କବିତା: ଆତ୍ମନେପଦି

News Story - Posted on 2016-01-23

ପ୍ରଶାନ୍ତ ଭୂୟାଁ

 

ଅମରାବତୀରୁ ନେଇ  ପୀୟୁଷକୁ,

ତୂଳୀ କରିଥାନ୍ତା ନିରୀହ ଆତ୍ମାକୁ ।

ଇନ୍ଦ୍ରଧନୁଷରୁ ରଙ୍ଗ ନେଇ ଲେସି ,

ଧରଣୀ ବୁକୁରେ ଆନନ୍ଦରେ  ବସି ।

 

ଚିତ୍ରପଟ୍ଟ ନେଇ ସବୁଜଶ୍ୟାମଳ ,

ଧାର ଦେଇଥାନ୍ତା ରମ୍ୟ ଦୁର୍ବାଦଳ ।

ଗାରେଇ ନିଅନ୍ତା ସେନେହର ଗାର ,

କରିଥାନ୍ତା ସୃଷ୍ଟି ଅମର କବିର ।

 

ସେ କବି ଲେଖନ୍ତା ମଣିଷର କଥା,

ବାଛି ନଥାନ୍ତା ସେ ଜାତିଧର୍ମ ଯଥା ।

ମାନବତା ଜାତି, ମାନବତା ଭାଷା,

ମାନବତା ଧର୍ମ କର୍ମ ପରିଭାଷା ।

 

ସେ କବି ହୁଅନ୍ତା ଅମୃତ ସନ୍ତାନ ,

ମାତୃଭାଷା, ମାତୃଭୂମିରେ ତା ପ୍ରେମ ।

ବେନିଭୁଜ ତୋଳି  ବକ୍ଷତା ପ୍ରସାରୀ ,

ଜାତି ଭାଇଭଗ୍ନି ନିଅନ୍ତା ଆବୋରି ।

 

ଜାତି ଉଦ୍ଧାରରେ ଦିଅନ୍ତା ସେ ପ୍ରାଣ,

ପ୍ରେରଣା ଚେତନା ସତ୍ୟ ଚିରନ୍ତନ ।

ଗାଁ ରାଜ୍ୟ ଦେଶ ସାରା ଆନନ୍ଦମୟ,

ସତ୍ୟ ଶିବ ସୁନ୍ଦର ବିଶ୍ବ କବିତାମୟ ।

 

ରଚନା  : ୧୮ ମାର୍ଚ୍ଚ ୨୦୧୨

ପ୍ରଭୂ, ଟରୋଣ୍ଟୋ, କାନାଡା, ଜନ୍ମସ୍ଥାନ :ବଡଦାଣ୍ଡ, ଜଗନ୍ନାଥପ୍ରସାଦ ,ଗଞ୍ଜାମ ( ଓଡିଶା )

prasantabhunya@gmail.com, +1 647 996 5280


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top