ସମ୍ଭ୍ରାନ୍ତ ନିଃସଙ୍ଗତା

News Story - Posted on 2016-11-02

ଚିନ୍ମୟୀ ପଣ୍ଡା

 

ଦ୍ୱିପ୍ରହର ଉଦୁଉଦିଆ ଖରା। ବୁଢ଼ା ଲୋକ ଜଣକ ଚାଲିଛନ୍ତି। ଦେହରେ ଭଲ ପୋଷାକ। ପାଦରେ ଦାମି ଜୋତା। ସେ ଚାଲିଛନ୍ତି। ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି, ଶରୀର ଥକି ଯାଇଛି, କିନ୍ତୁ ସେ ଚାହିଁଛନ୍ତି। ବୟସ ପାଖାପାଖି ୭୫ ରୁ ୮୦ ବର୍ଷ ହେବ। ସହରର ଏକ ସମ୍ଭ୍ରାନ୍ତ ଶ୍ରେଣୀୟ ଅଞ୍ଚଳରେ ନିଜର ସୁନ୍ଦର ବଙ୍ଗଳା। କିଛି ବର୍ଷ ହେଲା ଚାକିରିରୁ ଅବସର ନେଇଛନ୍ତି। ଗାଡ଼ି, ମୋଟର ଲୋକବାକ, ଆର୍ଥିକ ସ୍ୱଚ୍ଛଳତା, ସୁନ୍ଦର ପତ୍ନୀ ଓ ସନ୍ତାନ ମଧ୍ୟରେ ଜୀବନଟା ଖୁବ‌୍‍ ଆନନ୍ଦର ସହ ସେ କଟାଇ ଆସିଛନ୍ତି। ବଙ୍ଗଳାର ସୁଉଚ୍ଚ ପାଚେରୀ, ଗେଟ‌୍‍ର ମଧ୍ୟ ଦେଶରେ ସୁନେଲି ରଙ୍ଗର ଅକ୍ଷରଗୁଡ଼ିକ ସବୁବେଳେ ଚକ‌୍‍ ଚକ‌୍‍ କରି ତାଙ୍କ ନାଁକୁ ଯଥାର୍ଥତା ପ୍ରଦାନ କରୁଛନ୍ତି। ଶଶି ଭୂଷଣ ସାମନ୍ତରାୟ, ଅବସର ପ୍ରାପ୍ତ ଆଇ.ଏ.ଏସ‌୍‍।

 

ପାଖାପାଖି ପାଞ୍ଚବର୍ଷ ପୂର୍ବ ଯାଏଁ ଯିବା ଆସିବାବେଳେ ଡ୍ରାଇଭର ବା ପିଅନ ଦ୍ୱାର ଖୋଲିବା ବେଳେ ଗାଡ଼ି ଭିତରେ ଥାଇ ମଧ୍ୟ ସେ ଉଲ୍ଲସି ଉଠୁଥିଲେ। ତାଙ୍କ ନାଁର ସାର୍ଥକତା ସେ ଅନୁଭବ କରି ଉତ‌୍‍ଫୁଲ୍ଲିତ ହୋଇ ଉଠୁଥିଲେ। ସ୍ନେହମୟୀ ପତ୍ନୀ ଆଶା, ଦୁଇ ଝିଅ ସ୍ନେହ ଓ ପ୍ରୀୟା, ଦୁଇ ପୁଅ ଆଶିଷ, ଅନନ୍ତଙ୍କୁ ନେଇ ତାଙ୍କ ସୁ‌୍‍ଦର ସଂସାର। ଜୀବନ ସାରା ସେ ପରିବାରକୁ ସବୁ ପ୍ରକାର ସୁଖ, ସ୍ୱାଚ୍ଛନ୍ଦ୍ୟ, ପ୍ରାଚୁର୍ଯ୍ୟତାରେ ଭରି ଦେଇଛନ୍ତି। ଆର୍ଥିକ ସ୍ୱଚ୍ଛଳତା ସମସ୍ତ ସୁଖର ଚାବିକାଠି ବୋଲି ସେ ଅନୁଭବ କରିଛନ୍ତି। ଭଗବାନଙ୍କ ଦୟାରୁ ସେ ଭଲ ପଇସା ଉପାର୍ଜନ କରି ଚାଲିଲେ ଓ ପତ୍ନୀ ଘର କଥା ସୁଚାରୁ ରୂପେ ତୁଲେଇ ଚାଲିଲେ। ଗୃହ ମନ୍ତ୍ରଣାଳୟର କାର୍ଯ୍ୟକଳାପରେ ସେ କେବେ ହସ୍ତକ୍ଷେପ କରିବା ଜରୁରୀ ମନେ କରି ନାହାନ୍ତି। କିନ୍ତୁ ବୟସର ଏହି ଉତ୍ତୀର୍ଣ୍ଣ ସମୟରେ ସେ ଭାବୁଛନ୍ତି କିଛି ଭୁଲ ରହିଗଲା କି? ହଁ,  ଭୁଲ ତ ଅଛି କିନ୍ତୁ କୋଉଠି?

                               

ଆଜି ତାଙ୍କ ପ୍ରାଣପ୍ରିୟା ପତ୍ନୀ ଯେ କି ଜୀବନ ସାରା ତାଙ୍କ ସାଥୀରେ ଛାଇ ଭଳି ରହି ଆସିଛନ୍ତି ସେ ଶଯ୍ୟାଶାୟୀ, ରୋଗଗ୍ରସ୍ତ। ଜରୁରୀ ପରିସ୍ଥିତିରେ ସେ ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ଆଜି କେହି ନାହାନ୍ତି ପାଖରେ, ଡ୍ରାଇଭର ଟୋକାଟି ଟିକେ ବୋଲହାକ ବି କରିଦିଏ। ଦୁଇ ଦିନ କହି ପନ୍ଦର ଦିନ ହେଲା କୁଆଡେ ଯାଇଛି ଛୁଟିରେ। ପିଲାମାନେ ସମସ୍ତେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ବହୁତ ଦୂରରେ।

 

ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଶୈଶବ ଓ ବାର୍ଦ୍ଧକ୍ୟ। ଏହି ଦୁଇଟି ଅବସ୍ଥାରେ ମନୁଷ୍ୟ ସବୁଠାରୁ ଅଧିକା ଅସହାୟ ଥାଏ ଓ ସ୍ନେହ, ସହାନୁଭୂତି, ସାହଚର୍ଯ୍ୟ ଇତ୍ୟାଦି ଦରକାର କରେ। ଶଶିଭୂଷଣ ଭାବୁଥିଲେ, କାହିଁ ପିଲାମାନଙ୍କ ଶୈଶବରେ ସେ ତ ତାଙ୍କ ପକ୍ଷରୁ କିଛି ବି ଭୁଲ କରିନାହାନ୍ତି। ନିଜ ସନ୍ତାନମାନଙ୍କ ପାଇଁ ସ୍ନେହ, ସମୟ, ଅର୍ଥ କୌଣସି ଅଭାବ ସେ ପିଲାମାନଙ୍କ ପାଖାପାଖି ମଧ୍ୟ ହେବାକୁ ଦେଇ ନାହାନ୍ତି। କିନ୍ତୁ ଆଜି ସେ ଏକୁଟିଆ କାହିଁକି?

 

ଜୀବନର ଶେଷ ପର୍ଯ୍ୟାୟରେ ସେ ନିଜର ଭୁଲ ଖୋଜୁଛନ୍ତି। ବରଗଛ, ଯେତେ ପୁୁରୁଣା ହୁଏ ସେତିକି ମାଡିଚାଲେ.. ହାତ ପଶାରି ଡାକେ ସମସ୍ତଙ୍କୁ ଜାତିଜାତିକା ପକ୍ଷୀ, ଛୋଟ ଛୋଟ କୀଟପତଙ୍ଗଠୁ ଆରମ୍ଭ କରି ମଣିଷ ଯାଏଁ ସମସ୍ତେ ଟାଣିହୋଇ ଯାଆନ୍ତି ତା ପାଖକୁ। ସେ ଗୁଡିଏ ଜୀବନ ପାଇଁ ଏକ ଆଶ୍ରା ପାଲଟିଯାଏ।

 

କିନ୍ତୁ ମଣିଷ ବୃଦ୍ଧ ହେଲେ ଅଦରକାରୀ ଅସହାୟ କାହିଁକି ହୋଇଯାଏ? ଆଖି ଦୁଇଟି ତାଙ୍କ ଅଜାଣତରେ ଆର୍ଦ୍ର ହୋଇ ଆସିଲା। ତମାମ ଜୀବନ କଟିଲା ଆଭିଜାତ୍ୟଭରା ଶୈଳୀରେ, ରୋଷେଇ ଠାରୁ, ସମସ୍ତ ଘରୋଇ କାର୍ଯ୍ୟ ଅନ୍ୟ ଲୋକଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା। ପଦବୀ ଥିଲା, ଲୋକଙ୍କ ତାଙ୍କ ପାଖେ ଆବଶ୍ୟକ ସ୍ୱାର୍ଥ ବି ରହୁଥିଲା। ଦିନ, ରାତି ସେ ଲୋକଙ୍କ ଗହଣରେ ରହୁଥିଲେ। ଅନେକ ଚାଟୁକାର ବି ଥିଲେ। ଦିନେ ସେ ନିଜକୁ ଖୁବ‌୍‍ ଗର୍ବିତ ମନେ କରୁଥିଲେ। ବୟସ ବଢିଲା, ବଳ କମିଲା, ଦୃଷ୍ଟି ଶକ୍ତି କମିଲା, ଜୀବନ ଠାରୁ ଆବଶ୍ୟକତା କମିଲା। କିନ୍ତୁ ଚିନ୍ତା, ଅସହାୟତା, ବଢ଼ି ଚାଲିଲା। ଯେଉଁମାନେ ଦିନରାତି ତାଙ୍କ ପ୍ରଶଂସା କରି ଥକୁ ନଥିଲେ, ଆଜି ଆଡ଼ ଆଖିରେ ଚାହୁଁନାହାନ୍ତି।

               

‘ଆରେ ସମାନ୍ତରାୟ ବାବୁ! ନମସ୍କାର!!’ କେହି ଜଣେ କହିଲେ।

 

ଶଶିଭୂଷଣ ପ୍ରକୃତିସ୍ଥ ହୋଇପଡ଼ିଲେ। କିଛି ବର୍ଷ ଆଗରୁ କାହାର ନମସ୍କାରର ଉତ୍ତରରେ କେବଳ ମୁଣ୍ଡ ହଲାଇ ଦେଉଥିବା ସାମନ୍ତରାୟ ବାବୁ ଆଜି କେହି ନମସ୍କାର କଲାରୁ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ନମସ୍କାର ପ୍ରଦାନକାରୀଙ୍କୁ ମନେ ପକାଇବାକୁ ଚେଷ୍ଟା କରି ଖୁବ‌୍‍ ନରମ ଗଳାରେ ତାଙ୍କ ଭଲ ମନ୍ଦ ପଚାରି ବୁଝିଲେ। ସେ ଯିବାପରେ ମନେ ପଡ଼ିଲା, ହଜିଲା ସ୍ମୃତି ସବୁ ଉଜାଗର ହୋଇ ଉଠିଲା।

 

ଅବିନାଶ ମିଶ୍ର, ତାଙ୍କ ଅଧସ୍ତନ କର୍ମଚାରୀ ଜଣେ। ଜୀବନ ସାରା ଲୋନ‌୍‍ର କବଳରେ ରହିଥିଲେ। ଥରେ ଶଶିଭୂଷଣ ତାଙ୍କୁ ଖୁବ‌୍‍ ଚଢ଼ା ଗଳାରେ ତାଗିଦ‌୍‍ ମଧ୍ୟ କରିଥିଲେ ଓ କାରଣ ଜାଣିବାକୁ ଚାହିଁଥିଲେ। କେବେ ବାବାଙ୍କ ଦେହ ଖରାପ ତ କେବେ ଗାଁ ଘରର ମରାମତି କେବେ ଭଉଣୀ ବାହାଘର ତ କେବେ ଅନ୍ୟ କିଛି.... ଏଇ ସବୁ ଅଭାବ ମଧ୍ୟରେ ନିଜର ପରିବାର ପିଲାଛୁଆ କାହାକୁ ସମୟ ଦେଇ ପାରୁନଥାନ୍ତି ଅବିନାଶ ବାବୁ। ଶଶିଭୂଷଣ ବୁଝାଇବବାକୁ ଚେଷ୍ଟା ବି କରିଛନ୍ତି, ନିଜ ପରିବାର କଥା ବୁଝ ବାକି କଥାରେ ଏତେ ମୁଣ୍ଡ ଖେଳାଅ ନାହିଁ, ଅବିନାଶ ବାବୁ ଖୁବ‌୍‍ ଚିନ୍ତିତ ଥିଲେ ନିଜ ଦୁଇ ପୁଅଙ୍କ ଭବିଷ୍ୟତ ପାଇଁ। ଏହି ସବୁ ଅଭାବ ମଧ୍ୟରେ ସେ ସରକାରୀ ବିଦ୍ୟାଳୟ ବ୍ୟତୀତ ଅନ୍ୟ କିଛି ଶିକ୍ଷା ବ୍ୟବସ୍ଥା କରିପାରିନାହାନ୍ତି ପିଲାମାନଙ୍କ ପାଇଁ।

 

ଭାଗ୍ୟର ସୁନେଲି କିରଣ ସବୁବେଳେ ଶିଶିଭୂଷଣଙ୍‌କୁ ଉଜ୍ଜ୍ୱଳ କରିଛି। ନିଜ ମସ୍ତକ ଉଚ୍ଚକରି ଚାଲି ଆସିଛନ୍ତି। ତାଙ୍କ ଭଳି ଭାଗ୍ୟ ଖୁବ‌୍‍ କମ ଜଣଙ୍କୁ ମିଳେ। ଉଚ୍ଚ ଶ୍ରେଣୀୟ ବ୍ୟକ୍ତିମାନେ କେବେ ନିଜ ଦୁଃଖ ସମାଜକୁ ଦେଖାଇ ପାରନ୍ତି ନାହିଁ। କେବଳ ଏକ ପ୍ଲାଷ୍ଟିକ ହସ ସେମାନଙ୍କ ମୁଖକୁ ମଣ୍ଡନ କରିଥାଏ। ମୁଁ ଠିକ‌୍‍, ମୋର ସବୁ ଭଲ, ମୋର କେବେ କିଛି ଖରାପ ହୁଏନି, ଭାଗ୍ୟର ବି ଏତିକି ଶକ୍ତି ନାହିଁ ବା ସମୟର ଯୋର ନାହିଁ ମୋ ଉପରେ। ଏଇ ମାନସିକତା ଶଶିଭୂଷଣଙ୍କୁ ମଧ୍ୟ ଗ୍ରାସି ସାରିଥିଲା।

 

ଜୀବନ ଚାହୁଁଥିଲା ଏକ ଦରଦୀ ବନ୍ଧୁ, ସ୍ୱାସ୍ଥ୍ୟ ଓ ମନ ଚାହୁଁଥିଲେ ଗୋଟିଏ ଆଶାବାଡ଼ି, କିନ୍ତୁ ନିଜ ଭିତର ଅହଂ ଆପେ ବନ୍ଧୁମାନଙ୍କ ପାଖେ ବଖାଣି ବସେ ନିଜ ପୁରୁଣା ଗରୀମା ଓ ନିଜ ପିଲାମାନଙ୍କ ପାରିଲା ପଣ। ଆଖି ଭିତରେ ରହିଯାଏ ଅନେକ ଲୁହ, ମନରେ ଚାପି ହୋଇଯାଏ ଅକୁହା କଥା।

 

ଏଇ କାଲି ଭଳି ସ୍ମୃତିପଟ୍ଟରେ ଭାସି, ଆସେ ଆଶା ତାଙ୍କ ଜୀବନରେ ଆସିବାର ଗୋଟିଏ ବର୍ଷ ପରେ ହିଁ ଆଶିଷ ତାଙ୍କ କୋଳ ମଣ୍ଡନ କରିଥିଲା। ନିଜ ପିତା, ମାତାଙ୍କ ଏକମାତ୍ର ସନ୍ତାନ ଥିଲେ ଶଶିଭୂଷଣ। ତେଣୁ ନାତିର ଆଗମନରେ ଗାଁରେ ଥିବା ଘରେ ତାଙ୍କର ଉତ୍ସବମୁଖର ହୋଇ ଉଠିଥିଲା। କକା, ଖୁଡ଼ି, ବଡ଼ବାପା, ମା, ଜେଜୀମା ଏମିତି ସମ୍ପର୍କର ଲମ୍ୱା ସୂତା ଟାଣି ହୋଇଯିବ। କିନ୍ତୁ ଏତେ ପ୍ରାଣୀ ଗୋଟିଏ ପ୍ରାଣ ହୋଇ ସେଠାରେ ଖୁବ‌୍‍ ଭଲରେ ରହି ଯାଆନ୍ତି। ସମସ୍ତଙ୍କ ଖୁସି ଗୋଟିଏ ଦୁଃଖ ବି ଗୋଟିଏ ନା ତୋର ନା ମୋର ସେଠିଥାଏ ଆମର.....।

 

ସବୁ ଭାଇଙ୍କ ଛୁଆ ଆମ ଛୁଆ। ପରିବାରର ଜଣଙ୍କ ଅଭାବ ଆମ ଅଭାବ। ଘରକୁ ଯାହା ଆସେ  ଯେତିକି ଆମେ ସେଥିରେ ସନ୍ତୁଷ୍ଟ। ତା’ଠାରୁ  ଆଗକୁ ଦୁନିଆ ଥାଇପାରେ କିନ୍ତୁ ଆମ ଦୁନିଆ ଏତିକି, ଆମ ଆବଶ୍ୟକତା ବି ଏତିକ।

 

ବର୍ଷ ବର୍ଷ ଧରି ବୋଉ ସେଠି ସକାଳୁ ସମସ୍ତଙ୍କ ପାଇଁ ରୋଷେଇ କରେ, ଜେଜୀମା ପିଲାଙ୍କ କଥା ବୁଝନ୍ତି, କିଏ ପରିବାର ସମସ୍ତ ସଦସ୍ୟଙ୍କ ମଙ୍ଗଳ ମନାସି ପୂଜା କରେ ତ କିଏ ଓଷା ପର୍ବରେ ନାନା ପିଠାପଣା ତିଆରି କରେ। ପୁରୁଷମାନଙ୍କ କାନ୍ଧରେ ଥାଏ ପରିବାରର ଆର୍ଥିକ ବୋଝ। ମୋ ଉପାର୍ଜନ ଅଧିକ। ତେଣୁ ମୋ ପରିବାର ଅଧିକା ଭଲରେ ରହିବେ, ଏହି ଚିନ୍ତା କାହାରି ମନକୁ ଆସେନି।

               

ତରୁଣ ସମୟରେ ଏହି ମାନସିକତାକୁ ବୁଝିପାରି ନଥିବା ଶଶିଭୂଷଣ ଆଜି ଭାବୁଛନ୍ତି କାହିଁକି ନିଜର ଏତେବଡ ସାମ୍ରାଜ୍ୟ ଗଢିବା ପରେ ମଧ୍ୟ ଗାଁ ଛାଡି ବାପା, ବୋଉ କେବେ ତାଙ୍କ ପାଖେ ଆସି ସବୁଦିନେ ରହିଲେ ନାହିଁ!

 

ଆଜି ସେ ଯେଉଁ ଭାଗ୍ୟ ଦ୍ୱାରା ନିଷ୍ପେଷିତ ଅନୁଭବ କରୁଛନ୍ତି, ତାଙ୍କ ବାପା, ବୋଉ କେବେ ଅନୁଭବ କରି ନଥିବେ?

 

ବାପାଙ୍କ ଇଚ୍ଛାଥିଲା ପୁଅ ଡାକ୍ତର ହେବ, ଗାଁରେ ଲୋକଙ୍କ ସେବା କରିବ। ପିଲାଦିନରୁ ଖୁବ‌୍‍ ଭଲ ଛାତ୍ରଥିବା ଶଶିଭୂଷଣଙ୍କ ମନ ସବୁବେଳେ ସହରାଭିମୁଖୀ ହେଉଥାଏ, ସହରୀ ଚାକଚକ୍ୟ ଇତ୍ୟାଦିର ଆକର୍ଷଣ ତାଙ୍କୁ ଆଇଏଏସ‌୍‍ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଓ ସଫଳ ହେବାରେ ସକ୍ଷମ କରାଇଲା। ତା’ ପରଠୁ ସେ ଆଉ ଦୁଇ ଚାରି ଦିନଠୁ ଅଧିକା ଗାଁରେ ରହି ନାହାନ୍ତି।

 

ପୂରା ଶୈଶବ ଯେଉଁ ପରିବେଶରେ କାଟିଥିଲେ ଧୀରେ ଧୀରେ ତାହା ଦୁଃସହ ମନେ ହେଲା। ଆଶା ସହରୀ ଝିଅ ହେଲେ ମଧ୍ୟ ଖୁବ‌୍‍ ସଂସ୍କାରୀ ଥିଲେ। ଦୁହିଁଙ୍କ ଇଚ୍ଛାରେ ପିଲାମାନେ ଶୈଶବକୁ ତାରୁଣ୍ୟ ଯାଏଁ ସବୁ ପ୍ରକାର ସୁଖ ସୁବିଧା ପାଇ ଆସିଲେ। ସେ ନିଜ ପିଲାଦିନେ ପାଇ ପାରି ନଥିବା ବା ଭାବିପାରି ନଥିବା ସମସ୍ତ ପଦାର୍ଥ ପିଲାଙ୍କ ହାତ ପାଆନ୍ତାରେ ଆଣି ରଖିଲେ। ନିଜ ପାରିବା ପଣିଆ ଉପରେ ଭାରି ଭରସା ଥିଲା। ଆଶା କିନ୍ତୁ ପିଲାଙ୍କ ପାଠ ପ୍ରତି ସଦା ସଚେତନ ଖିଲେ।

 

ବାପାଙ୍କ ପଦବୀର ମର୍ଯ୍ୟଦା ରଖି ପିଲାମାନେ ମଧ୍ୟ ଖୁବ‌୍‍ ଭଲ ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଲେ। ଆଶିଷ ତାଙ୍କ ପରିବାରର ପ୍ରଥମ ଡାକ୍ତର ହେଲା। ବାପା, ମା’ଙ୍କ ଆକର୍ଷଣ ବି ତାକୁ ଗୃହାଭିମୁଖୀ କରିପାରି ନଥିଲା। ବର୍ତ୍ତମାନ ଫ୍ଲୋରିଡାରେ ସେ ଏକ ଖ୍ୟାତନାମା ଡାକ୍ତର। ଶଶିଭୂଷଣଙ୍କ ପିତୃତ୍ୱ ପୁତ୍ରର ପ୍ରତିଷ୍ଠାକୁ ନେଇ ଭାରି ଗର୍ବୀତ, କିନ୍ତୁ ବୃଦ୍ଧ ଶଶିଭୂଷଣ କ’ଣ ଖୁସି? ତାଙ୍କ ମନ କ’ଣ ହୁଏନି ପୁଅ, ବୋହୂ, ନାତି, ନାତୁଣି ସଙ୍ଗେ ଖେଳି ବୁଲି ତାଙ୍କ ଶେଷ ସମୟ ତକ ଅତିବାହିତ ହୁଅନ୍ତା!

 

ଝିଅ ସ୍ନେହା ଅକ‌୍‍ସଫୋର୍ଡ ୟୁନିଭରସିଟିରେ ପ୍ରଫେସର ଓ ବାହା ମଧ୍ୟ ହେଇଛି ନିଜ ପସନ୍ଦରେ ଜଣେ ବିଦେଶୀ ବ୍ୟକ୍ତିଙ୍କୁ। ବିଦେଶୀ ହେଲେ ମଧ୍ୟ ଜୋଇଁଟି ଭଲ ପିଲା। ଭାରତୀୟ ଚାଲିଚଳଣକୁ ଭଲପାଏ। କିନ୍ତୁ ଭାରତକୁ ନୁହଁ। ଝିଅ ତ ପାଞ୍ଚ ବର୍ଷ ସାତ ବର୍ଷରେ ଆସେ ଆଉ ରହିବେ କାହାକୁ।

 

ଅନନ୍ତ ତାଙ୍କ ବାଟ ଧରିଲା, ସେ ଆଇଏଏସ‌୍‍। ଦିଲ୍ଲୀରେ ଅଛି। କର୍ମଜଞ୍ଜାଳରେ ଘାଣ୍ଟି ହୁଏ। ପ୍ରତି ତିନିବର୍ଷରେ ବଦଳି। ପିଲାଙ୍କୁ ନେଇ ବୋର୍ଡିଂରେ ଛାଡିଛି। ବୋହୂ ଶାଳିନୀ ପଞ୍ଜାବୀ ଝିଅ। ସେ ବି ଆଇଏଏସ‌୍‍। ତେଣୁ ଦୁଇ ତିନି ବର୍ଷରେ କେବେ ବୋହୂ ତ କେବେ ପୁଅ ଘରକୁ ଆସିଯାଆନ୍ତି। ମିଶିକି ଆସିବା ପୁଣି ପିଲାଙ୍କ ସହିତ ସମ୍ଭବ ନୁହଁ।

 

ସେ ଓ ଆଶା କେବେକେବେ ଯାଇଛନ୍ତି ପୁଅ ପାଖକୁ, କିନ୍ତୁ କର୍ମଜଞ୍ଜାଳ ଯୋଗଁୁ କେବେ ବାପା, ବୋଉଙ୍କ ପାଖରେ ରହିବା ସୁଯୋଗ ହୁଏନି ପୁଅର।

 

ପ୍ରୀୟା ଭଲ ଗୀତ ଗାଉଥିଲା। ବାହା ହେଇଛି। ଜ୍ବାଇଁ ମ୍ୟୁଜିକ‌୍‍ ଡାଇରେକ୍ଟର। ସେ କି ବ୍ୟସ୍ତ ଜୀବନ.....

 

ଦିନେ ଯେଉଁ ଘର ପିଲାଙ୍କ ଗହଳ ଚହଳରେ ଉଠୁଥିଲା ପଡ଼ୁଥିଲା ତାହା ଆଜି ନିଃଶବ୍ଦ, ନିରବ। ଆଶାଙ୍କ ଦୁଃଖ ହିଁ ତାଙ୍କ ଶରୀର ପିଡ଼ାର କାରଣ। ଜୀବନ ସାରା କାହାକୁ କିଛିବି ଆକଟ କରି କହିପାରି ନଥିବା ନିଷ୍ପାପ ମମତାମୟୀ ସରଳ ତାଙ୍କ ଜୀବନସାଥୀଟି ପାଇଁ ଖୁବ‌୍‍ କଷ୍ଟ ଲାଗେ।

 

ମନ ହୃଦୟର ବନ୍ଦ କୋଠରୀ ମଧ୍ୟରୁ ଦୁଃଖ ଉପରେ ହାବି ହୋଇ ରହେ। ତେଣୁ ସେ ବାହାରକୁ ପୂରା ଷ୍ଟ୍ରଙ୍ଗମ୍ୟାନ ଭଳି ଦେଖାଯାଆନ୍ତି। ସେଇ ଅହଂ ମାନେ ଯାହା ବାହାରେ ସେ ଦେଖାନ୍ତି ସେଇ, ଆରେ ନା’ ନା’ ସବୁ ଭଲ ଅଛି। ‘ମୁଁ ଖୁବ‌୍‍ ଖୁସି’ର ମୁଖା ପିନ୍ଧି ଶଶି ଭୂଷଣ ଚାଲିଛନ୍ତି, ଆଶାଙ୍କ ପାଇଁ କିଛି ଔଷଧ ଦରକାର। ଡ୍ରାଇଭର, ପିଅନ ସବୁ କିଏ କୁଆଡେ଼ ଅଛନ୍ତି। ସରକାରୀ ପଦବୀ ସାଥୀରେ ଅଧସ୍ତନ କର୍ମଚାରୀଙ୍କ ଉଦାରତା, ଭକ୍ତି, ସ୍ନେହ, ସମ୍ମାନ ସବୁ କମିଯାଏ ଏବଂ ଶେଷରେ ଅବଜ୍ଞା ଓ ଅମାନିଆ ଗୁଣ ସବୁ ବଳବତ୍ତର ରହନ୍ତି ସେମାନଙ୍କ ଭିତରେ।

 

ଚାକିରି ସମୟରେ ଯୋଉମାନେ ମୁଣ୍ଡ ଉଠେଇ ଚାହିଁବା ପାଇଁ ସାହାସ କରୁନଥିଲେ ଆଜି ତାଙ୍କ ଡାକକୁ ଅଶୁଣା କରୁଛନ୍ତି। କାମ ଟାଳୁଛନ୍ତି। କିନ୍ତୁ ଶଶିଭୂଷଣ ରାଗିପାରୁନାହାନ୍ତି ସେମାନଙ୍କ ଉପରେ। ହୃଦୟ ଭିତରେ ରାଗକୁ ଚାପିରଖି ସହାସ୍ୟ ବଦନରେ ପୁଣି ଅନୁରୋଧ କରୁଛନ୍ତି। ଯାହାକୁ ସେ ‘ଏୟ’ ଡାକୁଥିଲେ, ଏବେ ତାକୁ ‘ବାବୁ ରେ’, ‘ପୁଅ ରେ’ ଡାକୁଛନ୍ତି।

 

ରାସ୍ତାରେ ଶିଶିଭୂଷଣଙ୍କ ପାଖେ ଏକ କାର୍‌ ଅଟକିଛି ଓ ଅବିନାଶ ବାବୁଙ୍କ ପୁଅ ସୁନୀଲର ବାଧ୍ୟବାଧକତାରେ ସେ ତା କାର୍‌ରେ ବସିଛନ୍ତି। ସୁନୀଲ‌୍‍ ଖାଲି ଔଷଧ ଦୋକାନ ଯାଏଁ ନେଲାନି, ବରଂ ପୁଣି ଆଣି ଘରେ ଛାଡ଼ିଦେଇ ଗଲା। ଅଧା ନଇଁ ନମସ୍କାର, ଘର ସାରା ସମସ୍ତଙ୍କ ଖବର ନେବା, ପୁଣି ଘରକୁ ଆସିବା ପାଇଁ ନିମନ୍ତ୍ରଣ, ଶିଶିଭୂଷଣଙ୍କ ହୃଦୟରେ ସନ୍ତାନ ବେଦନାକୁ ଜୀବନ୍ତ କରିଦେଲା।

 

‘ଅବିନାଶ, ଏହି ପିଲାମାନେ ତୁମ ଭବିଷ୍ୟତ, ଏମାନଙ୍କୁ ସମୟ ଦିଅ। ଏମାନଙ୍କୁ ଭଲ ସ୍କୁଲରେ ପଢ଼ାଅ, ଦେଖ ଏମିତି କରିବ ବଡ଼ ହେବା ପରେ ତୁମକୁ ପଚାରିବେ ନାହିଁ।’

 

ବର୍ତ୍ତମାନ ତିରିଶ ପଞ୍ଚତିରିଶ ବର୍ଷ ତଳର କଥା ମନକୁ ବିଚଳିତ କରୁଛି। ଭୁଲ କିଏ ଥିଲେ? ଶଶିଭୂଷଣ, ଆଶା ନା ଏଇ ଅବିନାଶ?

 

ଆଜି ପଛେ ପିଲାମାନେ ବିଦେଶରେ ନଥାନ୍ତେ, ଏତେ ବଡ଼ ସ୍ଥାନରେ ନଥାନ୍ତେ କ’ଣ ଅସୁବିଧା ଥାଆନ୍ତା? ହଁ ତାଙ୍କ ବାହ୍ୟ ଦମ୍ଭ ଏତେ ବିରାଟ ରୂପ ଧାରଣ କରି ନଥାନ୍ତା। କିନ୍ତୁ ଘର ତାଙ୍କର ଭରପୂର ଥାଆନ୍ତା। ପିଲାମାନେ, ନାତି ନାତୁଣି ସେମାନଙ୍କ ଦିନ ରାତି ଯିବା ଆସିବା ଗହଳ ଚହଳ ଓ କେତେ କଥା! ରାଗ, ରୁଷା, ଅଭିମାନ, ହସ କାନ୍ଦ ଭିତରେ କି ସୁନ୍ଦର ଥାଆନ୍ତା ଦିନ ସବୁ! ବୋଧେ ଆଶା ଆଜି ଶଯ୍ୟାଶାୟୀ ହୋଇ ନଥାନ୍ତେ। ଘରେ ଏଇ ହୃଦୟଫଟା ନିରବତାର ରାଜୁତି ନଥାନ୍ତା। ଆହା... କ’ଣ କଲେ? ତା’ ମାନେ କ’ଣ ଭୁଲ ହେଇଗଲା ତାଙ୍କ ଦ୍ୱାରା?

 

ଶିଶଭୂଷଣ ... ଦ ଶଶିଭୂଷଣ ଭୁଲ! ଆଜି ବାପା, ବୋଉ ବହୁତ ମନେ ପଡ଼ୁଛନ୍ତି। ନିଜ ପିଲାବେଳ  ସମସ୍ତ ସମ୍ପର୍କୀୟ ଗାଁ, ସାଙ୍ଗସାଥୀ ଖୁବ‌୍‍ ମନେ ପଡ଼ୁଛନ୍ତି। ଯାହା ସାଧାରଣ ଠାରୁ ବି ନିମ୍ନ ମନେ ହଉଥିଲା ଦିନେ ଆଜି ତାହା ଅମୂଲ୍ୟ ଲାଗୁଛି, ଗାଁ ପୋଖରୀ, ଅଗଣା, ବାରିଆଡ଼, ଧୂଳି ଧୁସର ରାସ୍ତା... ଆହା ଆଜି ସବୁ ଆଖି ଆଗରେ ନାଚି ଯାଉଛି।

 

ପାରିପାର୍ଶ୍ୱିକ ଦୃଶ୍ୟପଟ ସବୁ ଆଉ କିଛି ଦୃଶ୍ୟମାନ ହେଉନାହିଁ। ଆଧୁନିକ ପରିପାଟିର ସାଜସଜ୍ଜିତ ଗୃହର ସ୍ଥାନ ନେଇଛି ଗାଁର ଅସଜଡ଼ା ଘର। କେତେ ଲୋକ ହାଉ ଯାଉ। କିଏ କୋଉଠି ଖାଇ ବସିଛି, ବୋଉ ବିଚାରି ଚୁଲି ମୁଣ୍ଡରେ ଓଢ଼ଣା ଟାଣି କିଛି କିଛି କରିଚାଲିଛି। ଭୁବନେଶ୍ୱରରୁ ଆଇଏଏସ‌୍‍ର ପ୍ରାରମ୍ଭିକ ପରିକ୍ଷାର ସଫଳତାରେ ଉଲ୍ଲସିତ ଶିଶିଭୂଷଣ ଧାଇଁ ଯାଇଥିଲେ ଗାଁକୁ, ବାପା ବୋଉଙ୍କୁ ଏଇ ଖବର ଶୁଣାଇବା ପାଇଁ। ବୋଉକୁ ଟାଣି ଆଣି ବାରିଆଡେ଼ କହିଥିଲେ, ‘ବୋଉ ତୁ ଆଉ ଏତେ କାମ କରିବୁନି। ଆମେ ବଡ଼ ସହରରେ ରହିବା। କେତେ ଲୋକ ତୋ ବୋଲବାକ କରିବେ। ମୁଁ ଆଇଏଏସ‌୍‍ ହେବି ଲୋ ବୋଉ ।’ ନାଚି ଯାଇଥିଲେ ଖୁସିରେ ଶଶିଭୂଷଣ।

 

‘ମଲା! ଯାଃ! ଏଇ କଥା କହିବାକୁ ଏଠିକି ଆଣିଛୁ ମତେ। ବାଇଆଟା... ତୁ କାହିଁକି ସହର ପାଇଁ ଏତେ ନାଚୁଛୁ କହିଲୁ। ଏଇଠି ସ୍କୁଲରେ ମାଷ୍ଟ୍ର ଚାକିରି ମିଳିବନି? ଆମ୍ଭ ଗାଁରେ ବେଙ୍କ ବି ଖୋଲିଗଲାଣି, ସେଇଠି ଚାକିରି ଖୋଜୁନୁ। କେତେ ସୁନ୍ଦର ଆମ ଗାଁ! ସହର ସୁ‌୍‍ଦର! ତୁ ବୁଲିବାଲିକି ଚାଲି ଆ, ଏଇଠି ରହ।’

 

ଓଲି ବୋଉଟା, କିଛି ଜାଣିନି, ବାପା ଜାଣିବେ, ସକାଳେ ବାପାଙ୍କୁ କହିବେ ଭାବି ନିଜ ଖୁସିକୁ ଜାବୋଡ଼ି ଧରି ସୁଖ ସ୍ୱପ୍ନରେ ମଜ୍ଜିଯାଇଥିଲେ ଶଶିଭୂଷଣ।

 

ସକାଳେ ଗାଁ ପୋଖରୀ ତୁଠରେ ବାପାଙ୍କ ପାଖରେ ଖୁସି ତକ ଅଜାଡ଼ି ଦେଲେ।

 

‘ବାପା, ମୁଁ ଦିଲ୍ଲୀ ଯାଉଛି କାଲି।’

 

ବାପା କହିଲେ - ଆରେ, ତୋ କଲେଜ କାମକି? ଆଚ୍ଛା ତତେ ଆଉ କେତେଦିନ ଲାଗିବ ଏଠା କଲେଜକୁ ବଦଳି ହେଇ ଆସିବା ପାଇଁ? ତୁ ଆସିଗଲେ ଏଇ ତୋ ଭାଈ, ଭଉଣୀଙ୍କ ଦାୟିତ୍ୱ ତୁ ନେଲେ ତେଣିକି ଆମେ ସାଂସାରିକ ଜଞ୍ଜାଳରୁ କିଛି ମୁକ୍ତି ପାଆନ୍ତୁ।

 

ଆଉ କ’ଣ ଅଛି କହିଲୁ? ସାରା ଜୀବନ ଗଲା ସଂସାର ଚିନ୍ତାରେ। ଏବେ ଟିକିଏ ବାପା, ତୋର ଗାଁ କଲେଜରେ ହେଇଗଲେ କନିଆ ଦେଖା ଆରମ୍ଭ କରିବି। ହାତକୁ ଦି ହାତ କରିଦେଲେ ବାପା, ପରିବାର ଜଞ୍ଜାଳ ତତେ ଲାଗିଲା, ନା କ’ଣ କହୁଛୁ?

 

‘ବାପା ମୁଁ ଆଇଏଏସ‌୍‍ ହେବି। ଏବେ ଦିଲ୍ଲୀ ଯିବି ୨/୩ ମାସ ପାଠ ପଢ଼ିବି। ଆଉ ମୋର ପ୍ରିଲିମସ‌୍‍ ହୋଇଯାଇଛି, ମେନ‌୍‍ ପରୀକ୍ଷା ବି ହେଇଯିବ। ବାପା ମୁଁ ଆଇଏଏସ‌୍‍ ହେବି।’ ହସି ହସି କହିଥିଲେ ଶିଶିଭୂଷଣ।

 

ବାପା ହସିଲେ। ପୁଣି ଗମ୍ଭୀର ହୋଇଗଲେ।  ତା ହେଲେ ତୁ ଗାଁଠୁ ଦୂରରେ ରହିବୁ। ଗାଁକୁ ଆସିବୁନି!

 

‘ବାପା ମୁଁ ଆଇଏଏସ‌୍‍ ହେବି। କେତେ କଷ୍ଟ କରିବାକୁ ହୁଏ ଏଇଟା ପାଇବା ପାଇଁ ଜାଣିଚ! ମୁଁ ଦିନରାତି ପାଠ ପଢ଼ିଛି ବାପା। ପ୍ରାଇଭେଟ କଲେଜ ଚାକିରିରେ କ’ଣ ଚଳି ହେବ! ଗାଁରେ ଆମେ ରହିବାନି, ତମେ, ବୋଉ ମୋ ସାଥୀରେ ସହର ଯିବ। ବାପା ଏଇଟା ଗୋଟିଏ ଗର୍ବର କଥା।’

 

ବାପାଙ୍କ ଆଖିର ଭାବ ବଦଳି ଗଲା, ସେ କିଛି କହିଲେନି, ଚାଲିଗଲେ ଅନ୍ୟଆଡେ଼। ଶଶିଭୂଷଣ ବୁଝି ପାରି ନଥିଲେ। ସେ ଏକ ଉତ୍ସାହର ଆବେଗରେ ଥିଲେ।

 

ସେଇ ଯୋଉ ଗାଁ ଛାଡ଼ି ଆସିଛନ୍ତି.. ବାସ‌୍‍ ଆସିଛନ୍ତି! ଏମିତି ଦିନେ ବା ଓଳିଏ ପାଇଁ କେତେ ଥର ଯାଇଛନ୍ତି, ଅତିଥି ହୋଇ।

 

ଓଃ ସମୟ ସବୁ ମନ୍ଥର ହୋଇଯାଇଛି। ସଂଧ୍ୟା ସମୟରେ କିଛି ଖୋଲା ପବନ ପାଇଁ ରାସ୍ତାକୁ ବାହାରି ଚାଲିଛନ୍ତି, ହଠାତ‌୍‍ ୧୨/୧୩ ବର୍ଷର ଛୁଆଟିଏ ଆସି ସାଇକେଲ ବ୍ୟାଲେନ୍ସ କରୁ କରୁ ପଡ଼ିଗଲା, ଶଶିଭୂଷଣଙ୍କ ଗୋଡ଼ ପାଖରେ। ପଡ଼ିଯାଉ ଯାଉ ନିଜକୁ ସମ୍ଭାଳି ଧରିଲେ। ଛୁଆଟା ଡରରେ କାନ୍ଦ କାନ୍ଦ, ପୁଣି ଆଣ୍ଠୁ ଗୋଡ଼ ଆଞ୍ଚୁଡ଼ି ହୋଇ ରକ୍ତ ଧୁଳି ସବୁ ମିଶିଯାଇଛି।

 

ହେ, କ’ଣ.... ଘର କୋଉଠି? ଆରେ ସାଇକେଲ ଦେଖିକି ଚଲେଇବ ନା। ଚାଲ ଘରକୁ ଯିବା। ତତେ ଛାଡ଼ି ଆସିବି।

 

ଛୁଆଟି ସାମାନ୍ୟ ଇତଃସ୍ତତଃ ହୋଇ ତା ଘର ଯାଏଁ ଚାଲିଲା, ‘ଏଇଟା ତୋ ଘର, ତୁ ଅବିନାଶ ବାବୁଙ୍କର କ’ଣ?’ ‘ସେ ମୋ ଜେଜେ।’

 

ଆରେ ଅବିନାଶ‌୍‍! ଦେଖ ତମ ନାତି, ହେଇ ତାକୁ ଫାଷ୍ଟ ଏଡ଼‌୍‍ ଦରକାର। ଅବିନାଶ ବାବୁ କୃତ୍ୟକୃତ୍ୟ ହେଇ ପିଲାମାନଙ୍କୁ ଡାକିଲେ, ଆରେ କିଏ କୁଆଡେ଼ ଅଛ? ଆସନ୍ତୁ...ସାର୍‌ ଆପଣ!

 

ବହୁତ ଦିନ ପରେ ଦେଖା ହେଇଥିବାରୁ ଗପସପ ଖୁବ‌୍‍ ଜମିଲା। ଶଶିଭୂଷଣ ଦେଖୁଥାଆନ୍ତି ବୋହୂ ଚା ନେଇ ଆସିଲା। ନାତି, ନାତୁଣି ସବୁ ଆସି ପାଦ ଛୁଇଁ ଗଲେ। ତା’ପରେ ପୁଣି ଜଳଖିଆ। ସେ ବି ଘର ତିଆରି ପୁରୀ, ତରକାରୀ। କେତେଦିନ ପରେ ବୋଉର ହାତ ରନ୍ଧା ମନେପଡ଼ିଲା। ଶଶିଭୂଷଣଙ୍କୁ ସ୍ୱର୍ଗ ଭଳି ଲାଗିଲା, ଅବିନାଶ ବାବୁଙ୍କ ଛୋଟିଆ ଘର। ସେଇ ଅସଜଡ଼ା ଘରେ ଯେମିତି ସ୍ନେହ ଶ୍ରଦ୍ଧା ସଜାଡ଼ି ହୋଇ ରହିଛି। ଅବ୍ୟବସ୍ଥିତ ଆସବାବ ପତ୍ରରେ ଯେମିତି ଗୋଟେପଣେ ମଣିଷକୁ ନିଜର କରିବା ଭାବ ନିଗିଡ଼ି ପଡ଼ୁଛି।

 

ବିଦାୟ ମାଗି ଫେରିବାକୁ ଉଠିଲେ ଶିଶିଭୂଷଣ। କିଛି ସମୟର ଏହି ଚଳ ଚଞ୍ଚଳ ଘର ଓ ସ୍ନେହ ବୋଳା ପରିବେଶରେ ଯେମିତି ସବୁ ଭୂଲି ବସିଥିଲେ। ପରିବାରର ଗୋଟି ଗୋଟି ସଦସ୍ୟ ଆସି ମୁଣ୍ଡିଆ, ନମସ୍କାର କାର୍ଯ୍ୟକ୍ରମ ସରିଲା। ସମସ୍ତେ ବାହାରେ ଯାଏଁ ଆସିଥିଲେ। ଅବିନାଶ ବାବୁ ଅଧାବାଟ ଆସିଲେ ସାଥୀରେ।

 

‘ସାର‌୍‍ ଆପଣଙ୍କ ପାଦ ପଡ଼ିଲା, ଆମେ ଧନ୍ୟ ହେଇଗଲୁ’, କହି ବିଦାୟ ନେଲେ ଅବିନାଶ ବାବୁ। ସୁନ୍ଦର ହସ ହସି ଶିଶିଭୂଷଣ ତାଙ୍କୁ ବିଦାୟ ଦେଲେ।

 

ପୁଣି ସେଇ ଆଶ୍ୱସ୍ତି। ପୁଣି ସେଇ ଖାଲି ପଣ। ପୁଣି ନିଜ ମନ ନିଜକୁ ପଚାରୁଛି ମୁଁ କୋଉଠି ଭୁଲ କଲିକି? କାହିଁକି?

 

ଭୁଲ ଠିକ‌୍‍ର ଜୀବନ ଭିତରୁ ନିଜକୁ ଟାଣି ଆଣି ପୁଣି ବଞ୍ଚିବାକୁ ଚେଷ୍ଟା କରି ଚାଲିଲେ ଘରକୁ। ସଜଡ଼ା ଘର ଓ ଅସଜଡ଼ା ଜୀବନକୁ ପିଠିରେ ଲଦି ଓଠରେ ସମ୍ଭ୍ରମ ହସ ଫୁଟାଇ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top