କେଉଁ ଅଣ୍ଡିରା ବାଛୁରୀଙ୍କୁ ବଳଦ ନକରି ଷଣ୍ଢ କରି ଛାଡ଼ି ଦିଆଯାଏ। ଷଣ୍ଢଙ୍କୁ ପଘାରେ ବାନ୍ଧିବା ମନା। ତାଙ୍କୁ ସ୍ୱାଧୀନ ଭାବେ ବୁଲିବାକୁ ଓ ଚରିବାକୁ ଛାଡ଼ିଦିଆଯାଏ।

 

ଓଡ଼ିଶାରେ ଷଣ୍ଢଙ୍କୁ ବଶ କରିବା କଥା କଳ୍ପନା କରାଯାଇ ନପାରେ। ତାମିଲନାଡ଼ୁରେ କିନ୍ତୁ ଏହା ଏକ ଗଣପର୍ବ। ଷଣ୍ଢଙ୍କୁ ସାଧନ କରିବା କୁହନ୍ତୁ ବା ଷଣ୍ଢଙ୍କୁ ଆଲିଙ୍ଗନ କରିବା, ଯାହା ବି ହେଲେ ତାମିଲନାଡ଼ୁର ଜାଲିକାଟ୍ଟୁ ନିଶ୍ଚୟ ଷଣ୍ଢ ଉପରେ ଭୟଙ୍କର ଅତ୍ୟାଚାର। ବହୁ ଲୋକ ଗୋଟିଏ ଷଣ୍ଢକୁ ଗୋଡେ଼ଇ ଗୋଡେ଼ଇ ସାଧିବାକୁ ଚେଷ୍ଟା କରିବା ହେଉଛି ଜାଲିକାଟ୍ଟୁ। ଷଣ୍ଢକୁ ସାଧିବା ପାଇଁ ଏଇ ଖେଳରେ ଭାଗ ନେଉଥିବା ଲୋକମାନେ ତା’କୁ କେତେ ମାଡ଼ ମାରନ୍ତି, କେତେ ବିଧା ଗୋଇଠା ମାରନ୍ତି, କେତେ ଆମ୍ପୁଡ଼ା ଆମ୍ପୁଡ଼ି କରନ୍ତି ତା’ର ଇୟତ୍ତା ନାହିଁ। ଅନେକ ସମୟରେ ଲୋକଙ୍କ ଆକ୍ରମଣରେ ଷଣ୍ଢର ଶିଙ୍ଘ ଭାଙ୍ଗିଯାଏ। ତ’ ଦେହରୁ ରକ୍ତ ଝରେ। ଓଡ଼ିଶାରେ ଷଣ୍ଢ ଦେହରେ ଗୋଡ଼ ବାଜିଲେ ପାପ। ତେଣୁ ମଣିଷ ପରି ତା’କୁ ନମସ୍କାର କରିବାକୁ ପଡେ଼।

 

ତାମିଲନାଡ଼ୁର ଏଭଳି ଏକ ଘୃଣ୍ୟ ପରମ୍ପରାକୁ ସୁପ୍ରିମ କୋର୍ଟ ନିଷିଦ୍ଧ କରିଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ପରେ ବାଧ୍ୟ ହୋଇ କେନ୍ଦ୍ରର ମୋଦି ସରକାର ଏହାକୁ ନିଷିଦ୍ଧ କରିଥିଲେ। କିନ୍ତୁ ଏହା ବିରୋଧରେ ତାମିଲନାଡ଼ୁର କ୍ଷମତାସୀନ ଏଆଇଏଡିଏମକେ ସମେତ ବହୁ ଦଳ ଓ ସିନେ ତାରକା ମତ ଦେଲେ। ଲୋକେ, ବିଶେଷ କରି ଧର୍ମଧାରଣା ରହିତ ଉଦଭ୍ରାନ୍ତ ଛାତ୍ର ଗୋଷ୍ଠୀ ଜାଲିକାଟ୍ଟୁ ସପକ୍ଷରେ ଆନ୍ଦୋଳନ କଲେ। ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଲା।

 

ତାମିଲନାଡ଼ୁ ସରକାର ଏହି ଆନ୍ଦୋଳନ ଦମନ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଲେ। ମୁଖ୍ୟମନ୍ତ୍ରୀ ପନୀରସେଲଭାମ ଦିଲ୍ଲୀ ଯାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କଲେ। କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପରାମର୍ଶ ଦେଲେ ତାମିଲନାଡ଼ୁ ସରକାର ଅଧ୍ୟାଦେଶ ଜାରି କରି ସୁପ୍ରିମ କୋର୍ଟଙ୍କ ରାୟ ଓ କେନ୍ଦ୍ରର ବିଜ୍ଞପ୍ତିକୁ ଅକାମି କରିପାରିବେ। ପ୍ରଧାନମନ୍ତ୍ରୀ ସେଥିପାଇଁ ଅନୁମତି ଦେଲେ। ଏ ପ୍ରଧାନମନ୍ତ୍ରୀ ପୁଣି ହେଉଛନ୍ତି ହିନ୍ଦୁତ୍ୱର ପ୍ରବକ୍ତା ଏକ ଦଳର ନେତା! ଗୋ-ହତ୍ୟା ନିଷେଧ ପାଇଁ ଜନମତ ସୃଷ୍ଟି କରୁଥିବା ଏକ ସଂଘର ପ୍ରଚାରକ! ତାଙ୍କ ପାଇଁ କିନ୍ତୁ ଷଣ୍ଢର କିଛି ଗୁରୁତ୍ୱ ନାହିଁ!

 

ଏପରିକି ସାପ, ବେଙ୍ଗ ଓ ନେଉଳଙ୍କ ଅଧିକାର ସପକ୍ଷରେ ସ୍ତମ୍ଭ ଲେଖୁଥିବା ମୋଦି ସରକାରଙ୍କ ମନ୍ତ୍ରୀ ମେନକା ଗାନ୍ଧୀ ମଧ୍ୟ ପାଟି ଖୋଲିଲେନି। କାଳେ ମନ୍ତ୍ରୀପଦ ଚାଲିଯିବ- ସେଇ ଆଶଙ୍କା। ମେନକା ଯେହେତୁ ଜାଣିଛନ୍ତି ଯେ ଷଣ୍ଢ ଦମନ ଖେଳକୁ କେବଳ ତାମିଲନାଡ଼ୁ ନୁହେଁ ଗାଈକୁ ମା’ କହୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଏହାର ସୃଷ୍ଟି ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ ସଂସ୍କୃତି ଓ ପରମ୍ପରା ବୋଲି କହି ସମର୍ଥନ କରୁଛନ୍ତି। ତେଣୁ ବୋଧହୁଏ ସେ ଜାଲିକାଟ୍ଟୁ ସଂପର୍କରେ ପଦେ ହେଲେ କିଛି କହିଲେ ନାହିଁ।

 

ଅଧ୍ୟାଦେଶ ପରେ ପରେ ତାମିଲନାଡ଼ୁ ସରକାର ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏହାକୁ ଏକ ବିଲ‌୍‍ ଆକାରରେ ପାଶ‌୍‍ କଲେ। ସେଥିପାଇଁ ବିଧାନସଭାକୁ ମିନିଟିଏ ବି ଲାଗିଲା ନାହିଁ। ସଂସ୍କୃତି ଓ ପରମ୍ପରା ନାମରେ ଷ‹-ଦମନ ଖେଳ ବୈଧ ହୋଇଗଲା। ଏହା ପରେ ଧର୍ମ ଓ ସଂସ୍କୃତି ନାମରେ ଗୋ-ହତ୍ୟା କେବେ ଆଇନଗତ ମାନ୍ୟତା ପାଇବା ତାହା ଦେଖିବାର କଥା। ଷଣ୍ଢ-ଦମନ ପରି କୁକୁଡ଼ା ଲଢ଼େଇ ଓ ଶିକାର ପର୍ବକୁ ମଧ୍ୟ ଆଇନଗତ ମାନ୍ୟତା ଦିଆଯିବା ବାକି ରହିଲା। ଏବେ ମେନକା ଗାନ୍ଧୀ ନିଜର ପଶୁପ୍ରୀତି ତ୍ୟାଗ କରି ଏଭଳି ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଉଚିତ। ଭାରତ ସରକାର ମଧ୍ୟ ପଶୁ ଅତ୍ୟାଚାର ବିରୋଧୀ ସଂସ୍ଥା ବା ପେଟା ପରି ସଂଗଠନକୁ ନିଷିଦ୍ଧ କରିବା ଉଚିତ। କାରଣ ପେଟା ହିଁ ସୁପ୍ରିମ କୋର୍ଟରେ ଜାଲିକାଟ୍ଟୁ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲା। ଏହି ସଂଗଠନର ସଦସ୍ୟମାନେ ମଧ୍ୟ ଦେଶ ସାରା ବୁଲିବୁଲି ପଶୁଙ୍କ ଅଧିକାର ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି। ସେମାନଙ୍କ କାର୍ଯ୍ୟ ଭାରତର ଅନେକ ଅଂଚଳର ସଂସ୍କୃତି ଓ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ମେନକା ଗାନ୍ଧୀ ଓ ନରେନ୍ଦ୍ର ମୋଦି ପ୍ରକାଶ୍ୟରେ ଘୋଷଣା କରିବା ଉଚିତ।

 

ଜାଲିକାଟ୍ଟୁ ନିଷେଧାଦେଶ ଉଠିବା ପରେ କର୍ଣ୍ଣାଟକରେ କମ୍ବାଳ ଉପରୁ ନିଷେଧାଦେଶ ଉଠାଇବାକୁ ଉଦ୍ୟମ ଆରମ୍ଭ ହେଲାଣି। କେନ୍ଦ୍ର ସରକାର ମଧ୍ୟ କମ୍ବାଳ ପାଇଁ ଅନୁମତି ଦେଇସାରିଲେଣି। କମ୍ବାଳ ହେଉଛି କର୍ଣ୍ଣାଟକର ଏକ ପ୍ରାଚୀନ ମଇଁଷି ଦୌଡ଼ ପ୍ରତିଯୋଗିତା। ଏଥିରେ ମଇଁଷିମାନଙ୍କୁ ବାଡ଼େଇ ବାଡ଼େଇ ଦୌଡ଼ାଯାଏ। ଲୋକମାନେ ଏହି ଖେଳରୁ ବହୁତ ମଜ୍ଜା ଉଠାଇଥାନ୍ତି।

 

ଓଡ଼ିଶାର ବଲାଙ୍ଗୀରରେ ଆଦିବାସୀମାନେ ପାଳନ କରୁଥିବା ସୁଲିଆ ଯାତ୍ରା ମୁଖ୍ୟତଃ ଏକ ଧାର୍ମିକ ଖେଳ। ସେହିପରି ମୟୂରଭଂଜର ଆଦିବାସୀମାନେ ମଧ୍ୟ ଶିମିଳିପାଳରେ ଗଣ ଶିକାର କରିବା ଏକ ସଂସ୍କୃତି। ଭାରତର ହିନ୍ଦୁତ୍ୱବାଦୀ ସରକାର ଏବେ ସୁଲିଆ ଓ ଶିକାର ପର୍ବକୁ ବୈଧ କରିବାକୁ ସଂସଦରେ ଏକ ଆଇନ ପ୍ରଣୟନ କରିବେ କି? କିମ୍ୱା ଓଡ଼ିଶା ସରକାର ତାଙ୍କର ଆଦର୍ଶ ତାମିଲନାଡ଼ୁ ସରକାରଙ୍କ ପଦାଙ୍କ ଅନୁସରଣ କରିବେ କି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top