ଶିଶୁ କାହିଁକି ଶ୍ରମିକ? ସମାଧାନ କ’ଣ?

News Story - Posted on 2017-01-24

ରତ୍ନେଶ୍ବର ସାହୁ

 

ଶିଶୁ ଶ୍ରମିକ ବୋଲି କାହାକୁ କହିବା? ଯଦି ଜଣେ ପିଲା ନିଜ ଘରେ ତାହାର ଭାଇ ଭଉଣୀଙ୍କ ଯତ୍ନ ପାଇଁ କିଛି ଦିନ ଘରେ ରହିଲା ତାହାହେଲେ ସେ ଶିଶୁ ଶ୍ରମିକ କି? ଯଦି ଗୋଟିଏ ପିଲା ନିଜ ପରିବାର ଚଳାଇବା ପାଇଁ କିଛି କାମ ଧନ୍ଦା କରେ ସେ ଶିଶୁ ଶ୍ରମିକ କି? ଯଦି ଗୋଟିଏ ପିଲା ଘରୋଇ କାମ ଯୋଗୁଁ ସାମୟିକ ଭାବେ କର୍ମ କ୍ଷେତ୍ରରେ କିଛିଦିନ/ ସମୟ ପାଇଁ ନିଜକୁ ନିୟୋଜିତ କଲା ସେ ଶିଶୁ ଶ୍ରମିକ କି?

 

ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ଆମକୁ ଖୋଜିବାକୁ ପଡିବ। ଭାରତର ସମ୍ବିଧାନର ଧାରା ୨୪ ଅନୁସାରେ କୌଣସି ଶିଶୁକୁ କୌଣସି କାରଖାନାରେ, ଖଣିରେ କିମ୍ବା ବିପଦପୂର୍ଣ୍ଣ ପରିବେଶରେ କାମ କରିବାକୁ ମନା କରାଯାଇଛି। ଯଦି ଶିଶୁଟି ୧୪ ବର୍ଷରୁ କମ୍ ତାହାହେଲେ ସେ ନିଜ ଅଂଚଳରେ ପାଠ ପଢିବ। ଏଥିପାଇଁ ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ପାଇଁ ସୁବିଧା କରାଯାଇଛି। ଏହା ୬ରୁ ୧୪ ବର୍ଷର ସମସ୍ତ ଶିଶୁ ପାଇଁ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ 2009 ଅନୁସାରେ ନିଶ୍ଚିତ କରାଯାଇଛି। କିନ୍ତୁ ଏହା ପାଇଁ ସମସ୍ତେ ସଚେତନ କି? ଶିଶୁ ଶ୍ରମିକ ହେଲା ଯଦି ଶିଶୁଟି କିଛି କାମ କରେ ଏବଂ ତାହାବଦଳରେ କିଛି ପାରିଶ୍ରମିକ ନିଏ ତାହାହେଲେ ସେ ଶିଶୁ ଶ୍ରମିକ ବୋଲି କୁହାଯିବ।

ଶିଶୁ ଶ୍ରମିକ ଏକ ବ୍ୟବସ୍ଥାର ପ୍ରତିଫଳନ ଓ ଘରେ ରୋଜଗାର କ୍ଷମ ଲୋକ ନାହାନ୍ତି। ସେହି ସମୟରେ ଶିଶୁ ଉପରେ ପରିବାରର ବୋଝ ପଡିଗଲେ ସେ ବାଧ୍ୟ ହୋଇ ରୋଜଗାର ପାଇଁ ବାଟ ବାଛେ। ଯଦି ଗାଁରେ ଶିଶୁଟି ରହିଲା ତାହାହେଲେ ତାହାକୁ ଚିହ୍ନଟ କରିବା ସହଜ କିନ୍ତୁ ଯଦି ଦେଶାନ୍ତାରୀ ହୋଇଗଲା ତାହାହେଲେ ତାହାକୁ ଚିହ୍ନଟ କରିବା ସହଜ ନୁହେଁ। ଗାଁ ଗଣ୍ଡା ବୁଲି କାହାର ଘରେ କିଏ କାମ କରୁଛି ତାହା ମଧ୍ୟ ଚିହ୍ନଟ କରିବା ଏକ ସମୟ ସାପେକ୍ଷ କାର୍ଯ୍ୟ। ଘରୋଇ କ୍ଷେତ୍ରରେ ଚାକର ଭଳି କାମ କରୁଥିବା ଶିଶୁକୁ ଚିହ୍ନଟ କରିବା ମଧ୍ୟ ଏତେ ସହଜ ନୁହେଁ।

 

୨୦୧୧ ଜନ ଗଣନା ଅନୁସାରେ ଓଡିଶାରେ ୫ ବର୍ଷରୁ ୧୪ ବର୍ଷର ମୋଟ ୮୪ ଲକ୍ଷ ୨୩ ହଜାର ୩୯୩ ଜଣ ଶିଶୁ ମଧ୍ୟରୁ ୯୨ ହଜାର ୮୭ ଜଣ ଶିଶୁ ବର୍ଷରେ ୬ ମାସରୁ ଅଧିକ ସମୟ କାମ କରନ୍ତି ଏବଂ ୮୦ ହଜାର ୩୩୫ ଜଣ ଶିଶୁ ବର୍ଷରେ ୩ ମାସରୁ କମ୍ ଦିନ କାମ କରନ୍ତି ଏବଂ ଏକ ଲକ୍ଷ ୬୧ ହଜାର ୯୯୪ ଶିଶୁ ବର୍ଷରେ ୩ ମାସରୁ ୬ ମାସ ପର୍ଯ୍ଯନ୍ତ କାମ କରୁଛନ୍ତି।

ଯଦି ଏହାକୁ ଆହୁରି ବିଶ୍ଲେଷଣ କରିବା ତାହାହେଲେ ଆହୁରି ରୋଚକ ତଥ୍ୟ ନଜରକୁ ଆସୁଛି। ଅଧିକ ମାତ୍ରାରେ ପୁଅ ଶ୍ରମିକ ହେବାରେ ଲାଗିଛନ୍ତି। କିନ୍ତୁ ଝିଅ ସଂଖ୍ୟ ମଧ୍ୟ କମ୍ ନୁହେଁ। ୫ରୁ ୯ ବର୍ଷର ଶିଶୁ ଯେଉଁମାନେ ୬ ମାସରୁ ଅଧିକ ଦିନ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ୧୧ ହଜାର ୪୧୭ ଜଣ ପୁଅ ଏବଂ ୯ ହଜାର ୧୨୪ ଜଣ ଝିଅ ଅଛନ୍ତି। ୧୦ ବର୍ଷରୁ ୧୪ ବର୍ଷର ଶିଶୁ ଯେଉଁମାନେ ୬ ମାସରୁ ଅଧିକ ଦିନ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ୪୪ ହଜାର ୯୦୮ ଜଣ ପୁଅ ଏବଂ ୨୬ ହଜାର ୬୪୧ ଜଣ ଝିଅ ଅଛନ୍ତି।

 

 ଏହି ତଥ୍ୟ ଦେଖିଲା ପରେ ଆମେ କେଉଁଠି ଅଛୁ ତାହା ଚିନ୍ତା କରିବାର ସମୟ ଆସିଛି। ୧୯୪୮ କାରଖାନା ଅଧିନିୟମରେ ୧୪ ବର୍ଷର ଶିଶୁଙ୍କୁ ନିୟୋଜନ କରିବା ପାଇଁ ନିଷେଧ କରାଯାଇଛି। ସେହିଭଳି ୧୯୫୨ ଖଣି ଅଧିନିୟମ ଅନୁସାରେ ୧୮ ବର୍ଷରୁ କମ୍ ବୟସର ଶିଶୁ ଖଣିରେ କାମ କରିବା ପାଇଁ ମନା କରାଯାଇଛି ଏବଂ ୧୯୮୬ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଅଧିନିୟମ ଅନୁସାରେ ୧୪ ବର୍ଷରୁ କମ୍ ବୟସର କୌଣସି ଶିଶୁଙ୍କୁ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ବିପଦପୂର୍ଣ୍ଣ କାର୍ଯ୍ୟରେ କାମ କରିବା ପାଇଁ ବାରଣ କରାଯାଇଛି। ଏତେସବୁ ଆଇନ୍ ସତ୍ତ୍ବେ କାହିଁକି ଗୋଟିଏ ଶିଶୁ ଆଜି ଶ୍ରମିକ ହୋଇ କାମ କରିବା ପାଇଁ ଇଛୁକ ତାହା ସମସ୍ତେ ଚିନ୍ତା କରିବାର ସମୟ ଆସିଛି।

 

ଶିଶୁ ଶ୍ରମିକ ସୃଷ୍ଟି ହେବାର ବଡ କାରଣ ହେଲା ପ୍ରଥମତଃ ଦାରିଦ୍ର୍ଯ ଏବଂ ଅନ୍ଯଟି ହେଲା ଉପଯୁକ୍ତ ଶିକ୍ଷା ବ୍ଯବସ୍ଥାର ଅଭାବ ଓ ଅନ୍ଯ କାରଣ ଗୁଡିକ ମଧ୍ୟରେ ପାଠ ପଢିଲେ ଚାକିରୀ କରିବା ଏବଂ ଉପଯୁକ୍ତ ନିଯୁକ୍ତିର ସୁଯୋଗ ଅଭାବ ମଧ୍ୟ ଅନେକ ପରିବାର ପାଇଁ ବିକଳ୍ପ ପନ୍ଥା ଚିନ୍ତା କରନ୍ତି ଓ ବହୁତ ସମୟରେ ପିତା ମାତା ଏବଂ ଅଭିଭାବକମାନେ କୁହନ୍ତି ଯେ ପାଠ ପଢି କ’ଣ କରିବ? ବରଂ ସମୟ ଥାଉ ଥାଉ ସେ ରୋଜଗାର କରିବା ଶିଖୁ। ଏହା ଏକ ମାନସିକତା ଯେ ପିଲାଟି ପାଠ ପଢିବାର ଅର୍ଥ ହେଲା ତାହା ପାଇଁ ଆମେ କିଛି ଖର୍ଚ୍ଚ କରୁଛୁ ଏବଂ ସେ ଆମକୁ ପ୍ରତିବଦଳରେ କିଛି ଫେରାଇବ। ଏହା ପାଠ ପଢା ନୁହେଁ ବରଂ ବ୍ୟାବସାୟିକ ମାନସିକତା। ଏହିଭଳି ମାନସିକତା କେବଳ ଯେ କମ୍ ପାଠ ପଢା ଲୋକଙ୍କ ଭିତରେ ରହିଛି ତାହା ନୁହେଁ। ବରଂ ଯେଉଁମାନେ ଉଚ୍ଚ ଶିକ୍ଷିତ ସେହିମାନଂକ ମନ ଭିତରେ ମଧ୍ୟ ଏହି ଏକା ପ୍ରକାର ମାନସିକତା ଅଧିକ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏହିଭଳି ବ୍ୟାବସାୟିକ ମାନସିକତାର ଘରୋଇ କଳ ଦ୍ବାରା ଶିକ୍ଷା ବ୍ୟବସ୍ଥା କବଳିତ।

 

ଏହି ସମୟରେ ଯେଉଁମାନେ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ ସେମାନେ ନିଜ ପିଲାମାନଂକୁ ଘରୋଇ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଆଗ୍ରହ ଦେଖାଉଛନ୍ତି। ଏବେ ଯଦିଓ ସବୁଠାରେ ସରକାରୀ ବିଦ୍ୟାଳୟ ରହିଛି କିନ୍ତୁ ଉପଯୁକ୍ତ ଗୁଣର ଶିକ୍ଷା ନାହିଁ। ଫଳରେ ପରବର୍ତ୍ତୀ ପିଢି କିପରି ନିଜ ପାଇଁ ରୋଜଗାର ଯୋଗାଡ କରିବେ ତାହା ମଧ୍ୟ ଚିନ୍ତାର ବିଷୟ। ବିଶେଷ କରି ଆଦିବାସୀ ଅଂଚଳରେ ଶିଶୁ ଶ୍ରମିକ ଅଧିକ ଥା’ନ୍ତି। କିନ୍ତୁ ସେମାନଙ୍କୁ ସେହି ଅଂଚଳରେ ଦେଖିବାକୁ ମିଳି ନ ଥାଏ। ସେମାନେ ବାହାର ସ୍ଥାନରେ ଶ୍ରମିକ ଭାବେ କାମ କରୁଥାଇ ପାରନ୍ତି। ଏହା ପଛରେ କାରଣ ହେଉଛି ନିୟମିତ ବିଦ୍ୟାଳୟ ଖୋଲିବା ଏବଂ ଉପଯୁକ୍ତ ଭାବେ ଶିକ୍ଷାଦାନ କରିବାରେ ଅବହେଳା। ଆଦିବାସୀ ଅଂଚଳରେ ଯେଉଁ ବିଦ୍ୟାଳୟ ଗୁଡିକ ମୁଖ୍ୟ ରାସ୍ତାଠାରୁ ଦୁରରେ ସେହି ବିଦ୍ୟାଳୟଗୁଡିକ ନିୟମିତ ଖୋଲାରହି ଶିକ୍ଷାଦାନ ହୋଇପାରୁଛି କି? କେବଳ ଯେ ମଧ୍ୟାହ୍ନ ଭୋଜନ ଦେଇ ଦେଲେ ଶିକ୍ଷା ହୋଇଯିବ ତାହା ଭାବିବା ଭୁଲ୍।

 

କିଛି ଲୋକ ଅଭିଯୋଗ କରନ୍ତି ଯେ ଆଦିବାସୀ ଅଂଚଳରେ ଶିଶୁ ଓ କିଶୋରୀମାନେ ଯଦିଓ ନାହାନ୍ତି ତଥାପି ସରକାରୀ ରେକର୍ଡ ଅନୁସାରେ ବିଦ୍ୟାଳୟରେ ସେମାନେ ପଢୁଛନ୍ତି। କିନ୍ତୁ ବାସ୍ତବରେ ସେମାନେ କୁଆଡେ ଗଲେ କେଉଁଠି ଅଛନ୍ତି ତାହା ବିଷୟରେ ସେମାନଙ୍କ ପିତା ମାତା ଓ ଅଭିଭାବକମାନେ ସଠିକ ଭାବେ କହି ପାରୁ ନାହାନ୍ତି। ତାହା ହେଲେ ଆମେ କରିବା କ’ଣ? ଆଦିବାସୀ ଅଂଚଳରେ ବିଶେଷ କରି କିଶୋରୀ ବାଳିକାମାନେ ଅଧିକ ମାତ୍ରାରେ ଚାଲାଣ ହୋଇଥାନ୍ତି। ତାହା କ’ଣ ସମାଜ ପାଇଁ ଉପଯୁକ୍ତ ପଦକ୍ଷେପ?  କିଏ କହୁଛି ବାହାରୁ ଆସିଥିଲେ ସେମାନେ ଝିଅକୁ ବାହା ହେବେ ବୋଲି କହିଲେ ଏବଂ ପିତାମାତାକୁ କିଛି ଟଙ୍କା ଦେଇ ଝିଅକୁ ନେଇ ଯାଉଛନ୍ତି। କିଏ କିଏ କୁହନ୍ତି ଏହି ଆଦିବାସୀ ଅଂଚଳରେ ଗାଁ ଗୁଡିକରେ କିଶୋରୀ ସଂଖ୍ୟା କମିଯାଇଛି। ତାହାହେଲେ ସେମାନେ କୁଆଡେ ଗଲେ?

 

ଉପଯୁକ୍ତ ଭାବେ ଗ୍ରାମ, ପଂଚାୟତ, ବ୍ଲକ୍, ଜିଲ୍ଲା ସ୍ତରରେ ପ୍ରତ୍ୟେକ ମାସରେ ଶିଶୁ ଓ କିଶୋର କିଶୋରୀ ସଂଖ୍ୟା ଗଣନା କରିବାକୁ ପଡିବ। କେତେ ଶିଶୁ ଅଛନ୍ତି, କେତେଜଣ ନାହାନ୍ତି, ସେମାନେ ଗାଁ କି ଆଖ ପାଖ ଅଂଚଳରେରେ ଅଛନ୍ତି କି? ଯଦି ନାହାନ୍ତି ସେମାନେ ଗଲେ କୁଆଡେ? କିଏ ନେଲା? କେଉଁଠିକୁ ନେଲା? ସେ ବର୍ତ୍ତମାନ କ’ଣ କରୁଛି? ଏହିସବୁ କଥା ଆଲୋଚନା କରି ଉପଯୁକ୍ତ ଥଇଥାନ ଏବଂ ବ୍ଯବସ୍ଥା ଗ୍ରହଣ କରିବା ପାଇଁ ଚିନ୍ତା କରିବା ଏବଂ କାର୍ଯ୍ୟକାରୀ କରିବାକୁ ପଡିବ।

 

ପ୍ରଥମ କଥା ହେଲା ପଂଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଥିବା ବିଭିନ୍ନ ଷ୍ଟାଣ୍ଡିଂ କମିଟିଗୁଡିକୁ ଗଠନ କରିବା, ସେମାନଙ୍କ ଦାୟିତ୍ବ, କର୍ତ୍ତବ୍ୟ ଏବଂ ଭୁମିକା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନ କରାଇବା ଏବଂ ସେମାନେ ଯେଉଁ ସବୁ ମତ ଦେଉଛନ୍ତି ତାହାକୁ ତର୍ଜମା କରି କାର୍ଯ୍ୟପନ୍ଥା ସ୍ଥିର କରିବା।

 

ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ ସୁରକ୍ଷା କମିଟି ରହିଛି। ଏହା ସହ ଉଭୟ ବ୍ଲକ୍ ଓ ପଂଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲା ସ୍ତରରେ ଥିବା କମିଟିଗୁଡିକ ବେଶ୍ କ୍ରିୟାଶୀଳ ଥିଲା ଭଳି ମନେ ହେଉଛି। ସମସ୍ଯା ଯେହେତୁ ଗ୍ରାମ ଓ ପଂଚାୟତ ସ୍ତରରେ ରହିଛି ତେଣୁ ସବୁବେଳେ ଜିଲ୍ଲା କମିଟି ସମସ୍ୟାଗୁଡିକୁ ସମାଧାନ କରିବା ସମ୍ଭବପର ନୁହେଁ। ସେଥିପାଇଁ ଗ୍ରାମ ଓ ପଂଚାୟତ ସ୍ତରରେ ଥିବା କମିଟିଗୁଡିକ କ୍ରିୟାଶୀଳ ହେବାକୁ ପଡିବ। ଗାଁ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କମିଟି ମାନ ରହିଛି। ବିଦ୍ୟାଳୟ ପରିଚାଳନା କମିଟି, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ, ଗାଁ କମିଟି, ପଂଚାୟତିରାଜ ବ୍ୟବସ୍ଥା ମଧ୍ୟ ଚାହିଁଲେ ବହୁତ ପରିବର୍ତ୍ତନ ଆଣି ପାରିବେ ଓ ଯଦି ଉପର ଠାଉରିଆ ଭାବେ କାମଚଳା ନୀତି ଆପଣାଇବା ତେବେ ସମସ୍ୟା ବହୁତ ଆଗକୁ ବଢିଯିବ।

 

ୟୁଥ୍ ଫର ସୋସିଆଲ୍ ଡେଭେଲପମେଣ୍ଟ ସଂସ୍ଥାର ଏକ ଅନୁଶୀଳନରୁ ଏହିଭଳି ଅନେକ ତଥ୍ୟ ନଜରକୁ ଆସିଛି। ଏହି ସମସ୍ୟାକୁ ସୁଧାରିବାକୁ ହେଲେ ବିଦ୍ୟାଳୟ ପରିଚାଳନା କମିଟି, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ, ଗାଁ କମିଟି, ପଂଚାୟତିରାଜ ବ୍ୟବସ୍ଥା, ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ଏବଂ ବିଭିନ୍ନ ବେସରକାରୀ ସଂଗଠନଗୁଡିକ ଏକାଠି ହୋଇ ଏହିଭଳି ସମସ୍ୟାକୁ ଏକ ଜାତୀୟ ବିପତ୍ତି ଭାବେ ଚିନ୍ତା କରି ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କଲେ ଏହା ଦୂର ହେବ। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସରକାର ସହ ମିଶି ଆଲୋଚନା କରି ପଦକ୍ଷେପ ନେବାକୁ ପଡିବ।

 

ବି.ଡି.ପୁର, ଗଂଜାମ-୭୬୧୧୨୦

ସଂପର୍କ- ୯୪୩୭୧୦୬୨୮୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top