ଚାଷୀଙ୍କୁ କାପୁରୁଷ କଲା କିଏ?

News Story - Posted on 2016-12-31

ଦିନେ ଲଙ୍ଗଳ ଧରିନଥିବା ଲୋକ ଚାଷୀ ପାଇଁ କାନ୍ଦୁଛନ୍ତି। ଓଡ଼ିଶାର ଚାଷୀ କାପୁରୁଷ ନୁହେଁ। ତାକୁ କାପୁରୁଷ ସଜାଇ ଦିଆଯାଉଛି। ଭାଗ ଚାଷୀ ଖଟୁଛି। ହେଲେ କିଛି ଲାଭ ପାଉନାହିଁ। ଜମି ମାଲିକମାନେ ଋଣ ଠାରୁ ବୀମା ପର୍ଯ୍ୟନ୍ତ ସବୁ ପାଉଛନ୍ତି। ଚାଷୀର ବିକାଶ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ରାଜନୀତିକ ଆରୋପ ପ୍ରତ୍ୟାରୋପରେ ଚାଷୀର ବିକାଶ ହେବନି କି ସେ ହକ‌୍‍ ପାଇବ ନାହିଁ। ସମବାୟ ସମିତିର ନିର୍ବାଚିତ ପ୍ରତିନିଧିଙ୍କର ଚାଷୀଙ୍କ ପ୍ରତି ଶ୍ରଦ୍ଧା ରହୁନି। ତେଣୁ ଚାଷୀ ନ୍ୟାୟ ପାଉନାହିଁ ବୋଲି ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି। ସେହିପରି ଇ-ମାର୍କେଟିଂ ଓ ଇଟ୍ରେଡ଼ିଂ ପାଇଁ ଅଧ୍ୟାଦେଶ ଆସିଥିବାବେଳେ ବିମୁଦ୍ରୀକରଣ ଯୋଗୁଁ ମରୁଡ଼ି ସହାୟତାରେ ବିଳମ୍ୱ ହେଲା ବୋଲି ମନ୍ତ୍ରୀ ଡାକ୍ତର ରାଉତ ପ୍ରକାଶ କରିଛନ୍ତି।

 

ବିଧାନସଭାରେ ସମବାୟ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ଡାକ୍ତର ରାଉତ କହିଥିଲେ ଯେ, ବିମୁଦ୍ରୀକରଣ ପାଇଁ ଚାଷୀ ସମସ୍ୟାରେ ପଡ଼ିଛି। ଚାଷୀଙ୍କୁ ଅନଲାଇନରେ ଋଣ ଦିଆଯାଉଛି। ବିମୁଦ୍ରୀକରଣ ଯୋଗୁଁ ଆକାଉଣ୍ଟରେ ଟଙ୍କା ଥିଲେ ବି ସେ ଉଠାଇ ପାରୁନାହିଁ। ଚାହିଦା ଠାରୁ ଖୁବ‌୍‍ କମ‌୍‍ ଅର୍ଥ ଆରବିଆଇ ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ। ମରୁଡ଼ି ସହାୟତା ପ୍ରସଙ୍ଗରେ ସେ କହିଲେ ଯେ, ରାଜ୍ୟର ୩୬୦୦ ପଞ୍ଚାୟତ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିବାବେଳେ କ୍ରପ‌୍‍ କଟିଂ ରିପୋର୍ଟରେ ତାଳମେଳ ନଥିବାରୁ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ୱ ହୋଇଥିଲା। କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ବି ସେଠାରେ ଦେଢ଼ମାସ କାଳ ଫାଇଲ‌୍‍ ପଡ଼ି ରହିଲା। ଏହି ସମସ୍ୟାର ସମାଧାନ ହେବାରେ ବିମୁଦ୍ରୀକରଣ ସମସ୍ୟା ଉପୁଜିଛି। ବ୍ୟାଙ୍କରୁ ଟଙ୍କା ମିଳୁନଥିବାରୁ ଚାଷୀ ସମସ୍ୟାରେ ପଡ଼ିଛି ବୋଲି ଡାକ୍ତର ରାଉତ କହିଥିଲେ।

 

ସେ କହିଥିଲେ ଯେ, ରାଜ୍ୟରେ ଚାଷର ବିକାଶ ହୋଇଛି। ୨୦୦୦ରେ ବାର୍ଷିକ ୫୫ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଧାନ ଉପିାଦନ ହେଉଥିବାବେଳେ ଗତବର୍ଷ ତାହା ୧ କୋଟି ୮ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ବୃଦ୍ଧି ପାଇଛି। ତେବେ ଧାନ ଉପରେ ଗୁରୁତ୍ୱ ଦିଆଯିବାରୁ ଅନ୍ୟ ଫସଲ ଉପିାଦନ ସେଭଳି ଭାବେ ବୃଦ୍ଧି ପାଇନାହିଁ। ସମବାୟ ସମିତିଗୁଡ଼ିକରେ କ୍ୟାଡ଼ର ସମ୍ପାଦକ ନଥିବାରୁ ସମସ୍ୟା ଉପୁଜୁଛି। ସରକାରଙ୍କ ହାତରେ କାର୍ଯ୍ୟାନୁଷ୍ଠାନର କ୍ଷମତା ରହୁନାହିଁ। ତେବେ ଖୁବ‌୍‍ଶୀଘ୍ର କ୍ୟାଡ଼ର ସମ୍ପାଦକ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଡାକ୍ତର ରାଉତ ମତବ୍ୟକ୍ତ କରିଥିଲେ। ସେହିପରି ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣ ଜନତାଙ୍କ ପ୍ରତି ଶ୍ରଦ୍ଧା ରହୁନଥିବାରୁ ଚାଷୀଟି ଉପକୃତ ହୋଇପାରୁନାହିଁ। ଚାଷୀର ବିକାଶ ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

 

ଭାଗ ଚାଷୀ ଭୋଗୁଥିବା ସମସ୍ୟା ନେଇ ଡାକ୍ତର ରାଉତ ଉଦବେଗ ପ୍ରକାଶ କରିଥିଲେ। ସେ କହିଲେ ଯେ, ରାଜ୍ୟର ୮୫% ଚାଷୀ ହେଉଛନ୍ତି କ୍ଷୁଦ୍ର ବା ଭାଗ ଚାଷୀ। ହେଲେ ସବୁ ସରକାରୀ ସୁବିଧା ଜମି ମାଲିକମାନେ ପାଉଥିବାବେଳେ ସେମାନଙ୍କୁ କିଛି ମିଳୁନାହିଁ। ୨୦୧୦ରୁ ସେ ଏନେଇ କହି ଆସୁଥିଲେ ମଧ୍ୟ ଏଯାଏଁ ଭାଗଚାଷୀ ଅଧିକାର ପାଇପାରିନାହାନ୍ତି। ବାବୁମାନେ ଜୁନ‌୍‍ ଜୁଲାଇରେ ମରୁଡ଼ି ଘୋଷଣା କରୁଛନ୍ତି। ଅକ୍ଟୋବର ଓ ନଭେମ୍ୱର ବେଳକୁ କ୍ରପ‌୍‍ କଟିଂ ହେଉଥିବାବେଳେ ତାହା ପୂର୍ବରୁ ମରୁଡ଼ି ଘୋଷଣା ହେଉଛି। ଫଳରେ ରିପୋର୍ଟରେ ତାରତମ୍ୟ ପରିଲକ୍ଷିତ ହେଉଛି। ଲଙ୍ଗଳ କଣ୍ଟି ଧରିନଥିବା ଲୋକ ଖାଲି ଚାଷୀଙ୍କ ପାଇଁ କାନ୍ଦୁଛନ୍ତି। ଓଡ଼ିଶାର ଚାଷୀ କାପୁରୁଷ ନୁହେଁ। ପ୍ରତିକୂଳ ପରିସ୍ଥିତିର ସେ ବି ମୁକାବିଲା କରିପାରିବ। କିନ୍ତୁ ତାକୁ କାପୁରୁଷ ସଜେଇ ଦିଆଯାଉଛି ବୋଲି ଡାକ୍ତର ରାଉତ ପ୍ରକାଶ କରିଥିଲେ।

 

‘ଦଲାଲ ଆଗ, ଚାଷୀ ପଛ’

 

ଚାଷୀକୁ କାଗଜ କଲମରେ ଋଣ ଦିଆଯାଉଛି। ସମବାୟ ସମିତିଗୁଡ଼ିକ ଦୁର୍ନୀତିର ଗନ୍ତାଘର ପାଲଟିଛି। ଫଳରେ ଚାଷୀ ଋଣଗ୍ରସ୍ତ ହୋଇଯାଉଛି। ଧାନ ବିକ୍ରି ବେଳେ ଦଲାଲକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଚାଷୀକୁ ଅଣଦେଖା କରାଯାଉଛି। କ୍ରପ‌୍‍ କଟିଂ ରିପୋର୍ଟରେ ତାଳମେଳ ରହୁନାହିଁ। ଫଳରେ ଚାଷୀକୁ ଠିକ‌୍‍ ସମୟରେ ବୀମା ମିଳୁନାହିଁ। ଚାଷୀ ଓ ଚାଷର ବିକାଶ ପାଇଁ ସରକାର ଖାଲି ମିଛ ବାହାସ୍ଫୋଟ ମାରୁଛନ୍ତି ବୋଲି ଏହି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମତବ୍ୟକ୍ତ କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଧାନ କିଣାରେ ମିଲର ଓ ଦଲାଲଙ୍କର କୌଣସି ଭୂମିକା ରହିବା କଥା ନୁହେଁ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ଚାଷୀ କେବେ ଅଣ ଏଫଏକ୍ୟୁ ମାନର ଧାନ ଉତ୍ପାଦନ କରେନାହିଁ। ମରୁଡ଼ି ବା ବର୍ଷାଭାବ ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଧାନର ମାନ କେତେକାଂଶରେ କମି ଯାଇଥାଏ। କିନ୍ତୁ ଧାନ ବିକ୍ରି ବେଳେ ଚାଷୀର ଧାନକୁ ମନଇଚ୍ଛା କଟାଯାଉଛି। ଆଖା ବସ୍ତା ମଧ୍ୟ ଫେରସ୍ତ ଦିଆଯାଉନାହିଁ। ଏଫଏକ୍ୟୁ ମାନ ମାପିବା ପାଇଁ ସମବାୟ ସମିତିରେ ଆବଶ୍ୟକ ଯନ୍ତ୍ରପାତି ନଥିବାବେଳେ ମାନ କିଭଳି ନିର୍ଦ୍ଧାରଣ କରାଯାଉଛି ତାହା ବୁଝା ପଡ଼ୁନାହିଁ। ଦଲାଲମାନଙ୍କ ଧାନ ଏଫଏକ୍ୟୁ ହୋଇ ନଥିଲେ ମଧ୍ୟ ତାହାକୁ ଆଗ କିଣା ଯାଉଥିବାବେଳେ ଚାଷୀ ଧାନ କିଣିବା ବେଳେ ହଇରାଣ କରାଯାଉଛି। ମରୁଡ଼ି ବେଳେ କ୍ରପ କଟିଂ ରିପୋର୍ଟରେ ତାଳମେଳ ରହୁନାହିଁ। ଫଳରେ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛି। ଏବେ ବିମୁଦ୍ରୀକରଣ ଯୋଗୁଁ ଚାଷୀ ଋଣ ପାଇପାରୁ ନଥିବାବେଳେ ମରୁଡ଼ି କ୍ଷତିପୂରଣ ବି ପାଇନାହିଁ। ସେପଟେ ଚାଷୀ ଧାନ ବିକ୍ରି କରିବାକୁ ପ୍ରସ୍ତୁତ ହେଲାଣି। ସରକାର ଚେକ‌୍‍ରେ ଅର୍ଥ ଦେଲେ ମଧ୍ୟ ସେମାନେ ଉଠାଇ ପାରିବେ ନାହିଁ। ଏହାର ମୁକାବିଲା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଜଣାଇବା ଦରକାର। ସେହିପରି କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବାବେଳେ କାଗଜକଲମରେ ଋଣ ଦିଆଯାଉଛି। ଋଣ ଶୁଝି ନଥିବା ଚାଷୀଙ୍କୁ କାଗଜକଲମରେ ଋଣ ଦିଆଯାଇ ତାହାକୁ ଋଣଗ୍ରସ୍ତ କରି ଦିଆଯାଉଛି ବୋଲି ସେ କହିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top