ଛତିଶଗଡ ଯୋଗୁଁ ହୀରାକୁଦ ଜଳ କମିବନି!

News Story - Posted on 2016-12-03

 

ମହାନଦୀ ଅବବାହିକାରେ ଛତିଶଗଡ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଓଡିଶା ସରକାର କେବଳ ଲୋକ ଦେଖାଣିଆ ବିରୋଧ କରୁଛନ୍ତି। କିନ୍ତୁ ସରକାର ସେଭଳି ବଳିଷ୍ଠ ଯୁକ୍ତି ଦେଖାଇ ପାରିନାହାନ୍ତି। ଯାହା ଫଳରେ ଛତିଶଗଡର ବୃହତ ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ମିଳିବାରେ ଅସୁବିଧା ହେଉନାହିଁ। ଗତ ଜୁଲାଇ ମାସରେ ଓଡିଶା ସରକାରଙ୍କ ଦୁର୍ବଳ ଯୁକ୍ତି ଖାରଜ ହୋଇଯିବା ପରେ ଅରପା-ଭେଁସାଝାର ପ୍ରକଳ୍ପର ଡିଟେଲଡ‌୍‍ ପ୍ରୋଜେକ୍ଟ ପ୍ଲାନ‌୍‍(ଡିପିଆର) ବା ସବିଶେଷ ପ୍ରକଳ୍ପ ଯୋଜନା ରିପୋର୍ଟକୁ କେନ୍ଦ୍ରୀୟ ଜଳ ଆୟୋଗ ସବୁଜ ସଂକେତ ଦେବା ସହ ଛତିଶଗଡର ପ୍ରକଳ୍ପ ଦ୍ୱାରା ହୀରାକୁଦକୁ ଯାଉଥିବା ଜଳ ହ୍ରାସ ପାଇବ ନାହିଁ ବୋଲି ମତ ଦେଇଛନ୍ତି।

 

ଛତିଶଗଡ ପ୍ରକଳ୍ପ ଦ୍ୱାରା ହୀରାକୁଦ ଜଳ କିପରି ଭାବେ ପ୍ରଭାବିତ ହେବ ସେ ସମ୍ପର୍କରେ କେନ୍ଦ୍ରୀୟ ଜଳ ଆୟୋଗଠାରୁ ମାନବାଧିକା କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଅନୁସାରେ ମହାନଦୀ ଅବବାହିକାରେ ନିର୍ମିତ ହେଉଥିବା ଅରପା-ଭେଁସାଝାର ପ୍ରକଳ୍ପକୁ ବିରୋଧ କରି ଓଡିଶା ସରକାର କହିଥିଲେ ଯେ ଏହା ଦ୍ୱାରା ହୀରାକୁଦ ଜଳ ଭଣ୍ଡାରରେ ଅଣବର୍ଷା ସମୟରେ ଜଳ ହ୍ରାସ ପାଇବ। ତେଣୁ ଏହାକୁ ଅନୁମତି ନ ଦେବାକୁ କେନ୍ଦ୍ରୀୟ ଜଳ ଆୟୋଗକୁ ଅନୁରୋଧ କରିଥିଲେ।

 

ଓଡିଶା ସରକାରଙ୍କ ଯୁକ୍ତି ଓ ଅଭିଯୋଗ ଉପରେ ପ୍ରକୃତ ତଥ୍ୟ ଜାଣିବା ଲାଗି କେନ୍ଦ୍ରୀୟ ଜଳ ଆୟୋଗ ଭୁବନେଶ୍ୱର ସ୍ଥିତ ସିଡବ୍ଲ୍ୟୁସିର ମୁଖ୍ୟ ଇଂଜିନିୟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହୀରାକୁଦ ଉପରମୁଣ୍ଡରେ ବସନ୍ତପୁର ଠାରେ ବର୍ଷା ଓ ଅଣ ବର୍ଷା ସମୟରେ ଜଳ ପ୍ରବାହର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ସେ ୧୯୭୧ରୁ ୨୦୧୫ ପର୍ଯ୍ୟନ୍ତ ଜଳ ପ୍ରବାହ ପରିମାଣ ଉପରେ ରିପୋର୍ଟ ଦେଇଥିଲେ। ଏସବୁ ସମୟରେ ଜଳ ପ୍ରବାହର ୧୦ ବର୍ଷିଆ ହାରାହାରି ପରିମାଣ ମଧ୍ୟ ପ୍ରଦାନ କରିଥିଲେ।

 

ଏହି ରିପୋର୍ଟ ଅନୁସାରେ ୧୯୭୦ରୁ ୧୯୮୦ ମଧ୍ୟରେ ବର୍ଷାଦିନେ ୨୪୪୧୨ ନିୟୁତ କ୍ୟୁବିକ‌୍‍ ମିଟର(ଏମସିଏମ‌୍‍) ଜଳ ପ୍ରବାହିତ ହେଉଥିବା ବେଳେ ଅଣ ବର୍ଷା ଦିନେ ୧୦୬୧ ଏମସିଏମ‌୍‍ ଜଳ ପ୍ରବାହିତ ହେଉଥିଲା। ଅର୍ଥାତ ମୋଟ ହାରାହାରି ଜଳ ପ୍ରବାହ ଥିଲା ୨୫,୪୭୩ ଏମସିଏମ‌୍‍। ୧୯୮୧ରୁ ୧୯୯୦ ମଧ୍ୟରେ ମୋଟ‌୍‍ ହାରାହାରି ଜଳ ପ୍ରବାହ ଥିଲା ୧୮,୯୦୫ ଏମସିଏମ‌୍‍। ସେହିପରି ୧୯୯୧ରୁ ୨୦୦୦ ମଧ୍ୟରେ ମୋଟ‌୍‍ ହାରାହାରି ଜଳ ପ୍ରବାହ ୨୦,୬୬୬ ଏମସିଏମ‌୍‍ ଥିଲା ବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ମୋଟ‌୍‍ ହାରାହାରି ଜଳ ପ୍ରବାହ ଥିଲା ୨୫,୪୭୩ ଏମସିଏମ‌୍‍। ୨୦୧୦ରୁ ୨୦୧୫ ମଧ୍ୟରେ ମୋଟ‌୍‍ ହାରାହାରି ଜଳ ପ୍ରବାହ ଥିଲା ୨୩,୯୭୫ ଏମସିଏମ‌୍‍।

 

ତେଣୁ ଜଳ ପ୍ରବାହ ଉପରେ ଛତିଶଗଡ ପ୍ରକଳ୍ପଗୁଡିକର କୌଣସି ଭୂମିକା ନାହିଁ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ମତ ଦେଇଥିଲା। ଅରପା-ଭେଁସାଝାର ପ୍ରକଳ୍ପକୁ ଅନୁମତି ଦେବା ବେଳେ ଜଳ ଆୟୋଗର ମତ ଥିଲା ଯେ ହୀରାକୁଦ ଡ୍ୟାମର ଲାଇଭ୍‌ ଷ୍ଟୋରେଜ୍‌ କ୍ଷମତା ହେଉଛି ୫୪୦ କୋଟି କ୍ୟୁବିକ‌୍‍ ମିଟର। ବର୍ଷାଦିନେ ଏହା ଠାରୁ ଅଧିକ ତିନି ଗୁଣା ଜଳ ହୀରାକୁଦକୁ ଆସିଥାଏ। ତେଣୁ ପ୍ରକଳ୍ପ ଦ୍ୱାରା ହୀରାକୁଦ ଜଳ ପ୍ରଭାବିତ ହେବ ନାହିଁ ବୋଲି ସିଡବ୍ଲ୍ୟୁସି ମତ ସ୍ପଷ୍ଟ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top