କାମ୍ପା, ବନବାସୀଙ୍କ ଅଧିକାର ହେବ କେମ୍ପା!

News Story - Posted on 2016-11-04

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଶିଳ୍ପ, ଖଣି, ନଦୀବନ୍ଧ ଆଦି ଅଣ ଜଙ୍ଗଲ କାମରେ ଧ୍ୱଂସ ହେଉଥିବା ଜଙ୍ଗଲର କ୍ଷତିପୂରଣ ପାଇଁ ନୂଆ ଜଙ୍ଗଲ ସୃଷ୍ଟି କରିବା ନାଁରେ ସରକାର ଇତିମଧ୍ୟରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। କ୍ଷତିପୂରଣକାରୀ ବନୀକରଣ (ପରିଚାଳନା ଓ ଯୋଜନା) ପ୍ରାଧିକରଣ ବିଲ‌୍‍ - ୨୦୧୬ ବା ସଂକ୍ଷେପରେ କାମ୍ପା ବିଲ‌୍‍କୁ ଦେଶବ୍ୟାପି ଆଦିବାସୀ ଓ ବନଜୀବୀ ସଂଗଠନଙ୍କ ବିରୋଧ ସତ୍ତ୍ୱେ ସରକାର ସଂସଦର ଗତ ଅଧିବେଶନରେ ଗୃହୀତ କରାଇବାରେ ସଫଳ ହୋଇଛନ୍ତି। ଏହି ବିଲ‌୍‍ ଆଦିବାସୀ ବିରୋଧୀ ଏବଂ ଜଙ୍ଗଲ ଅଧିକାର ଆଇନ - ୨୦୦୬ରେ ଆଦିବାସୀ ତଥା ସେମାନଙ୍କ ଗ୍ରାମସଭାକୁ ପ୍ରଦତ୍ତ ଅଧିକାରକୁ ସଙ୍କୁଚିତ କରିବ ବୋଲି ଅଭିଯୋଗ କରି ପ୍ରଥମରୁ କଂଗ୍ରେସ ସମେତ ବିରୋଧୀ ଦଳମାନେ ବିରୋଧ କରୁଥିଲେ ମଧ୍ୟ ପରେ ଆଶ୍ଚର୍ଯ୍ୟଜନକ ଭାବେ ତାକୁ ସମର୍ଥନ କରି ସର୍ବସମ୍ମତ କ୍ରମେ ଗୃହୀତ କରାଇଛନ୍ତି। ତେବେ ରାଜନୈତିକ ଦଳମାନଙ୍କ ଅବସ୍ଥାନ ଯାହା ହେଲେ ବି ଗୋଟିଏ କଥା ସ୍ପଷ୍ଟ ଯେ ଏହି ଆଇନ ଥରେ କାର୍ଯ୍ୟକାରୀ ହେଲେ ଏହା ବିକାଶ ନାଁରେ ଜଙ୍ଗଲର ଅବିଚାରିତ ଧ୍ୱଂସକୁ ନ୍ୟାୟସଙ୍ଗତ କରାଇବା ସହିତ ଜଙ୍ଗଲ ଅଧିକାର ଆଇନରେ ରହିଥିବା କଷ୍ଟଲବ୍ଧ ଅଧିକାର ସବୁକୁ ଦୁର୍ବଳ କରିଦେବ।

 

ଦେଶରେ ବିକାଶ ନାଁରେ ସରକାର ଓ ଘରୋଇ କମ୍ପାନୀମାନେ ନିଜର ଖଣି, କାରଖାନା, ନଦୀବନ୍ଧ ତଥା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ହଜାର ହଜାର ଏକରର ଜଙ୍ଗଲ ଜମି ଦରକାର କରିଥାନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟ ସରକାରମାନେ ସମ୍ପୃକ୍ତ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ହସ୍ତାନ୍ତରଣ କରିଥାନ୍ତି। ତେବେ ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦ ଅନୁଯାୟୀ ଏପରି ଅଣ ଜଙ୍ଗଲ କାମ ପାଇଁ ଜଙ୍ଗଲ ଜମିର ହସ୍ତାନ୍ତରଣ ବେଳେ ସମ୍ପୃକ୍ତ ଜମିରେ ରହିଥିବା ଜଙ୍ଗଲର ହେବାକୁ ଥିବା କ୍ଷତିର ହିସାବ କରା ଯାଇଥାଏ। ସେ ଅନୁଯାୟୀ ପ୍ରକଳ୍ପ କରୁଥିବା କମ୍ପାନୀ ବା ସରକାର ସମ୍ପୃକ୍ତ କ୍ଷତିପୂରଣ ଅର୍ଥକୁ ସରକାରଙ୍କୁ ପ୍ରଦାନ କରିଥାନ୍ତି ଯାହାକୁ ନୂଆ ଜଙ୍ଗଲ କରିବା ପାଇଁ ସରକାର ବନୀକରଣରେ ବିନିଯୋଗ କରିଥାନ୍ତି। ଏହିଭଳି କ୍ଷତିପୂରଣ ଅର୍ଥରେ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ କରାଯାଉଥିବା ବନୀକରଣକୁ କ୍ଷତିପୂରଣକାରୀ ବନୀକରଣ ବୋଲି କୁହାଯାଇଥାଏ। ତେବେ ପୂର୍ବରୁ ଏହିଭଳି ବନୀକରଣ ଯୋଜନା ରହିଥିଲେ ମଧ୍ୟ ସରକାରମାନେ ତାକୁ ଠିକ‌୍‍ ରୂପେ କାର୍ଯ୍ୟକାରୀ କରି ନାହାନ୍ତି ବୋଲି ୨୦୧୪ ମସିହାରେ ସୁପ୍ରିମ‌୍‍କୋର୍ଟ ଏକ ରାୟରେ କହିଥିଲେ।

 

ପୂର୍ବ ବ୍ୟବସ୍ଥାରେ କ୍ଷତିଭରଣାକାରୀ ବନୀକରଣ ପାଇଁ ଏକ ପାଣ୍ଠି ଗଠିତ ହୋଇଥିଲା ଯାହାକୁ କାମ୍ପା ପାଣ୍ଠି ବୋଲି କୁହାଯାଏ। କେନ୍ଦ୍ର ସରକାର ତାର ପରିଚାଳନା ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଏହି ପାଣ୍ଠିର ଦଶ ଭାଗ ଅର୍ଥକୁ ନିଜ ପାଖରେ ରଖୁଥିବା ବେଳେ ବଳକା ନବେ ଭାଗ ଅର୍ଥକୁ ରାଜ୍ୟ ସରକାରମାନଙ୍କୁ ଦେବାର ବ୍ୟବସ୍ଥା ରହିଛି। ଏହି ପାଣ୍ଠି ଗଠନ ହେବାର ଦଶ ବର୍ଷ ହୋଇଯାଇଥିଲେ ମଧ୍ୟ ଏ ବାବଦରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନହେବାକୁ ମୋଟ ଟ.୪୨,୦୦୦ କୋଟି ଟଙ୍କା ସଂଗୃହୀତ ହୋଇ ପଡ଼ି ରହିଛି। ଏହା ସହିତ ପ୍ରତି ବର୍ଷ ଅତିରିକ୍ତ ୬୦୦ କୋଟି ଟଙ୍କା ଏହି ପାଣ୍ଠିରେ ମିଶିବାରେ ଲାଗିଛି। ତେବେ ଗତ ଦଶ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲକୁ ନଷ୍ଟ କରି ଅଣ ଜଙ୍ଗଲ କାମରେ ହସ୍ତାନ୍ତର କରିବାରେ ଓଡ଼ିଶା ସବୁଠାରୁ ଆଗରେ ଥିବାରୁ ଆମ ରାଜ୍ୟ କାମ୍ପା ପାଣ୍ଠିରୁ ସର୍ବାଧିକ ଅର୍ଥାତ‌୍‍ ୧୪,୦୦୦ କୋଟି ଟଙ୍କା ପାଇବାକୁ ଯାଉଛି। 

 

ଗତ କିଛି ଦଶନ୍ଧି ଧରି ଲଗାତାର ସମସ୍ତ ସରକାର ବିକାଶ ନାଁରେ ଦେଶର ଲକ୍ଷ ଲକ୍ଷ ଏକରର ମୂଲ୍ୟବାନ ଜଙ୍ଗଲକୁ ଅଣ ଜଙ୍ଗଲ କାମ ପାଇଁ ହସ୍ତାନ୍ତର କରି ତାକୁ ଧ୍ୱଂସ କରି ଆସିଛନ୍ତି। ୧୯୯୧ରେ ନବଉଦାର ଅର୍ଥନୀତିର ଆରମ୍ଭ ପରେ ଏହି ପ୍ରକ୍ରିୟାଟି ତୀବ୍ର ହେବା ସହ ଦେଶର ଅନେକ ମୂଲ୍ୟବାନ ଜଙ୍ଗଲକୁ ଖଣି, କାରଖାନା, ନଦୀବନ୍ଧ ନାଁରେ କର୍ପୋରେଟ‌୍‍ମାନଙ୍କୁ ହସ୍ତାନ୍ତର କରାଯାଇଛି। ଶାସନରେ ବସିଥିବା ଲୋକଙ୍କର ଏକ ଧାରଣା ହେଲା ଜଙ୍ଗଲ ଧ୍ୱଂସ କଲେ ବି ତଜ୍ଜନିତ କ୍ଷତିକୁ ବନୀକରଣ ଦ୍ୱାରା ପୂରଣ କରିହେବ। ମାତ୍ର ଏହା ଆଦୌ ସତ୍ୟ ନୁହେଁ। ଗୋଟିଏ ପ୍ରାକୃତିକ ଜଙ୍ଗଲର ଧ୍ୱଂସକୁ କେଉଁ ବାଟରେ ବି ଭରଣା କରାଯାଇ ନପାରେ। ବନୀକରଣ ଦ୍ୱାରା ହୁଏତ ନିର୍ଦ୍ଦିଷ୍ଟ କିଛି ଗଛର ଏକ ସୁନ୍ଦର ବଗିଚା ସୃଷ୍ଟି କରାଯାଇପାରିବ, କିନ୍ତୁ ପ୍ରାକୃତିକ ଜଙ୍ଗଲ ନୁହେଁ। ଏ କ୍ଷେତ୍ରରେ ଏକ ଔପନିବେଶିକ ଚେତନା କାମ କରୁଛି ଯେଉଁଥିରେ ଜଙ୍ଗଲକୁ ଏକ ସମ୍ପଦ ରୂପେ ବିଚାର କରାଯିବା ସହ ତାର ଶୋଷଣକୁ ନ୍ୟାୟ ସଙ୍ଗତ କରାଯାଇଛି ଏବଂ କିଛି ଗଛ ଲଗେଇ ଏଥିରେ ହେଉଥିବା କ୍ଷତିକୁ ଭରଣା କରାଯାଇ ପାରିବ ବୋଲି ଧରି ନିଆଯାଇଛି। ଦେଶରେ ଚାଲିଥିବା ତଥାକଥିତ କ୍ଷତିଭରଣାକାରୀ ବନୀକରଣ ପଛରେ ଏହି ବିଚାର ହିଁ କାମ କରୁଛି। ଜଣେ ତା’ର ବ୍ୟକ୍ତିଗତ ମୁନାଫା ପାଇଁ ଏକ ହେକ୍ଟର ଘଂଚ ଜଙ୍ଗଲକୁ ନଷ୍ଟ କରି ପାରିବ ଏବଂ ସରକାରକୁ ପଇସା ଦେଇ ଏକ ହେକ୍ଟର ଜମିରେ ବୃକ୍ଷ ରୋପଣ କରି ସେହି କ୍ଷତିକୁ ଭରଣା କରି ପାରିବ। ଏଠାରେ ଜାଣିବା ଦରକାର ପ୍ରାକୃତିକ ଜଙ୍ଗଲ କହିଲେ କେବଳ କିଛି ଗଛର ସମାହାର ନୁହେଁ। ଜଙ୍ଗଲକୁ ନେଇ ଜୈବ ବିବିଧତା ଗଠିତ ହୋଇଛି ଯେଉଁଥିରେ ବୃକ୍ଷଲତା ସମେତ ବନ୍ୟଜନ୍ତୁ ବି ରହିଛନ୍ତି। ଜଙ୍ଗଲରେ ରହିଥିବା ବୃକ୍ଷରାଜି ଭୂତଳ ଜଳକୁ ଗଚ୍ଛିତ କରିବାରେ ପ୍ରମୁଖ ଭୂମିକା ନେଇଥାନ୍ତି। ସବୁଜ ଘରର ଗ୍ୟାସ୍‌ ଟାଣିବାରେ ଏହା ସବୁଠାରୁ ବଡ଼ ସିଙ୍କ‌୍‍ ରୂପେ କାମ କରିଥାଏ। ସର୍ବୋପରି ଜଙ୍ଗଲ ତା ଉପରେ ନିର୍ଭରଶୀଳ ଦେଶର କୋଟି କୋଟି ଜଙ୍ଗଲଜୀବୀଙ୍କ ଜୀବିକାର ପ୍ରମୁଖ ଉତ୍ସ ଅଟେ।

 

ସରକାରଙ୍କ ଯୁକ୍ତି ହେଲା କାମ୍ପା ପାଣ୍ଠି ଫଳରେ ଜଙ୍ଗଲର ସଂରକ୍ଷଣ, ପୁନଃ ସୃଜନ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ହେବା ସହ ଜିପିଏସ‌୍‍ ଦ୍ୱାରା ଜଙ୍ଗଲର ସଠିକ‌୍‍ ସର୍ଭେ କରି ଓ ତାର ବାଡ଼ ଦ୍ୱାରା ଘେରି ତାର ସୁରକ୍ଷା କରିହେବ। କିନ୍ତୁ ବାସ୍ତବତା ହେଲା, ଏହି ଆଇନ ଦେଶରେ ବିକାଶ ନାଁରେ ଜଙ୍ଗଲ ଓ ଜୈବ ବିବିଧତାର ବିନାଶକୁ ଆଇନ ସମ୍ମତ କରିବା ସହିତ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ଗଛ ଲଗାଇବା ଫଳରେ ତା’ ଉପରେ ନିର୍ଭର କରି ଆସିଥିବା ଲୋକଙ୍କ ଜିବୀକାକୁ ପ୍ରଭାବିତ କରିବ। ସବୁଠାରୁ ବଡ଼ କଥା ହେଲା ଏହି ସମଗ୍ର ପ୍ରକ୍ରିୟାରେ କେଉଁଠି ବି ଏହି ଲୋକମାାନଙ୍କ କୌଣସି ଅଧିକାରକୁ ସ୍ୱୀକାର କରାଯାଇନି। ବନୀକରଣ ପ୍ରକ୍ରିୟାରେ କେଉଁଠି, କେତେ ପରିମାଣର ଜାଗାରେ ତଥା କିଭଳି ଗଛ ଲାଗିବ ଏବଂ ସେଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ କଥା ଦଶନ୍ଧି ଦଶନ୍ଧି ଧରି ସମ୍ପୃକ୍ତ ଅଂଚଳରେ ବସବାସ କରି ଆସୁଥିବା ଆଦିବାସୀ କିମ୍ୱା ଜଙ୍ଗଲବାସୀଙ୍କ କୌଣସି ମତ ବା ଭୂମିକା ରହିବନି ବରଂ ତାହା ଜଙ୍ଗଲ ଅଧିକାରୀମାନଙ୍କୁ ନେଇ ଗଠିତ କର୍ତ୍ତୃପକ୍ଷ ହିଁ ସ୍ଥିର କରିବ। ସରକାରଙ୍କ ତରଫରୁ ଜଙ୍ଗଲ ମନ୍ତ୍ରୀ ସଂସଦରେ ପ୍ରତିଶୃତି ଦେଇଛନ୍ତି ଯେ ଆଇନର ନିୟମ ତିଆରି କରିବା ସମୟରେ ଆଦିବାସୀ ଓ ସେମାନଙ୍କ ଗ୍ରାମସଭାକୁ ଗୁରୁତ୍ବ ଦିଆଯିବ। କିନ୍ତୁ ଯେତେବେଳେ ମୂଳ ଆଇନରେ ହିଁ ଆଦିବାସୀ ଓ ଗ୍ରାମସଭାର ଅଧିକାର ସମ୍ପର୍କରେ ପଦୁଟିଏ ବି କୁହାଯାଇ ନାହିଁ ସେତେବେଳେ ନିୟମ ତିଆରିରେ କୌଣସି ବଡ଼ ପରିବର୍ତ୍ତନ ଆଶା କରିବା ବୋକାମି ହେବ।

 

ଆମ ଦେଶର ଅଧିକାଂଶ ଆଦିବାସୀଙ୍କ ଜିବୀକା ଜଙ୍ଗଲ ଉପରେ ନିର୍ଭରଶୀଳ। କେବଳ ସାମୂହିକ ଜଙ୍ଗଲ ହିଁ ୬୦ ଭାଗରୁ ଅଧିକ ଆଦିବାସୀଙ୍କ ଜୀବିକାର ଉତ୍ସ। ଏହା କେବଳ ସେମାନଙ୍କ  ଜିବୀକାର ଉତ୍ସ ନୁହେଁ ବରଂ ସେମାନଙ୍କ ପରିଚିତି, ସଂସ୍କୃତି, ପ୍ରଥା ଏବଂ ସର୍ବୋପରି ସେମାନଙ୍କ ଅସ୍ତିତ୍ୱ ମଧ୍ୟ ଜଙ୍ଗଲ ଉପରେ କେନ୍ଦ୍ରିତ। ଦୁର୍ଭାଗ୍ୟର କଥା, କାମ୍ପା ଆଇନ ଫଳରେ ସେସବୁ ସାମୂହିକ ଜଙ୍ଗଲକୁ କବ୍ଜା କରିବା ରାଷ୍ଟ୍ର ପାଇଁ ସହଜ ହୋଇଯିବ। ପୂର୍ବରୁ ବିକାଶ ନାଁରେ ଉଚ୍ଛେଦର ଶିକାର ହୋଇ ଆସିଥିବା ଆଦିବାସୀ ଓ ଜଙ୍ଗଲବାସୀମାନେ ବର୍ତ୍ତମାନ କାମ୍ପା ଆଇନ ପରେ ଜଙ୍ଗଲର ପୁନଃ ସୃଜନ, ସଂରକ୍ଷଣ ଓ ବିକାଶ ନାଁରେ ପୁଣି ଥରେ ଜଙ୍ଗଲରୁ ଉଦ‌୍‍ବାସ୍ତୁ ହେବେ। କାମ୍ପା ଆଇନ ଫଳରେ ଭବିଷ୍ୟତରେ ଦେଶର ଜଙ୍ଗଲ ଅଂଚଳରେ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟ ତଥା ଜଙ୍ଗଲ ବିଭାଗ ମଧ୍ୟରେ ସଂଘର୍ଷ ବଢ଼ିବା ନିଶ୍ଚିତ ଅଟେ। କାରଣ କାମ୍ପା ନାଁରେ ବୃକ୍ଷରୋପଣ ପାଇଁ ବିପୁଳ ଅର୍ଥ ଆସିବା ପରେ ସରକାର ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରି ଆଦିବାସୀଙ୍କ ଜଙ୍ଗଲ ଉପରେ ଅଧିକାର ଦେବା ପରିବର୍ତ୍ତେ ଗଛ ଲଗାଇବାକୁ ହିଁ ଗୁରୁତ୍ବ ଦେବେ। ପରିଣାମ ସ୍ୱରୂପ ଆଦିବାସୀ ଓ ଅନ୍ୟ ଜଙ୍ଗଲଜୀବୀମାନେ ସେମାନଙ୍କର ଅଧିକାର ତ ପାଇବେ ନାହିଁ ବରଂ ନିଜର ଜଙ୍ଗଲ ଓ ଜିବୀକା ଉପରୁ ଅଧିକାର ହରାଇବେ।

 

ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହେବାର ଦଶ ବର୍ଷ ପରେ ମଧ୍ୟ ଏଯାଏଁ ଅଧିକାଂଶ ଆଦିବାସୀମାନଙ୍କୁ ସେମାନଙ୍କ ଜଙ୍ଗଲରେ ଆବଶ୍ୟକ ଅଧିକାର ପ୍ରଦାନ କରାଯାଇନି। ଆଇନ ଅନୁସାରେ ଦେଶର କେଉଁଠି ବି ପ୍ରାକୃତିକ ବାସର ଅଧିକାର ଦିଆଯାଇ ନଥିଲା ବେଳେ ଅଧିକାଂଶ ସ୍ଥାନରେ ଲୋକଙ୍କୁ ସାମୂହିକ ଅଧିକାର ପାଇବାରୁ ବଂଚିତ କରାଯାଇଛି। ଏପରିକି ଦଶ ଏକର ଯାଏଁ ଜଙ୍ଗଲରେ ବ୍ୟକ୍ତିଗତ ଅଧିକାର ପାଇବାକୁ ଆଇନରେ ବ୍ୟବସ୍ଥା ଥିବା ବେଳେ ଅଧିକାଂଶ ସ୍ଥଳରେ ଲୋକଙ୍କୁ ୪ ରୁ ୬ ସେଣ୍ଟ ମଧ୍ୟରେ ଜଙ୍ଗଲ ଜମି ପଟ୍ଟା ମିଳିଛି। ଆଇନରେ ରହିଥିବା ଦୁର୍ବଳତା ଯୋଗୁଁ ଅଣଆଦିବାସୀ ଜଙ୍ଗଲଜିବୀମାନେ ଜଙ୍ଗଲ ଜମିରେ ପଟ୍ଟା ପାଇବାକୁ ସକ୍ଷମ ହୋଇ ପାରୁ ନଥିବା ବେଳେ ଆଜି ବି ଦେଶର କୋଟି କୋଟି ଆଦିବାସୀ ବର୍ଷ ବର୍ଷ ଧରି ଦରଖାସ୍ତ କଲେ ବି ପଟ୍ଟା ପାଇ ନାହାନ୍ତି। ଏଭଳି ସ୍ଥଳେ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରୀ ଅଭାବରୁ ପଟ୍ଟା ପାଇ ନଥିବା ଲୋକଙ୍କ ଜମିରେ ତଥା ଗାଁର ସାମୂହିକ ଜମିରେ ଜଙ୍ଗଲ ବିଭାଗ ଜାଣିଶୁଣି ବୃକ୍ଷରୋପଣ କରିବାକୁ ଆସିବ। କିନ୍ତୁ ସେ କ୍ଷେତ୍ରରେ ଲୋକେ ନିଜର ଅଧିକାର ଛାଡ଼ିବାକୁ ପ୍ରସ୍ତୁତ ନଥିବାରୁ ସବୁଠି ଏକ ସଂଘର୍ଷର ବାତାବାରଣ ସୃଷ୍ଟି ହେବ।

 

ନିକଟରେ ପ୍ରକାଶିତ ସିଏଜି ରିପୋର୍ଟ ଅନୁଯାୟୀ ସରକାରଙ୍କ କ୍ଷତିପୂରଣକାରୀ ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ତଥା ବାଟମାରଣାର ପ୍ରମାଣ ମିଳିଛି। ଅନେକ ଜାଗାରେ ମିଛି ମିଛିକା ବନୀକରଣ କରାଯାଇ ଜଙ୍ଗଲ ଅଧିକାରୀମାନେ ଏବାବଦରେ ଆସୁଥିବା ଅର୍ଥକୁ ହରିଲୁଟ‌୍‍ କରିବା ଜଣା ପଡ଼ିଛି। ଏଭଳି ସ୍ଥିତିରେ କାମ୍ପା ନାଁରେ ଆସିବାକୁ ଥିବା ବିପୁଳ ଅର୍ଥ ଜଙ୍ଗଲ ବିଭାଗର ଧଳାହାତୀମାନଙ୍କ ପାଇଁ ଲୁଟ‌୍‍ର ଏକ ନୂଆ ସୁଯୋଗ ସୃଷ୍ଟି କରିବା ସହିତ ସାଧାରଣ ଜନତାଙ୍କ ପାଇଁ ସର୍ବନାଶ ଡାକି ଆଣିବ।  

 

ମୋବାଇଲ ନଂ - ୯୪୩୭୧୬୬୩୯୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top