କେତେ ଚାଷୀ- ୪୬, ୩୨ ନା ୪୧ ଲକ୍ଷ?

News Story - Posted on 2017-01-03

ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା କେତେ, କୃଷି ଶ୍ରମିକ ଓ ଭାଗଚାଷୀଙ୍କ ସଂଖ୍ୟା କେତେ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କୃଷିମନ୍ତ୍ରୀ ଏ ସଂକ୍ରାନ୍ତରେ ବିଧାନସଭାରେ ଭିନ୍ନ ଭିନ୍ନ ତଥ୍ୟ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ମଧ୍ୟ ଅଲଗା ତଥ୍ୟ ରହିଛି। ଏଥିରୁ ଏ ସରକାର ଚାଷୀଙ୍କ ସମସ୍ୟା ନେଇ କେତେ ଉଦାସୀନ ତାହା ସ୍ପଷ୍ଟ ହୋଇଯାଇଛି।

 

ଗତ ବିଧାନସଭା ଅଧିବେଶନ କାଳରେ ଡିସେମ୍ବର ୭ ତାରିଖରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ଦର୍ଶାଯାଇଛି ଯେ ୨୦୦୦-୦୧ ବର୍ଷ ବେଳକୁ ଓଡ଼ିଶାରେ ୧୨,୭୩,୦୦୦ କୃଷକ ଥିବା ବେଳେ ୧୦,୬୮,୦୦୦ କୃଷି ଶ୍ରମିକ ଥିଲେ। ୨୦୦୫-୦୬ ବେଳକୁ କୃଷି ଶ୍ରମିକଙ୍କ ସଂଖ୍ୟା ଅପରିବର୍ତ୍ତିତ ଥିଲା। ତେବେ ୨୦୧୦-୧୧ ବେଳକୁ କୃଷିମନ୍ତ୍ରୀଙ୍କ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାରେ କୃଷକଙ୍କ ସଂଖ୍ୟା ୩୨,୭୯,୭୬୯ ହୋଇଥିବା ବେଳେ କୃଷି ଶ୍ରମିକଙ୍କ ସଂଖ୍ୟା ୨୪,୨୦,୫୪୦ରେ ପହଞ୍ଚିଥିଲା। ଅର୍ଥାତ‌୍‍ ଏହି ୧୦ ବର୍ଷ ବ୍ୟବଧାନରେ ଓଡ଼ିଶାରେ କୃଷକଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ବଢ଼ିଥିବା ବେଳେ କୃଷି ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷ ବୃଦ୍ଧି ପାଇଛି।

 

ପ୍ରାୟ ବର୍ଷକ ତଳେ ୨୦୧୫ ଅଗଷ୍ଟ ୨୬ ତାରିଖରେ ବିଧାୟକ ରାୟ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ ରାଜ୍ୟରେ ମୋଟ‌୍‍ ୪୩,୫୬,୩୯୨ ଜଣ ଚାଷୀ ଥିବା ବେଳେ ୨୦୧୦-୧୧ ବେଳକୁ ଏମାନଙ୍କ ସଂଖ୍ୟା ୪୬,୬୭,୪୬୬ରେ ପହଞ୍ଚିଥିଲା। ମନ୍ତ୍ରୀଙ୍କ ପ୍ରଦତ୍ତ ଏହି ଉତ୍ତରରେ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଚାଷୀଙ୍କ ସଂଖ୍ୟା ଏହି ବର୍ଷଗୁଡ଼ିକରେ ପ୍ରାୟ ୪ ଲକ୍ଷ ୬୦ ହଜାର କମିଥିବା ବେଳେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢ଼ିଛି ୭ ଲକ୍ଷ ୭୧ ହଜାର। ସମାନ ପ୍ରଶ୍ନର କୃଷିମନ୍ତ୍ରୀଙ୍କ ଏହି ଦୁଇଟି ଉତ୍ତରରୁ ରାଜ୍ୟରେ କୃଷକଙ୍କ ସଂଖ୍ୟାରେ ପ୍ରାୟ ୧୪ ଲକ୍ଷ ହେରାଫେରି ହୋଇଛି।

 

ସେହିପରି ବିଧାୟକ ଶ୍ରୀ ରାୟ ୨୦୧୬ ଏପ୍ରିଲ ୨୭ ତାରିଖରେ ବିଧାନସଭାରେ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ, ଭାଗଚାଷୀଙ୍କ ସମ୍ୱନ୍ଧୀୟ ତଥ୍ୟ ତାଙ୍କ ବିଭାଗର ପରିସରଭୁକ୍ତ ନୁହେଁ ଏବଂ ତତ‌୍‍ସଂକ୍ରାନ୍ତୀୟ ତଥ୍ୟ କୃଷି ବିଭାଗରେ ଉପଲବ୍ଧ ନାହିଁ। ତେବେ ଏହି ଉତ୍ତରରେ ରାଜ୍ୟରେ ୩୨,୭୯,୭୬୯ କୃଷକ ଥିବା ବେଳେ କୃଷି ଶ୍ରମିକଙ୍କ ସଂଖ୍ୟା ୨୪,୨୦,୫୪୦ ବୋଲି ସେ ଦର୍ଶାଇଥିଲେ।

 

ରାଜ୍ୟର କୃଷକ ଓ କୃଷି ଶ୍ରମିକଙ୍କ ସଂଖ୍ୟା ଘେନି କୃଷିମନ୍ତ୍ରୀଙ୍କ ଉତ୍ତରରେ ତାଳମେଳ ରହୁନଥିବା ବେଳେ ଓଡ଼ିଶା ସରକାରଙ୍କ ୨୦୧୫-୧୬ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟରେ ଭିନ୍ନ ତଥ୍ୟ ଦିଆଯାଇଛି। ଏହି ରିପୋର୍ଟ ବି ବିଧାନସଭାରେ ଗତ ବଜେଟ‌୍‍ ଅଧିବେଶନରେ ଉପସ୍ଥାପନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୧୧ର ଗଣନା ଅନୁଯାୟୀ ଓଡ଼ିଶାରେ ମୋଟ‌୍‍ ୧୭୫.୪୨ ଲକ୍ଷ ଶ୍ରମିକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭.୪୦ ଲକ୍ଷ ହେଉଛନ୍ତି କୃଷି ଶ୍ରମିକ। ଏହାଛଡ଼ା ଓଡ଼ିଶାରେ ୪୧.୦୪ ଲକ୍ଷ କୃଷକ ଥିବା ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ରାଜ୍ୟରେ ମୋଟ‌୍‍ ଯେତେ ଶ୍ରମିକ ଅଛନ୍ତି ତାହାର ୨୩.୪ ପ୍ରତିଶତ କୃଷକ ଥିବା ବେଳେ ୩୮.୪ ପ୍ରତିଶତ ହେଉଛନ୍ତି କୃଷି ଶ୍ରମିକ।

 

ଓଡ଼ିଶାରେ କୃଷିରୁ କୃଷକଙ୍କ ହାରାହାରି ମୁଣ୍ଡପିଛା ମାସିକ ଆୟ ଦେଶରେ ସବୁଠାରୁ କମ‌୍‍। ଅଥଚ ରାଜ୍ୟରେ କୃଷି ଉତ୍ପାଦନକୁ ନେଇ ରାଜ୍ୟ ସରକାର ଚାରି ଥର କୃଷି କର୍ମଣ ପୁରସ୍କାର ପାଇଥିବାରୁ ତାହାକୁ ନିଜ ସଫଳତା ଭାବେ ପ୍ରଚାର କରି ଚାଲିଛନ୍ତି। ଚାଷୀଙ୍କ ପରିଶ୍ରମକୁ ସରକାରଙ୍କ ସଫଳତା ଭାବେ ଦର୍ଶଉଥିବା ଏ ସରକାରର ଏଭଳି ତଥ୍ୟ ଚାଷ ଓ ଚାଷୀଙ୍କ ପ୍ରତି ଏ ସରକାରର ନିଷ୍ଠା କେତେ ଦୁର୍ବଳ ତାହା ପଦାରେ ପକାଇ ଦେଇଛି। ଯେଉଁ ସରକାରଙ୍କୁ ଚାଷୀଙ୍କ ସଂଖ୍ୟା କେତେ ମାଲୁମ ନାହିଁ ସେ ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା କରୁଛି କେଉଁ ଆଧାରରେ? ହେଉଥିବା ଯୋଜନା ଯେ ବିଭ୍ରାନ୍ତିକର ଓ ଲୋକଦେଖାଣିଆ ତାହା ଏଇଥିରୁ ସାବିତ ହୋଇଯାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top