ଶାସନ ପୁଷ୍ଟ, ଶିଶୁ ପୁଷ୍ଟିହୀନ

News Story - Posted on 2016-11-11

ପ୍ରଦୀପ ପ୍ରଧାନ

 

ବ୍ରିଟିଶ ଶାସନ ସମୟରେ ଓଡ଼ିଶାରେ ଭୟଙ୍କର ବନ୍ୟା ଏବଂ ତତ‌୍‍ ପରେ ମରୁଡ଼ି ପରିସ୍ଥିତି ଜନିତ କରାଳ ଦୁର୍ଭିକ୍ଷର ମୁକାବିଲା ପାଇଁ ତତ୍କାଳୀନ ଗଭର୍ଣ୍ଣର ରେଭେନ୍ସା ସାହେବ ଅମଲାମାନଙ୍କର ପରାମର୍ଶ ମାଗିଥିଲେ। ଅମଲାମାନେ ତାଙ୍କୁ ବୁଝାଇଥିଲେ ଯେ ରାଜ୍ୟରେ ଜମିଦାରମାନଙ୍କ ନିକଟରେ ପ୍ରଚୁର ଖାଦ୍ୟଶସ୍ୟ ମହଜୁଦ ଅଛି, ତେଣୁ ଖାଦ୍ୟ ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ନାହିଁ। କିନ୍ତୁ ବାସ୍ତବସ୍ଥିତି ଭିନ୍ନ ଥିଲା ଏବଂ ଉତ୍କଟ ଖାଦ୍ୟାଭାବ ଯୋଗୁଁ ଲକ୍ଷଲକ୍ଷ ଲୋକ ମରିଥିଲେ। ଏହା ପରେ ରେଭେନ୍ସା ସାହେବ ଅମଲାଙ୍କୁ ବିଶ୍ୱାସକୁ ନେଇଥିବାରୁ ଦୁଃଖପ୍ରକାଶ କରିବା ସହ ଏହି ପାପରୁ ମୁକ୍ତି ପାଇପାରିବେ ନାହିଁ ବୋଲି କହିଥିଲେ। ଆମ ରାଜ୍ୟରେ ବିଗତ କିଛିବର୍ଷ ଧରି ସରକାରୀ ଅବହେଳା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଦାରିଦ୍ର୍ୟ ଓ କ୍ଷୁଧା ଯୋଗୁ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ କିମ୍ୱା କୌଣସି ପ୍ରଶାସକ ଦୁଃଖପ୍ରକାଶ କରିନାହାଁନ୍ତି ବରଂ ବିଭିନ୍ନ ଉତ୍କଟ କାରଣ ଦର୍ଶାଇ ଶିଶୁ ମୃତ୍ୟୁକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରି ଆସିଛନ୍ତି।

 

ରାଜ୍ୟରେ ଶହ ଶହ ଶିଶୁ ମୃତ୍ୟୁବରଣ କରିଥିବା ସମ୍ପର୍କୀତ ବାସ୍ତବ ଚିତ୍ର ଗଣମାଧ୍ୟମରେ ଲଗାତର ଭାବେ ପ୍ରକାଶପାଇ ଆସୁଅଛି। ଯଥା ୨୦୧୨ ମସିହାରେ ମାଲକାନାଗିରି ଜିଲ୍ଲାରେ ସେପ୍ଟେମ୍ୱରରୁ ନଭେମ୍ୱର ମଧ୍ୟରେ ୩୮ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ଯାହାକୁ ଆର.ଏମ‌୍‍.ଆର.ସି. ବିଶେଷଜ୍ଞ ଦଳ ଜାପାନୀ ଏନ‌୍‍ସେଫାଲିଟିସ‌୍‍ ରୋଗରେ ଆକ୍ରାନ୍ତ ଜନିତ ମୃତ୍ୟୁ ବୋଲି ଦର୍ଶାଇଥିଲେ। ସେହିବର୍ଷ ସୂଚନା ଅଧିକାର ଆଇନ‌୍‍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୭-୦୮ରୁ ୨୦୧୧-୧୨ ମଧ୍ୟରେ ତଥା ୫ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୪୦୦ ପିଲା ମୃତ୍ୟୁବରଣ କରିଥିଲେ ଅର୍ଥାତ‌୍‍ ବର୍ଷକୁ ହାରାହାରି ୧୫୦୦ ପିଲା ମୃତ୍ୟୁବରଣ କରିଥିଲେ। ସେହିପରି ୨୦୧୫ ମସିହାରେ ଜାନୁୟାରୀରୁ ମେ ମାସ ମଧ୍ୟରେ କନ୍ଧମାଳରେ ଜିଲ୍ଳା ସଦର ଡାକ୍ତରଖାନା ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ରୁ ଉର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରିଥିଲେ ବୋଲି ସରକାର ସ୍ୱୀକାର କରିଥିଲେ।

 

ସେହିବର୍ଷ କଟକସ୍ଥିତ ଶିଶୁଭବନରେ ୭୦ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ଶିଶୁଭବନରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୦-୧୧ରେ ୪୮୮ଜଣ ଶିଶୁ ମୃତ୍ୟୁବରଣ କରିଥିଲା ବେଳେ ୨୦୧୪-୧୫ରେ ୧୧୧୪ ଶିଶୁ ମୃତ୍ୟୁବରଣ କରିଥିଲେ। ୨୦୧୬ ମସିହା ମେ ରୁ ଜୁଲାଇ ମାସ ମଧ୍ୟରେ ଶିଳ୍ପନଗରୀ ଯାଜପୁର ଜିଲ୍ଳାର ନଗଡ଼ା ଗ୍ରାମରେ ୧୯ ଜୁଆଙ୍ଗ ଶିଶୁ ମୃତ୍ୟୁବରଣ କରିଥିଲେ। ମୃତକ ଶିଶୁମାନଙ୍କ ମଧ୍ୟରେ ୯୦ ଭାଗରୁ ଉର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ଶିଶୁ ମୃତ୍ୟୁଜନିତ କାରଣ ସମ୍ପର୍କରେ ସରକାରୀସ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ଶିଶୁ ଅତ୍ୟନ୍ତ ସାଧାରଣ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବାର ଦେଖାଯାଏ। ଯଥା ମାଲକାନାଗିରି ଜିଲ୍ଲାରେ ଶିଶୁ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ଅଧିକାର ଆଇନ‌୍‍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଝାଡା, ବାତ, ପେଟରୋଗ, ଜ୍ୱର, ନିମୋନିଆ, ସେପ୍ଟିସେମିଆ ଇତ୍ୟାଦିରେ ଆକ୍ରାନ୍ତ ହୋଇ ପିଲାମାନେ ମୃତ୍ୟୁବରଣ କରୁଛନ୍ତି। ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ଶିଶୁମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଲେଖକଙ୍କ ନେତୃତ୍ୱରେ ଏକ ତଥ୍ୟାନୁସନ୍ଧାନକାରୀ ଦଳଙ୍କ ପରିଦର୍ଶନ ସମୟରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ସେମାନେ ଖୁବ‌୍‍ ଶୀଘ୍ର ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିଯିବାର କାରଣ ହେଉଛି ଉତ୍କଟ ଦାରିଦ୍ର୍ୟ, ପୁଷ୍ଟିସାରଯୁକ୍ତ ଖାଦ୍ୟର ଅଭାବ ଏବ ପୁଷ୍ଟିହୀନତା।

 

ସାଧାରଣରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ପ୍ରତିବର୍ଷ ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ଏତେ ସଂଖ୍ୟକ ଶିଶୁ ମୃତ୍ୟୁବରଣ କରୁଛନ୍ତି କାହିଁକି? ଦୀର୍ଘ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କ୍ଷମତାରେ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ସରକାର ଶିଶୁ ପୁଷ୍ଟିହୀନତା ରୋକିବାରେ ବିଫଳ ହୋଇଛନ୍ତି କାହିଁକି? ଦୀର୍ଘବର୍ଷ ଧରି ଅଧିକାରୀ ହୋଇ ରହିବା ସମସ୍ତ କ୍ଷମତାର ସତ୍ତ୍ୱେ ବିଭିନ୍ନ ପ୍ରକାରର ଆଦିବାସୀ ବିକାଶ ଯୋଜନା ଏବଂ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଥାଇ ମଧ୍ୟ ରାଜ୍ୟ ସରକାର ଶିଶୁ ମୃତ୍ୟୁ ରୋକିବାରେ ବିଫଳ ହେଉଛନ୍ତି କାହିଁକି? ବିଭିନ୍ନ ସ୍ତରରେ ରାଜ୍ୟର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଥିପାଇଁ ଦାୟୀ ବୋଲି ଦୋଷ ଦିଆଯାଏ। ଡ଼ାକ୍ତରଖାନା ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର, ନର୍ସ, କର୍ମଚାରୀ, ବିଭିନ୍ନ ସରଞ୍ଜାମ ଇତ୍ୟାଦିର ଅଭାବ ଯୋଗୁଁ ଶିଶୁମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରେ ନାହିଁ। ତେଣୁ ସେମାନେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ପୁଣି ଯେଉଁ ଡ଼ାକ୍ତରଖାନାଗୁଡ଼ିକରେ ଚିକିତ୍ସାର ଅସୁବିଧା ନାହିଁ, ଅର୍ଥାତ‌୍‍ ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ଶିଶୁ ମୃତ୍ୟୁ ହେଉଛି କାହିଁକି?

 

ରାଜ୍ୟରେ ଆଦିବାସୀମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଓ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଉଛି। ଗତ ଅଗଷ୍ଟ ମାସରେ ରାଜ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇଁ ରାଜ୍ୟ ସରକାର କି କି ଯୋଜନା କରିଛନ୍ତି ଏବଂ ଏଥିପାଇଁ ବିଗତ ୫ ବର୍ଷ ମଧ୍ୟରେ କେତେ ଖର୍ଚ୍ଚ ହୋଇଛି, ଏହାର ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ‌୍‍ ବଳରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ମଗାଯାଇଥିଲା। ଉକ୍ତ ବିଭାଗର ଜନ ସୂଚନା ଅଧିକାରୀ ତା ୪.୧୦.୨୦୧୬ରିଖରେ ତଥ୍ୟ ଦେଇ ଜଣାଇଥିଲେ ଯେ, ରାଜ୍ୟରେ ପୁଷ୍ଟିହୀନତା ଦୂର କରିବା ଏବଂ ପିଲାମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ଆଇ.ସି.ଡ଼ି.ଏସ‌୍‍. ଯୋଜନା କାର୍ଯ୍ୟକାରୀ ହୋଇ ଆସୁଅଛି। ଉକ୍ତ ଯୋଜନାରେ ରାଜ୍ୟ ସରକାର ୨୦୧୦-୧୧ରେ ୪୭୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବେଳେ ୨୦୧୪-୧୫ରେ ୬୮୨ କୋଟି ଟଙ୍କା ଏବଂ ୨୦୧୫-୧୬ରେ ୭୫୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ୨୦୧୦ରୁ ୨୦୧୫ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ସରକାର ନ୍ୟୁଟ୍ରିସିନାଲ ଅପରେସନ ପ୍ଲାନ କରି ଶିଶୁ ପୁଷ୍ଟିହୀନତା ରୋକିବା ପାଇଁ ୨୦୦ କୋଟି  ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସହିତ ପିଲାମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଥିଲା ବେଳେ ଜନସାଧାରଣଙ୍କର ଖାଦ୍ୟସୁରକ୍ଷା ପାଇଁ ପି.ଡି.ଏସ‌୍‍., ଏନ‌୍‍.ଆର.ଇ.ଜି.ଏ. ଏବଂ ବିଭିନ୍ନ ପ୍ରକାର ଭତ୍ତା ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଏହିସବୁ ଯୋଜନା ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସମର୍ଥ ହୋଇନାହିଁ। ଏହି ଯୋଜନାଗୁଡ଼ିକର ସୀମାବଦ୍ଧତା ଏବଂ ଯୋଜନା ଗୁଡ଼ିକର କାର୍ଯ୍ୟକାରିତାରେ ବିଫଳତା, ଦୁର୍ନୀତି ଏବଂ ଅନିୟମିତତା ଯୋଗୁଁ ଏହାର ସଫଳତା ଲୋକମାନଙ୍କ ନିକଟରେ ପହଞ୍ଚି ନାହିଁ। କେବଳ ଲୋକଙ୍କୁ ଠକି ଭୋଟ ନେବା ପାଇଁ ଏହି ଯୋଜନାଗଡ଼ିକ ପ୍ରଚାର ସର୍ବସ୍ୱ ହୋଇଯାଇଛି।

 

ରାଜ୍ୟରେ କାର୍ଯ୍ୟକାରୀ ହୋଇ ଆସୁଥିବା ଆଇ.ସି.ଡି.ଏସ‌୍‍. ଯୋଜନା ସବୁ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥବା ବେଳେ, ଆଦିବାସୀ ବହୁଳ ଅଞ୍ଚଳରେ ଲକ୍ଷ ଲକ୍ଷ ଶିଶୁ ଏହି ଯୋଜନାରେ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାନ୍ତି। ଗମନାଗମନରେ ଅସୁବିଧା, ମାସ ମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା, ଅଙ୍ଗନୱାଡ଼ି କର୍ମୀ ନ ଆସିବା, ଶିଶୁ ଖାଦ୍ୟ ହଡ଼ପ, ଅଣ୍ଡା ଚୋରୀ ଯୋଗୁଁ ଶିଶୁମାନେ ସେମାନଙ୍କ ଖାଦ୍ୟ ପାଇବାର ଅଧିକାରରୁ ବଞ୍ଚିତ ହୋଇଥାନ୍ତି। ଶିଶୁ, ଗର୍ଭବତୀ ଏବଂ ପ୍ରସୂତି ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଛତୁଆ ପ୍ୟାକେଟ‌୍‍ କରି ଯୋଗାଇ ଦିଆଯାଉଛି। ଏହି ଛତୁଆ ପ୍ରସ୍ତୁତି ଏବଂ ଆବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। କିନ୍ତୁ ବାସ୍ତବରେ ସମସ୍ତ ଜିଲ୍ଲାରେ ଏହି ଛତୁଆ ବ୍ୟବସ୍ଥାକୁ ବିଜୁ ଜନତା ଦଳର ନେତା ଏବଂ ଲାଭଖୋର ବ୍ୟବସାୟୀ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ନିୟନ୍ତ୍ରଣ କରି ରଖିଛନ୍ତି। ଛତୁଆ ଦୁର୍ନୀତିରେ ବହୁ ବ୍ୟାପକ ଏବଂ କୋଟି କୋଟି ଟଙ୍କା ହରିଲୁଟ‌୍‍ ହେଉଛି। ସୂଚନା ଅଧିକାର ଆଇନ‌୍‍ ବଳରେ କେନ୍ଦ୍ରାପଡ଼ା, ଯାଜପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଏହି ଛତୁଆ ଦୁର୍ନୀତିର ଖୋଲାସା ହେବା ସହ ରାଜ୍ୟ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ତଦନ୍ତ ହୋଇନାହିଁ କି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ରାଜ୍ୟରେ ୭୦ଭାଗ ଅଙ୍ଗନୱାଡିର ନିଜସ୍ୱ ଗୃହ ନାହିଁ। ଗାଁ ପିଣ୍ଡା, ଗଛତଳେ, ଖୋଲା ଆକାଶ ତଳେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦିଆଯାଏ। ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଅର୍ଥକୁ ହରିଲୁଟ‌୍‍ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଠାରୁ ଆରମ୍ଭ କରି ସି.ଡ଼ି.ପି.ଓ.ଏବଂ ଉପ-ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯେହେତୁ ସମସ୍ତେ ବ୍ୟସ୍ତ, ତେଣୁ ଏହି ଯୋଜନାର ମନିଟରିଙ୍ଗ‌୍‍ ହୁଏନାହିଁ କି ଅଭିଯୋଗର ଶୁଣାଣୀ ହୁଏ ନାହିଁ। ସେହିପରି ଗର୍ଭବତୀ ଏବଂ ପ୍ରସୂତି ମହିଳାମାନଙ୍କ ପାଇଁ ମମତା ଯୋଜନାରେ ଆସୁଥିବା ଅର୍ଥକୁ ସେମାନଙ୍କୁ ବର୍ଷ ବର୍ଷ ଧରି ଦିଆଯାଏ ନହିଁ। ତେଣୁ ଶିଶୁ ପୁଷ୍ଟିହୀନତା ଦୂର ହେବ କିପରି? ଆଇ.ସି.ଡ଼ି.ଏସ‌୍‍. ଯୋଜନାର ବିଫଳତା ଯୋଗୁଁ ରାଜ୍ୟର ଶିଶୁ ପୁଷ୍ଟିହୀନତ ଭୟାବହ ରୂପ ଧାରଣ କରୁଛି।

 

ଗରିବ ଲୋକମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ ଏବଂ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଖାଦ୍ୟ ସୁରକ୍ଷା ଯୋଜନାଗୁଡ଼ିକର ଦୁରବସ୍ଥା ଅନୁରୂପ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ‌୍‍ରେ ରାଜ୍ୟ ସରକାର ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ଏକ ଟଙ୍କାରେ ଦେଉଛନ୍ତି। ଆଦିବାସୀ ଇଲାକାେ ଜଣେ ଗରିବ ଲୋକ ଏହି ୫ କେଜି ଚାଉଳରେ ମାସ ସାରା ଚଳିବା ସମ୍ଭବ ନୁହେଁ। ସାଧାରଣତଃ ସେମାନଙ୍କୁ ମାସକୁ ଅନ୍ୟୁନ ୧୨ କେଜିର ଖାଦ୍ୟଶସ୍ୟ ଆବଶ୍ୟକ ପଡେ଼। ଲୋକଙ୍କର ବାସ୍ତବ ଖାଦ୍ୟ ସମସ୍ୟାକୁ ଚିହ୍ନଟ ନକରି ରାଜ୍ୟ ସରକାର ଏକ ଟଙ୍କିଆ ଚାଉଳ ଦେଇ ଗରିବର ତ୍ରାଣକର୍ତ୍ତା ଭାବେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି। ଏହି ପ୍ରଚାରରେ ସରକରଙ୍କୁ ଭୋଟ ମିଳିଥାଇପାରେ, କିନ୍ତୁ ଲୋକଙ୍କର ବାସ୍ତବ ସମସ୍ୟା ସମାଧାନର ମାପକାଠି କଦାପି ନୁହେଁ। ସେହିପରି ଏନ‌୍‍.ଆର.ଇ.ଜି.ଏ ଯୋଜନାରେ ଲୋକମାନଙ୍କୁ ବର୍ଷ ବର୍ଷ ଧରି କାମ ଦିଆଯାଏ ନାହିଁ। ଯେଉଁମାନେ କାମ କରନ୍ତି, ସେମାନଙ୍କୁ ମାସ ମାସ ଧରି ମଜୁରୀ ଦିଆଯାଏ ନାହିଁ। ତେଣୁ କାମଧନ୍ଦା ଅଭାବରୁ ଗରିବ ଲୋକମାନଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ ହୋଇପଡେ଼। ଉତ୍କଟ ଖାଦ୍ୟାଭାବ ଯୋଗୁଁ ସେମାନେ ଭୋକରେ ରୁହନ୍ତି ଏବଂ ସେମାନଙ୍କର ପିଲା ମଧ୍ୟ ଉପାସରେ ରହୁଛନ୍ତି। ଯାହା କିଛି ଖାଦ୍ୟ ବା ଅଖାଦ୍ୟ ଖାଆନ୍ତି, ତାହା ସେମାନଙ୍କର ପୁଷ୍ଟିହୀନତା ଦୂର କରିପାରେ ନାହିଁ। ପୁଷ୍ଟିହୀନତା ଯୋଗୁଁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ଚିକିତ୍ସାର ଅଭାବ ଯୋଗୁଁ ମୃତ୍ୟୁବରଣ କରନ୍ତି, ଏହା ହିଁ ବାସ୍ତବତା।

 

ରାଜ୍ୟ ଆବାହକ, ରାଇଟ‌୍‍ ଟୁ ଫୁଡ଼‌୍‍ କ୍ୟାମ୍ପେନ, ଓଡ଼ିଶା

 ମୋ : ୯୪୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top