ବଜାର ବିପ୍ଳବ

News Story - Posted on 2017-01-18

 ମାୟାଧର ନାୟକ

 

ଆକାଶରେ ଆଉ ଚଢ଼େଇ ଉୁନାହାନ୍ତି। ଏବେ ଉଡ଼ୁଚି ଟଙ୍କା, କଳାଟଙ୍କା ! ଏ କଳାଟଙ୍କା ଦ୍ବାରା ପ୍ରଚଳିତ ବଜାର ବ୍ୟବସ୍ଥା ବିପର୍ଯ୍ୟସ୍ତ। ଖୋଲାବଜାରର ଦିନକାଳ ସରିଯାଇ ସବୁଠି ଏବେ ମୁଣ୍ଡ ଟେକୁଛି କଳାବଜାର। ଏ କଳାବଜାରର ଗୁପ୍ତ ଗୋଦାମରେ ଧୂର୍ତ୍ତ ଧନକୁବେର ବର୍ଗ ସାଇତି ରଖିଛନ୍ତି ଅସୁମାରି ସାମଗ୍ରୀ, ଯାହା ଦ୍ବାରା ପୃଥିବୀର ପ୍ରତ୍ୟେକ ଦୁଃସ୍ଥ ଦୁର୍ଗତ ଦେଶବାସୀଙ୍କୁ ସେମାନେ ନିଜ ନିଜର ଗରାଖ କରିଦେଇ ନିଜର ଅର୍ଥନୈତିକ ଗୋଲାମରେ ପରିଣତ କରିଦେଇପାରିବେ ନିଶ୍ଚୟ। ଏବେ ଆଉ ଯୁଦ୍ଧ ଦ୍ବାରା ଦିଗବିଜୟ କରି ଦେଶଦେଶାନ୍ତର ଦଖଲ କରିବାରେ କୌଣସି ବାହାଦୁରୀ ନାହିଁ, ବରଂ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ରର ବଜାର ପରେ ବଜାର ଦଖଲ କରିଯିବା ହିଁ ହେଉଛି ଅସଲ ଦିଗବିଜୟ!

 

ନବପ୍ରଜନ୍ମର ପୁଞ୍ଜିବାଦ ଏ ବଜାର-ଦଖଲର ନିପୁଣ ସୂତ୍ରଧର। ଆମେରିକା ନେଇଛି ଏ କ୍ଷେତ୍ରରେ ନେତୃତ୍ୟ କାହିଁ କେଉଁକାଳୁ। ଏ ଧରଣର ଧୂର୍ତ୍ତ ଧନବାଦୀ ଭୂମିକା ଅବଶିଷ୍ଟ ବିଶ୍ବକୁ ଏକ ବିଶାଳ ବଜାରରେ ପରିଣତ କରିଦେବା ଦିଗରେ ନିର୍ବାହଶୀଳ।

 

ବଜାର-ବିପ୍ଳବ ଏହି ପରିପ୍ରେକ୍ଷୀରେ ଆଜିର ଅଲଂଘନୀୟ ଆହ୍ବାନ।

 

ଦିନ ଥିଲା, ଲୁହାପଥର ଟନ୍ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କା ଭିତରେ ବିକ୍ରି ହେଉଥିଲା। ସବୁ ଖର୍ଚ୍ଚ ଓ ରୟାଲିଟି ଦେଇ ଖଣି ପଟ୍ଟାଦାରମାନଙ୍କର ବିଶେଷ ଲାଭ ହେଉ ନଥିଲା।

 

ଚୀନରେ ଭାରତଠାରୁ ବେଶୀ ଲୁହା ପଥର ଗଚ୍ଛିତ ଅଛି। ଚୀନ୍ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହା ପଥର ଭବିଷ୍ୟତ ପିି ପାଇଁ ସାଇତି ରଖୁଛି। ସମଗ୍ର ବିଶ୍ବରେ ଏକ ନମ୍ବର ଅର୍ଥନୈତିକ ଭାବେ ଶକ୍ତିଶାଳୀ ଦେଶ ହେବା ଲକ୍ଷ୍ୟରେ ବିଦେଶରୁ ବିଶେଷ କରି ଭାରତରୁ ପୁଣି ଓଡ଼ିଶାର କେନ୍ଦୁଝର ଜିଲ୍ଳାର ଯୋଡ଼ା, ବଡ଼ବିଲ, ଦଇତାରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳରୁ ଲୁହା ପଥର ଟନ୍ ପିଛା ୪ ହଜାରରୁ ୫ ହଜାର ଏପରିକି ୭ ହଜାର ଟଙ୍କା ବୃଦ୍ଧି କରି ରପ୍ତାନୀ ଆରମ୍ଭ କରିଦେଲା।

 

ଖଣି ପଟ୍ଟାଦାର, ଠିକାଦାର, ଟ୍ରାନ୍ସପୋର୍ଟର, ଟ୍ରେଡର୍ସ, ସରକାରୀ କଳ ଏପରିକି ଶ୍ରମିକମାନେ ରାତିଦିନ ଖଣି ଖୋଳ କରିବାରେ ଲାଗିଲେ। ଆଇନ କାନୁନ ବାଟ ଅବାଟ କିଛି ମାନିଲେ ନାହିଁ।

 

ବଡ଼ବିଲ, ଯୋଡ଼ା, ଦଇତାରୀରୁ ପାରାଦୀୀପ ବନ୍ଦରକୁ ଟ୍ରକ୍ ଧାଡ଼ିକି ଧାଡ଼ି ଲାଗିଲା। ପୂର୍ବରୁ ଏସବୁ ଅଞ୍ଚଳରେ ଅତି ବେଶିରେ ହଜାରେ ଟ୍ରକ୍ ଥିଲା। ଓଡ଼ିଶାର ମଣିକୁ ବୋହି ନେଇ ବନ୍ଦରରେ ପହଞ୍ଚାଇ ଦେବାପାଇଁ ପାଖାପାଖି ତିରିଶି ହଜାର ଟ୍ରକ୍ ଧାିଡ଼ ବାନ୍ଧି ଠିଆହେଲେ। ଛଅ ଚକିଆରୁ ଅଠର ଚକିଆ ପର୍ଯ୍ୟନ୍ତ ଟ୍ରକ୍ ରାତିଦିନ ବୋହିବାରେ ଲାଗିଲେ। ଖଣି ଅଞ୍ଚଳରୁ ପାରାଦୀୀପ ପର୍ଯ୍ୟନ୍ତ ଠାଏ ଠାଏ ଢାବା ସଂସ୍କୃତି ଗିଢ଼ ଉଠିଲା। ଦେଶୀ ବିଦେଶୀ ସୁରାପାନ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା। ଖଣି ଟଙ୍କା ସମ୍ପୃକ୍ତ ପକ୍ଷଙ୍କୁ ବାଇଆ କରିପକାଇଲା।

 

ରାଜ୍ୟ ଦେଶ ଚୁଲିକି ଯାଉ- ଚାଇନା ଲୁହାପଥର ନେଉ, ଏହି ନୀତି ଦିଲ୍ଲୀଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ପ୍ରତିଧ୍ବନିତ ହେଲା। ଓଡ଼ିଶାରୁ ୫୦ ବର୍ଷରେ ଯେତିକି ଲୁହା ପଥର ଖୋଳା ଯାଉଥାନ୍ତା ଚାଇନା ଚାରି ପାଞ୍ଚ ବର୍ଷରେ ନେଇଗଲା। ଚାଇନାର କଳକାରଖାନା ଓ ପଡ଼ିଆମାନଙ୍କରେ ଭାରତର ବିଶେଷ କରି ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ଲୌହପଥର ପାହାଡ଼ ଭଳି ଗଦା ହୋଇଗଲା।

 

ହଠାତ୍ ଚୀନ ଲୁହା ପଥର ଟନ୍ ପିଛା ୧୨୨.୩୦ ଡଲାରରେ କିଣୁଥିବା ବେଳେ ୮୫ ଡଲାରକୁ ଖସାଇଦେଲା। ଖଣି ମାଲିକମାନେ ଯେଉଁ ଲୁହା ପଥର ଟନ୍ ୭ ହଜାର ଟଙ୍କା ପାଖାପାଖି ବିକ୍ରି କରୁଥିଲେ, ହଠାତ୍ ସାେଢ଼ 4 ହଜାର ଟଙ୍କାକୁ ଖସି ଆସିଲା। ଏଣେ ସରକାର ରପ୍ତାନୀ ଶୁଳ୍କ 30 ପ୍ରତିଶତ ଲାଗୁ କଲେ। ରାଜଭାଗ ମଧ୍ୟ ସାମାନ୍ୟ ବଢ଼ାଇଇଲେ।

 

ଏହି ସମୟରେ ଶାହା କମିଶନ୍ ତଦନ୍ତ ଏକ ପ୍ରକାର ଖଣି ସହ ସମ୍ପୃକ୍ତ ପକ୍ଷଙ୍କ ପାଇଁ ବରଦାନ ସଦୃଶ ହେଲା। ଖଣି ବନ୍ଦ, କାମ ବନ୍ଦ, ଶ୍ରମିକ କର୍ମଚାରୀ ବେକାର, ବେପାର ମାନ୍ଦା, ଟ୍ରକ୍ ଅଚଳ, ଢାବାରେ କୁଆ ଉଡ଼ିଲା- ସବୁ ଠପ। ଯଦିଓ ଖଣିରୁ ମାଲିକମାନେ ଚାଇନାକୁ ଲୁହା ପଥର ରପ୍ତାନୀ କରିବେ, ତା’ହେଲେ ସବୁ ଖର୍ଚ୍ଚ ଯାଇ ଲାଭ ହେବନି। ତେଣୁ ବାହାନା ମିଳିଗଲା- ଖଣି ବନ୍ଦ କରି ବଡ଼ବିଲ, ଯୋଡ଼ା, କୋଇାରୁ ମାଲିକ, ଠିକାଦାରମାନେ ଭୁବନେଶ୍ବରକୁ ପଳେଇ ଆସି ସହରକୁ ଦଖଲ କରିଗଲେ। ରାଜନେତାମାନେ ଖଣି ଅଞ୍ଚଳରୁ ବସ୍ତା ବସ୍ତା ଟଙ୍କା ଆଣି ରାଜନୀତିରେ ଖଟାଇ କ୍ଷମତା ଦଖଲ କରିବାରେ ଲାଗିଲେ। ଖଣି ଟଙ୍କା କିଛି ଲୋକଙ୍କୁ ଅସମ୍ଭବ ଭାବେ ବଡ଼ଲୋକ କରିଦେଇଛି।

 

ଏଣେ ଚୀନ୍ ଷ୍ଟିଲ ଉତ୍ପାଦନରେ ବିଶ୍ବରେ ସମସ୍ତଙ୍କୁ ଟପିଗଲା। ଶସ୍ତା ସାମଗ୍ରୀ ଉତ୍ପାଦନ କରି ସମଗ୍ର ବିଶ୍ର ବଜାରକୁ ଦଖଲ କରିଗଲା। ସମ୍ପ୍ରତି ଚୀନରେ ଯେତେ ଲୁହା ପଥର ମହଜୁତ ଅଛି, ତାହା ଅଟୋମୋବାଇଲ, ମେସିନାରୀ, ଷ୍ଟିଲରେ ଲଗାଇ ସମଗ୍ର ବିଶ୍ବଜାରକୁ ନିଜ ଆୟତ୍ତକୁ ଆଣିବାକୁ ଉଦ୍ୟମ ଚଳାଇଛି। ପାଖାପାଖି ୮୦ ଭାଗ ଖଣିଜ ସମ୍ପଦ ଷ୍ଟିଲ୍ ପାଇଁ ଚୀନ ପାଖରେ ଗଚ୍ଛିତ ରହିଛି। ବିଶ୍ବ ବଜାରକୁ ନିଜ ଆୟତ୍ତକୁ ଆଣିବା ଯୋଜନା କେତେଦୂର ସଫଳ ହେବ-ତାହା ଏବଠୁଁ କହି ହେବନି।

 

କେବଳ ଚୀନ ଓଡ଼ିଶାରୁ ଲୁହା ପଥର ଆମ ଆଖିରେ ଆଙ୍ଗୁଳି ଗେଞ୍ଜି ନେଇଗଲାନି, ଜାପାନ ଓ ଆମେରିକା ମଧ୍ୟ ଭାରତର ୯୮ ଭାଗ ଗଚ୍ଛିତ ଥିବା କ୍ରୋମାଇଟ୍କୁ ସୁକିନ୍ଦାରୁ ବୋହି ନେଲେ। କ୍ରୋମାଇଟ୍ ଟନ୍ ଅତି ବେଶିରେ ୪ ହଜାରରୁ ପାଞ୍ଚ ହଜାର ଟଙ୍କା ଥିଲା, ହଠାତ୍ ବଢ଼ି ବଢ଼ି ୨୭ ହଜାରରୁ ୩୨ ହଜାର (ବିଭିନ୍ନ ଗ୍ରେଡ୍) ପହଞ୍ଚିଗଲା। ଜାପାନ ସୁକିନ୍ଦାରୁ କ୍ରୋମାଇଟ୍ ନେଇ ସ୍ଥାନାଭାବରୁ ସମୁଦ୍ରରେ ଗୋଦାମ କରି ବୁଡ଼ାଇ ରଖିଛି। ଆମ ଓଡ଼ିଶା କ୍ରୋମାଇଟରୁ ଇଲେକ୍ଟ୍ରୋନିକ୍ ପଦାର୍ଥ ଉତ୍ପାଦନ କରି ସମଗ୍ର ବିଶ୍ବରେ ବିକ୍ରି କରୁଛି। ଆମେରିକା ମଧ୍ୟ ସୁକିନ୍ଦା କ୍ରୋମାଇଟ୍ ନେଇ ଯୁଦ୍ଧାସ୍ତ୍ର ନିର୍ମାଣ କରି ସବୁ ଦେଶକୁ ଯୋଗାଉଛି। ଯୁଦ୍ଧ, ଧ୍ବଂସର ତାଣ୍ଡବଲୀଳା ଚାଲିଛି। ସବୁ କଞ୍ଚାମାଲ୍ ଭାରତର ସବୁଠୁ ବେଶି ଏଇ ଓଡ଼ିଶାରୁ ଚୀନ, ଜାପାନ, ଆମେରିକା ପ୍ରମୁଖ ୨୩ଟି ଦେଶ ବୋହି ନେଉଛନ୍ତି। ଆମେ ଭଦ୍ରଲୋକମାନେ ସେ ଦେଶକୁ ଜ୍ବାଇଁପୁଅ ଭାବି ଆମ ଖଣିଜ ସମ୍ପଦକୁ ଯୌତୁକ ଦେବାରେ ଲାଗିଛୁ।

 

ବିଶ୍ବର ଦ୍ବିିତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଚୀନ୍ ଏଭଳି ଶକ୍ତିଶାଳୀ ହେଲାଣି ଯେ ଜାପାନକୁ ପଛରେ ପକାଇ ଆମେରିକାକୁ ମଧ୍ୟ ପଛରେ ପକାଇ ଦେବାକୁ ଯାଉଛି। ଏସବୁ ସତ୍ତ୍ବେ ଆମ ଓଡ଼ିଶା, ଭାରତ ଭଳି ଚୀନ ମଧ୍ୟ ଶ୍ରମିକ, ଚାଷୀଙ୍କୁ ପର୍ବତ ସମାନ ଲାଭରୁ ଭାଗ ଦେଉନି। କମ୍ ମଜୁରୀରେ ଖଟାଉଛି, ସବୁ ମେସିନରେ କାମ ଚାଲିଛି। ତଥାପି ମାନବ ଶକ୍ତିର ପ୍ରୟୋଜନ ଅଛି। ଉତ୍ତର କୋରିଆରୁ ୪୦ ହଜାର ଶ୍ରମିକ ଆମଦାନୀ କରାଯାଇ ଚୀନର କଳକାରଖାନା, ଖଣି ଖାଦାନ କାମରେ ନିୟୋଜିତ କରାଯାଇଛି। ସେମାନଙ୍କୁ ମଧ୍ୟ ମଜୁରୀ କମ୍ ଦିଆଯାଉଛି। ଯାହା ଫଳରେ ଶସ୍ତା ଶ୍ରମ ଏବଂ ଉନ୍ନତ କାରିଗରୀ କୌଶଳ ଯୋଗୁ ଚାଇନା ଉତ୍ପାଦିତ ଦ୍ରବ୍ୟ ବିଶ୍ବଜାରରେ କମ୍ ଦାମରେ ବିକ୍ରି କରି ପ୍ରଚୁର ଲାଭ କରୁଛି।

 

ବଜାର ବିପ୍ଳବ କାହାକୁ କେଉଁଠି ନେଇ ପହଞ୍ଚାଇ ଦେଲାଣି- ନଜର କରିବା କଷ୍ଟକର। ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ, ଜର୍ମାନୀକୁ ଟପି ଚୀନ ଦ୍ରୁତ ଗତିରେ ଆଗେଇ ଚାଲିଚି। ଚୀନର ସହର ବଜାରରେ ନିର୍ମାଣ କାର୍ଯ୍ୟରେ ଆକାଶଛୁଆଁ ଆପାର୍ଟମେଣ୍ଟ, ଅଫିସ୍ ବ୍ଲକ୍, କଳକାରଖାନା, ମେଟ୍ରୋଲାଇନ୍, ତ୍ବରିତ ରାଜପଥ, ବନ୍ଦର, ଏୟାରପୋର୍ଟ, ରେଲଲାଇନ ଇତ୍ୟାଦି ବଢ଼ି ଚାଲିଛି। ରୁଷରେ ମଧ୍ୟ ପୁରୁଣା ସହର ବଜାରକୁ ଭାଙ୍ଗି ନୂଆ ନୂଆ ସହର ବଜାର ଗଢ଼ିଉଠୁଛି।

 

ୟାଡ଼େ ଭାରତରେ ମହାରାଷ୍ଟ୍ର, ମୁମ୍ବାରେ ପୁରୁଣା ଟେକ୍ସଟାଇଲ୍ ମିଲ୍ କଲିକତାର ପୁରୁଣା ଶିଳ୍ପାଞ୍ଚଳ ବନ୍ଦ ହୋଇ କିମ୍ବା ଭାଙ୍ଗିରୁଜି ସତେ ଯେମିତି ଜନଗଣଙ୍କୁ ଉପହାସ କରୁଚି। ଏଣେ ଗୁରୁଗାଁ, ମାନେଶ୍ବର ଶିଳ୍ପାଞ୍ଚଳ, ନୋଇଡା ଶିଳ୍ପାଞ୍ଚଳ, ବାଙ୍ଗାଲୋର, ଭୁବନେଶ୍ବର ପ୍ରମୁଖ ସହରରେ ନଭଶ୍ଚୁମ୍ବୀ କୋଠା, ବିଦେଶୀ ଢାଞ୍ଚାରେ ନିର୍ମାଣ ବି ଚାଲିଛି। ପୁନଶ୍ଚ ଖାଦ୍ୟରେ ଚାଇନା, ରୁଷିଆ ଭରପୂର ଥିଲାବେଳେ ଭାରତରେ ଖାଦ୍ୟାଭାବରୁ ପୁଷ୍ଟିହୀନତା ଦେଖାଦେଉଛି। ବହୁଲୋକ ଅଧାଖିଆ ପେଟରେ ଦିନ ବିତାଉଛନ୍ତି।

 

ଏହି ଲେଖକ ୧୯୮୮ରେ ପୁରୁଣା ସୋଭିଏତ୍ ରୁଷକୁ ଟ୍ରେଡ୍ ୟୁନିୟନ୍ ଡେଲିଗେସନରେ ଯାଇ ଯାହା ଯାହା ଦେଖିଥିଲା ଆଜି ଅବଶ୍ୟ ସେସବୁ ସମାଜ ବ୍ୟବସ୍ଥା ନାହିଁ, କିନ୍ତୁ ବିଶ୍ବର ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ଏବେବି ଭାଙ୍ଗିନି ଏବଂ ବିଶେଷ କରି ଖାଦ୍ୟରେ ଯାହା ଅଭ୍ୟାସ ଥିଲା ତାହା ମଧ୍ୟ କମିନି। ଆମେ ସକାଳ ଜଳଖିଆ ଟେବୁଲରେ ବସିଲେ ଏତେ ଖାଦ୍ୟ ପରଷା ହୋଇଥାଏ ଯେ ତାହା ଆମ ଭାରତରେ ଦିନେ ଦୁଇଦିନର ଖାଦ୍ୟ ସଂଗେ ସମାନ।

 

ଆଜି ଚୀନ ଓ ରୁଷ ସହ ତାଳ ଦେଇ ଭାରତରେ ମଧ୍ୟ ବଜାରରେ ବଡ଼ ବଡ଼ ହୋଟେଲ, ଗାଡ଼ିମଟର, ସୁନାଗହଣା, ଘଣ୍ଟା, ପୋଷାକ ଦୋକାନ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଯେଉଁମାନଙ୍କ ପାଖରେ ଆୟ ବହିଭୂର୍ତ ସମ୍ପତ୍ତି ଅଛି ସେମାନେ ଏଇସବୁ ଦାମିକା ପଦାର୍ଥ କିଣିବାରେ ଅଭ୍ୟସ୍ତ।

 

ଭାରତ ୧୯୪୭ରେ ସ୍ବାଧୀନ ହେଲା। ଶାସନ ସିନା ଗଣତନ୍ତ୍ର ଢାଞ୍ଚା ହେଲା, କିନ୍ତୁ ବିକାଶଶୀଳ ପୁଞ୍ଜିବାଦର ରାସ୍ତା ଖୋଲିଲା। ଚୀନ ୧୯୪୯ରେ, ରୁଷ ୧୯୧୭ରେ ରକ୍ତାକ୍ତ ସଂଗ୍ରାମରେ ମୁକ୍ତିଲାଭ କରି ସମାଜବାଦୀ ରାଷ୍ଟ୍ର ବ୍ୟବସ୍ଥା କାଏମ୍ ହେଲା। ଏବେ କିନ୍ତୁ ୩ଟି ଦେଶ ପୁଞ୍ଜିବାଦର ପଞ୍ଜୁରିରେ ବନ୍ଦୀ। ବଜାର ବିପ୍ଳବରେ ସମସ୍ତେ ଜଣେ ଜଣେ ଖେଳୁଆଡ଼। ସପ୍ତ ମହାଦେଶର ଅନ୍ୟାନ୍ୟ ଦେଶ ଅର୍ଥ ପଛରେ ପାଗଳ ଭଳି ଧାଉଁଛନ୍ତି। ଦେଖାଯାଉ, ବଜାର ବିପ୍ଳବରେ କିଏ ଜିତୁଛି, କିଏ ହାରୁଛି!

 

ବିଶ୍ବର ଅର୍ଥନୈତିକ ମାନ୍ଦାବସ୍ଥାକୁ ମୁକାବିଲା କରିବା ପାଇଁ ଚୀନ, ଆମେରିକା ଲାଗି ପଡ଼ିଛନ୍ତି ବୋଲି ଘୋଷଣା କରୁଛନ୍ତି। ଏଣେ ୟୁରୋପ ଦେଶ ସମୂହରେ ଅନିଶ୍ଚୟତା ଲାଗି ରହିଥିବା ବେଳେ ଜାପାନରେ ରାଜନୈତକ ଅନ୍ତର୍ଦ୍ବନ୍ଦ୍ବ ଯୋଗୁ ଅର୍ଥନୀତି ସ୍ଥିର ହୋଇଯାଇଛି। କେବଳ ପ୍ରୟୋଜନୀୟ ଅପେକ୍ଷା ଅଧିକ କିମ୍ବା ଅଚଳାଚଳ ସମ୍ପତ୍ତି ମଣିଷକୁ ଆନନ୍ଦ ଦେଇପାରେନା। ବହୁଳାଂଶରେ ମଜୁରିଆମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ବେଳେ ଧୋବଧାଉଳିଆ ବାବୁମାନେ ପରସ୍ପର ପ୍ରତିଯୋଗିତାରେ ମାତିଛନ୍ତି। ବହୁ ପୁଞ୍ଜିପତି ରାଜା, ଜମିଦାର ଭଳି ମାଲିକାନାବାଦ ପ୍ରତିଷ୍ଠା କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି।

 

ଏକବିଂଶ ଶତାବ୍ଦୀରେ ବଜାର ବିପ୍ଳବ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ମାନ୍ଦାବସ୍ଥା ଏପର୍ଯ୍ୟନ୍ତ ସୁଧୁରିନି। ବିଶ୍ବର ଅର୍ଥନୀତି, ରାଜନୀତି, ସଂସ୍କୃତି, ସାମାଜିକ ବ୍ୟବସ୍ଥାରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ସବୁ କିଛି ଓଲଟପାଲଟ ହେବାରେ ଲାଗିଛି।

 

ପୁଞ୍ଜିରେ କେବଳ ବଜାର ବିପ୍ଳବ ହୋଇନି, କଳା, ସଂସ୍କୃତି, ସାହିତ୍ୟ ଏପରିକି ପ୍ରେମକ୍ଷେତ୍ରରେ ମଧ୍ୟ ବଜାର ବିପ୍ଳବ ଦେଖାଦେଇଛି।

 

ବଜାର ସଂସ୍କୃତି ସଂପ୍ରତି ସହରରୁ ନିପଟ ମଫସଲ ଗାଁ ପଡ଼ାକୁ ବ୍ୟାପିଗଲାଣି। ଯାହାଫଳରେ ଲାଭ ଅପେକ୍ଷା ଅପର୍ଯ୍ୟାପ୍ତ କ୍ଷତି ଘଟିବାରେ ଲାଗିଛି। ଯେଉଁମାନେ ଲାଭ କରୁଛନ୍ତି ସେମାନେ ପ୍ରାଚୁର୍ଯ୍ୟର ଶିଖର ଦେଶରେ ପହଞ୍ଚିଗଲେଣି। ସେମାନଙ୍କ ସଂଖ୍ୟା ଶତକଡ଼ା ଦଶ ହେବ କି ନାହିଁ ସନ୍ଦେହ। ବାକି ନବେଭାଗ ଲୋକ ବଜାର ସଂସ୍କୃତିର ଜାଲିଆତି ଜାଲରେ ଛନ୍ଦିହୋଇ ନାହିଁ ନଥିବା କ୍ଷତି ସହି ଚାଲୁଛନ୍ତି। ସାରା ବିଶ୍ବରେ ଯେଉଁ ସପ୍ତ ମହାପାପ ବିରାଜମାନ କରୁଛି, ଯଥା ଲାଳସା, କାମବାସନା, ପେଟୁପଣ, ଲୋଭ, ଆଳସ୍ୟ, ଈର୍ଷା ଓ ଅହଙ୍କାରକୁ କି ଧନୀ କି ଗରିବ ସମସ୍ତେ ଆପଣେଇ ନେଇଛନ୍ତି, ଯାହାଫଳରେ ବର୍ତ୍ତମାନ ଭୟଙ୍କର ବିଭ୍ରାଟ ସାରାବିଶ୍ବରେ ଦେଖାଦେଇଛି।

 

ଚାଇନା, ଇଂଲଣ୍ଡ, ଆମେରିକାଠାରୁ ଆରମ୍ଭ କରି ଭାରତ, ଓଡ଼ିଶାରେ ସବୁ ନକଲି ପଦାର୍ଥ ବଜାରରେ ଛାଇହୋଇ ଗଲାଣି। ଉପଭୋକ୍ତା କୌଣସି ପ୍ରୟୋଜନୀୟ ଅପ୍ରୟୋଜନୀୟ ପଦାର୍ଥ କିଣିବାକୁ ଗଲେ ଅସଲି ନକଲି ଚିହ୍ନିବା କଷ୍ଟକର। ଅସଲିଜିନିଷ ଦାମ ଧରନ୍ତୁ ଶହେଟଙ୍କା, ତା’ ପାଖରେ ସେଇ ଅସଲିଜିନିଷର ଚକଚକକିଆ ନକଲି ଜିନିଷ ଦୁଇଶହ ଲେଖା ଥିଲେ ଗ୍ରାହକ ଭାବୁଛି ବେଶୀ ଦାମ ଅର୍ଥାତ୍ ନିଶ୍ଚୟ ଅସଲି ହୋଇଥିବ ସେ କିଣି ନେଉଛି।

 

ଏକ ପୁରୁଣା କଥା- ପ୍ରାୟ ଷାଠିଏ ଦଶକରେ ଜଣେ ପୁରୁଣାକାଳିଆ ରଜା (ରାଜଗାଦୀ ନଥିଲା) ଯାଜପୁର ରୋଡ଼କୁ ତାଙ୍କ ରାଣୀ ପାଇଁ ଶାଢ଼ି କିଣିବାକୁ ଆସିଲେ। ବଜାରରେ ନାମୀ ଲୁଗା ଦୋକାନକୁ ଯାଇ ଅନେକ ଶାଢ଼ି ଦେଖିଲେୟ ସେତେବେଳେ ଶାଢ଼ି ଏପରିକି ଭଲ ଶାଢ଼ି ଶହେ ଦେଢ଼ ଶହ ଟଙ୍କାରେ ମିଳୁଥିଲା। ରାଜାଙ୍କ ପସନ୍ଦ ହେଲାନି- କହିଲେ ତିନି ଶହ ଚାରି ଶହ ଟଙ୍କା ଶାଢ଼ି ଦେଖା। ଦୋକାନୀ ନାହିଁ ବୋଲି କହିପାରୁନାହାନ୍ତି। ରଜାଙ୍କୁ ଚେୟାରରେ ବସାଇ ଚା’ ଆଣିଦେଲେ। ଭିତରକୁ ଯାଇ ଗୁମାସ୍ତାଙ୍କ ସହ ପରାମର୍ଶ କଲେ। ସେହି ଦେଢ଼ଶହ ଟଙ୍କା ଶାଢ଼ିକୁ ଭଲ ଜରୀରେ ପ୍ୟାକିଙ୍ଗ କରି ଏକ ସୁନ୍ଦର ବ୍ୟାଗରେ ଆଣି ଦେଖାଇଲେ। ଏ ଶାଢ଼ି ଚାରିଶହ ଟଙ୍କା ଦାମ ବୋଲି କହିଲେ। ଆଉ ମଧ୍ୟ କହିଲେ- ଜଣେ ଠିକାଦାର ଏ ଶାଢ଼ି ଦୁଇଟା ବରାଦଦେଇ ରଖି ଯାଇଛନ୍ତି। ରଜା ବିଗିଡ଼ି ଯାଇ କହିଲେ, ଠିକାଦାର ଏତେଟଙ୍କାରେ ଶାଢ଼ି କିଣୁଛୁ- ଆମେ କ’ଣ କିଣି ପାରିବା ନାହିଁ? ପାଞ୍ଚ ଶହ ଟଙ୍କିଆ ଶାଢ଼ି ଆଣ। ଦୋକାନୀ ସେଇ ଦେଢ଼ଶହ ଟଙ୍କିଆ ଶାଢ଼ି ଦୁଇଟାକୁ ରଜାଙ୍କୁ ଦେଇ ଆଠଶହ ରଖିଲେ। ରଜା ଗୋଜା, ଯାହା ବୁଝିଲେ!

 

ଏଠାରେ ଏ ସତ୍ୟକଥାଟି ବଖାଣିବାର ଉଦ୍ଦେଶ୍ୟ ହେଲା ୧୯୬୦ ମସିହାରେ ମଧ୍ୟ ଲୋକମାନେ ଚକଚକିଆ ପ୍ୟାକିଂରେ ଟଙ୍କାକ ଜିନିଷକୁ ଦି’ଟଙ୍କାରେ କିଣୁଥିଲେ। ଆଜି ୫୭ ବର୍ଷରେ ଶାଢ଼ି ଖଣ୍ଡକର ଦାମ ହଜାର, ଲକ୍ଷେରୁ ଦଶଲକ୍ଷ ଟଙ୍କାରେ ପହଞ୍ଚିଲାଣି। ସବୁଆଡ଼େ ଜିନିଷପତ୍ରର ଦରଦାମ ଆକାଶଛୁଆଁ। ତଥାପି ଚଢ଼ା ଦାମଦେଇ ଲୋକେ କିଣୁଛନ୍ତି, ସେଥିପାଇଁ ସହରବଜାରରେ ବିରାଟକାୟ ଦୋକାନମାନ ଖୋଲାଯାଇ ମନଲୋଭା ସାଜସଜ୍ଜା କରାଯାଇଛି।

 

ବିଶେଷକରି ସିନେମାରେ ହିରୋ ହିରୋଇନ୍ ଯେଉଁ ପ୍ରକାର ପୋଷାକ ପିନ୍ଧୁଛନ୍ତି- ଗାଁ ଗହଳିର ହିରୋ ହିରୋଇନମାନେ ପଛରେ ପଡ଼ିଯାଇନାହାଁନ୍ତି। ୧୯୬୦-୭୦ରେ ଖଦଡ଼ କପଡ଼ା ବିକ୍ରି ହେଲାନି। ବିକ୍ରେତା ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ସିନେମାରେ ପ୍ୟାଣ୍ଟ୍ ଉପରେ ଖଦଡ଼ ପଂଜାବି ପିନ୍ଧିବା ପାଇଁ ବରାଦ ଦେଲେ। ସେଇଆ ହେଲା। ତା’ପରେ ଯୁବସମାଜ ରାଜେଶ ଖାନ୍ନା ପୋଷାକକୁ ଆଦରି ନେଲେ। ସେଇଭଳି ସିନେମାରେ ହିରୋଇନମାନେ ଛୋଟ ସାଇଜର ପ୍ୟାଣ୍ଟସାର୍ଟ, ଗଂଜି ପିନ୍ଧି ନାଚିଲେ। ୟାକୁ ଦେଖି ଗାଁ ଗହଳିର ଝିଅମାନେ ଅର୍ଦ୍ଧନଗ୍ନ ପୋଷାକକୁ ଆଦରିନେଲେ।

 

୧୯୫୦ ମସିହାରେ ପ୍ରେମିକ-ପ୍ରେମିକା ଜଣେ ଜଣେ ଥିଲେ। ସେତେବେଳର ପ୍ରେମରେ ସୌନ୍ଦର୍ଯ୍ୟ ଥିଲା, ମାଧୁର୍ଯ୍ୟ ଥିଲା- ଆଉ ଥିଲା ଆନ୍ତରିକତା। ୬୦ ଦଶକରେ ଜଣେ ପ୍ରେମିକାକୁ ଦୁଇଜଣ ପ୍ରେମିକ- ଏକ ଫୁଲ ଦୋ’ମାଳି ପ୍ରେମରେ ଜୁଆରଭଟ୍ଟା ପଡ଼ିଲା। ରାଗଈର୍ଷା, ଗଣ୍ଡଗୋଳ ହେଲା, ୭୦ ଦଶକରେ ଜଣେ ଦି’ ଜଣ ନୁହେଁ, ତିନିଚାରି ଜଣ ପ୍ରେମିକକୁ ଜଣେ ପ୍ରେମିକା, ପୁଣି ଜଣେ ପ୍ରେମିକାକୁ ତିନିଚାରି ଜଣ ପ୍ରେମିକ! ପ୍ରେମରେ ବଜାର ସଂସ୍କୃତି- ଅର୍ଥ, ପଦପଦବୀ ପଶିଯିବାରୁ ବାସ୍ତବ ପ୍ରେମ ବଦଳରେ ପାଣିଚିଆ ପ୍ରେମ ଗଜୁରି ଉଠିଲା। ୮୦ ଦଶକରେ ଅସଂଯତ ପୋଷାକପତ୍ରରେ ମାଳମାଳ ପ୍ରେମିକ ପ୍ରେମିକା ଘୂରିବୁଲିଲେ।

 

୯୦ ଦଶକରେ ପ୍ରତ୍ୟେକ ଦେଶର ଢାଙ୍କୁଣି ଖୋଲିଗଲା। ଚତୁର୍ଦିଗ ମୁକୁଳା। ଧନଲୋଭୀମାନେ ପଶି ଆସିଲେ। ପ୍ରେମକୁ ପଣ୍ୟ କରିଦେଲେ। ଯେକୌଣସି ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢ଼ାଇବାକୁ ଗଣମାଧ୍ୟମରେ ଝିଅମାନଙ୍କ ଅର୍ଦ୍ଧ ଉଲଗ୍ନ ଶରୀରକୁ ବିଜ୍ଞାପିତ କଲେ ଏବଂ ଦାମୀଦାମୀ ଲୋକମାନେ ମଧ୍ୟ ବିଜ୍ଞାପନରେ ହାଜିର ହେଲେ। ଖୁଲାମଖୁଲା ପ୍ରେମ- କେହି କାହାକୁ ବାଧା ଦେବାକୁ ନାହିଁ। ପୁଅଝିଅମାନେ ଆଇ ଲଭ ୟୁ ପୋଷାକ ପିନ୍ଧି ବଜାର ସହର, ପାର୍କ, ସପିଙ୍ଗ୍ ମଲ୍ଲରେ ହଳହଳ ହୋଇ କୋଳାହଳ କଲେ। ପ୍ରେମର ପସରାରେ ପଶିଗଲା ଇଲୁ ଇଲୁ ଇଲିଶି!

 

୨୦୦୦ ମସିହାବେଳକୁ ଏକବିଂଶ ଶତାବ୍ଦୀ ପ୍ରବେଶ କଲା। ପୁଅଝିଅମାନଙ୍କର ରକ୍ତସବୁ ପାଣିଚିଆ ହୋଇଗଲା। ସେମାନେ ସାରଦିଆ, ବିଷାକ୍ତ ଖାଦ୍ୟଖାଇ ତେଜବୀର୍ଯ୍ୟହରା ହୋଇପଡ଼ିଲେ। ପୋଷାକପତ୍ରର ବାଗବାଇଶ ରହିଲା ନାହିଁ। ଖାଲି ଚେହେରା ସଜାଇବାରେ ଦିନ ଗଲା। ବାପମା’ଙ୍କ ରକ୍ତଅର୍ଜିତ ଧନକୁ ନକଲି ସାମଗ୍ରୀ କିଣାରେ ବରବାଦ କଲେ।

୨୦୦୦ରୁ ୨୦୧୭ଭିତରେ ପ୍ରେମ ଆଉ ନାହିଁ। ବଜାରକୁ ନୂଆ କିସମର ଔଷଧ ଆସିଗଲା। ଜାପାନୀ ତେଲ ଠାରୁ ଆରମ୍ଭ କରି ଅଂଗବର୍ଦ୍ଧକ ଯନ୍ତ୍ରର କୃପା କାମନା କଲେ, ବିଭିନ୍ନ ବଟିକା ଖାଇ କ୍ଷଣିକ ଉତ୍ତେଜନାରେ ମାତିଉଠିଲେ। ଦେଶୀ-ବିଦେଶୀ ବଣିକମାନେ ଯୁବସମାଜକୁ ନିଶାଗ୍ରସ୍ତ କରି ମୁଣ୍ଡ ବିଗାଡ଼ିଦେଲେଣି। ବିଷାକ୍ତ ଜଳବାୟୁ, ବାତାବରଣରେ ଯୁବସମାଜ ମଧ୍ୟରେ ନପୁଂସକତା ଦେଖାଦେବାରୁ କଂପାନୀମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଲେ।

 

ବଜାର ପୂରା ନକଲି ହୋଇଗଲା। ବ୍ୟାନର ମଧ୍ୟ ପୂରା ନକଲି। ପ୍ରଥମେ ଅସଲି ଉତ୍ପାଦନରେ ଯେଉଁ କଂପାନୀ ଜିନିଷ ବିକ୍ରି କରୁଥିଲେ- ବେଶି ବିକ୍ରି ହେଉଥିଲା- ସେହି କଂପାନୀ ବ୍ୟାନର ମାରି ନକଲିକୁ ଅସଲି ବୋଲି କହି ବିକ୍ରି କଲା।

 

ଏପରିକି ବଂଧୁତାରେ ବଜାର ସଂସ୍କୃତି ଅକ୍ରମଣ କଲା। ଜଣେ ଛଳଛଳ, ସରଳ ବଂଧୁଙ୍କ ଲେଖା-ପ୍ରକାଶନୀର ଖୁବ ନାଁ ଅଛି। ତାଙ୍କର ଜନୈକ କୁଟିଳ ବଂଧୁ ଉକ୍ତ ପ୍ରକାଶନୀର ନକଲି ବ୍ୟାନର ମାରି ଅସଲିବଂଧୁର ଦାନାରେ ଧୂଳି ଦେଲେ।

 

ବଜାରୀ ପ୍ରେମିକ, ବଜାରୀ ଲେଖକ, ବିଶ୍ବବଜାରକୁ ବିଶୃଙ୍ଖଳିତ କରାଇ ବିଭିନ୍ନ ରାଷ୍ଟ୍ରରେ ଏକ ପ୍ରକାର କୋକୁଆ ଭୟ ଉପୁଜାଇବାପାଇଁ ଆତଙ୍କାବାଦର ଜଘନ୍ୟ ଜନ୍ମାଦାତା ଆମେରିକା ଏବେ ଆରମ୍ଭ କରିଦେଇଛି ଅଘୋଷିତ ତୃତୀୟ ବିଶ୍ବଯୁଦ୍ଧ - ଯାହାର ମୁଖ୍ୟ ଆୟୁଧ ହେଉଛି ଅଚଳ ଅର୍ଥନୀତି।

 

ଆମେରିକା ଏବେ ନିଜର ଆସୁରିକତାକୁ ତତ୍ତ୍ବ ଓ ତଥ୍ୟର ପୁଟ ଚଢ଼ାଇ ଅଭୂତପୂର୍ବ ଅର୍ଥନୈତିକ ଅଭାବ-ଆତଙ୍କ ପାଇଁ ବିଶ୍ବ ରଙ୍ଗମଞ୍ଚରେ ଯେତେ କୁମ୍ଭୀର କାନ୍ଦଣା କାନ୍ଦିଲେ ବି ତା’ର ଏ କୂଟନୈତିକ କ୍ରନ୍ଦନ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ଭଳି ତାକୁ ପଦାରେ ପକାଇ ଦେବାକୁ ଯାଉଛି ଅଦୂର ଭବିଷ୍ୟତରେ।

 

ସମୟ ଥିଲା, ସମଗ୍ର ବିଶ୍ବଜାରକୁ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଦେଶମାନେ ଦଖଲ କରିଥିଲେ। ୧୯୧୭ ମସିହାରେ ସର୍ବପ୍ରଥମେ ପୁଞ୍ଜିବାଦ-ସାମ୍ରାଜ୍ୟବାଦର କବର ଭିତରୁ ସମାଜବାଦ ଆତ୍ମପ୍ରକାଶ କଲା ସୋଭିଏତ ରୁଷରେ। ପରେ ପରେ ସମଗ୍ର ୟୁରୋପ ମହାଦେଶରେ ସମାଜବାଦର ଜୟଯାତ୍ରା ଆରମ୍ଭ ହୋଇଗଲା। ବିଶ୍ବ ବଜାର ହେଲା ଦୁଇ ଫାଳ। ସମାଜବାଦୀ ଶିବିର ଓ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଶିବିର। ଉଭୟ ଶିବିର ବଜାର ମଧ୍ୟ ଅଲଗା ହୋଇଗଲା। ବାକି ପୃଥିବୀରେ ଯେଉଁ ଅନୁନ୍ନତ, ବିକାଶଶୀଳ ରାଷ୍ଟ୍ର ଥିଲେ ଯାହାକୁ ତୃତୀୟ ବିଶ୍ବ କୁହାଯାଉଥିଲା - ଏ ଦେଶ ସମୂହ ଉଭୟ ସମାଜବାଦୀ ଶିବିର ଓ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ଶିବିରରୁ ସାହାଯ୍ୟ ନେଇ ଦୋଳାୟମାନ ଅବସ୍ଥାରେ ଥିଲେ। ସମାଜବାଦୀ ଶିବିର ପତନ ସଂଗେ ସଂଗେ ସମାଜବାଦୀ ବଜାର ମଧ୍ୟ ଭାଙ୍ଗିଗଲା। ସମଗ୍ର ବିଶ୍ବରେ ଆମେରିକା ନେତୃତ୍ବରେ ଗଢ଼ି ଉଠିଲା ବିଶ୍ବବଜାର। ଜଗତୀକରଣ, ଉଦାରୀକରଣ, ଘରୋଇକରଣ ପାଲରେ ପଡ଼ିଗଲେ ସବୁ ଦେଶ।

 

ବର୍ତ୍ତମାନ ଆମେରିକା ବିଶ୍ବବଜାରକୁ ନିୟନ୍ତ୍ରଣ କରୁଛି। ଆମେରିକା ହେଉଛି କୁତ୍ସିତ କୁବେରତନ୍ତ୍ରର ସେଇ କଳା କାରବାରୀ କାପର୍ଟଦାର୍, ଯିଏ ଅର୍ଥ ଦ୍ବାରା ଅନର୍ଥ ଭିଆଏ ସାରା ପୃଥିବୀରେ। ଅର୍ଥ ବିନିମୟରେ ଏହି ସଂସ୍କୃତିହୀନ ୟାଙ୍କି ସଭ୍ୟତା ଅନ୍ୟଠୁ କିଣିନିଏ ବୁଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ବିରଳ ପ୍ରତିଭା।

 

ଆମେରିକାର ସାମରିକ ଓ ରାଜନୈତିକ ଯୁଦ୍ଧ ସରି ଆସୁଛି- ଆରମ୍ଭ ହୋଇସାରିଛି ଏକ ଅଭୂତପୂର୍ବ ଅର୍ଥନୈତିକ ଯୁଦ୍ଧ। ଏ ଅର୍ଥନୈତିକ ଯୁଦ୍ଧ ହେଉଛି ଏକ ଅଦୃଶ୍ୟ ତୃତୀୟ ବିଶ୍ବଯୁଦ୍ଧର ଆଦ୍ୟ ଆଭାସ ମାତ୍ର।

 

ସାମ୍ୟବାଦରୁ ସଂଶୋଧନବାଦ, ପ୍ରଗତିରୁ ପ୍ରତିକ୍ରିୟା, ନିଆଁରୁ ପାଉଁଶ, ଅଙ୍ଗୀକାରରୁ ଅଙ୍ଗାର-ଏ ରହସ୍ୟ ପଛରେ ମାର୍କିନ ମାର୍କେଟର ମୁନାଫାଖୋର ପୁଞ୍ଜିବାଦୀ ତତ୍ତ୍ବର ପ୍ରୟୋଗ କ’ଣ ଆମ ଅବଶିଷ୍ଟ ପୃଥିବୀର ବୁଦ୍ଧିଜୀବୀବର୍ଗକୁ ଜ୍ଞାତ ନୁହେଁ? ଭାରତ-ଚୀନ-ଜାପାନ୍ ଯଦି କେବେ ନା କେବେ ପୁନର୍ଜାଗରଣର ମନ୍ତ୍ରଶକ୍ତି ଦ୍ବାରା ଏକତ୍ର ଉଦବୁଦ୍ଧ ହୋଇଯିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅନନ୍ୟ ଅପରାଜେୟ ମହାଶକ୍ତି, ଯାହା ସ୍ବର୍ଗ, ମର୍ତ୍ତ୍ୟ, ପାତାଳକାମୀ ମାର୍କିନ ଅପଶକ୍ତି ପାଇଁ ଅଦୂର ଭବିଷ୍ୟତରେ ହୋଇପାରିବ ଗୋଟାଏ ଶକ୍ତ ଧକ୍କାର ଧମକ।

 

ଯାଜପୁର ରୋଡ୍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top