ମାଘମେଳାରେ ନର୍କରେ ବୁଡ଼!

News Story - Posted on 2017-01-15

 

ପୁରୀ ଜିଲ୍ଲାର ଦ୍ୱିତୀୟ ସର୍ବବୃହତମ ପୁରାଣ ପ୍ରସିଦ୍ଧ ମାଘମେଳା ଆସନ୍ତା ମାସ ଫେବୃଆରୀ ୨ ଓ ୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୦୧୬ ମସିହା ଡିସେମ୍ୱ ମାସ ୨୨ ତାରିଖରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଆଶିଷ କୁମାର ସିଂ, ଉପଜିଲ୍ଲାପାଳ ମଧୁସୁଦନ ଦାସ, ପୁରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଜଗତକୃଷ୍ଣ ସାମନ୍ତରାୟ ଉପସ୍ଥିତ ଥିଲେ। ମେଳା ସହ ଜଡିତ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ମେଳା ପଡ଼ିଆ ସଫେଇ, ପୁଷ୍କରିଣୀରୁ ପଙ୍କ ଉଦ୍ଧାର, ହାଇମାକ୍ସ ଲାଇଟି ମରାମତି, ମେଳାପଡିଆର ଚତୁଃପାର୍ଶ୍ୱରେ ଆଲୋକର ବ୍ୟବସ୍ଥା ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଅଥଚ ଏଯାବତ କୌଣସି କାର୍ଯ୍ୟରେ ଅଗ୍ରଗତି ହୋଇ ନାହିଁ।

 

ପରମ୍ପରା ଅନୁଯାୟୀ ମାଘମେଳା ରାତିରେ ନିମାପଡା, ଗୋପ, କାକଟପୁର ଓ ଅସ୍ତରଙ୍ଗ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେଳାର ମୁଖ୍ୟ ଆକର୍ଷଣ ତ୍ରିଦେବ ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଐଶାଣେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବ ୨ ତାରିଖ ମଧ୍ୟରାତ୍ରରେ ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବା ପରେ ଚନ୍ଦ୍ରଭାଗା ଅଭିମୁଖେ ବିଶାଳ ଶୋଭାଯାତ୍ରରେ ବାହାରିବେ।

 

କିନ୍ତୁ ଏଯାଏଁ ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ଐଶାଣେଶ୍ୱର ମହାଦେବ ଓ ଦକ୍ଷିଣେଶ୍ୱର ମହାଦେବଙ୍କ ବିମାନ ମରାମିତ ଓ ମନ୍ଦିର ନିର୍ମାଣ ଓ ଚୂନ ଧଉଲା କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ନଥିବାରୁ  ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମହାଦେବଙ୍କ ବିମାନଟି ଭାଙ୍ଗିରୁଜି ଯାଇଥିବାରୁ ନୂତନ ବିମାନ ନିର୍ମାଣ ନିମନ୍ତେ ୨୦୧୪ ମସିହା ଡିସେମ୍ୱ ୩୦ ତାରିଖରେ ମାଘମେଳା ପାଇଁ ହୋଇଥିବା ପ୍ରଥମ ପ୍ରସ୍ତୁତ ବୈଠକରେ ଜିଲ୍ଲାପାଳ ଏନଏସି ପ୍ରଶାସନକୁ ଦାୟିତ୍ୱ ଦେଇଥିଲେ। ହେଲେ ବିମାନ ନିର୍ମାଣ ତ ଦୂରର କଥା ଏଯାବତ ତ୍ରିଦେବଙ୍କ ସେବାୟତମାନେ ବିଗତ ବର୍ଷମାନଙ୍କର ପାଉଣା ମଧ୍ୟ ପାଇନାହାନ୍ତି।

 

ମାଘମେଳା ନିମନ୍ତେ ପ୍ରଶାସନର ସ୍ୱତନ୍ତ୍ର ବଜେଟ ନ ଥିବାରୁ ତ୍ରିଦେବଙ୍କ ନୀତି ସଂପାଦନରେ ଆର୍ଥିକ ସଂକଟ ଦେଖାଦେଉଛି। ଆସନ୍ତା ଫେବୃଆରୀ ୨ ତାରିଖ ସନ୍ଧ୍ୟାରୁ ୩ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳାପଡିଆ ସମୁଦ୍ରକୂଳ, ନବଗ୍ରହ ମନ୍ଦିର ଓ ସୂର୍ଯ୍ୟମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ମେଳା ସହ ଜଡିତ ବିଭିନ୍ନ ବିଭାଗ ପକ୍ଷରୁ ମେଳା ସମୟରେ ମନଇଚ୍ଚା ଲକ୍ଷ ଲକ୍ଷ ଟଙ୍କା ବିଲ୍‌ କରି ସରକାରୀ ଅର୍ଥ ତୋଷରପାତ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ମେଳା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା ବୈଠକ କରାଯାଉ ନାହିଁ।

 

ବର୍ଷ ତମାମ ତୀର୍ଥ ପୁଷ୍କରଣୀ ଅଳିଆ ଅବର୍ଜନାରେ ପୋତିହୋଇ ପଡୁଥିବାବେଳେ ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ପୁଷ୍କରିଣୀଟି ବର୍ଷ ତମାମ ବ୍ୟାବହାର ହେଉ ନ ଥିବାରୁ ନର୍କ ପରିବେଶ ସୃଷ୍ଟି ହେଉଛି। ମେଳା ପଡିଆ ଓ ବେଳାଭୂମିରେ କୁଢ କୁଡ ଅଳିଆ ଆବର୍ଜନା ପଡିରହି ପରିବେଶ ପ୍ରଦୂଷିତ କରୁଛି।  ମେଳା ପୂର୍ବରୁ ଏଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ।


ପ୍ରତିକ୍ରିୟା

Sudhansu Sekhar Dhada - Email: sudhansusekharkendujhar@yahoo.com - Posted on 2017-01-16 14:44:39

So far financial and administrative matter is concerned, we have to wait for the steps of government. But in social aspects, voluntary organisations, social organisations, individual or NGOs should come forward for the cleaning of Chandrabhaga Puskarani near sea shore without waiting for government . It is a health matter. We should think that " my health problem is your and society health problem, society health problem is your and my health problem".

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top