ମୈତ୍ରୀ ମୋନାଲି କିଟ‌୍‍ ନହ୍ନିପରୀ

News Story - Posted on 2016-12-31

 

ଓଡ଼ିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ଇଣ୍ଡିଆ ୨୦୧୬ ଟାଇଟଲ‌୍‍ ହାସଲ‌୍‍ କରିଛନ୍ତି। ଡିସେମ୍ବର ୩୦ ତାରିଖ ଶୁକ୍ରବାର କିଟ‌୍‍ ଇଣ୍ଟରନ୍ୟାସ‌୍‍ନାଲ‌୍‍ ସ୍କୁଲ‌୍‍ ପରିସରରେ ଅନୁଷ୍ଠିତ ‘କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ଇଣ୍ଡିଆ ୨୦୧୬’ର ଫାଇନାଲ‌୍‍ ତଥା ମେଗା ରାଉଣ୍ଡରେ ମୋନାଲୀ ଶ୍ରେଷ୍ଠ ମନୋନୀତ ହୋଇ କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ମୁକୁଟ ପିନ୍ଧିଛନ୍ତି। ଦୁଇ ଦିନ ଧରି ଚାଲିଥିବା ଏହି ମେଗା ଅଡ଼ିସନ‌୍‍ ତଥା ଫାଇନାଲ‌୍‍ ରାଉଣ୍ଡରେ ସମଗ୍ର ଦେଶରୁ ୯ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ମୈତ୍ରୀ ମୋନାଲୀ ନହ୍ନିପରୀ ମୁକୁଟ ସହ ୩ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଥିଲେ।

 

ସେମିଫାଇନାଲ‌୍‍କୁ ୩୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଫାଇନାଲ‌୍‍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। କୋଲକାତାର ଦୀପନ୍ୱିତା ଦେ ପ୍ରଥମ ରନର୍ସଅପ‌୍‍ ହୋଇଥିିବା ବେଳେ ମୁମ୍ୱାଇର ସ୍ୱୟଂପ୍ରଭା ଦଳବେହେରା ଦ୍ୱିତୀୟ ରନର୍ସ ଅପ‌୍‍ ହୋଇଥିଲେ। ଏହି ଦୁଇ ରନର୍ସ ଅପ‌୍‍ଙ୍କୁ ଯଥାକ୍ରମେ ଏକ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଇନାଲ‌୍‍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା।

 

ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ‌୍‍ ରାପୁଣ୍ଢେଲ‌୍‍ (ସୁନ୍ଦର କେଶ), ଲିଟିଲ‌୍‍ ମିସ‌୍‍ ଫଟୋଜେନିକ, ଲିଟିଲ‌୍‍ ମିସ‌୍‍ ସେଲ‌୍‍ଫି (ଫେସ‌୍‍ବୁକ‌୍‍ରେ ସର୍ବାଧିକ ଲାଇକ‌୍‍), ଲିଟିଲ‌୍‍ ମିସ‌୍‍ ଫେସନ‌୍‍ ଗାର୍ଲ, ଲିଟିଲ‌୍‍ ମିସ‌୍‍ ଉଇଜ‌୍‍କିଡ‌୍‍ (କୁଇଜ‌୍‍ରେ ସର୍ବାଧିକ ନମ୍ୱର), ମିସ‌୍‍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ), ମିସ‌୍‍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ), ମିସ‌୍‍ କ୍ୟାଟ‌୍‍ୱାକ‌୍‍, ମିସ‌୍‍ ମୋନାଲିସା ଏବଂ ମିସ‌୍‍ ଆକ୍ଟିଭ‌୍‍ ପାଇଁ ପୁରସ୍କୃାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦକୁ ୧୦ହଜାର ଟଙ୍କା ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ‌୍‍ ପ୍ରଦାନ କରାଯାଇଥିଲା।

 

ଏଥର ମୋଟ ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା। ସେଥି ମଧ୍ୟରୁ ଟାଇଟଲ‌୍‍ ବିଜୟିନୀଙ୍କୁ ୩ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ ସହ କିଟ‌୍‍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ କରାଯିବ। ସେହିପରି ପ୍ରଥମ ରନର୍ସ ଅପ‌୍‍ଙ୍କୁ ୧ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ‌୍‍ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ। ଦ୍ୱିତୀୟ ରନର୍ସଅପ‌୍‍କୁ ୫୦ ହଜାର ଟଙ୍କା ଓ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ବ୍ୟବସ୍ଥା ରହିଛି।

 

ଏଠାରେ ସୂଚନାଯୋଗ୍ୟ, କୋଲକାତା, ଗୁଆହାଟୀ, ବାଙ୍ଗାଲୋର, ଦିଲ୍ଲୀ, ହାଇଦ୍ରାବାଦ, ପାଟନା ଏବଂ ଭୁବନେଶ୍ୱର ଆଦି ସହରରେ ଆଞ୍ଚଳିକ ଅଡ଼ିସନ‌୍‍ ଅନୁଷ୍ଠିତ ହୋଇଥିଲା। ଫାଇନାଲ‌୍‍ ରାଉଣ୍ଡରେ ଜୁରୀ ଭାବେ ସଂଗୀତ ନିର୍ଦ୍ଦେଶକ ଗୁଡ଼ଲୀ ରଥ, ନବଭାରତ ଟାଇମ‌୍‍ସ ଫିଚର ଏଡିଟର‌୍‍ ରେଖା ଖାନ‌୍‍, ମିସ‌୍‍ ଏସିଆ ପ୍ୟାସିଫିକ‌୍‍ ସୃଷ୍ଟି ବ୍ୟାକରଣ, ମିସ‌୍‍ ଇଣ୍ଡିଆ ୟୁଏନ‌୍‍ ସୁପ୍ରିତ‌୍‍ କଉର‌୍‍ ଏବଂ କୋରିଆନ‌୍‍ କସ‌୍‍ମେଟିକ‌୍‍ କମ୍ପାନୀର ପ୍ରତିନିଧି ହେରା ବିନ‌୍‍ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ‌୍‍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଏମ‌୍‍ଏସ‌୍‍ଏମ‌୍‍ଇ ବିଭାଗ ସଚିବ ଏଲ. ଏନ‌୍‍ ଗୁପ୍ତା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top