କଲମ ପଡିଛି ବନ୍ଧା

News Story - Posted on 2016-12-29

ଚାରୁ ଚନ୍ଦନ ଦାଶ

 

ଦିନ ଥିଲା ସାମ୍ୱାଦିକତା ଏକ ସାଧନା ଥିଲା। କଲମର ଯାଦୁ ଏତେ ପ୍ରଖର ଥିଲା ଯେ, ବଡ ବଡ ମୁଣ୍ଡିମାନେ ମଧ୍ୟ ସେଇ କଲମ ଆଗରେ ନତମସ୍ତକ ହେଉଥିଲେ। ହେଲେ ଆଜି ସେଇ କଲମ ବନ୍ଧା ପଡିଛି। ରାଜନେତା, ଶିଳ୍ପପତିମାନଙ୍କ କଳାଧନ ଆଗରେ ସେଇ କଲମର କାଳି ଶୁଖିବାରେ ଲାଗିଛି। ଦେଖିବାକୁ ମିଳୁନି ଆଉ ସେଇ ନିର୍ଭିକ ସାମ୍ୱାଦିକତା।

 

ଓଡିଶାରେ ନିର୍ଭିକ ସାମ୍ୱାଦିକତାର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ ଗୋପବନ୍ଧୁ ଦାସ। ୧୯୩୮ ମସିହାରେ ସମାଜ ନାମକ ଏକ ସାପ୍ତାହିକ ପ୍ରକାଶ କରି ପରବର୍ତ୍ତୀ ସମୟରେ ତାହା ଦୈନିକ ଖବରକାଗଜ ରୂପେ ପ୍ରକାଶ ପାଇଥିଲା। ଏହି ଖବରକାଗଜ ସେତେବେଳେ ସମାଜର ଦୁଃଖ ଦୁର୍ଦ୍ଦଶା ବିଷୟରେ ଲେଖୁଥିଲା। ତାଙ୍କ ପରେ ସେହି ଧାରାକୁ ବଳବତ୍ତର କରି ଆଗକୁ ନେଇଥିବା ସାମ୍ୱାଦିକମାନଙ୍କ ଭିତରେ ଗୋଦାବରୀଶ ମହାପାତ୍ର, ଅଚୁତାନନ୍ଦ କର ପ୍ରମୁଖ ଅଗ୍ରଗଣ୍ୟ।

 

ଧୀରେ ଧୀରେ ଖବରକାଗଜ ସଂଖ୍ୟା ବୃଦ୍ଧି ପାଇଲା। ଏବେ ତ କୋଡିଏ-ପଚିଶ ଖବରକାଗଜମାନଙ୍କ ନାଁ କହିଲେ ବି କମ‌୍‍ ହେବ। ମାତ୍ର, ସେଥିରୁ ଅଧିକାଂଶ ଖବରକାଗଜ ଏବେ ଏକମୁହାଁ ବା ନିର୍ଦ୍ଦିଷ୍ଟ ଏକ ପାର୍ଟିର ମୁଖପତ୍ର କହିଲେ ଚଳେ। ସେଥିପାଇଁ ଯେତେ ଖୋଜିଲେ ବି ନିର୍ଭିକ ସାମ୍ୱାଦିକତା କୋଉଠୁ ଆସିବ।

 

ଗୋଟିଏ ଉଦାହରଣ ଦେଉଛି। ଥରେ ଏକ ସମ୍ୱାଦପତ୍ରର ଜଣେ ସାମ୍ୱାଦିକ ଜଣକ ଅକ୍ଳାନ୍ତ ପରିଶ୍ରମ କରି ଏକ ଖବର ଆଣିଥିଲେ। ତାହା ପୁଣି ଏକ୍ସକ୍ଲୁସିଭ। ଅଫିସରେ ପହଞ୍ଚି ନ୍ୟୁଜ‌୍‍ ଲେଖିଲାବେଳେ ହଠାତ‌୍‍ ମାଲିକେ ଆସି ପହଞ୍ଚିଗଲେ ଏବଂ ନ୍ୟୁଜ‌୍‍ଟି ବନ୍ଦ କରିବାକୁ କହିଲେ। ବିଚରା ରିପୋର୍ଟରଟି ମୁହଁ ଶୁଖାଇ ଚୁପ‌୍‍ଚାପ‌୍‍ ନ୍ୟୁଜ‌୍‍ଟିକୁ ଅଧାରୁବନ୍ଦ କରିଦେଲା। ପରେ ଜଣା ପଡିଲା ଯେ, ଉକ୍ତ ନ୍ୟୁଜ‌୍‍ଟି ଥିଲା ଜଣେ ନେତାଙ୍କ ବିରୁଦ୍ଧରେ। ଯିଏକି ଉକ୍ତ ଖବରକାଗଜ ସଂସ୍ଥାର ମାଲିକଙ୍କ ଘନିଷ୍ଠ।

 

ତେବେ ଏଠାରେ କହିବା ବାହୁଲ୍ୟ ଯେ, ବେଳେବେଳେ ଜଣେ କିଛି ଲେଖିବାକୁ ଚାହିଁଲେ ବି ଚାପ ଯୋଗୁଁ  ତା’ର ହାତକୁ ବାନ୍ଧି ଦିଆଯାଉଛି। ହାତରୁ କଲମ ଛଡାଇ ନିଆଯାଉଛି। ଯାହା ଫଳରେ ସେଇ ଘଟଣାରେ ବିଚରା ରିପୋର୍ଟର ହେଉ କି ଲେଖକର କଲମ ବନ୍ଧା ପଡୁଛି। ବେଳେବେଳେ କେତେକ ଖଳ ପ୍ରକୃତିର ଲୋକ ଏଭଳି କରିବାକୁ ବିଭିନ୍ନ ପ୍ରକାର ଲାଞ୍ଚ ଦେଇ ଲେଖକର କଲମକୁ କିଣି ନେଇଥାନ୍ତି।

 

୧୯୬୬ ମସିହାରେ ପ୍ରେସ କାଉନସିଲ‌୍‍ ଗଠିତ ହୋଇଥିଲା। ତେବେ ଏହା ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ନେଇ ତିଆରି ହୋଇଥିଲା। ପ୍ରଥମତଃ ପ୍ରେସ‌୍‍ ବା ସମ୍ୱାଦବାହୀ ମାଧ୍ୟମର ମାନ ବଜାୟ ରଖିବା ଏବଂ ଅନ୍ୟଟି ଏହାକୁ ବାହ୍ୟ ଚାପରୁ ମୁକ୍ତି ରଖିବା। ଏହା ମୁଁ ମୋ ସାମ୍ୱାଦିକତା ପାଠ ପଢିଲାବେଳେ ମୋ ସାର‌୍‍ ପଢାଇଥିଲେ। ତେବେ ଏହା ଆଜିର ଦିନରେ ବହୁତ‌୍‍ କମ‌୍‍ କାମ କରୁଥିବାରୁ ସାର‌୍‍ ଆମକୁ ସବୁବେଳେ ଏହାକୁ ଦାନ୍ତ ନଥିବା ବାଘ କୁହାଯାଏ ବୋଲି କହୁଥିଲେ।

 

ତେବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୈଦ୍ୟୁତିକ ଗଣମାଧ୍ୟମର ଅତିରଞ୍ଜିତ ଖବର ପ୍ରସାରଣ। ସିଏ ଦାନ ମାଝି ପ୍ରସଙ୍ଗ ହେଉ କିମ୍ୱା ପାରଳା ରାଜା ପ୍ରସଙ୍ଗ ଅବା ସମ‌୍‍ ଅଗ୍ନିକାଣ୍ଡ। ବେଳେବେଳେ ଗୋଟିଏ ଛୋଟ ଜିନିଷକୁ ଏହି ବୈଦ୍ୟୁତିକ ଗଣମାଧ୍ୟମ ଅତିରଞ୍ଜିତ କରି ଦେଖାଉଛନ୍ତି। ଯାହାର କୁପ୍ରଭାବ ସମାଜ ଉପରେ ପଡୁଛି।

 

ଅନ୍ୟ ଏକ କାରଣ ହେଉଛି ନୂଆ କରି ସାମ୍ୱାଦିକତା କ୍ଷେତ୍ରରେ ପାଦ ଦେଉଥିବା ଅନେକ ସାମ୍ୱାଦିକଙ୍କୁ ବଡ ବଡ ରିପୋର୍ଟିଂ ପାଇଂ ସୁଯୋଗ ମିଳୁନାହିଁ। ଯାହାଫଳରେ ସେମାନଙ୍କର ଉପଯୁକ୍ତ ଅଭିଜ୍ଞତା ବୃଦ୍ଧି ପାଉନାହିଁ। ତେଣୁ ଏସବୁ ଦିଗ ପ୍ରତି ଯଦି ବରିଷ୍ଠମାନେ ଟିକେ ଦୃଷ୍ଟି ନିକ୍ଷେପ କରନ୍ତେ ତେବେ ପୁଣି ଥରେ ନିର୍ଭିକ ସାମ୍ୱାଦିକତା ଫେରି ଆସନ୍ତା ଆଉ କଳା କାରବାର କରୁଥିବା ରାଜନେତା ତଥା ଶିଳ୍ପପତିମାନଙ୍କୁ ମୁହଁତୋଡା ଜବାବ ମିଳିପାରନ୍ତା।

 

ସହଜେ ତ ବାପା-ମା’ମାନେ ନିଜ ପୁଅ ଝିଅ ସାମ୍ୱାଦିକତା କରନ୍ତୁ ବୋଲି କ୍ୱଚିତ ଚାହିଁ ଥାଆନ୍ତି। ଯେଉଁମାନେ ଚାହଁୁଛନ୍ତି ସେମାନଙ୍କ ଏକା ଜିଦ‌୍‍ ପୁଅକି ଝିଅକୁ ଟିଭି ପରଦାରେ ଦେଖିବେ, ଯାହା ଏକ ପ୍ରକାର ଅଭିନୟ କହିଲେ ଭୁଲ ହେବ ନାହିଁ। ତେଣୁ ସମାଜରେ ଚାଲିଥିବା ମାନବତା ସ୍ୱାର୍ଥ ବିରୋଧୀ କାମ ବିରୁଦ୍ଧରେ ସ୍ୱର ଉେତ୍ତାଳନ କରିବା ସହ ନ୍ୟାୟର ଲଢେଇରେ ସାରଥୀ ହେବା ଗଣମାଧ୍ୟମର କାମ, ଶାସନ କଳର ଢାଲ ହେବା ନୁହେଁ।

 

ଫୋ-୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top