ହତଭାଗା ଓଡ଼ିଆ!

News Story - Posted on 2017-01-22

 ମାୟାଧର ନାୟକ

 

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ ଚାଇନା, ଜାପାନ, ଆମେରିକା। ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ। ଆମେ ସେଇ ହତଭାଗା ଓଡ଼ିଆ - ଆମ ରାଜ୍ୟରୁ କ୍ରୋମାଇଟ‌୍‍ ଲୁହାପଥର ଚୀନ‌୍‍, ଜାପାନ, ଆମେରିକା ପ୍ରଭୃତି ଦେଶକୁ ଏକ୍ସପୋର୍ଟ କରୁଛୁ। ଚୀନ ଦେଶରେ ଆମ ଭାରତଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚାଇନା ତା’ର ଉତ୍ତରପିଢ଼ିଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି। ଆମ ଦେଶ ବିଶେଷ କରି ଓଡ଼ିଶାରୁ ଲୁହାପଥର, କ୍ରୋମାଇଟ‌୍‍ ଚଢ଼ା ଦାମ ଦେଇ ବୋହି ନେଉଛି। ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା ବିଶ୍ୱରେ ଛାଇ ହେଇଗଲାଣି। ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି। ଜାପାନ ମଧ୍ୟ ଆମ କ୍ରୋମାଇଟ‌୍‍ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି। ଆମେରିକା ଆମ କ୍ରୋମାଇଟ‌୍‍ ଲୁହା ପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି।

 

କମାରଶାଳଠାରୁ ଆରମ୍ଭ କରି ଇସ୍ପାତ କାରଖାନା, ଆଲପିନ‌୍‍ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁଥିରେ ଲୁହାପଥର, କ୍ରୋମପଥର ଓ କୋଇଲା ଆବଶ୍ୟକ। ଇସ୍ପାତ ଦେଶ ତଥା ବିଶ୍ୱର ଅଗ୍ରଗତିରେ ବିଶେଷ ସହାୟକ ହୋଇପଡ଼ିଥାଏ। ଖଣିରୁ ଲୁହାପଥର ଖୋଳି ଷ୍ଟିଲପ୍ଲାଣ୍ଟରେ ତରଳାଇ ଲୌହପିଣ୍ଡରୁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଠାରୁ ଆରମ୍ଭ କରି ସଭ୍ୟତାର ଅଗ୍ରଗତି ପାଇଁ ଏକାନ୍ତ ଆବଶ୍ୟକ।

 

ଏଇ ଆମ ଓଡ଼ିଶାରେ ଦ୍ବିତୀୟ ଇସ୍ପାତକାରଖାନା ପ୍ରତିଷ୍ଠା ପାଇଁ ସବୁ ଦଳ ସଂଗଠନ କାହିଁ ଯେ କେତେ ଆନ୍ଦୋଳନ କରିଛନ୍ତି, ତା’ର ହିସାବ ନାହିଁ। ଜାନକୀବାବୁ ଓ ବିଜୁବାବୁଙ୍କ ଅମଳରେ ଦ୍ବିତୀୟ ଇସ୍ପାତ କାରଖାନା ହୋଇପାରିଲା ନାହିଁ। ନବୀନବାବୁ ଅମଳରେ ମନକୁ ମନ ମାଳମାଳ ଷ୍ଟିଲ୍‌ ମିଲ୍‌ କରିବା ପାଇଁ ଧାଡ଼ି ଲଗାଇଛନ୍ତି। ଯାଜପୁରର କଳିଙ୍ଗନଗରରେ ପାଖାପାଖି ୧୩ଟି ଛୋଟବଡ଼ ଇସ୍ପାତ କାରଖାନା ପାଇଁ ଜମି ନେଇ କେତେକ ଉତ୍ପାଦନ ଆରମ୍ଭ କରିଥିବାବେଳେ ଆଉ କେତେକ ଅର୍ଦ୍ଧମୃତ ଅବସ୍ଥାରେ। ସେଥିପାଇଁ କଳିଙ୍ଗନଗରକୁ ଦେଶର ଇସ୍ପାତ ରାଜଧାନୀ ଭାବେ ଚିହ୍ନିତ କରାଯାଇଛି।

 

ଯେଉଁମାନେ ଷ୍ଟିଲ ପ୍ଲାଣ୍ଟ କରିବାକୁ ଯାଉଛନ୍ତି- ସେମାନଙ୍କର ନଜର ରହିଛି କ୍ୟାପ‌୍‍ଟିଭ ଖଣି ଉପରେ। ସେମାନେ ଖଣିଲିଜ ନେଇ କଂଚାମାଲ ବ୍ୟବହାର କରିବେ। କେନ୍ଦ୍ର ସରକାର ବହୁଦିନୁ ଆଇନ କରିଛନ୍ତି- ଯେଉଁମାନେ କାରଖାନା କରିବେ ବା କରିଛନ୍ତି- ସେମାନଙ୍କୁ ଖଣି ଲିଜ ଦିଆଯିବ ଏବଂ କାରଖାନାରେ ଯେତିକି କଂଚାମାଲ ପ୍ରୟୋଜନ ସେତିକି ବ୍ୟବହାର କରିବେ। ବାକି ଖୋଳାଯାଇଥିବା କଂଚାମାଲକୁ ସରକାରଙ୍କ ପାଖରେ ଜମାଦେବେ। ରପ୍ତାନୀ କରିପାରିବେ ନାହିଁ। ଏ ଆଇନକୁ ପ୍ରାୟ କେହି ମାନୁନାହାଁନ୍ତି।

 

ଆମଦେଶରେ ଇସ୍ପାତ ଚାହିଦା ଏପର୍ଯ୍ୟନ୍ତ ପୂରଣ ହୋଇନି। ଖୁବ ନିକଟରେ ସେଲ‌୍‍, ଟାଟା, ଜିନ୍ଦଲ, ଏସାର ପ୍ରମୁଖ କଂପାନୀ ୨୬ ନିୟୁତ ଟନ‌୍‍ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏହାଛଡ଼ା, ମିତ୍ତଲ, ଆଦାନୀ, ମହାଗୁଂଜ ପ୍ରମୁଖ କଂପାନୀ ଲୁହାପଥର, କୋଇଲା ଖଣି ଲିଜ ନେବା ପାଇଁ ପ୍ରବଳ ଉଦ୍ୟମ ଚଳାଇଛନ୍ତି। ଜମି ଅଧିଗ୍ରହଣରେ ପ୍ରବଳ ବାଧା ସୃଷ୍ଟି ହୋଇଛି।

ଆମ ଦେଶରେ ମୂଲ୍ୟଯୁକ୍ତ ଖଣିଜ ପଦାର୍ଥ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନି। ବିଶେଷକରି ମୋଜାମ୍ବିକରୁ, ବଲଭିଆ, ଗୁଇଁନା, ଦକ୍ଷିଣ ଆଫ୍ରିକା ଦେଶମାନେ ଖଣିଜ ପଦାର୍ଥ ମୂଲ୍ୟଯୁକ୍ତ କରିବାରୁ ଆମଦାନୀ କରିବା ସମ୍ଭବ ହେଉନି।

 

ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ-ଆମ ଦେଶରେ ଗଢ଼ି ଉଠୁଥିବା ଇସ୍ପାତ ଶିଳ୍ପକୁ ଆମେ କଂଚାମାଲ ଯୋଗାଇ ପାରୁନେ। ଏଣେ ଲକ୍ଷ ଲକ୍ଷ ଟନ ଲୌହ ପଥର, କ୍ରୋମାଇଟ‌୍‍ ଚୀନକୁ ରପ୍ତାନୀ କରି ଦେଉଛେ। ଚୀନରେ ଏକଦଳୀୟ ଶାସନ ଯୋଗୁ ଇସ୍ପାତ ଶିଳ୍ପରେ ଚଟାପଟ ଉତ୍ପାଦନ ଆରମ୍ଭ କରି ସମଗ୍ର ବିଶ୍ୱବଜାରରେ ଶସ୍ତା ସାମଗ୍ରୀ ଯୋଗାଇ ଦେଇ ପ୍ରଚୁର ଲାଭ କରୁଛନ୍ତି। ଯାହାଫଳରେ ଭାରତ ଇସ୍ପାତ ଶିଳ୍ପରେ ଚୀନ ସହ ପ୍ରତିଯୋଗିତା କରିପାରୁନି। ସମଗ୍ର ବିଶ୍ୱରେ ବଜାର ବିପ୍ଳବ ଦ୍ରୁତଗତିରେ ବଢ଼ିଚାଲିଛି।

 

ଇସ୍ପାତ ଶିଳ୍ପରେ ପୁଂଜି ଓ କଞ୍ଚାମାଲ ଆବଶ୍ୟକ। ଶିଳ୍ପପତିମାନେ ପୁଂଜି ସଂଗ୍ରହ କରି ପାରୁଛନ୍ତି, କିନ୍ତୁ ଶସ୍ତାରେ କଂଚାମାଲ ଖୋଜୁଛନ୍ତି- ପାଉନାହାଁନ୍ତି ଯାହାକି ପ୍ରଚୁର ଲାଭର ମୋହ ଛାଡ଼ି ପାରୁନାହାଁନ୍ତି। ଏଣେ ସରକାରୀ କଳକୁ ହାତକରି ଖଣି ଆପଣେଇବା ପାଇ ଲାଗିପଡ଼ିଛନ୍ତି। ଅତି କମରେ ୧ ନିୟୁତ ଟନ ଇସ୍ପାତ ଉତ୍ପାଦନ ପାଇଁ ୫ ହଜାରରୁ ୬ ହଜାର କୋଟି ଟଙ୍କା ଆବଶ୍ୟକ। ପୁଣି ଗୋଟିଏ ଟନ ଇସ୍ପାତ ପ୍ରସ୍ତୁତ ପାଇଁ ୩ରୁ ସାଢ଼େ ୩ ଟନ କଂଚାମାଲ ଆବଶ୍ୟକ।

 

ଇସ୍ପାତ କଂପାନୀମାନେ ଲାଭ ଉଦ୍ଦେଶ୍ୟରେ ହିଁ କାରଖାନା କରିଥାନ୍ତି। ଯେଉଁଠି ଲାଭ ନାହିଁ ସେମାନେ ପଛଘୁଞ୍ଚା ଦିଅନ୍ତି। ଦେଶର ସ୍ୱାର୍ଥ ପାଇଁ ଇସ୍ପାତ ପ୍ରୟୋଜନ- ଏ ଧାରଣା କୌଣସି ଶିଳ୍ପପତି ରଖିନାହାଁନ୍ତି। ଇସ୍ପାତ ଚାହିଦା ବୃଦ୍ଧି ଯୋଗୁ ଆମ ଦେଶର ଓଡ଼ିଶା, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମ ବଂଗରେ ଷ୍ଟିଲ ପ୍ଲାଣ୍ଟ ପାଇଁ ବିଭିନ୍ନ ଦେଶୀ ବିଦେଶୀ କଂପାନୀ ବୁଝାମଣା କରିଛନ୍ତି। କିନ୍ତୁ ପରିବେଶ ଓ ଜଂଗଲ ବିଭାଗର ଅଙ୍କୁଶ, ଜମି ଅଧିଗ୍ରହଣ, ଖଣି ଲିଜ ସହଜରେ ସରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଲେ ମଧ୍ୟ ଜନଗଣଙ୍କ ପ୍ରବଳ ବିରୋଧ ଯୋଗୁ ବହୁ ପ୍ରକଳ୍ପ ବିଳମ୍ୱ ହେଉଛି।

 

କର୍ଣ୍ଣାଟକ, ଗୋଆ, ଓଡ଼ିଶାରେ ନାହିଁ ନଥିବା ଖଣି ଚୋରୀ ଯୋଗୁ ବହୁ ଖଣିକୁ ବନ୍ଦ କରି ଦିଆଯାଇଛି। ଦେଶର ପ୍ରାକୃତିକ ସଂପଦକୁ ଖୋଲାଖୋଲି ଭାବେ ଅସାଧୁ କର୍ମଚାରୀ, ରାଜନେତା, ଶିଳ୍ପପତି, ମାଫିଆ ଗୋଷ୍ଠୀ ଲୁଟକରି ବ୍ୟକ୍ତିଗତ ସଂପତ୍ତିକୁ ଆକାଶଛୁଆଁ ଅବସ୍ଥାରେ ପହଞ୍ଚାଇ ଦେଇଛନ୍ତି। ଏମାନଙ୍କ ବିରୋଧରେ ରାଜ୍ୟ କି କେନ୍ଦ୍ର ସରକାର କୌଣସି ଦଣ୍ଡ ବ୍ୟବସ୍ଥା କରିପାରୁ ନାହାଁନ୍ତି। ଯଦି ସବୁ ଖଣିଚୋରଙ୍କ ସଂପତ୍ତିକୁ ବ୍ୟାଜ୍ୟାପ୍ତ କରି ରାଜକୋଷକୁ ଅଣାଯାଆନ୍ତା, ତା’ହେଲେ ଆଖିଦୃଶିଆ ଦଣ୍ଡ ପାଇଁ ‘ବିରିମାଡ଼ ଦେଖି କୋଳଥ ଚେପା’ ହୋଇଯାଆନ୍ତେ। ଖଣି ବନ୍ଦ ଯୋଗୁ ଇସ୍ପାତ ଶିଳ୍ପ ସଂକଟରେ ପଡ଼ିଯାଇଛନ୍ତି। କଂଚାମାଲ ଅଭାବରୁ ଇସ୍ପାତ ଜଡ଼ିତ ବହୁ ଛୋଟବଡ଼ ପ୍ଲାଣ୍ଟରେ ଧୁଆଁ ବାହାରୁନି। ଏବେ ଅନିଶ୍ଚିତ ମଧ୍ୟରେ ଇସ୍ପାତ ଶିଳ୍ପ।

 

ଶିଳ୍ପପତିମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବଡ଼ ବ୍ୟଗ୍ର। କାରଣ ବିଦେଶୀ ମୁଦ୍ରା ମିଳିବ। ଚାକିରି ମିଳିବ। ସହଯୋଗୀ ସଂସ୍ଥା ଗଢ଼ି ଉଠିବ। ଏ ସବୁ ଠିକ କଥା; କିନ୍ତୁ ଅସଲ କଥା ହେଉଛି- କେତେଜଣ ଘରୋଇ ଶିଳ୍ପପତି ଦେଶର ଜଳ, ଜମି, ଜଂଗଲ, ଖଣି ଏବଂ ଶ୍ରମ ଶକ୍ତି ଶସ୍ତାରେ ହାତେଇ ନେବେ। ୟାଡେ଼ କୋଟି କୋଟି ଜନଗଣ ଭୋକ ଉପାସରେ ଛଟପଟ ହେବେ। ଏହା ବିକାଶ ବଦଳରେ ବିନାଶରେ ପରିଣତ ହେବ। ଶିଳ୍ପ ପ୍ରୟୋଜନ, କାହାର ବିରୋଧ ନାହିଁ। ଘରୋଇ ଶିଳ୍ପପତିମାନେ ମୂଲ୍ୟଯୁକ୍ତ କାରଖାନା କରନ୍ତୁ, କଂଚାମାଲ, ପାଣି, ବିଜୁଳି କିଣନ୍ତୁ। ରାଜକୋଷ ଭର୍ତ୍ତି ହେଲେ ଲୋକଙ୍କ ସ୍ୱାର୍ଥ ପାଇଁ ଖର୍ଚ୍ଚ ହେବ। ଅବଶ୍ୟ ଶିଳ୍ପପତିଙ୍କ ଲାଭ ବେଶୀ ହେବନି। ଖାଲି ଲାଭ ଓ ଲୋଭ ପାଇଁ କାରଖାନା ହେଲେ ଲୋକେ ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି।

 

ଯେଉଁ କ୍ରୋମାଇଟ‌୍‍ ବିଶ୍ୱର ମହା ମହା ମାରଣାସ୍ତ୍ର ତିଆରି କରିବାରେ ମୁଖ୍ୟ ବ୍ରହ୍ମବୀଜ - ଯାହାକୁ ନେଇ ବଜ୍ର। ଏସିଆ ମହାଦେଶର ୯୮ ଭାଗ କ୍ରୋମାଇଟ‌୍‍ କେବଳ ଆମ ରାଜ୍ୟ ସୁକିନ୍ଦାରେ କାହିଁ କେଉଁ କାଳରୁ ପ୍ରକୃତି ସାଇତି ରଖିଛି। ଏ କ୍ରୋମାଇଟ‌୍‍ ହେଉଛି - କଳିକାଳର ଦଧିଚି ହାଡ଼ - ଯାହାକୁ ନେଇ ଆଟମ ବମ, ହାଇଡ୍ରୋଜେନ ବମ‌୍‍ଠାରୁ ଆରମ୍ଭ କରି ସାଇକେଲ ବଲବ‌୍‍ ବେରିଙ୍ଗ ପର୍ଯ୍ୟନ୍ତ ପ୍ରସ୍ତୁତ ହୁଏ, ଏହାକୁ ଇସ୍ପାତ ସହିତ ମିଶ୍ରଣ କରାଯାଇ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚୀନ ଓ ଜାପାନ ଚାଟି ନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟ‌୍‍ର ବହୁଳାଂଶ। ଏବେ ଆମେରିକା ଏ ସୁକିନ୍ଦା କ୍ରୋମାଇଟ‌୍‍ର ସ୍ୱାଦ ଚାଖି ସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ।

 

ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତ୍ତି - ଏହି ଜାତୀୟ ସମ୍ପତ୍ତିକୁ କେଉଁ ନ୍ୟାୟରେ ବଣ୍ଟାକୁଣ୍ଟା କରି ଲିଜ‌୍‍ ମାଧ୍ୟମରେ ହେଉ କି ସୁପାରିଶ‌୍‍ ଜରିଆରେ ହେଉ, ବ୍ୟକ୍ତି ସମ୍ପତ୍ତିରେ ପରିଣତ କରିବାର ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା କାଏମ ରହିଛି କିପରି?

 

ଏବେ ଏକ ଗୋପନୀୟ ତଥ୍ୟ ପ୍ରଘଟ ହୋଇଛି। ସୁକିନ୍ଦା ଖଣି ଉପରେ ଆତଙ୍କବାଦୀ ହାମଲା ହେଲେ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହି ତଥ୍ୟ ଜଣାପଡ଼ିଲା ପରେ ସମଗ୍ର ବିଶ୍ୱର ଆଖି ସୁକିନ୍ଦା ଉପରେ। ଆମେରିକା, ଚୀନ‌୍‍, ଜାପାନ, ଦକ୍ଷିଣ କୋରିଆ ପ୍ରମୁଖ ୨୫ଟି ଦେଶ ସୁକିନ୍ଦା କ୍ରୋମାଇଟ‌୍‍ କିଣୁଛନ୍ତି। ବିଶେଷ କରି ଦିଲ୍ଲୀ, ଭୁବନେଶ୍ୱରଠାରୁ ଆରମ୍ଭ କରି ସୁକିନ୍ଦା ଖଣି ଅଞ୍ଚଳରେ ଆମେରିକା ଏଜେଣ୍ଟ ଘୂରି ବୁଲୁଛନ୍ତି। ସରକାରୀ କଳକୁ ହାତ କରି ୪୦ ଭାଗ କ୍ରେମାଇଟ‌୍‍ ଚୋରାରେ ନେଇ ଯାଉଛନ୍ତି।

 

ଖଣିଚୋରୀ ଦୁର୍ନୀତିର ମହାସମୁଦ୍ରରୁ ମାତ୍ର ଆଞ୍ଜୁଳାଏ ଦେଖାଉଛି। ସୁକିନ୍ଦା କ୍ରୋମ ଜୋନ‌୍‍ରେ ୯ଟି ଖଣି ଲିଜ‌୍‍ଧାରୀଙ୍କର ୨୩ଟି କ୍ରୋମାଇଟ‌୍‍ ଖଣି ଅଛି। ପ୍ରତିବର୍ଷ ୪୫ ଲକ୍ଷ ଟନ‌୍‍ କ୍ରୋମାଇଟ‌୍‍ ଉତ୍ପାଦନ ହେଉଛି। ୨୫ ଲକ୍ଷ ଟନ‌୍‍ ବିଦେଶକୁ ରପ୍ତାନୀ ହେଉଛି- ବାକି ୨୦ ଲକ୍ଷ ଟନ‌୍‍ ଦେଶ ଭିତରେ ବିକ୍ରି କରାଯାଉଛି। ଗୋଟିଏ ଟନ‌୍‍ କ୍ରୋମାଇଟ‌୍‍ ଉତ୍ତୋଳନ ପାଇଁ ଅତି ବେଶିରେ ହଜାରେ ଟଙ୍କା ଖର୍ଚ୍ଚ ହେବ। ଖଣି ପାଖରେ ବିକ୍ରି ହେଉଛି ବିଭିନ୍ନ ଗ୍ରେଡ‌୍‍ର ୫ ହଜାରରୁ ୩୨ ହଜାର ଟଙ୍କା। ଜାଣନ୍ତୁ ଗୋଟିଏ ଟନ‌୍‍ କ୍ରୋମାଇଟ‌୍‍ରେ ଲାଭ କେତେ? ଏ ଲାଭ କିଏ ଖାଉଛି? ପୁଣି ଅବାଧ ଚୋରି ଚାଲିଛି। ଏ ଚୋରିରେ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ରାଜନେତା, ଅଫିସର, ଖଣି ମାଫିଆ ଏପରିକି ଆନ୍ତର୍ଜାତୀୟ ଖଣି ମାଫିଆ ସମ୍ପୃକ୍ତ ଅଛନ୍ତି।

 

ସୁକିନ୍ଦାରେ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠା ବେଳେ ସେ ସ୍ଥାନରୁ କ୍ରୋମାଇଟ‌୍‍, କିରୋସିନି ବାହାରି ଥିବାରୁ ଶ୍ରମିକମାନେ କହିଲେ - ମୁଁ ଅଭିଯୋଗ କଲି। ନୀଳାଚଳ ଷ୍ଟିଲ ପ୍ଲାଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ, କିନ୍ତୁ କେହି ଶୁଣିଲେ ନାହିଁ।

 

୧୯୯୦ ମସିହାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ମୋତେ ଡକାଇ ପଠାଇଲେ। ପଚାରିଲେ, ଓଡ଼ିଶା ରାଜକୋଷ ଖାଲି। ଟଙ୍କା କୁଆଡ଼ୁ ଆସିବ? ମୁଁ କହିଥିଲି, ଟଙ୍କା ଓଡ଼ିଶାର ମାଟି ତଳେ ପୋତା ହୋଇଛି। ଖୋଳନ୍ତୁ, ବସ୍ତା ବସ୍ତା ଟଙ୍କା ପାଇବେ। ସେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। କହିଲି, ଓଡ଼ିଶାର ଯେତେ ଖଣିଜ ସମ୍ପଦ ଅଛି ସବୁ ଖଣି ଲିଜ‌୍‍ ବାତିଲ‌୍‍ କରନ୍ତୁ - ନୋ କ୍ୟାପଟିଭ‌୍‍ ମାଇନସ‌୍‍, ନୋ ଏକ୍ସପୋର୍ଟ। ସବୁ ଖଣିଜ ସମ୍ପଦକୁ ସରକାର ନିଜ ଅଧୀନରେ ରଖି ଉତ୍ତୋଳନ କରି ବଜାର ଦରରେ ମୂଲ୍ୟଯୁକ୍ତ କରାଯାଇ ବିକ୍ରି କରନ୍ତୁ, ଓଡ଼ିଶା ଟଙ୍କାରେ ପୋତି ହୋଇଯିବ। ସେ ମୁଣ୍ଡ ଟୁଙ୍ଗାରିଲେ। କିନ୍ତୁ କାର୍ଯ୍ୟକାରୀ କରିବା ପୂର୍ବରୁ ସ୍ୱର୍ଗଦ୍ୱାରକୁ ଚାଲିଗଲେ।

 

ଓଡ଼ିଶାର, କେବଳ ସୁକିନ୍ଦା କ୍ରୋମାଇଟରୁ ଭାଗେ ଶୁଣିଲେ। ବାକି ୯୯ ଭାଗ ଅଦୃଶ୍ୟ ଘଟଣା, ଚୋରି, ଦୁର୍ନୀତି, ମାଫିଆ ରାଜ‌୍‍ର ସବୁ ଖବର ଅଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାର ଲୁହାପଥରର ପାହାଡ଼ ଲୁଟ ଚାଲିଛି। ଢ଼େଙ୍କାନାଳ, ଅନୁଗୁଳ, ସମ୍ୱଲପୁର କୋଇଲା ବିଶ୍ୱବିଖ୍ୟାତ। କଳାହାଣ୍ଡି ନୂଆପଡ଼ା, ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ଜେମସ‌୍‍ ଷ୍ଟୋନ, ହୀରା, ମୋତି, ମାଣିକ, ସୁନା ପଥର ଲକ୍ଷଲକ୍ଷ କୋଟି ଟଙ୍କାରେ ଗଚ୍ଛିତ ଅଛି। କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲାର ବକ‌୍‍ସାଇଟ ଖୁନ୍ଦି ହୋଇ ରହିଛି। ମାଙ୍ଗାନିଜଠାରୁ ଆରମ୍ଭକରି ଚାଇନା କ୍ଲେ ପର୍ଯ୍ୟନ୍ତ ୩୨ ପ୍ରକାର ଖଣିଜ ସଂପଦରୁ ୪୧ ପ୍ରକାରକୁ ଉଠିଲାଣି। ସବୁ ଖଣିଜ ସଂପଦ ଓଡ଼ିଶା ମାଟିରେ। କେବଳ ଖଣିଜ ସଂପଦକୁ କରାୟତ୍ତ କରିପାରିଲେ ଓଡ଼ିଶା ଭାରତରେ ଏକନମ୍ୱର ଧନୀ ରାଜ୍ୟରେ ପରିଣତ ହେବ।

 

ଯାଜପୁର ରୋଡ୍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top